ଚନ୍ଦ୍ରାହତା

 

 

 

 

 

 

 

 

 

ଚନ୍ଦ୍ରାହତା

ଶ୍ରୀ କମଳା ପ୍ରସାଦ ମହାନ୍ତି

 

ମୋର ସାମାଜିକ ପରିଧି ଅତି ସଂକୀର୍ଣ୍ଣ । ମୋର ଅଭିଜ୍ଞତ। ମଧ୍ୟ ସ୍ୱଳ୍ପ । ପ୍ରେମ, ପ୍ରତିହିଂସା, ବୈରାଗ୍ୟ ପ୍ରଭୃତି ମୌଳିକ ପ୍ରବୃତ୍ତିର ତୀବ୍ର ଅନୁଭୂତି ମୋର ନାହିଁ । ତେଣୁ ଲପିତ। ପରି ଗୋଟିଏ ଜଟିଳ ଚରିତ୍ର ଚିତ୍ରଣ କଲାବେଳେ ମୋର ଲେଖନୀକୁ ନାନା ବନ୍ଧୁର ପଥରେ ଗତି କରିବାକୁ ପଡ଼ିଛି ।

 

ଯେଉଁ ଭଦ୍ରମହିଳା ମତେ ଏଇ ଚରିତ୍ର ଚିତ୍ରଣରେ ସାହାଯ୍ୟ କରିବାର ପ୍ରତିଶୁତି ଦେଇଥିଲେ ଘଟଣାଚକ୍ରରେ ତାଙ୍କୁ ସ୍ଥାନାନ୍ତରିତ ହେବାକୁ ପଡ଼ିଲା । ନୋହିଲେ ତାଙ୍କର ବିଚିତ୍ର ଅଭିଜ୍ଞତ। ଓ ଅନୁଭୂତିର ତୂଳୀରେ ମୁଁ ଲପିତାକୁ ଆହୁରି ସୁନ୍ଦର ଭାବରେ ଫୁଟାଇ ପାରିଥାନ୍ତି ।

 

ଘଟଣା-ବିନ୍ୟାସ ଓ ଚରିତ୍ର-ଚିତ୍ରଣରେ କେତେକ ତ୍ରୁଟି ରହିଯାଇଛି । ତଥାପି ପାଠକମାନେ ଏ ବହିକୁ ଯଥାର୍ଥ ଉପଭୋଗ କରିବେ-ଏ ବିଶ୍ଵାସ ମୋର ଅଛି ।

 

ସୁନ୍ଦର ସୁନ୍ଦର ଶବ୍ଦ ଓ ବାକ୍ୟ ସବୁ ମୋର ବହୁଦିନ ପର୍ଯ୍ୟନ୍ତ ମନେରହେ । ଫଳରେ ଏ ରଚନାର ଗୋଟିଏ ଦୁଇଟି ସ୍ଥାନରେ, ମୋର ଶ୍ରଦ୍ଧେୟ କେଉଁ ଲେଖକଙ୍କର ଏକାଧିକ ଶବ୍ଦ ଓ ବାକ୍ୟର ପ୍ରଭାବକୁ ମୁଁ ଏଡ଼ି ପାରିନାହିଁ । ଏ କଥା ସ୍ଵୀକାର କରିବାକୁ ମୋର ଲଜ୍ଜା ନ।ହିଁ ।

 

ଜୟନ୍ତୀ

 

ତୁଳସୀପୁର, କଟକ-୧

କମଳାପ୍ରସାଦ ମହାନ୍ତି

ଦଶହରା,୧୯୫୮

 

 

ରାତି ପାହିଲେ ବାହାଘର । ସୁକାନ୍ତ ଆଖିରେ ନିଦ ନାହିଁ । ଛାତ ଉପରେ ମସିଣାଖଣ୍ଡେ ପାରି ସେ ଶୋଇ ରହିଛି ଆଉ ଭାବୁଛି । ଭାବୁଛି କେବଳ ଜଣକର କଥା - ଯିଏ ଆସନ୍ତା କେତେ ଘଣ୍ଟା ଭିତରେ ତାର ନିଃସଙ୍ଗ ଜୀବନରେ ପୂର୍ଣ୍ଣଛେଦ ଟାଣି, ବଞ୍ଚି ରହିବାର ସବୁ ଉପକରଣ, ସବୁ ସାଫଲ୍ୟ ବହନ କରି ଧୀର ମନ୍ଥର ଗତିରେ ଏ ଘରକୁ ବୋହୂ ହୋଇ ଆସିବ । ଗୋଟିଏ ମଧୁର ଉତ୍ତେଜନାରେ ଦେହ ମନ ଫୁଲିଉଠୁଛି । ମହୁଲ ବଣରେ ବାଟ ହଜେଇଥିବା ପଥିକଟିଏ ପରି ସେ ବେଳେ ବେଳେ ଅବଶ ହୋଇପଡ଼ୁଛି, କେବଳ ତାରି କଥା ଭାବି ଭାବି - ଯିଏ ଆସନ୍ତା କେତେ ଘଣ୍ଟା ଭିତରେ ଯୌବନର ସବୁ ସମ୍ଭାର, ସବୁ ସମ୍ଭୋଗର ପ୍ରବୃତ୍ତି ନେଇ ନିରୋଳା ରାତିରେ ପାତଳ ଅନ୍ଧାର ଭିତରେ ତାକୁ ସାମାନ୍ୟଟିକେ ଉଚ୍ଛୃଙ୍ଖଳ ଆଉ ଅସଭ୍ୟ ହେବାପାଇଁ ନୀରବ ଆବେଦନ ଜଣାଇବ ।

 

ବିବାହ ଉତ୍ସବକୁ ମୁଖରମଣ୍ଡିତ କରିବା ପାଇଁ କେତେଜଣ ଆତ୍ମୀୟସ୍ୱଜନ ବଡ଼ିଭୋଅରୁ ଆସି ପହଞ୍ଚିଛନ୍ତି । ଦିନସାରା ହୋ ହୋ ଧୋ ଧୋରେ ମାତି ପ୍ରାୟ ଘଣ୍ଟାକ ତଳେ ଅପ୍ରଶସ୍ତ ଗୋଟିଏ କୋଠରୀ ଆଉ ତା ସାମନାରେ ଥିବା ଚେନାଏ ବାରଣ୍ଡାରେ, ରେଳବାଇ ପ୍ଳାଟଫର୍ମରେ ଯାତ୍ରୀଗଣ ବିଶ୍ରାମ କଲାଭଳି ଯିଏ ଯେମିତି ପଡ଼ିଯାଇଛନ୍ତି ।

 

ମାତ୍ର ଚାରିଦିନ ତଳେ ତା ବାହାଘର ଅପ୍ରତ୍ୟାଶିତ ଭାବରେ ଠିକ୍‍ ହୋଇଯିବାରୁ ବନ୍ଧୁବାନ୍ଧବଙ୍କ ପାଇଁ ସେମାନଙ୍କର ପ୍ରାପ୍ୟ ସୁଖସ୍ଵାଚ୍ଛନ୍ଦର ବ୍ୟବସ୍ଥା କରିବା ତା ପକ୍ଷରେ ସମ୍ଭବ ହୋଇପାରି ନାହିଁ । ଗତ ବାରବର୍ଷ ଧରି ଚାଲିଆସୁଥିବା ଏଇ ଛୋଟିଆ ବସାଘରେ ସେ ତା ଜୀବନର ସର୍ବଶ୍ରେଷ୍ଠ ଉତ୍ସବ ପାଳନ କରିବାକୁ ଯାଉଛି ।

 

ଏଇ ବସାଘରର ଗଳି କନ୍ଦିରେ, ଅନ୍ଧାର ଆଲୁଅରେ ନିଜକୁ ମନେଇ ନେବାପାଇଁ ହୁଏତ ପ୍ରଥମେ ପ୍ରଥମେ କଷ୍ଟ ହେବ ଲପିତ।ର । କିନ୍ତୁ କିଛିଦିନ ପରେ ଆପଣା ଛାଏଁ ସବୁ ଠିକ୍‍ ହୋଇଯିବ । ଏଇ ଘରର ଝରକା କବାଟର ନିଶ୍ୱାସ ପ୍ରଶ୍ୱାସରେ ମିଶି ଏକାକାର ହୋଇଯିବ ଲପିତା; ଲପିତ।ର ଚିନ୍ତାଧାରା ଆଉ ଭବିଷ୍ୟତ ଜୀବନ, ଯେଉଁ ଜୀବନରେ କ୍ଳାନ୍ତି ନାହିଁ, ଅବସାଦ ନାହିଁ, ଅଛି କେବଳ ବଢ଼ିଲା ନଈର ତୋଡ଼ରେ ଭାସିଯିବାର ସୀମାହୀନ ଆନନ୍ଦ । ଅନୁକ୍ଷଣ ବାହୁବନ୍ଧନରେ ବିଲୀନ ଦୁଇଟି ଦେହ ବିରହ କ’ଣ ଜାଣିବ ନାହିଁ ! ଅଭାବ କ’ଣ ଜାଣିବ ନାହିଁ !

 

କଲେଜ ଜୀବନରେ ସୁକାନ୍ତ ତାର ଭାବିବଧୂକୁ ବହୁବାର ଦେଖିଛି । ଶ୍ୟାମାଙ୍ଗୀ ଲପିତ। ନିଜ ଦେହର ରଙ୍ଗ ସାଥିରେ ଖାପ ଖାଇଲା ଭଳି ଫିକା ମେରୁନ୍‍ରଙ୍ଗର ଶାଢ଼ୀ ବ୍ଲାଉଜ୍‍ ପିନ୍ଧି ପ୍ରାୟ କଲେଜକୁ ଆସୁଥିଲା । ସେତେବେଳେ ତାର ମୁଖଚନ୍ଦ୍ରମାରେ ଥିଲା ସ୍ନିଗ୍ଧତାର ପ୍ରଲେପ, ତାର କ୍ଷୁଦ୍ର ଅଥଚ ଉଜ୍ଜ୍ଵଳ ଆଖି ଦୁଇଟିରେ ଥିଲା ସ୍ଵପ୍ନନିବିଡ଼ ଅଞ୍ଜନ । ଅଧ୍ୟାପକଙ୍କ ଠାରୁ ଆରମ୍ଭକରି ପ୍ରଥମ ବାର୍ଷିକ ଛାତ୍ର ପର୍ଯ୍ୟନ୍ତ ଅନେକେ ତା’ଆଡ଼କୁ ଆକୃଷ୍ଟ ହୋଇଥିଲେ। । ସେଇ ସମୟରେ ସୁକାନ୍ତ ମଧ୍ୟ ଚାହିଁଥିଲା ଲପିତା ସହିତ ଭାବକରିବା ପାଇଁ, କିନ୍ତୁ ସୁବିଧା ନ ଥିଲା ।

 

ସାତତାଳ ପାଣିତଳେ ନାଗରଜା ନଅରରେ କେଉଁ ସୁନା ଫରୁଆ ଭିତରେ ରହିଥିବା ଲପିତାର ସ୍ମୃତିକୁ ଉଦ୍ଧ।ର କରିବା ପାଇଁ ଆଜି ଭଲ ଲାଗୁଛି ସୁକାନ୍ତକୁ ।

 

ସହଜରେ ବିଶ୍ୱାସ କରି ହୁଏ ନା, ତା’ପରି ଗୋଟିଏ କୁଦେହୀ ଦରିଦ୍ର ବେକାର ହାତରେ ନିଜର ଏକମାତ୍ର ରୂପବତୀ, ଗୁଣବତୀ କନ୍ୟାର ଭବିଷ୍ୟତ ଅର୍ପଣ କରିବାକୁ କେମିତି ଆଗ୍ରହ ପ୍ରକାଶ କଲେ ଧନୀ ଚନ୍ଦ୍ରମାଧବ ବାବୁ ! ଏତେ ବଡ଼ ସହରରେ ତାଙ୍କ କନ୍ୟାଲାଗି ଯଥାଯୋଗ୍ୟ ମନ୍ଦପାଳର ସନ୍ଧାନ ତ ସେ ଅକ୍ଳେଶରେ ପାଇ ପାରିଥାନ୍ତେ !
 

ତିନିବର୍ଷ ତଳେ ତାର କୋଷ୍ଠୀ ବିଚାର କରି ବେନାରସର ଜଣେ ପଣ୍ଡିତ କହିଥିଲେ -ସେ ଖୁବ୍‍ ବଡ଼ଘରେ ବାହାହେବ । ସପ୍ତମାଧିପତି ଶୁକ୍ର ଭାଗ୍ୟସ୍ଥ । ବିବାହ ପରେ ଭାଗ୍ୟୋନ୍ନତି । ତାଙ୍କ ଗଣନା ଶୁଣି ସୁକାନ୍ତ ସେଦିନ ତାଚ୍ଛଲ୍ୟରେ ହସିଥିଲା । କିନ୍ତୁ ସେଇ ଭବିଷ୍ୟତ୍‍ବାଣୀ ଅକ୍ଷରେ ଅକ୍ଷ୍ୟରେ ସତ ହେବାକୁ ଯାଉଛି । ଅଷ୍ଟମଙ୍ଗଳା ବାସି ଦିନ ପଣ୍ଡିତଙ୍କ ପାଖକୁ କିଛି ଟଙ୍କା ପଠେଇଦେଲେ ଚଳିବ ।

 

ଚଉଠି ରାତିର ଅଧା ଆଲୁଅ ଅଧା ଅନ୍ଧାର ଭିତରେ କ’ଣ କହି କଥା ଆରମ୍ଭ କରିବ ସେ? ସେଇ କଥା ଭାବୁ ଭାବୁ ଆନନ୍ଦ ଆଉ ଶଙ୍କ।ରେ ଛାତି ଥରିଉଠୁଛି ! ମାଡ଼ି ମାଡ଼ି ପଡ଼ୁଥିବା ଆକାଶ ଆଡ଼େ ଚାହିଁ ସେ ନିଜକୁ ସେଥିପାଇଁ ପ୍ରସ୍ତୁତ କରିନେଉଛି ।

 

ହଠାତ୍‍ ଉତ୍ତର ଦିଗର ତାରାପୁଞ୍ଜକୁ ଉପହାସ କରି ହାବେଳିଟିଏ ଜଳିଉଠିଲା । ସୋରିଷଫୁଲ ପରି ଦିଶୁଥିବା ସଦ୍ୟଜାତ କେତୋଟି ତାରା ମାଟି ଛୁଇଁବା ବହୁପୂର୍ବରୁ ମିଳେଇଗଲେ-

 

ଛାତର ପ୍ରାନ୍ତ ଭାଗକୁ ଉଠିଯାଏ ସୁକାନ୍ତ । ଦୂରରେ ଦିହୁଡ଼ିର ବିରାଟ ପଟୁଆର, ଭାରି ସୁନ୍ଦର ଦେଖାଯାଉଛି । ଏକ ଦୃଷ୍ଟିରେ ସେ ସେଇଆଡ଼କୁ ଚାହିଁରହେ । କାଲି ସେ ବି ଠିକ୍‍ ଏଇ ଢଙ୍ଗରେ ବାହାହେବାକୁ ଯିବ । ଅବଶ୍ୟ ଏତେବଡ଼ ପଟୁଆରର ଆୟୋଜନ କଲାଭଳି ସାମର୍ଥ୍ୟ ତାର ନାହିଁ । ତଥାପି ନିଜ ବଂଶର ଗୌରବ ରକ୍ଷା କରିବା ଦୃଷ୍ଟିରୁ ଶ୍ୱଶୁର ମହାଶୟ ସେ ସବୁର ଆୟୋଜନ କରିଛନ୍ତି । ରୋଶନି, ବାଜା, କୋଳାହଳ କ୍ରମେ ପାଖେଇଆସୁଛି ।

 

କାହାର ମୃଦୁ ସ୍ପର୍ଶରେ ଚମକିପଡ଼ି ସୁକାନ୍ତ ଦେଖେ ତ ରୁବି ଭାଉଜ ଛିଡ଼ାହୋଇ ହସୁଛନ୍ତି-। ପାଦ ଚିପି ଚିପି ଛାତକୁ କେତେବେଳୁ ଉଠି ଆସିଛନ୍ତି କେଜାଣି ।

 

-କାଲି ତମେ ବି ଏମିତି ନ।ଗର ସାଜି, ରୋଶନି ଜାଳି, ବାଜା ବଜେଇ ବାହାହବାକୁ ଯିବ-। ରାସ୍ତାକଡ଼ର କେତେ ଲୋକ ତମକୁ ହାଁ କରି ଚାହିଁ ରହିଥିବେ, ଠିକ୍‍ ତମେ ଏଇନେ ଯେମିତି ପଟୁଆର ଆଡ଼େ ଚାହିଁରହିଛ । ବୁଝିଲ ?

 

ସୁ ସୁ ଶବ୍ଦକରି ପବନରେ ଶୁଅକାଟି ହାବେଳି ପଛରେ ହାବେଳି ଛୁଟୁଛି । ଦିଗ୍‍ବଳୟ ଉଜ୍ଜ୍ଵଳ ହୋଇଉଠୁଛି । ନାଲି ନେଳି ହଳଦିଆ ଫୁଲମାଳ ସବୁ ଭାସି ବୁଲୁଛନ୍ତି ଆକାଶରେ ।

 

-ଖୁବ୍‍ ବଡ଼ଲୋକ ଘର ବୋଧେ ? ବାଃ ବାଃ କେତେ ଝାଡ଼ ! ଦେଖୁଛ ସୁକାନ୍ତ । ତିନି ତିନି ଦଳ ବାଜାବାଲା ......ଇସ୍‍ ...କି ଚମତ୍କାର ସଜା ହୋଇଛି ମ କାର୍‍ଟା ... ଠିକ୍‍ ଗୋଟିଏ ହଂସପରି ... ନୁହଁ ?

 

ଆନନ୍ଦରେ କୁରୁଳି ଉଠୁଛନ୍ତି ରୁବି ଭାଉଜ । ସାଧାରଣ ଗୋଟିଏ ବାହାଘର ପାଟୁଆରରେ ତାଙ୍କର ଏତେ ଆଗ୍ରହ ଦେଖି ହସମାଡ଼ିଲା ସୁକାନ୍ତକୁ ।

 

-କଣ ଏମିତି ପିଲାଙ୍କ ଭଳିଆ ହଉଛ ମ ଭାଉଜ । ......ଏ ବୟସରେ ବି ରୋଶନି ଦେଖି ଏତେ ଖୁସି ଲାଗୁଛି ?

 

ଗତିଶୀଳ ପଟୁଆର ଉପରେ ଦୃଷ୍ଟି ନିବଦ୍ଧ ରଖି ରୁବି ଭାଉଜ କୁହନ୍ତି -ଖୁସି ଲାଗିବ ନାହିଁ-? ତମ ଭାଇ ତ ଆଉ ରୋଶନି ଜାଳି ବାଜା ବଜାଇ ମତେ ବାହାହବାକୁ ଯାଇ ନ ଥିଲେ ।

 

ସୁକାନ୍ତର ପିଉସୀ ପୁଅ ଭାଇ ରମାନାଥ କଲେଜରେ ପାଠ ପଢ଼ିଲାବେଳେ, ହଷ୍ଟେଲ୍‍ ତତ୍ତ୍ଵାବଧ।ନରେ ଥିବା କିରାନୀ ଶ୍ୟାମ ସୁନ୍ଦର ମିଶ୍ରଙ୍କ କନ୍ୟା ରୁବି ଦେବୀଙ୍କୁ ପ୍ରେମକରି ବାହା ହୋଇଥିଲେ । ଅମରେଶ୍ଵର ମନ୍ଦିର ବେଢ଼ାଭିତରେ, ତାଙ୍କର କେତେଜଣ ଅନ୍ତରଙ୍ଗ ବନ୍ଧୁଙ୍କ ଗହଣରେ ସେଇ ବାହାଘର ଅତି ନିରାଡ଼ମ୍ବର ଭାବରେ ସମାପ୍ତ ହୋଇଥିଲା ।

 

ଯେଉଁଦିନ ରମାଭାଇ ନାଲି ଟୁକୁ ଟୁକୁ ରୁବି ଭାଉଜଙ୍କୁ ସାଙ୍ଗରେ ଧରି ଗାଁରେ ଯାଇଁ ପହଞ୍ଚିଲେ, ସେଦିନ ଆତ୍ମୀୟ ସ୍ଵଜନଙ୍କ ଠାରୁ ଆରମ୍ଭ କରି ସାଇପଡ଼ିଶାର ସମସ୍ତେ ତାଙ୍କୁ ଛି-ଛାକର କରିଥିଲେ । ପିଇସା ଦୁଇବର୍ଷ ପର୍ଯ୍ୟନ୍ତ ପୁଅବୋହୂଙ୍କ ମୁହଁ ଚାହିଁ ନ ଥିଲେ । କିନ୍ତୁ ସମୟର ପ୍ରଭାବରେ ଆପଣା ଛାଏଁ ସବୁ କଥା ସଜାଡ଼ି ହୋଯାଇଛି । ବ୍ରାହ୍ମଣଘରର ଝିଅ ରୁବି ଭାଉଜ କରଣଘରର ଶାଗ ତୋରାଣି ଭିତରେ ନିଜକୁ ବୁଡ଼େଇଦେଇ ଆସ୍ତେ ଆସ୍ତେ ସମସ୍ତଙ୍କୁ ଆପଣାର କରିନେଇଛନ୍ତି । ରମାଭାଇର ପୁଅଝିଅଙ୍କୁ କାନ୍ଧରେ ପିଠିରେ ବସେଇ ଶେଷ ଜୀବନରେ କାଠଘୋଡା ହୋଇ ପାଣି ପିଇବାର ଗର୍ବ ଓ ଆନନ୍ଦ ଏବେ ଅନୁଭବ କରୁଛନ୍ତି ପିଇସା ।

 

କାହିଁକି କେଜାଣି ପ୍ରଥମ ଦର୍ଶନରେ ରୁବି ଭାଉଜକୁ ଭଲ ଲାଗିଥିଲା ସୁକାନ୍ତର ! କିଶୋରଜୀବନର ସବୁତକ ସ୍ନେହ ସୁହାଗ ସେ ଅଜାଡ଼ିଦେଇଥିଲା ତାଙ୍କ ପାଖରେ । ଭଲ୍‍କରି ଲେଖାପଢ଼ା ଶିଖିବାକୁ ଆଗ୍ରହ ପ୍ରକାଶ କରିଥିଲେ ରୁବି ଭାଉଜ । ସୁକାନ୍ତ ତା’ର ପାରୁପର୍ଯ୍ୟନ୍ତ ଚେଷ୍ଟାକରି ତାଙ୍କୁ ଭଲକରି ଲେଖାପଢ଼ା ଶିଖାଇଦେଇଥିଲା, ସେ ଆଜିକି ବହୁତ ଦିନ ତଳର ଘଟଣା

 

ଅବସ୍ଥା ଆଉ ପରିବେଶର ଚାପରେ ନାଲି ଟୁକୁ ଟୁକୁ ରୁବି ଭାଉଜ ଏବେ ଶେତାଳିଆ ଦିଶିଲେଣି । ରମାଭାଇ ଓ ପରିବାରର ପ୍ରାୟ ସମସ୍ତଙ୍କୁ ସୁଖୀ କରିବା ଉଦ୍ଦେଶ୍ୟରେ ଅକ୍ଳାନ୍ତ ପରିଶ୍ରମ କରି କରି ସେ ସମ୍ପୂର୍ଣ ଭାଙ୍ଗିପଡ଼ିଲେଣି । ତଥାପି ତାଙ୍କ ଓଠରେ ସେବେକାର ସେଇ ପିଲାଳିଆ ହସଟିକକ ଏବେ ସୁଦ୍ଧା ଲାଗିରହିଛି ।

 

ବରକୁ ଭଲକରି ଦେଖିବା ପାଇଁ ଛାତର ବାଡ଼ାଉପରକୁ ଝୁଙ୍କି ପଡ଼ିଲେ ରୁବି ଭାଉଜ । ଠିକ୍‍ ଗୋଟିଏ କିଶୋରୀ ମନର ଉତ୍ସାହ ଓ ଉନ୍ମାଦନା ତାଙ୍କ ଭଙ୍ଗୀରେ ।

 

-ମଲା ମଲା ! ......ଯାହା ପାଇଁ ଏତେ କଥା ତା ରୂପ ପୁଣି ଏଡ଼ିକି ସୁନ୍ଦର .....

ହତାଶରେ ମୁହଁ ମୋଡ଼ିଲେ ରୁବି ଭାଉଜ, ତାଙ୍କ କଥା ଶୁଣି କ୍ଷଣକ ପାଇଁ ନିଶ୍ୱାସ ବନ୍ଦ ହୋଇଆସିଲା ସୁକାନ୍ତର । ବରଆଡ଼ୁ ମୁହଁ ଫେରାଇଆଣି ନିଜ ଦିହ ଉପରେ ଟିକେ ଆଖି ବୁଲାଇନେଲା । ସେ ବି କୋଉ ସୁନ୍ଦର ଯେ !

 

ଏତେବଡ଼ ସାଜସଜା ଭିତରେ ବରବେଶ ସାଜି ଯିଏ ବସିଛି, ସେ ଦେଖିବାକୁ ପ୍ରକୃତରେ କଦର୍ଯ୍ୟ ।

 

ସୁକାନ୍ତ ନିଜ ଚେହେରା ସହିତ ବରର ଚେହେରା ମିଳେଇ ଦେଖିଲା । ବିଶେଷ କିଛି ତଫାତ୍‍ ନାହିଁ । ବୀର ଦର୍ପରେ ବାହାହେବାକୁ ଯାଉଥିବା ବରଟି ଠିକ୍‍ ତାରି ପରି ଗେଡ଼ା ଆଉ କଳା-। ମୁହଁର ଗଢ଼ଣଟି ଠିକ୍‍ ତା’ରି ପରି ଦୃଷ୍ଟିକଟୁ । କ।ଲି ବାହାହେବାକୁ ଗଲାବେଳେ ତାକୁ ମଧ୍ୟ ଲୋକେ ପସନ୍ଦ କରିବେ ନାହିଁ ।

 

କାନ -ଅତଡ଼ା ଗୋଟିଏ ବାଣରେ ଭୀତତ୍ରସ୍ତହୋଇ ପାଖ ଚାକୁଣ୍ଡାଗଛରେ ବସା ବାନ୍ଧିଥିବା ପଲେ ବଗ କ୍ଷିପ୍ରଗତିରେ ଉଡ଼ିଯାଉଥିଲେ । ହୁଏତ ସାରାରାତି ସେମାନେ ଏ ଗଛ ସେ ଗଛ ହୋଇ ତାଙ୍କର ପ୍ରିୟ ବସା ଖୋଜି ବୁଲିବେ । ବିନ୍ଦୁଟିଏ ହୋଇ ଆକାଶ ମାର୍ଗରେ ମିଳାଇଯିବା ପର୍ଯ୍ୟନ୍ତ ସେମାନଙ୍କ ଆଡ଼କୁ ବ୍ୟାକୁଳ ଦୃଷ୍ଟିରେ ଚାହିଁ ରହିଥିଲା ସୁକାନ୍ତ, ଆଉ ରୁବି ଭାଉଜ ଚାହିଁ ରହିଥିଲେ ସାମନା ଛକରେ ବାଟ ଭାଙ୍ଗୁଥିବା ପଟୁଆର ଆଡ଼େ ।

 

ତାପରେ ରୁବି ଭାଉଜ ତଳକୁ ଓହ୍ଲାଇ ଯାଇଥିବା କାଠ ସିଡ଼ି ଉପରେ ଠିଆହୋଇ କହିଲେ -ସୁନାପୁଅଟି ପରି ଏଇନେ ନିଦରେ ଶୋଇପଡ଼ । ଶାନ୍ତିଦାୟିନୀ ନିଦ୍ରାଦେବୀ ଆଉ ସ୍ଵପ୍ନଚାରିଣୀ ଲପିତ। ଦେବୀ ଏଣିକି ଦୁଇ ସଉତୁଣୀ ହେବେ ....... ବୁଝିଲ ବାବୁ ?

 

ସିଡ଼ିର ଦୁଇବାଡ଼ାକୁ ଧରି ଧରି ଅତି ସନ୍ତର୍ପଣରେ ଓହ୍ଲେଇଯାଉଥିଲେ ରୁବି ଭାଉଜ । କଣ ଭାବି ସୁକାନ୍ତ ଡାକିଲା - ଭାଉଜ !

 

ସିଡ଼ି ମଝିରେ ଥାଇ ଭାଉଜ ପଚାରିଲେ-କଣ

- ତମେ ଆଉଟିକେ ମୋ ପାଖରେ ରୁହ, ମତେ ଭାରି ନିଛାଟିଆ ଲାଗୁଚି ।

ସୁକାନ୍ତର କଣ୍ଠସ୍ଵରରେ ସକରୁଣ ନିବେଦନ । ରୁବି ଭାଉଜ ବିନା ବାକ୍ୟବ୍ୟୟରେ ପୁଣି ଛାତ ଉପରକୁ ଉଠିଆସିଲେ !

 

ଅଧେ ଦେହ ମସିଣା ଉପରେ ଆଉ ଆର ଅଧକ ଚଟାଣ ଉପରେ ରଖି କହୁଣୀ ଉପରେ ଭରାଦେଇ ଶୋଇଛି ସୁକାନ୍ତ ।

 

-ବସ ।

ରୁବି ଭାଉଜ ବସିଲେ । ଆଣ୍ଠୁ ଦୁଇଟିକୁ ବାନ୍ଧିଦେଲେ ନିଜର ଶିଥିଳ ବାହୁବନ୍ଧନରେ ।

-ତୁମକୁ ଗୋଟିଏ କଥା ପଚାରିବି, କିଛି ଭାବିବ ନାହିଁ ତ ?

- ଭାବିବି ନାହିଁ କେମିତି ? କଣ କହୁନ ?

- ତମେ ରମା ଭାଇଙ୍କି ବାହାହୋଇ ସୁଖୀ ହୋଇଛ ?

ଚମକିପଡ଼ିଲେ ରୁବି ଭାଉଜ । ସ୍ୱାମୀ ରମାନାଥ ମଧ୍ୟ ତାଙ୍କୁ ଆଜିଯାଏ ଏପରି ପ୍ରଶ୍ନ ପଚାରି ନାହାନ୍ତି । କ୍ଷଣକ ମଧ୍ୟରେ ନିଜକୁ ସଂଯତ କରିନେଇ କହିଲେ - ମୁଁ ଯଦି ସୁଖୀ ହୋଇ ନ ଥାଏ ତେବେ ସେଥିପାଇଁ ମୁଁ ଦାୟୀ । ମତେ ତ ଧରିବାନ୍ଧି କେହି ତମ ଭାଇଙ୍କ ସାଙ୍ଗେ ବାହାଘର କରିଦେଇ ନ ଥିଲ। ? ଆଜି ଏ ପ୍ରଶ୍ନ ଉଠୁଛି କାହିଁକି ସୁକାନ୍ତ ?

 

- ନାଇଁ .... ଏମିତି । ଆଚ୍ଛା ଭାଉଜ, ସ୍ୱାମୀ ଯଦି ଦେଖିବାକୁ ଅସୁନ୍ଦର ଆଉ କଦର୍ଯ୍ୟ ହୁଏ ତେବେ ସ୍ତ୍ରୀ କଣ ତାକୁ ପ୍ରକୃତରେ ଭଲପାଏ ନାହିଁ ?

 

- ପ୍ରକୃତ ଭଲପାଇବା କାହାକୁ କହନ୍ତି ମୁଁ ଜାଣିନାହିଁ । ଏ ସଂସାରରେ ସେମିତି ଗୋଟାଏ କିଛି ଜିନିଷ ଥାଇପାରେ ବୋଲି ମୋର ସନ୍ଦେହ ଅଛି । ଭଲପାଇବା ଗୋଟାଏ ଆବେଗ, ଗୋଟାଏ ଆକର୍ଷଣ, ଯେଉଁ ପୁରୁଷକୁ ନେଇ ସାରାଜୀବନ ଚଳିବାକୁ ପଡ଼ିବ ସେଇ ପୁରୁଷଟି ଯଦି କଦାକାର ହୁଏ ତେବେ ତା ପ୍ରତି ସ୍ତ୍ରୀର ଆକର୍ଷଣ ରହିବ ବା କେମିତି, ଆଉ କାହିଁକି ? ଆଖି ଯାହାକୁ ଅସୁନ୍ଦର ବୋଲି ଦୂରକୁ ଠେଲିବ ମନ ତାକୁ କେମିତି ଗ୍ରହଣ କରିବ କହିଲ ? ସୌନ୍ଦର୍ଯ୍ୟପିପାସା ଅଳ୍ପ ବହୁତ ସମସ୍ତଙ୍କର ଅଛି, ଏକଥା କଣ ତମେ ଅସ୍ଵୀକାର କରିବ ?

 

ଅସ୍ଵୀକାର କରିବାର ଉପାୟ ନାହିଁ । ଜ୍ୟୋସ୍ନା -ପାଣ୍ଡୁର ଦିଗ୍‍ବଳୟ ଆଡ଼େ ନିଷ୍ପ୍ରଭ ଦୃଷ୍ଟିରେ ଚାହିଁରହି ସୁକାନ୍ତ ଭାବୁଛି, ରମାଭାଇ ତ ଦେଖିବାକୁ କଦାକାର ଥିଲେ, ଅଥଚ ରୁବି ଭାଉଜ ତାଙ୍କ ପ୍ରେମରେ ପଡ଼ିଲେ କେମିତି ? ସେତେବେଳେ ସେ ଥିଲେ କିଶୋରୀ, ହୁଏତ କେବଳ ଗୋଟିଏ କୌତୂହଳର ବଶବର୍ତ୍ତୀ ହୋଇ ରମା ଭାଇଙ୍କ ଉପରେ ତାଙ୍କର ଆସକ୍ତି ଜନ୍ମିଥିବ ଆଉ ବୟସ ବଢ଼ିବା ସଙ୍ଗେ ସଙ୍ଗେ ତାଙ୍କର ସୌନ୍ଦର୍ଯ୍ୟପିପାସା ବଢ଼ିଛି ।

 

ସୁକାନ୍ତ ତା’ର ଦୁଇଟିଯାକ ଓଠକୁ ଜିଭରେ ଓଦାକରି ପଚାରେ - ତେବେ ତ ମୁଁ ବାହାହୋଇ ସୁଖୀ ହୋଇପାରିବି ନାହିଁ ? ତମେ ଜାଣିଛ ଭାଉଜ ଲପିତ। ଦେଖିବାକୁ ଭାରି ସୁନ୍ଦର-।

 

-ମୁଁ ତାଙ୍କୁ ଅନେକଦିନ ତଳେ ଦେଖିଥିଲି, ମତେ କାହିଁକି ସୁନ୍ଦର ଦିଶିଲେ ନାହିଁ । ତମ ଜାତିର ଗୋଟାଏ ଏତିକି ଭଲ ଗୁଣ ତମମାନଙ୍କୁ ସବୁ ସୁନ୍ଦର ଦିଶେ । ନିଜର କଳ୍ପନା ଦେଇ ତମେମାନେ ଅକ୍ଳେଶରେ ଗୋଟିଏ ମନ୍ଥରାକୁ ମେନକା କରିଦେଇ ପାର ଆଉ ସେଇ ମେନକାଟିକୁ ପାଇବାପାଇଁ ପାଗଳ ହୋଇଯିବା ମଧ୍ୟ ତମମାନଙ୍କ ପକ୍ଷରେ ଅସମ୍ଭବ ନୁହେଁ ।

 

ଲୁଗାକାନିରେ ମୁହଁ ଗୁଞ୍ଜି ହସୁଛନ୍ତି ରୁବି ଭାଉଜ । ଗମ୍ଭୀର କଣ୍ଠରେ ସୁକାନ୍ତ କହେ - ପୁରୁଷ ଯଦି ନିଜର କଳ୍ପନା, ନିଜ ଅନ୍ତରର ସୌନ୍ଦର୍ଯ୍ୟ ଦେଇ ଜଣକୁ ସୁନ୍ଦରତମ କରିପାରେ ତେବେ ନାରୀ କାହିଁକି ସେତକ ନ କରିପାରିବ ?

 

- ତମେ ଏଠି ଶୋଇ ଶୋଇ ଆକାଶକୁସୁମ ରଚନା କରୁଛ, ଆଉ ବୋଧହୁଏ ସକାଳ ହେବା ପର୍ଯ୍ୟନ୍ତ ଉପରକୁ ଚାହିଁରହି ପାରିଜାତ ଫୁଲର ସନ୍ଧାନ କରୁଥିବ ଅଥଚ ମୋ ମନ ପଡ଼ିରହିଚି କଦଳୀକାନ୍ଦି ପାଖରେ । ମୂଷା ନେଇଯିବ ବୋଲି ତାକୁ ମୁଣ୍ଡ ଉପରେ ରଖି ମୁଁ ଶୋଇଥିଲି, ଯାଉଛି ।

 

-ତମେ ସତରେ କଣ ମ ଭାଉଜ ? .... ଏଡ଼େ ସୁନ୍ଦର ଜହ୍ନରାତି .... ଦୁହେଁ ବସି କେଡ଼େ ଆରାମରେ ଗପସପ କରୁଛୁ । ଏତିକିବେଳେ ତମର କଦଳୀକାନ୍ଦି କଥା ମନେପଡ଼ିଲା ?

 

-ମୁଁ ସେଇ କଥା ତ କହୁଥିଲି । ଜନ୍ମରୁ ଆମ୍ଭେମାନେ ବସ୍ତୁବାଦୀ । ଗୋଟିଏ ସତେଜ ସ୍ୱାସ୍ଥ୍ୟବ।ନ୍‍ ପରୁଷର ପ୍ରୟୋଜନ ଆମ ଜୀବନରେ ଯେତିକି, ଭଲ ଭଲ କୁଲା ବାଉଁଶିଆର ପ୍ରୟୋଜନ ମଧ୍ୟ ତାଠାରୁ କିଛି କମ୍‍ ନୁହେଁ । ତମେମାନେ ସବୁ ଭାବରାଇଜର ରାଜକୁମାର । ମାଟିରେ ଘରକରି ରହିଥିଲେ ମଧ୍ୟ ସ୍ଵପ୍ନଲୋକରେ ବୁଲୁଥାଅ । ସେଇଥିପାଇଁ ତମମାନଙ୍କ ଭିତରେ ପାଗଳଙ୍କ ସଂଖ୍ୟା ବେଶି । ରମ୍ଭା, ଉର୍ବଶୀ ପୁରୁଷ ଜାତିର ଉଦ୍‍ଭଟ କଳ୍ପନାର ସୃଷ୍ଟି, ଆମମାନଙ୍କର ନୁହେଁ । ଆମ କଳ୍ପନାର ସୀମା ଅଛି, ଆଉ ବୋଧହୁଏ ସେଇଥିଲାଗି ନିଜ ମନର ରଙ୍ଗ ବୋଳି ଗୋଟିଏ ଅସୁନ୍ଦର ଜୀବକୁ ସୁନ୍ଦର କରିବାର ଶକ୍ତି ଆମର ନାହିଁ ।

 

ନିରାଶ ହୋଇ ସୁକାନ୍ତ କହେ -ତାହାହେଲେ ସବୁଦିନପାଇଁ ଲପିତ। ଆଖିରେ ମୁଁ ଗୋଟାଏ କଦର୍ଯ୍ୟ ଜୀବ ହୋଇ ରହିଥିବି, ନୁହଁ ? ମତେ ବାହାହୋଇ ବିଚରା ସାରାଜୀବନ ଅଶାନ୍ତିରେ କଟାଇବ ।

 

-ସୁଖଶାନ୍ତି ମନ ଭିତରର ଜିନିଷ । ରକ୍ତମାଂସ ଦେହର ଏଇ ଯେଉଁ ସମ୍ପର୍କ ତାର ବହୁ ଉର୍ଦ୍ଧ୍ୱରେ । ତା’ ଛଡା ତମେ ଯଦି ନିଜକୁ ତା’ର ଅଯୋଗ୍ୟ ମନେକରୁଛ ତେବେ ସେଠି ବାହାହେବାକୁ ରାଜିହେଲ କାହିଁକି ? ଅଧେ ରାଜ୍ୟ ସାଥିରେ ରାଜକନ୍ୟାପ୍ରାପ୍ତିର ଲୋଭ ସମ୍ବରଣ କରିପାରିଲ ନାହିଁ ବୋଧେ ?

 

ଆକାଶରୁ ଉଲ୍‍କାଟିଏ ଖସିପଡ଼ିଲା । ଭୟରେ ଆଖି ବୁଜି ଦେଲା ସୁକାନ୍ତ ।

-ମତେ ନିଦମାଡ଼ିଲାଣି । ତମେ ଏଥର ଶୋଇପଡ଼ କାଲି ରାତିସାର। ପୁଣି ଅନିଦ୍ରା ରହିବାକୁ ପଡ଼ିବ ।

 

ରୁବି ଭାଉଜ ଉଠିଗଲେ । କଣ ଭାବି ସିଡ଼ି ପାଖରୁ ପୁଣି ଫେରିଆସିଲେ ।

-ତମେ ମନକଷ୍ଟ କରୁଛ କି ସୁକାନ୍ତ ? ମୁଁ ତମ ସାଙ୍ଗେ ପରିହାସ କରୁଥିଲି । ସ୍ୱାମୀ ସ୍ତ୍ରୀର ଦେବତା । ସେ ଖଣ୍ଡେ ମାଙ୍କଡ଼ା ପଥର ହେଲେ ବି ଫୁଲ ଫଳ ଦେଇ ସ୍ତ୍ରୀ ତାକୁ ପୂଜାକରିବ । ହିନ୍ଦୁସ୍ତ୍ରୀର ଇହକାଳ ଆଉ ପରକାଳର ଗତି ପରା ହେଉଛି ତା’ର ସ୍ୱାମୀ ! ବଳେ ସବୁ ଜାଣିବ ନାହିଁ ଯେ !

 

ହସି ହସି ଭାଉଜ ତଳକୁ ଓହ୍ଲାଇଗଲେ । ତକିଆରେ ମୁହଁ ଗୁଞ୍ଜି ଶୋଇ ରହିଲା ସୁକାନ୍ତ ।

ପ୍ରିୟଦର୍ଶନ ସ୍ୱାମୀଟିଏ ନ ପାଇଲେ ନାରୀ ଯେ ସ୍ୱଚ୍ଛମନରେ ପ୍ରେମ ନିବେଦନ କରିପାରବ ନାହିଁ ଏକଥା ବିଶ୍ୱାସଯୋଗ୍ୟ ନୁହେଁ, ତାର ସୌଭାଗ୍ୟକୁ ଈର୍ଷା କରି ରୁବି ଭାଉଜ ଯେତେ ସବୁ ବାଜେକଥା କହିଗଲେ । ସେ ଯେତେ ଭଲଲୋକ ହୁଅନ୍ତୁ ନା କାହିଁକି, ଜଣେ ସ୍ତ୍ରୀ ଲୋକ ତ !

 

ବର୍ଷାଧିକ କାଳ ଦଉଡ଼ି ଦଉଡ଼ି ଯାହା ସମ୍ଭବ ହୋଇ ନଥିଲା ବାହାଘରର ମାତ୍ର ଦଶୋଟି ଦିନ ପରେ ତା ସମ୍ଭବ ହୋଇପାରିଛି । ପ୍ରଭାବଶାଳୀ ଶ୍ୱଶୁରଙ୍କର ପଦେ କଥାରେ ଗୋଟିଏ ବିଶିଷ୍ଟ ମାରୁଆଡ଼ି ବ୍ୟବସାୟ-ପ୍ରତିଷ୍ଠାନରେ ସୁକାନ୍ତକୁ ଚାକିରୀ ମିଳିଛି । ପ୍ରାରମ୍ଭିକ ଦରମା ତିନିଶହ ଟଙ୍କା । ଭଲ କାମ କଲେ ଅଦୂର ଭବିଷ୍ୟତରେ ସାତଶହ ହେବାର ପ୍ରତିଶ୍ରୁତି ମଧ୍ୟ ନିୟୋଗପତ୍ରରେ ରହିଛି-। ବଡ଼ଘରେ ବନ୍ଧୁ ବାନ୍ଧିଲେ ଭାଗ୍ୟର ପରିବର୍ତ୍ତନ ସୁନିଶ୍ଚିତ । ନିଜକୁ ଆଶାତୀତ ଭାବରେ ଭାଗ୍ୟବାନ୍‍ ମନେକରୁଥିଲା ସୁକାନ୍ତ ।

 

ପ୍ରତିଷ୍ଠାନର ସ୍ଥାନୀୟ ଶାଖା ଅଫିସରେ ଯୋଗଦେଇ ସେ ବୁଝିଛି ଯେ ତାର କାମ ତୁଳନାରେ ଦରମା ବେଶୀ । ମନ୍ଦ କଣ ?

 

ଅଫିସର ମେନେଜର ଲାଲାସାହେବ କଥାରେ କଥାରେ ତାକୁ ଆଶ୍ୱାସନା ଦେଇ କହିଛନ୍ତି - ତମଠାରୁ ଆମେ ବହୁତ କିଛି ଆଶାକରୁ । ଉଚ୍ଚ ସରକାରୀ କର୍ମଚାରୀଙ୍କ ବନ୍ଧୁବାନ୍ଧବ ସମ୍ପର୍କ ଥିବା ଲୋକଟିଏ ଆମେ ଖୋଜୁଥିଲୁ; କାରଣ ସେମାନଙ୍କ ଉପରେ ପ୍ରଭାବ ପକାଇପାରିଲେ ଆମର ଯଥେଷ୍ଟ ଲାଭହେବ, ଆଉ ଯାହା ଉପରେ ତମର ପଦୋନ୍ନତି ମଧ୍ୟ ନିର୍ଭର କରୁଛି ।

 

ବେଶ୍‍ ସିଧାସଳଖ କଥା । ହଜାରେ କରେଇଦିଅ ଆଉ ଶହେ ନିଅ ।

ଲାଲାସାହେବ ଆହୁରି ମଧ୍ୟ ହସି ହସି କହନ୍ତି - ଆମ୍ଭମାନଙ୍କର ବହୁ କଳକାରଖାନା ଅଛି-। ସେଥିରେ ଝୋଟ, ସିମେଣ୍ଟ, ସିମେଣ୍ଟଚାଦର, ଚିନି, ସାର ଆଉ ଘିଅ ପ୍ରଭୃତି ଉତ୍ପାଦନ ହୁଅ । ଆମେ ଆସିଛୁ ଓଡ଼ିଶାକୁ ପ୍ରଧାନତଃ ସାର ଆଉ ସିମେଣ୍ଟଚଦର ଓ ଭେଜିଟେବଲ୍‍ ଘିଅର ବେପାର କରିବାପାଇଁ । ମୋର ବିଶ୍ୱାସ, ତମେ ସାମାନ୍ୟ ପରିଶ୍ରମ କଲେ ପ୍ରତିମାସରେ ଲକ୍ଷ ଲକ୍ଷ ଟଙ୍କାର ଅର୍ଡ଼ର ମିଳିପାରିବ ...... କଣ ପାରିବ ତ ?

 

ସୁକାନ୍ତ ଆଗ୍ରହରେ କହେ --- ପାରିବି ସାର୍‍ । ପ୍ରତିଟି କାର୍ଯ୍ୟରେ ଆପଣଙ୍କର ମୂଲ୍ୟବାନ ନିର୍ଦ୍ଦେଶ ଆଉ ସହଯୋଗ ପାଇଲେ ମୁଁ ନିଜକୁ ଭାଗ୍ୟବାନ୍‍ ମନେକରିବି ।

 

-ସବୁ ନିର୍ଭର କରୁଛି ପ୍ରଚାର ଉପରେ । ଆମମାନଙ୍କର ଜିନିଷ ବଜାରରେ ସବୁଠାରୁ ଉତ୍କୃଷ୍ଟ । ଆମେମାନେ ଜାତିର ଉନ୍ନତିପାଇଁ, ଚାଷୀଭାଇର ଉନ୍ନତିପାଇଁ ଆଉ ରାଜ୍ୟର ଉନ୍ନତିମୂଳକ ଯୋଜନାକୁ ସଫଳ କରିବାପାଇଁ ବଦ୍ଧପରିକର । ଏତିକି ପ୍ରଚାରକଲେ ଯଥେଷ୍ଟ ହେବ । ତା’ ଛଡ। ଅଧିକାଂଶ ସମୟ ତମକୁ ବଡ଼ ବଡ଼ ସରକାରୀ କର୍ମଚାରୀଙ୍କ ସହିତ କଟାଇବାକୁ ପଡ଼ିବ । ସେମାନଙ୍କ ସହିତ ମଧୁର ସମ୍ପର୍କ ରଖିବାକୁ ପଡ଼ିବ । ତା’ ଦ୍ୱାରା ଆମର ଲାଭ, ତମର ମଧ୍ୟ ଲାଭ ।

 

ଖାଲି ଲାଭ ଆଉ ଲାଭ । ଲାଭ ଛଡ଼ା କଥା ନାହିଁ । ଲାଲା ସାହେବ କେବଳ ଲାଭ କରିବାପାଇଁ ଏ ଦେଶକୁ ଆସିଛନ୍ତି ।

 

ତାଙ୍କ ବକ୍ତକ୍ୟ ଅତି ପରିଷ୍କାର ଭାବରେ ବୁଝିପାରେ ସୁକାନ୍ତ ।

-ସବୁ ଯୁବକଙ୍କ ପରି ଜୀବନରେ ବଡ଼ ହେବାର ବାସନା ମୋର ମଧ୍ୟ ଅଛି । ମୋର ମନେହୁଏ, ଏପରି ଗୋଟିଏ ବିରାଟ ବ୍ୟବସାୟ ପ୍ରତିଷ୍ଠାନରେ କାମ କରିବାର ସୁଯୋଗ ଦେଇ ମୋର କଳ୍ପନାକୁ ବାସ୍ତବରେ ପରିଣତ କରିବା ଦିଗରେ ଆପଣ ବହୁ ସାହାଯ୍ୟ କରିଛନ୍ତି । ସେଥିପାଇଁ ମୁଁ ଆପଣଙ୍କ ନିକଟରେ ଅନ୍ତରର ଗଭୀରତମ କୃତଜ୍ଞତା ପ୍ରକାଶ କରୁଛି ।

 

ଲାଲାସାହେବ କିଛିକ୍ଷଣ ସୁକାନ୍ତର ସ୍ଵପ୍ନଉଜ୍ଜ୍ଵଳ ମୁହଁଆଡ଼େ ଚାହିଁରହି କହନ୍ତି - ତମେ ଆଜି ଯାଇପାର, ହଁ, ସ୍ଥାନୀୟ ଦୈନିକ ପତ୍ରପତ୍ରିକାମାନଙ୍କରେ ମୁଁ ସାର ସମ୍ବନ୍ଧରେ ବଡ଼ ବଡ଼ ବିଜ୍ଞାପନ ଦବାକୁ ଚାହେଁ । କାଲି ଲେଖି ଆଣିଥିବ ।

 

ଧନ୍ୟବାଦ ଜ୍ଞାପନକରି ମେନେଜରଙ୍କ କୋଠରୀରୁ ସୁକାନ୍ତ ବାହାରିଆସେ । କୋଠରୀକୁ ଲାଗି ବଡ଼ ହଲ୍‍ । ହଲ୍‍ରେ କାମ କରୁଥିବା ଅନ୍ୟସବୁ କର୍ମଚାରୀମାନେ ତାକୁ ସ୍ୱାଗତ କରି ଅନୁଚ୍ଚ କଣ୍ଠରେ ତାର ଅତୀତ ସମ୍ବନ୍ଧରେ ନାନା ପ୍ରଶ୍ନ ପଚାରନ୍ତି । ଚାହା ଓ ଜଳଯୋଗ ମାଧ୍ୟମରେ ସେମାନଙ୍କ ସହିତ ପରିଚୟ ନିବିଡ଼ ହୋଇଉଠେ ।

 

ଘରକୁ ଫେରିବା ବାଟରେ ଜଣାଶୁଣା ଯାହାଙ୍କ ସହିତ ଦେଖାହୁଏ, ସମସ୍ତଙ୍କୁ ଅଟକାଇ କଥାଛଳରେ ସୁକାନ୍ତ ନିଜର ଚାକିରୀ ବିଷୟ ଜଣାଇଦିଏ । ଏତେଦିନ ପର୍ଯ୍ୟନ୍ତ ଯେଉଁମାନେ ଭାବୁଥିଲେ ଯେ ସେ ସରକାରୀ ଦପ୍ତରରେ ଗୋଟିଏ ଷାଠିଏ ଟଙ୍କିଆ କିରାନୀ ହେବାପାଇଁ ଜନ୍ମ ହୋଇଛି; ସେମାନେ ଆଜି ଜାଣନ୍ତୁ, ତାର ଯୋଗ୍ୟତା କେତେ । ସେ ଚାହେଁ କଥାଟା ଅଳ୍ପସମୟ ମଧ୍ୟରେ ବନ୍ଧୁବାନ୍ଧବ ମହଲରେ ବ୍ୟାପିଯାଉ । ତାର ସୌଭାଗ୍ୟକୁ ସମସ୍ତେ ହିଂସା କରନ୍ତୁ । ସେଇଥିରେ ହିଁ ତାର ଗୌରବ ।

 

ଘର ସାମନାରେ ଶ୍ୱଶୁରଙ୍କର ବିରାଟ ବୁଇକ୍‍ ଛିଡ଼ାହୋଇଛି । ଡ୍ରାଇଭର ଜଣାଏ ସାହେବ ସଲାମ୍‍ ଦେଇଛନ୍ତି । ତରତର ହୋଇ ଘର ଭିତରକୁ ପଶିଯାଏ ସୁକାନ୍ତ । ପ୍ରସାଧନରତା ଲପିତାଆଡ଼କୁ ମୁଗ୍ଧ ଦୃଷ୍ଟିରେ ଚାହିଁରହେ । ତାପରେ ତାକୁ ପାଖକୁ ଭିଡ଼ିଆଣେ ।

 

ବାଧା ଦିଏ ଲପିତ। । ଆଉଥରେ ପ୍ରସାଧନ କରିବାକୁ ସମୟ ନାହିଁ । ଶୀଘ୍ର ଯିବାକୁ ପଡ଼ିବ ।

 

ମୁହଁହାତ ଧୋଇ ଲୁଗାପଟା ବଦଳିଲାବେଳକୁ ବୋଉ ଗୋଟିଏ କଂସାରେ ଚୁଡ଼ା ଆଉ ଦୁଧ ଧରି ହାଜର୍‍ ।

 

ସୁକାନ୍ତ କହେ - ମୋର ଆଜି ଖାଇବାକୁ ଇଚ୍ଛା ନାହିଁ । ସବୁଦିନେ ଖାଲି ଚୁଡ଼ା ଆଉ ଦୁଧ

 

ତାପରେ ବୋଉକୁ ଅଗ୍ରାହ୍ୟ କରି ସେ ଦାଣ୍ଡକୁ ବାହାରି ଆସେ । ପଛେ ପଛେ ଲପିତା ।

- ସହଳ ସହଳ ଫେରି ଆସିବ । ତମେମାନେ ଆସିଲେ ମୁଁ ଚଣ୍ଡୀମନ୍ଦିର ଯିବି ।

ମନେ ମନେ ବିରକ୍ତ ହୁଏ ସୁକାନ୍ତ । ଯେତେବେଳେ ଯୁଆଡ଼େ ବାହାରେ ବୋଉର ସେଇ ଏକା କଥା –ସହଳ ସହଳ ଫେରି ଆସିବ ।

 

ବୁଇକର୍‌ ହର୍ଣ୍ଣ ଶୁଣି ରାଜପଥରୁ ସମସ୍ତେ ଘୁଞ୍ଚିଯାଉଛନ୍ତି । ସମସ୍ତେ ଯେମିତି ଚାହାଁନ୍ତି ସୁକାନ୍ତ ଆଉ ତାର ନବବିବାହିତା ସ୍ତ୍ରୀ ବାଟରେ ମିନିଟିଏ ସୁଦ୍ଧା ସମୟ ନଷ୍ଟ ନ କରି ଗନ୍ତବ୍ୟ ସ୍ଥଳରେ ଠିକ୍‍ ସମୟରେ ପହଞ୍ଚନ୍ତୁ ।

 

ସୁସଜ୍ଜିତା ଲପିତାର ପ୍ରାୟ ଦିହକୁ ଲାଗି ବସିଛି ସୁକାନ୍ତ । ହସି ହସି ତା ସଙ୍ଗେ କଥାବାର୍ତ୍ତା କରୁଛି । ଯେତେ ସବୁ ଅବାନ୍ତର କଥା । ଦୃଷ୍ଟି କିନ୍ତୁ ରହିଛି ରାସ୍ତାକଡ଼ର ଲୋକଙ୍କ ଉପରେ । ଚିହ୍ନା ଜଣା କେହି ଯଦି କେତେବେଳେ କାର୍‍ ଭିତରକୁ ଚାହିଁ ଦେଉଛି ତ ଖୁସି ଲାଗୁଛି ସୁକାନ୍ତକୁ । ତୃପ୍ତି ଆଉ ଆତ୍ମପ୍ରସାଦରେ ମନ ଭରି ଉଠୁଛି ।

 

ବଗିଚାରେ ବସିଛନ୍ତି ଚନ୍ଦ୍ରମାଧବ ବାବୁ । ମୁହଁରେ ବିରାଟ ବର୍ମା ଚୁରୁଟ୍‌ । ସାମନାରେ ଶିଶୁ କାଠର ଦାମୀ ଟେବୁଲ୍‌ । ତା’ ଉପରେ ସଜା ହୋଇଛି ଟି’ ସେଟ୍‌ । ଟେବୁଲ୍‍ ଚାରିପାଖେ କେତେଖଣ୍ଡି ନିକେଲ୍‌ର ଚେୟାର୍‍ ।

 

କାର୍‍ରୁ ଓହ୍ଲାଇ କୋକିଶିଆଳୀ ପରି ଡେଇଁ ଡେଇଁକା ଲପିତା ପହଞ୍ଚିଯାଏ ଚାହାଟେବୁଲ୍‌ ପାଖରେ ।

 

-ଡାଡ଼ି, ତମେ କେତେ ଶୁଖିଗଲଣି !

ଚନ୍ଦ୍ରମାଧବ ବାବୁ ଶୁଖିଲା ହସଟିଏ ହସି ସୁକାନ୍ତକୁ ଚେୟାର୍‍ରେ ବସିବାକୁ ଇସାରା କରନ୍ତି ।

 

ଲପିତ। ନିଜ ହାତରେ ଚାହା ତିଆରିକରି ସମସ୍ତଙ୍କୁ ପରିବେଷଣ କରେ ।

-ଲାଲା ସାହେବଙ୍କ ସାଥିରେ ଆଜି ଦେଖାକରିଥିଲ ?

- ଆଜ୍ଞା ।

- ସେ ଭାରି ଭଲଲୋକ । ପକ୍‍କା‌ ବେପାରୀ । ତମେ ଟିକିଏ ପରିଶ୍ରମ କଲେ ବେପାର ବଣିଜର ମାରପେଞ୍ଚ ତାଙ୍କଠାରୁ ଖୁବ୍‌ ଅଳ୍ପଦିନ ଭିତରେ ଶିଖିଯାଇ ପାରିବ ।

 

- ଆଜ୍ଞା ।

- ଇଚ୍ଛା କରିଥିଲେ ମୁଁ ତମକୁ ସରକାରୀ ଚାକିରୀରେ ଭର୍ତ୍ତିକରିଦେଇ ପାରିଥାନ୍ତି । କିନ୍ତୁ ସେଥିରେ ବିଶେଷ କିଛି ଲାଭ ହୋଇ ନ ଥାନ୍ତା । ତା ଛଡ଼ା ମୋର ମଧ୍ୟ ଇଚ୍ଛା ତମେ ଭବିଷ୍ୟତରେ ବେପାର ବଣିଜ କରିବ । ବ୍ୟବସାୟର କାଇଦା କଟକଣା ଶିଖିବା, ପାଇଁ ତୁମକୁ ମୁଁ ଜାଣିଶୁଣି ସେଇଠି ଭର୍ତ୍ତିକରିଛି ।

 

କିଛିକ୍ଷଣ ପରେ ଲପିତା ଆଡ଼କୁ ଚାହିଁ ଚନ୍ଦ୍ରମାଧବ ବାବୁ ପଚାରନ୍ତି - ସେଠି କିଛି ଅସୁବିଧା ହଉନାହିଁ ତ ମା ?

 

-ଅସୁବିଧା ?ନାଇଁ ତ !

ତାର ସେଇ ନାହିଁ ଭିତରେ ସତେ ଯେମିତି ମୋଡ଼ିମାଡ଼ି ହୋଇ ରହିଛି ଅସଂଖ୍ୟ ଅଭିଯୋଗ ଓ ଅସୁବିଧାର କାହାଣୀ ।

 

- ତୋ ବୁଢ଼ା ଡାଡ଼ିକୁ କିନ୍ତୁ ଏଠି ଏକୁଟିଆ ଚଳିବାକୁ ଭାରି କଷ୍ଟ ହଉଛି । ସାତବର୍ଷ ହେଲା ତାର ତ ସବୁ ଦାୟିତ୍ୱ ତୁ ନେଇଥିଲୁ । ଲପିତାର ଆଖି ଛଳ ଛଳ ହୋଇଉଠେ ।

 

- ଏଣିକି ତୋ ସଂସାର ତ ତୁ କରିବୁ । ଡାଡ଼ି ଖାଲି ଚାହିଁ ବସିଛି କେବେ ଆଖି ବୁଜିବ । ବାସ୍‌, ପୁଅବୋହୂର ସେବା ପାଇବାର ସୌଭାଗ୍ୟ ତ ତାର ଆଉ ନାହିଁ ।

 

କଣ୍ଠ ସ୍ୱରରେ ଆଦ୍ରତା ଆଣି ଲପିତା କହେ -ତମେ ଏମିତିକା କଥା କୁହନାହିଁ ଡାଡ଼ି ।

କଥାରେ କଥାରେ ଚନ୍ଦ୍ରମାଧବ ବାବୁଙ୍କ ଉଦ୍ଦେଶ୍ୟ ସ୍ପଷ୍ଟ ଜଣାପଡ଼ିଯାଏ । ସେ ଚାହାନ୍ତି ଝିଅଜୋଇଁଙ୍କି ପାଖରେ ରଖିବାକୁ । ଆବଶ୍ୟକ ପଡ଼ିଲେ ସମୁଦୁଣୀଙ୍କୁ ମଧ୍ୟ ।

 

- ତମେମାନେ ସବୁ ଏଇ ପହିଲାଠୁ ଏଠି ଆସି ରୁହ । ଏ ଘର ତ ତମ ତମମାନଙ୍କର । ଦିନେ ତମେମାନେ ହିଁ ୟାକୁ ଭୋଗ କରିବ । ଏଠି ଏତେ ସୁବିଧା ଥାଉ ଥାଉ ପାରାଖୋପ ଭଳି ସେ ଭଡ଼ାଘରଟାରେ ରହିବାର କ’ଣ ଅର୍ଥ ଅଛି ?

 

ପ୍ରସ୍ତାବଟି ସୁକାନ୍ତ ମନକୁ ବେଶ୍‌ ପାଏ । ଶ୍ୱଶୁର ମହାଶୟଙ୍କର ତ ଆଉ ପୁଅପାତି ନାହାନ୍ତି ଯେ ଏ ଘର ଭୋଗକରିବେ ? ଏପରି ଗୋଟାଏ ପ୍ରକାଣ୍ଡ ତିନ୍‍ତାଲ। କୋଠାରେ ରହିଲେ ସମାଜର ଯେ କୌଣସି ଲୋକ ତାକୁ ସମ୍ମାନ ଦେଖାଇବ ।

 

ଉତ୍ସାହପୂର୍ଣ୍ଣ ଦୃଷ୍ଟିରେ ସୁକାନ୍ତ ଚାହିଁରହେ ସେଇ କୋଠାଆଡ଼େ । କି ସୁନ୍ଦର ଡିଜାଇନ୍‍ । ସତେ ଯେମିତି ଗୋଟାଏ ଛବି । ଲପିତା ସୁକାନ୍ତକୁ ଘରଭିତରକୁ ନେଇଯାଏ । ଉଦ୍ଦେଶ୍ୟ, ସବୁ ବୁଲାଇ ଦେଖେଇବ ।

 

ଏଇଟା ଡ୍ରଇଂ ରୁମ୍‌ । ସବୁତକ ଫର୍ଣ୍ଣିଚର୍‍ ଲ୍ୟାଜରାସ୍‌ ସପ୍ଳାଇ କରିଛି । ଏ ଅୟେଲ୍‍ ପେଣ୍ଟ୍‍ଟି କାହାର କହିଲ ? ମ୍ୟାକ୍‌ସଜ୍ୟାକବ୍‍ଙ୍କ ନାଁ ଶୁଣିଛ ? ଫ୍ରାନ୍‍ସ ସାହିତ୍ୟ ଓ କଳାଜଗତର ସେ ଜଣେ ଶ୍ରଦ୍ଧେୟ ବ୍ୟକ୍ତି । ଏଇଟା ହେଲା ବାଥ୍‍ରୁମ୍‌.... ଘରର ସ୍ୟାନିଟାରି ଫିଟିଂସ୍‌ ସବୁ ସ୍ୟାଙ୍କ୍‌ସର ଆଉ ଏଇଟା ହେଲା ଡ୍ରେସିଂରୁମ୍‌ ।

 

ସୁକାନ୍ତ ବିସ୍ମୟନଗରୀର ଏଲିସ୍‌ ପରି ଆଡ଼କୁ ସାଡ଼କୁ ଅନେଇ ଚାଲିଛି । ଆଗେ ଆଗେ ଲପିତା ।

ଝକ୍ ଝକ୍ ଆସବାବପତ୍ରରେ ପ୍ରତିଟି ବଖରା ନିଖୁଣ ହୋଇ ସଜାହୋଇ ରହିଛି । ବାହାଘର ବେଳେ ତନ୍ନ ତନ୍ନ କରି ଏତେ ସବୁ ଦେଖିବାର ଅବକାଶ ନ ଥିଲା ।

ଆଉ ଏଇଟା ହେଲା ଡାଇନିଂ ରୁମ୍‌ । ଏ ଟେବୁଲ୍‍ଟି କୋଉଠିକା ତିଆରି କହିଲ ? ଗତବର୍ଷ ଡାଡ଼ି ୟାକୁ କାଶ୍ମୀର୍‍ରୁ ଆଣିଥିଲେ । ଏଇ ରେଫ୍ରିଜିରେଟ୍‍ରଟା ମ୍ୟାକ୍‍ଲୟେଡ଼୍‌ କମ୍ପାନୀର ସେଲ୍‌ସ୍‌ମ୍ୟାନେଜର ମିଷ୍ଟର ଥମାସ୍‌ ଡାଡ଼ିଙ୍କୁ ଉପହାର ଦେଇଛନ୍ତି । ଆଉ ଇଏ ହଉଛି ଲାଇବ୍ରେରୀ -ମୋର ସବୁଠାରୁ ପ୍ରିୟସ୍ଥଳୀ, କାମ କିଛି ନ ଥାଏ ତ, ସବୁବେଳେ ପଢ଼ୁଥାଏ ।

ବିରାଟ ବିରାଟ କାଚଆଲମାରୀରେ ସଜାହୋଇ ରହିଛି ଶହ ଶହ ବହି । ଇଲିୟଟ୍‍ .....ଓୟେନ୍‍ ....ଲରେନ୍‍ସ । ବିଦୁଷୀ ସ୍ତ୍ରୀ ଆଡ଼ୁ ଭୟ ଓ ସଙ୍କୋଚରେ ଆଖି ଫେରାଇ ଆଣେ ସୁକାନ୍ତ । ଆବଶ୍ୟକ ପଡ଼ିଲେ ସେ କାଳିଦାସଙ୍କର ଅଭିନୟ କଣ କରିପାରିବ ନାହିଁ ?

ଦୋତାଲାରେ ପହଞ୍ଚି ଲପିତା ଆହୁରି ଦେଖାଏ - ଏଇଟା ଡାଡ଼ିଙ୍କ ବେଡ଼୍‍ରୁମ୍‍ ଆଉ ଏଇଟା ମୋର । ବାରଣ୍ଡାର ଶେଷପ୍ରାନ୍ତରେ ସେଇ ଯେଉଁ ରୁମ୍‍ଟିରେ ତାଲାପଡ଼ିଛି ସେଇଟା ଗେଷ୍ଟ୍‌ମାନଙ୍କ ପାଇଁ ଉଦ୍ଦିଷ୍ଟ ।

ଆଖି ଝଲସିଯାଏ ସୁକାନ୍ତର । ରାଜପ୍ରାସାଦଠାରୁ ବଳିଯାଇଛି ଶ୍ୱଶୁରଙ୍କର ଏଇ କୋଠା, ଆଉ ସେଥିରେ ଥିବା ସବୁ ଆସବାବ୍‍ ପତ୍ର । କେତେ ଟଙ୍କା ଉପାର୍ଜନକଲେ ଜଣେ ଏ ସବୁ କରିପାରିବ ସୁକାନ୍ତ ମନେ ମନେ କଳନାକରେ ।

 

ଲପିତାର ଅନୁରୋଧରେ କିଛି ସମୟ କାଠଯୋଡ଼ିକୂଳରେ ଜ୍ୟୋତ୍ସ୍ନାବିହାର କରି ଘରକୁ ଫେରୁ ଫେରୁ ରାତି ନଅ ।

 

ଦ।ଣ୍ଡରେ କ।ର୍‌ ରହିବାର ଶବ୍ଦ ଶୁଣି ରୁବିଭାଉଜ ଆସି କବାଟ ଖୋଲିଦିଅନ୍ତି ।

ସୁକାନ୍ତ ପଚାରେ - ଭାଲୁ ନାହିଁକି ।

--ନାଁ, ବୋଉ ତାକୁ ଚଣ୍ଡୀମନ୍ଦିର ପଠାଇଛନ୍ତି ଭୋଗ କରିବା ପାଇଁ ।

- ସେ ତାହେଲେ ତା ସାଙ୍ଗେ ଚାଲିଗଲା ନାହିଁ ?

ରୁବି ଭାଉଜ ହସି ହସି କହନ୍ତି- ମତେ ଏକୁଟିଆ ଛାଡ଼ି ସେ କେମିତି ଯିବେ ? ମତେ ଡର ମାଡ଼ିବ ନାହିଁ ?

 

-ହୁଁ ।

ସୁକାନ୍ତ ଘର ଭିତରକୁ ଯାଇ ଲୁଗାପଟା ବଦଳିବାକୁ ଆରମ୍ଭକରେ । ତାକୁ ପଛକରି କଣରେ ଲୁଗା ବଦଳୁଛି ଲପିତା । ସେଇ ଆଡ଼କୁ ଲୋଲୁପ ଦୃଷ୍ଟିରେ ଚାହିଁ କଣ ଭାବି ମନେ ମନେ ଟିକେ ହସେ ।

 

ରାତିରେ ଖାଇ ବସିଲାବେଳେ ସୁକାନ୍ତ କଥା ଉଠେଇଲା ।

-ବୁଝିଲୁ ବୋଉ, ଆଜି ବାପା କହୁଥିଲେ ଆମେ ସମସ୍ତେ ଯାଇଁ ତାଙ୍କ ଘରେ ରହିଲେ ସେ ଭାରି ଖୁସି ହେବେ । ତାଙ୍କର ଏତେ ବଡ଼ କୋଠା ତ ଖାଲି ପଡ଼ିଛି ।

 

ବୋଉ ଦୁଧରେ ଚିନି ଗୋଳଉ ଗୋଳଉ କହିଲେ - ସେଟା କଣ ଭଲ ଦିଶିବ ? ଲୋକେ କଣ କହିବେ ?

 

ଲୋକେ ତ ମାସକୁ ମାସ ଏ ଘରର ଭଡ଼ା ଗଣି ଦେବେ ନାହିଁ । ସେ’ଟା ଅକାରଣରେ ଆମ ଅଣ୍ଟାରୁ ଯିବ । ତା ଛଡ଼ା ତୋ ବୋହୂର ଏଠି ଚଳିବାକୁ ନିଶ୍ଚୟ ଭାରି ଅସୁବିଧା ହଉଥିବ । ଗାଧୁଆଘର ନାହିଁ, ପାଣିକଳ ନାହିଁ । ଫ୍ଲ।ସ୍‌ ପାଇଖାନା ନାହିଁ । ସେ ସିନା ମୁହଁ ଖୋଲି କିଛି କହୁନାହାନ୍ତି, କିନ୍ତୁ ଆମର ତ ସେ ସବୁ ବୁଝିବା କଥା । କଣ କହୁଛୁ ?

 

- ତୁ ତ ବଡ଼ ଚାକିରୀ କଲୁଣି । ସେ ସବୁ ସୁବିଧା କଣ ଆମେ ଏଠି କ୍ରମେ କ୍ରମେ କରିପାରିବା ନାହିଁ ?

 

- ତୋ ମୁଣ୍ଡ ଖରାପ ହୋଇଗଲାଣି । ନ ହେଲେ ପରଘରେ ଏତେଗୁଡ଼ାଏ ଟଙ୍କା ଖର୍ଚ୍ଚକରି ପାଇଖାନା, ଗାଧୁଆଘର କରିବା କଥା ତୁ କହନ୍ତୁ ? ସେଥିରେ ଆମର କଣ ଲାଭ କହିଲୁ ?

 

ସୁକାନ୍ତର ବୋଉ ବୁଝୁଛନ୍ତି କିଛି ଲାଭ ନାହିଁ; ତଥାପି ଏ ଘର ଛାଡ଼ି ଚାଲିଯିବାକୁ ତାଙ୍କର ଆତ୍ମା କହୁନାହିଁ । ପକ୍ଷାଘାତରେ ଭୋଗି ଭୋଗି ଏଇ ଘରେ ଦିନେ ତାଙ୍କ ବଡ଼ପୁଅ ଚିରଦିନ ପାଇଁ ଆଖି ବୁଜିଦେଇଥିଲା । ଏଇ ଘରେ ସୁକାନ୍ତର ବାପା ଦନେ ଶେଷ ନିଶ୍ଵାସ ତ୍ୟାଗ କରିଥଲେ । ଏଇ ଘରର ପ୍ରତିଟି ଧୂଳିକଣାରେ ଏବେ ବି ସେମାନଙ୍କର ସ୍ପର୍ଶ ଅନୁଭବ କରିହୁଏ । ଏଇ ବସାଘର ତ ତାଙ୍କ ପାଇଁ ଗୋଟିଏ ପବିତ୍ର ମନ୍ଦିର । ୟାକୁ ଚିରଦିନ ପାଇଁ ଛାଡ଼ିଯିବାକୁ ସେ ରାଜିହେବେ ବା କେମିତି ?

 

ସୁକାନ୍ତ କିନ୍ତୁ ପରିଷ୍କାର ଭାବରେ ଜଣାଇଦିଏ ଯେ ସେମାନେ ଆସନ୍ତା ମାସଠାରୁ ଶ୍ଵଶୁରଙ୍କ ଘରେ ଯାଇଁ ରହିବେ । ଏ ଘରେ ଯିଏ ରହିବ ରହୁ ତା’ର ସେଥିରେ ଆପତ୍ତି ନାହିଁ । କିନ୍ତୁ ଭଡ଼ାକଥା ତାଙ୍କୁ ଯେମିତି କେହି ନ କହନ୍ତି ।

 

ଗାଈଆଳ ଟୋକା ମୁଣ୍ଡରେ ରଜ।ଘର ହାତୀ ଯେମିତି ରାତାରାତି ସୁନାକଳସ ଢାଳିଦେଇଛି, ସେ ଭୁଲିଯାଇଛି ତା କୁଡ଼ିଆ କଥା, ଭୁଲିଯାଇଛି ତା ବୋଉ କଥା, ଭୁଲିଯାଇଛି ତା ଗାଈବାଛୁରୀ କଥା । ଆଖି ସାମନାରେ ଖାଲି ଭାସୁଛି ସୁନାରୂପା, ମୋତିମାଣିକ ଖଞ୍ଜାହୋଇଥିବା ରାଜଗାଦି ।

 

- ତୋର ଯାହା ଇଚ୍ଛା ସେଇୟା କର । ତୋର କୌଣସି ଇଚ୍ଛାରେ ମୁଁ ଆଜିପର୍ଯ୍ୟନ୍ତ ବାଧା ଦେଇନାହିଁ । ମତେ କିନ୍ତୁ କାଲି ନେଇ ଗାଁରେ ଛାଡ଼ିଦେଇ ଆ ।

 

- ଆଜି ଚାକିରୀ କରୁ କରୁ କାଲି ଛୁଟି ନେବି ? ବର୍ଷକ ପାଇଁ ମତେ ଦିନୁଟାଏ ବି ଛୁଟି ମିଳିବ ନାହିଁ ବୁଝିଲୁ ?

 

ଶାନ୍ତକଣ୍ଠରେ ବୋଉ କହିଲେ –ବେଶ୍‌ ତ । ରମାନାଥ ଆଜି ଚିଠି ଦେଇଛି ଏଇସପ୍ତାହରେ ସେ ରୁବିକି ନବାକୁ ଆସିବ । ମୁଁ ତାଙ୍କ ସାଙ୍ଗରେ ଚାଲିଗଲେ ସେମାନେ ମୋତେ ଗାଁରେ ଓହ୍ଲାଇଦେଇ ସିଧା ଯିବେ ଭାରି ।

 

ରୁବି ଭାଉଜ ଥାଳିରେ ଲୁଚିଧରି ଛିଡ଼ା ହୋଇଥିଲେ । ତାଙ୍କ ଆଡ଼କୁ ଅନେଇ ସୁକାନ୍ତ କହେ, ନାଁ ସେ କଥା ହବ ନାହିଁ । ତମକୁ ଏତେ ଜଲ୍‍ଦି କିଏ ଛାଡ଼ୁଛି ମ ?

 

ରୁବି ଭାଉଜ ହସି ହସି କହନ୍ତି -ମତେ ଧରି ରଖିପାରିଲେ ତ ?

 

ସୁକାନ୍ତ କହେ -ଏକା ସତ କହୁଛ ଭାଉଜ । ମୋ ବୋଉକୁ ତ ମୁଁ ଧରି ରଖିପାରୁ ନାହିଁ ଆଉ ତମକୁ ଧରି ରଖିବାକୁ ଚେଷ୍ଟା ବା କରିବି କାହିଁକି ? ତୋ ଭାଗ୍ୟରେ ଆଉରି ଅନେକ କଷ୍ଟ ଭୋଗିବାକୁ ଅଛି ........ ବୁଝିଲୁ ବୋଉ ? ଏତେ ସୁବିଧା ଛାଡ଼ି ନଇଲେ ତୁ ଜିଦ୍‍ ଧରନ୍ତୁ ଗାଁରେ ଯାଇଁ ରହିବାକୁ, ଗାଁରେ କଣ ଅଛି ? କିଏ ଅଛି ? ଘରଡିହ ଉପରେ କାଉ ବି ଉଡ଼ୁ ନ ଥିବେ ।

 

କଅଣ ଗୋଟାଏ ବାହାନା କରି ବୋଉ ସେଠୁ ଉଠି ରୋଷଘରକୁ ଚାଲିଆସନ୍ତି । ଦୁଇ ଆଖିରେ ସତେ ଯେମିତି ଅଶ୍ରୁର ବନ୍ୟା ଛୁଟିଛି । ଏ ବନ୍ୟା କଣ ଧୋଇନେଇ ପାରିବ ବର୍ଷ ବର୍ଷ ଧରି ଜମାଟ ବାନ୍ଧିଥିବା ତାଙ୍କର ସବୁତକ ଦୁଃଖ ଆଉ ସବୁତକ ଅନୁ-ଶୋଚନାକୁ ? ନିଶ୍ଚିହ୍ନ କରିଦେଇ ପାରିବ ଧୂମକେତୁ ପରି ଦେଖାଦେଇଥିବା ସୁକାନ୍ତର ଏଇ ଦୁର୍ବୁଦ୍ଧି ଆଉ ଦୁର୍ଭାଗ୍ୟକୁ ?

 

ଲପିତା ଓ ସୁକାନ୍ତ ଶେଷପର୍ଯ୍ୟନ୍ତ ବୋଉର ମତ ବଦଳେଇ ପାରିଲେ ନାହିଁ ।

 

ସତକୁ ସତ ଦିନେ ସେ ରୁବିଭାଉଜ ଓ ରମାଭାଇଙ୍କ ସାଥିରେ ଯାଇଁ ଲାଇନ୍‍ ବସରେ ବସିଲେ । ବସ୍‌ ଛାଡ଼ିବାର ଅବ୍ୟବହିତ ପୂର୍ବରୁ ସେ ପରିପୂର୍ଣ୍ଣଦୃଷ୍ଟିରେ ଚାହିଁରହିଥିଲେ ତାଙ୍କୁ ବିଦାୟ ଦେବାକୁ ଆସିଥିବା ପୁଅ-ବୋହୂଙ୍କ ଆଡ଼େ । ସେ ଦୃଷ୍ଟିରେ ଅଶ୍ରୁ ନଥିଲା, ବ୍ୟର୍ଥତା ନ ଥିଲା । ସେ ଦୃଷ୍ଟିରୁ ଝରିପଡ଼ୁଥିଲା ଆର୍ଶୀବାଦର ଅନିବାର ଧାରା ।

 

କୁମାରୀ ଜୀବନରେ ଯେଉଁ ପୁରୁଷକୁ ଅତି ଆପଣାର ବୋଲି ମନେହୁଏ, ଘଟଣାଚକ୍ରରେ ଯଦି ଅନ୍ୟ କାହାସହିତ ବିବାହବନ୍ଧନରେ ଜୀବନ ଛନ୍ଦି ହୋଇଯାଏ ତେବେ ସେଇ ଆପଣାର ମଣିଷ ପୁଣି ସାତପର ହୁଏ । ତଥାପି ବେଳ ଅବେଳରେ ତା କଥା ମନେପଡ଼େ । ତାର ସ୍ନେହକୋମଳ ସ୍ପର୍ଶ ପାଇବାକୁ ଦେହ ମନ ଉନ୍ମୁଖ ହୋଇଉଠେ ।

 

ଅତନୁ ସିନା ଭୁଲିଯାଇଛି । କିନ୍ତୁ ଲପିତା ତ ଭୁଲି ପାରି ନାହିଁ । ସେହି ପ୍ରେମଚଞ୍ଚଳ ମୁହୂର୍ତ୍ତଗୁଡ଼ିକର ଅକ୍ଷତ ସ୍ମୃତି କଣ କେବେହେଲେ ମନରୁ ଲିଭିଯାଇ ପାରିବ ? ପାଶୋରି ଯାଇହେବ ପରସ୍ପରର ଆଖିଡ଼ୋଳା ଭିତରେ ପରସ୍ପରକୁ ଆବିଷ୍କାର କରିବାର ଗଭୀର ଉନ୍ମାଦନାର ଇତିହାସ ?

 

ପାଖରେ ଶୋଇ ଘୁଙ୍ଗୁଡ଼ି ମାରୁଥିବା ସୁକାନ୍ତପ୍ରତି ଘୃଣା ଆସେ ଲପିତାର । ଟିକକ ଆଗରୁ ଠିକ୍‍ ଗୋଟାଏ ପୋଷା କୁକୁର ଭଳି ତା ଦିହ ଚାଟି ଚାଟି ଯେଉଁ ଜୀବଟି ପରମ ତୃପ୍ତି ଲାଭକରି ଶାନ୍ତିରେ ଶୋଇପଡ଼ିଛି ସେଇ ପୁଣି ତାର ସ୍ୱାମୀ !

 

କଡ଼ ଲେଉଟାଏ ଲପିତା । ହାଲୁକା ପବନରେ ଝରକାର ଭାରି ପର୍ଦ୍ଦାଟା ଶିର୍ ଶିର୍ କରି କମ୍ପୁଛି ।

 

ଆକାଶରେ ଉଜ୍ଜ୍ୱଳ ଚାନ୍ଦ । ତାକୁ ଛୁଇଁ ଛୁଇଁ ଭାସିଯାଉଛି ଖଣ୍ଡିଏ ଛୋଟିଆ ଧଳା ମେଘ ।

 

ଅତନୁ କଣ ନିଦରେ ଶୋଇପଡ଼ିବଣି ? ରାତି ବାରଟା ଗୋଟାଏ ପର୍ଯ୍ୟନ୍ତ ପଢ଼ାପଢ଼ି ନ କଲେ ତା ଆଖିକି ତ ପୁଣି ନିଦ ଆସେ ନାହିଁ । ହୁଏ ତ ଆଲୁଅ ଲିଭାଇଦେଇ ଚଉକିଟାକୁ ଝରକା ପାଖକୁ ଟାଣିଆଣି ଅନ୍ଧାରରେ ଚୁପ୍‍ ଚାପ ବସିଥିବ । ଆଉ ନିର୍ଣ୍ଣିମେଷ ଦୃଷ୍ଟିରେ ବାହାରକୁ ଚାହିଁ ଭାବୁଥିବ - ମନେ ମନେ ହସିଉଠେ ଲପିତା; କାରଣ ସେ ଭଲକରି ଜାଣେ ଅତନୁ କଣ ଭାବୁଥିବ । କେବଳ ମାତ୍ର ଭାବୁଥିବ ତାର ଲପି କଥା - ଯାହାକୁ ପାଇ ମଧ୍ୟ ସେ ଧରି ରଖିପାରି ନାହିଁ । ବିନିମୟରେ କେବଳ ଗୋଟିଏ ଚୁମ୍ବନ ପାଇବା ଲୋଭରେ ଏକଦା ଯାହାକୁ ସେ ଶତାଧିକ ଚୁମ୍ବନ ଦେଇ ବାରମ୍ବାର ଅସ୍ତବ୍ୟସ୍ତ କରିଛି । ଆଶ୍ଳେଷରେ ଭିଡ଼ିଧରିବାବେଳେ ଯାହାର ଦୁଇବ।ହୁକୁ ଆପଣାର କଣ୍ଠବେଷ୍ଟିତ କରି ସମ୍ପୂର୍ଣ୍ଣରୂପେ ଛନ୍ଦିହୋଇଯିବା ପାଇଁ ବହୁବାର କାକୁତି ମିନତି କରିଛି ।

 

କେବଳ ଗୋଟାଏ ଶସ୍ତା ଖିଆଲ ...ହଁ ଖିଆଲ୍‍ ଛଡ଼ା ଆଉ କଣ ହୋଇପାରେ ? ହେତୁ ପାଇଲା ଦିନୁ ଲପିତା ଲକ୍ଷ୍ୟକରିଛି ଡାଡ଼ି କେବଳ ନିଜର ଖିଆଲ୍ ଜଗି କାମ କରନ୍ତି । ତା ନ ହେଲେ ସବୁ ଜାଣିଶୁଣି ମଧ୍ୟ ସେ ଅତନୁକୁ ଜ୍ୱାଇଁ କରିବାକୁ ରାଜିହେଲେ ନାହିଁ କାହିଁକି ? ସୁଶ୍ରୀ, ସ୍ୱାସ୍ଥ୍ୟବାନ, ଉଚ୍ଚଶିକ୍ଷିତ, ଉପାର୍ଜନକ୍ଷମ ଅତନୁ ସହିତ କଦାକାର, ଅର୍ଦ୍ଧଶିକ୍ଷିତ, ଆଳସ୍ୟପରାୟଣ ସୁକାନ୍ତର ଯେ ତୁଳନା । ହୁଏନା ତଥାପି ତାରି ହାତରେ ନିଜର ଏକମାତ୍ର ଅଲିଅଳ ଝିଅକୁ ସମର୍ପିଦେବାକୁ ସାମାନ୍ୟ କୁଣ୍ଠାବୋଧ କରି ନାହାନ୍ତି ସେ, ବରଂ ବିଭାଘର ପୂର୍ବରୁ ଲପିତା ଯେତେବେଳେ ଏ ପ୍ରସ୍ତାବରେ ପ୍ରତିବାଦ କରିଛି ଅତି ଶାନ୍ତକଣ୍ଠରେ ଡାଡ଼ି ତାଙ୍କର ଅଦ୍ଭୁତ ଯୁକ୍ତି ବାଢ଼ି ତାକୁ ନୀରବ ରହିବାକୁ ବାଧ୍ୟ କରିଛନ୍ତି ।

 

- ତୁ କଣ ମନେ କରିଛୁ ଲପି, ମୁଁ କିଛି ନ ଭାବି ନ ଚିନ୍ତି ସୁକାନ୍ତ ସାଥିରେ ତୋର ବାହାଘର କରିବାକୁ ଯାଉଛି ? ସୁକାନ୍ତ ଦରିଦ୍ର, ତୋର ଅଯୋଗ୍ୟ ମୁଁ ଜ।ଣେ; ଆଉ ସେ କଥା ଭଲକରି ଜାଣେ ବୋଲି ମୁଁ ଚାହେଁ ତୁ ତାକୁ ବାହା ହେବା ଉଚିତ । ପିଲାଦିନୁ ତୁ ଯେପରି ବିଳାସବ୍ୟସନ ଓ ସ୍ୱାଧୀନତା ଭିତରେ ବଢ଼ିଆସିଛୁ ତା ଫଳରେ ତୁ କୌଣସି ବ୍ୟକ୍ତିତ୍ୱବ।ନ୍‌ ପୁରୁଷକୁ ବେଶିଦିନ ବରଦାସ୍ତ କରିପାରିବୁ ନାହିଁ । ତୁ ଚାହିଁବୁ ଅଖଣ୍ଡ ସ୍ୱାଧୀନତା ଏବଂ ତାହା ତତେ କେବଳ ସୁକାନ୍ତ ପରି କାଙ୍ଗାଳ, ତା’ପରି ନିର୍ଭରଶୀଳ ଲୋକ ଠାରୁ ହିଁ ସାରା ଜୀବନ ମିଳିବ, ଅତନୁଠାରୁ ନୁହେଁ; କାରଣ ତାର ବିଶ୍ୱବିଦ୍ୟାଳୟର ସର୍ବୋଚ୍ଚ ଡିଗ୍ରୀ ଅଛି, ତା ବାପର ବ୍ୟାଙ୍କ୍‌ ବ୍ୟାଲାନ୍‍ସ ଅଛି, ଆଉ ତା’ଛଡା ତାର ବଂଶ ଗୌରବ ମଧ୍ୟ କିଛି କମ୍‍ ନୁହେଁ । ସୁତରାଂ ମାନିନେବାକୁ ପଡ଼ିବ ତାର ଅହଙ୍କାର ମଧ୍ୟ ଅଛି । ତୋ ପରି ଜଣେ ଝିଅକୁ ସହଧର୍ମିଣୀ ହିସାବରେ ପାଇବା ତା ପକ୍ଷରେ ଅତି ମାମୁଲି କଥା ... ଅଥଚ ସୁକାନ୍ତ କଥା ଭାବି ଦେଖ୍‍ ... ସେ ଚାହେଁ ସୋସାଇଟି, ମୋ ପରି ଜଣେ ପ୍ରଭାବଶାଳୀ ଶ୍ୱଶୁର ପାଇଲେ ସେ ତାକୁ ତାର ସାତଜନ୍ମର ତପସ୍ୟାର ଫଳ ବୋଲି ଗ୍ରହଣ କରିନେବ ଆଉ ସବୁବେଳେ ମନେକରୁଥିବ ତୁ ଦୟାକରି ତାର ଜୀବନସଙ୍ଗିନୀ ହୋଇଛୁ .... ଇଚ୍ଛାକଲେ ଯେ କୌଣସି ମୁହୂର୍ତ୍ତରେ ...

 

ଅଧିକା ଶୁଣିବାକୁ ଆବଶ୍ୟକ ନ ଥିଲା ଲପିତାର ....ସେ ତାର ଶୋଇବା ଘରକୁ ଉଠିଆସୁଥିଲା । ତଥାପି ତା ପଛଧରି ଡାଡ଼ି ତାକୁ ବୁଝାଇବାକୁ ଲାଗିଥିଲେ ।

 

-ସବୁଦିନେ ତୋ ହାତମୁଠା ଭିତରେ ରହିବ ସୁକାନ୍ତ ... ସବୁବେଳେ ତୋ ଆଦେଶକୁ ଚାତକପରି ଚାହିଁ ବସିଥିବ । ତୋ ଲାଗି ଘର, କାର୍‌, ବଗିଚା, ପୋଖରୀ ସବୁ ଖଞ୍ଜି ମଧ୍ୟ ମୋ ମନରେ ଶାନ୍ତି ନାହିଁ । କିନ୍ତୁ ସୁକାନ୍ତ ପରି ଗୋଟାଏ ଜାପାନୀ କଣ୍ଢେଇ ହାତରେ ତୋ ହାତ ଛନ୍ଦିଦେଇ ପାରିଲେ ମୁଁ ନିଶ୍ଚିନ୍ତରେ ଶେଷ ଜୀବନଟା କଟେଇଦେବି ।

 

ସେତେବେଳକୁ ଡନ୍‌ଲପ୍‌ ଗଦିର ନରମ କୋଳ ଭିତରେ ମୁହଁ ଲୁଚାଇ କଇଁ କଇଁ ହୋଇ କାନ୍ଦିବାକୁ ଚେଷ୍ଟାକରୁଥିଲା ଲପିତା । ଲପିତାର ସ୍ନିଗ୍ଧ କେଶଗୁଚ୍ଛକୁ ଆଉଁସୁ ଆଉଁସୁ ଡାଡ଼ି କହିଲେ -ତୁ ଶୁଣି ହୁଏତ ଆଶ୍ଚର୍ଯ୍ୟ ହେବୁ ଯେ ତୋ ମାମୀର ବିବାହିତ ଜୀବନ ଆଦୌ ସୁଖମୟ ନ ଥିଲା । କାହିଁକି ଜାଣୁ ? କାରଣ ତୋର ଡାଡ଼ି ଥିଲା ଭାରି ଦୁରନ୍ତ ଆଉ ଅତ୍ୟନ୍ତ ଆତ୍ମ -ସଚେତନଶୀଳ । ନାନା ଚେଷ୍ଟାକରି ମଧ୍ୟ ତୋ ମାମୀ ତୋ ଡାଡ଼ିକୁ କାବୁ କରିପାରି ନଥିଲା । ଆଉ ସେଇ ପରାଜୟର ଗ୍ଳାନି ହିଁ ତାଙ୍କର ସ୍ୱେଚ୍ଛାକୃତ ମୃତ୍ୟୁ ପାଇଁ ଦାୟୀ ।

 

ରାଗ ହୁଏ ଡାଡ଼ିଙ୍କ ଉପରେ । ଇଚ୍ଛା ହୁଏ ଗୋଡ଼ ଟିପି ଟିପି ଛାତକୁ ଉଠିଯାଇଁ ତାଙ୍କୁ ତଳକୁ ଡାକିଆଣି ଦେଖାଇବାକୁ -ଦେଖ ଡାଡ଼ି, ତମ ଜାପାନୀକଣ୍ଢେଇ କେମିତି ତମଠାରୁ ବି ନିଶ୍ଚିନ୍ତରେ ଶୋଇପଡ଼ିଛି ...

 

ଅଭିମାନ ହୁଏ ଅତନୁ ଉପରେ । କାପୁରୁଷ ! ବିବାହ ରାତିରେ ଉତ୍ସବମୁଖର ବାୟୁମଣ୍ଡଳକୁ ଶାନ୍ତ ଓ ସ୍ତବ୍‌ଧ କରି ସେଇ ଯେ ଯାଇଛି ଆଉ ଦେଖା ନାହିଁ ।

 

ସେ ରାତିରେ କେତେ ଅନୁରୋଧ କରି ନ ଥିଲା ଲପିତା ! ପ୍ରାୟ ସମସ୍ତଙ୍କ ଅଲକ୍ଷ୍ୟରେ ଛାତ ଉପରକୁ ତାକୁ ଡକାଇଆଣି କହିଥିଲା, ତମେ ମତେ ଭୁଲ୍‍ ବୁଝିବ ନାହିଁ ଅତନୁ, ସବୁ ତ ଜାଣିଛ । ମୁଁ କିଛି ସବୁଦିନ ପାଇଁ ଏଇ ଘରୁ ଚାଲିଯାଉ ନାହିଁ । ମାତ୍ର ପନ୍ଦରଟି ଦିନ ପାଇଁ ମତେ ବିଦାୟ ଦିଅ, ମୁଁ ପୁଣି ଏଇ ଘରକୁ ଚାଲିଆସିବି । ତମ ପାଇଁ ଏଇ ଘରର ଝରକା କବାଟ ସବୁଦିନ ପାଇଁ ଖୋଲା ରହିଲା .. ତମେ ନିଶ୍ଚୟ ଆସିବ ଆସିବ ତନୁ !

 

ଏତକ କହିଲାବେଳେ ସେ ପ୍ରତି ମୁହୂର୍ତ୍ତରେ ଆଶା କରୁଥିଲା ହୁଏତ ଝଡ଼ ବେଗରେ ଅତନୁ ତାକୁ ନିଜ ଛାତି ଉପରକୁ ଟାଣି ନବ ଆଉ କଇଁ କଇଁ ହୋଇ କାନ୍ଦିଉଠି କହିବ- ତମକୁ ମୁଁ ମୁହୂର୍ତ୍ତେବି ଛାଡ଼ି ରହିପାରିବି ନାହିଁ ଲପି - ଆସ, ସୂର୍ଯ୍ୟ ଉଠିବା ପୂର୍ବରୁ ଆମେ ଦୁହେଁ ବହୁ ଦୂରକୁ ଚାଲିଯାଇଥିବା ।

 

କିନ୍ତୁ ସେତେବେଳେ ଅତନୁ ବୋଧହୁଏ ପଥର ପାଲଟି ଯାଇଥିଲା । କିଛି ନ କହି ତଳକୁ ମୁହଁ ପୋତି ସେ ଧୀରେ ଧୀରେ ସିଡ଼ିଆଡ଼କୁ ପାଦ ବଢ଼େଇଲା ।

 

ଗଲା କାଲିର ଘଟଣା ପରି ସବୁକଥା ଜଳ ଜଳ ହୋଇ ଆଖି ଆଗରେ ନାଚିଯାଉଛି ।

ବାଁ ଛାତିର ଠିକ୍‌ ତଳକୁ ସତେ ଯେମିତି ପବନ ଟିକେ ଅଟକି ଯାଇଛି, କଷ୍ଟ ହଉଛି ନିଶ୍ୱାସ ନେବାକୁ ।

 

ଗୋଡ଼ ଦୁଇଟି ତଳକୁ ଝୁଲାଇ ସିଧା ହୋଇ ବସିପଡ଼ି ଆସ୍ତେ ଆସ୍ତେ ନିଶ୍ୱାସ ନେବାକୁ ଲାଗିଲା ଲପିତା ।

 

ଠିକ୍‌ କାଲିକି ତା ବିଭାଘରର ବର୍ଷ ପୂରିବ ଅଥଚ ଏଇ ଦୀର୍ଘ ବାରମାସ ଭିତରେ ଅତନୁକୁ କଣ ଦିନୁଟିଏ ବି ସମୟ ମିଳିଲା ନାହିଁ ତା ସଙ୍ଗେ ଥରେ ଆସି ଦେଖାକରି ଯିବାକୁ ? ଅକୃତଜ୍ଞ !

 

କୌଣସି ଗୋଟାଏ ବାହାନା ନେଇ ଅତନୁକୁ ଡକେଇ ପଠେଇଲେ କ୍ଷତି କଣ ? ସେ ଯଦି ନ ଆସେ ? ନ ଆସି କଣ ସେ ରହିପାରିବ ? ଉପେକ୍ଷା କରିପାରିବ ତାର ଲପିର ଆମନ୍ତ୍ରଣକୁ ?

 

କାଲି ଯଦି ସେ ତାର ବିବାହବ।ର୍ଷିକୀ ଉତ୍ସବ ପାଳନ କରେ ଆଉ ଯେବେ ସେଇ ଉତ୍ସବରେ ଯୋଗଦେବା ପାଇଁ ଅତନୁକୁ ଆମନ୍ତ୍ରଣ କରେ, ତେବେ ? ନା, ଏପରି କଲେ ହୁଏ ତ ଅତନୁ କ୍ଷୁଣ୍ଣ ହେବ, ଅପମାନିତ ବୋଧ କରିବ ।

 

ଆରେ ସତେ ତ କାଲି ପ୍ରଥମ ଭାଗ ଏମ୍.ଏ. ପରୀକ୍ଷାର ଫଳ ବାହାରିବ । ମସ୍ତ ସୁଯୋଗ-।

 

ତମେ ମତେ କଣ ସତକୁ ସତ ଭୁଲିଗଲ ଅତନୁ ? ଆଜି ଏମ୍.ଏ. ପ୍ରଥମ ଭାଗର ଫଳ ବାହାରିବ । ମୁଁ ତ ନିଶ୍ଚୟ କୃତିତ୍ୱର ସହିତ ପାଶ୍‍ କରିଥିବି । କିନ୍ତୁ ମୋର ସେଇ ସଫଳତାର ସମ୍ବାଦ ମୁଁ ପ୍ରଥମେ ତମ ମୁହଁରୁ ଶୁଣିବାକୁ ଚାହେଁ । ତମେ ଆଜି ପାଞ୍ଚଟା ବେଳକୁ ଆସିବ । ଏଇଠି ଚାହା ପିଇବ ।

 

ଏଇ ଢଙ୍ଗରେ ଖଣ୍ଡେ ଚିଠି ଲେଖି ସକାଳେ ଅତନୁ ପାଖକୁ ପଠେଇଦବାକୁ ମନେମନେ ଠିକ୍‌ କରେ ଲପିତ। ।

 

ଶେଷ ଫଗୁଣର ଏଇ ଜ୍ୟୋତ୍ସ୍ନାନିବିଡ଼ ରାତିକୁ ଆହୁରି ପୁଲକିତ ଆହୁରି ମନୋରମ କରି କେଉଁ ଗହଳିଆ ଡାଳଭିତରୁ କୋଇଲିଟିଏ ଡାକିଉଠେ ।

 

ବିଜୁଳୀବେଗରେ ଝରକା ପାଖକୁ ଉଠିଯାଏ ଲପିତା । ନିରୀଖି ଚାହେଁ ସାମନା ଗଛଆଡ଼କୁ-। ଆବିଷ୍କାର କରିବାକୁ ଇଚ୍ଛା ହୁଏ ସେଇ ଦୁଷ୍ଟ କଅଁଳିଆ, ଚିକ୍କଣ ପକ୍ଷୀଟିକି ।

 

ବେଶ୍ ଭଲ ଲାଗୁଛି । ବାଁ ଛାତିର ଯନ୍ତ୍ରଣା ୟା ଭିତରେ କେତେବେଳେ ଉଭେଇଗଲାଣି-।

 

ଶୁଣୁଛ ! ହେଇ, ଶୁଣ ମ !

ଧଡ଼ପଡ଼ ହୋଇ ଉଠିବସେ ସୁକାନ୍ତ । ହାଉ ମାଉ କରି ପାଟିକରି ଉଠେ, କ’ଣ ? କ’ଣ ହେଲା ?

 

ହାତପାପୁଲିରେ ସୁକାନ୍ତ ମୁହଁକୁ ଚାପିଧରି ଫିସ୍‌ ଫିସ୍‌ କରି ଲପିତା କହେ -ଆସ୍ତେ, ଡାଡ଼ିଙ୍କି ହୁଏ ତ ନିଦ ହୋଇ ନ ଥିବ ।

 

ସୁକାନ୍ତ ଦେହକୁ ପ୍ରାୟ ଆଉଜି ବସି ଲପିତା ପୁଣି କହେ - ତମେ କଣ ମଣିଷ ନା ପଶୁ ମ-? ଏଡ଼େ ସୁନ୍ଦର ଜହ୍ନରାତିରେ ତମକୁ ନିଦ ମାଡ଼ୁଛି କେମିତି ? ଗତବର୍ଷର ଏଇ ରାତିଟି କଥା ମନେ ପକେଇଲ ?

 

ରାତି ପାହିଲେ ବାହାଘର ......

ମନେ ପଡ଼ୁଛି......ହଁ ସବୁ ମନେ ପଡ଼ୁଛି ....ଛାତ ...ମସିଣା ଆଉ ରୁବି ଭାଉଜଙ୍କ କଥା

 

କିନ୍ତୁ ସେ ସବୁକୁ ମନେ ପକେଇ ଲାଭ କଅଣ ? ସେ ସବୁକୁ ମନେ ପକାଇବା ଅର୍ଥ ନିଜର ଦାରିଦ୍ର୍ୟ, ଅସଫଳତା ଆଉ ପରାଜୟର ସ୍ମୃତିକୁ ପୂଜା କରିବା ।

 

ଲପିତା କହି ଚାଲିଛି ଆଉ ଛଳ ଛଳ ଶବ୍ଦ କରି ସତେ ଯେମିତି ବହିଚାଲିଛି ତାର କଥାର ଝରଣା ।

 

ତା ଶାଢ଼ୀର ଖସ୍‍ଖସ୍ ଶଦ୍ଦ, ତା ଚୁଡ଼ିର ରୁଣ୍ ଝୁଣ୍‍ରେ ଗୋଟାଏ କେମିତି ନୂଆ ରୋମ।ନ୍‍ସର ସନ୍ଧାନ ମିଳୁଛି ।

 

ଆଜି ଭାରି ଭଲଲାଗୁଛି ଲପିତାକୁ ଆଉ ତାର ଏଇ ମିଠା ମିଠା ବ୍ୟବହାରକୁ ।

ଠିକ୍‍ ହେଲା କାଲି ତାଙ୍କର ବିବାହର ପ୍ରଥମ ବାର୍ଷିକୀ ଉତ୍ସବ ଅତି ନିରାଡ଼ମ୍ବର ଭାବରେ ପାଳିତ ହେବ ।

 

ଆଉ ସେଇ ଉତ୍ସବରେ ଯୋଗଦେବା ପାଇଁ ଲପିତ। ନିମନ୍ତ୍ରଣ କରିବ ତାର ଜନୈକ ଆଧ୍ୟାପକ ବନ୍ଧୁ ଅତନୁ ବାବୁଙ୍କୁ ଆଉ ସୁକାନ୍ତ ଡାକିବ ତାର ଜଣେ ସଦ୍ୟ ୟୁରୋପଫେରନ୍ତା ଦୋସ୍ତ୍‍ ମିଷ୍ଟର ପ୍ରକାଶକୁ ।

-କାଲି ଭାରି ମଜା ହେବ କିନ୍ତୁ । ମୋ ବନ୍ଧୁ ପାଇଁ ତମେ ନୂଆ ଆଉ ତମ ବନ୍ଧୁ ପାଇଁ ମୁଁ

ହସି ହସି ସୁକାନ୍ତ ଉପରେ ଗଡ଼ିପଡ଼େ ଲପିତ। । କିନ୍ତୁ କ୍ଷଣକ ପରେ ପୁଣି ନିଜ ବିଛଣାକୁ ଉଠିଆସେ ।

ବୋଧହୁଏ ନିଜର ଭୁଲ୍‍ ବୁଝିପାରି କୋଇଲିଟା ୟା ଭିତରେ ଚୁପ୍‍ ହୋଇଗଲାଣି । ପୂର୍ବଦିଗ ଫର୍ଚ୍ଚାହୋଇ ଆସିଲେ ସେ ପୁଣି ଡାକିବ ।

 

ତରୁଣ ଅଧ୍ୟାପକ ଅତନୁ କୋଳରେ ମୁହଁରଖି କାନ୍ଧୁଛି ଲପିତ। ।

 

ଦାମୀ ଗାଭାଡ଼ିନ୍‌ ଟ୍ରାଉଜରଟି ସନ୍ଦେହଜନକ-ଭାବରେ ଓଦା ହେଉଥିବାରୁ ମନେମନେ ବିରକ୍ତ ହୁଏ ଅତନୁ । ପ୍ରତିବାଦ କରିବାର ଉପାୟ ନାହିଁ । ସାହସ ନାହିଁ ବେଦୀ ଉପରର ଦରପୋଡ଼ା ଯଜ୍ଞକାଠକୁ ବିଚାରହୀନ-ଭାବରେ ଦୂରକୁ ଠେଲିଦେବାକୁ ।

 

ଅସ୍ତଗାମୀ ସୂର୍ଯ୍ୟର ଶେଷରଶ୍ମିଟିକକ କମଳାଲେମ୍ବୁ -ରଙ୍ଗର ଝରକା କାଚରେ ପ୍ରତିଫଳିତ ହୋଇ ବିଞ୍ଚିହୋଇ ପଡ଼ିଛି ଘର ଭିତରେ ।

 

ଆକାଶ ପାତାଳ ଭାବୁଛି ଅତନୁ । ଠିକ୍‍ ଏମିତି ଗୋଟିଏ ଗୋଲାପୀ ଗୋଧୂଳିରେ ଦୃଷ୍ଟି ବିନିମୟ ହୋଇଥିଲା ଏମ୍‍. ଏ. ଛାତ୍ରୀ ଲେପିତା ସାଥିରେ । କଲେଜ୍‌ ଲାଇବ୍ରେରୀ ଭିତରୁ ବାହାରି ଆସୁଥିଲା ଅତନୁ । ସୂର୍ଯ୍ୟସ୍ତମ୍ବ ପାଖରେ କାହାକୁ ଅପେକ୍ଷାକରି ଛିଡ଼ା ହୋଇଥିଲା ଛାତ୍ରୀଟି ।

 

- ନମସ୍କାର ସାର୍‌ ।

- ନମସ୍କାର ।

ଡାହାଣ କଡ଼ରେ ସବୁଜ ଘାସକିଆରୀରେ ଲହଡ଼ି ଭାଙ୍ଗିଭାଙ୍ଗି କାହିଁ କେତେ ଦୂରକୁ ପହଁରିଯାଇଥିଲା ଛାତ୍ରୀଟିର ଇଙ୍ଗିତପୂର୍ଣ୍ଣ ଦୃଷ୍ଟି । ସେଇଠୁ ଆରମ୍ଭ । ସେଇ ଆରମ୍ଭର କଣ ଶେଷ ନାହିଁ ? ଶେଷ ନାହିଁ ସେଇ ପ୍ରେମର, ସେଇ ପ୍ରଣୟର, ସେଇ ମୁର୍ଖାମିର ? ସବୁ ମନର ଦୁର୍ବଳତା ଆଉ ଦେହର ବିକାର । ଏ ସବୁକୁ ପ୍ରଶ୍ରୟ ଦେଲେ ମଣିଷ ତା ଚଲାବାଟରୁ ଦୂରେଇଯିବ ।

 

ଅତନୁ ବୁଝୁଛି, ବିବାହର ଠିକ୍‍ ବର୍ଷକ ପରେ ସୃଷ୍ଟି କରିଥିବା ଏଇ ସୁଯୋଗକୁ କେବେହେଲେ ନଷ୍ଟ କରିବ ନାହିଁ ଲପିତ। । ଟିକକ ଆଗରୁ ସେ ଶୁଣାଇଦେଇଛି ତା ବିବାହିତ -ଜୀବନର -କ୍ଳାନ୍ତି -କର ଇତିହାସ । ସ୍ଵାମୀ ସୁକାନ୍ତର ଅଯୋଗ୍ୟତା ଓ ଅପାରଗତାର କାହାଣୀ ।

 

- ତମେ ସତରେ କେଡ଼େ ନିଷ୍ଠୁର ଅତନୁ । ବିଗତ ଆଠହଜାର ସାତଶହ ଷାଠିଏ ଘଣ୍ଟା ଭିତରେ ତମକୁ କଣ ମିନିଟିଏ ବି ଫୁରୁ୍‍ସତ୍‍ ମିଳିଲା ନାହିଁ ମୋ ସାଙ୍ଗେ ଆସି ଦେଖାକରି ଯିବାକୁ !

 

ତମେ ମତେ ଅତୀତକୁ ଭୁଲିଯିବାକୁ କହୁଛ ? ଭାରି ଚମତ୍କାର ଉପଦେଶ କିନ୍ତୁ । କେମିତି ଏ କଥା କହିପାରୁଛ ? ଇଚ୍ଛାକଲେ କଣ ମଣିଷ ସବୁ କଥା ଭୁଲିଯାଇ ପାରିବ । ?

 

ଅତନୁ ଭାବୁଥିଲା ...ସୁକାନ୍ତକୁ ବାହାହୋଇ ସତେ କଣ ଲପିତ।ର ଜୀବନ ବ୍ୟର୍ଥ ହୋଇଯାଇଛି । ଯଦି ହୋଇ ବି ଥାଏ ତେବେ ସେଇ ବ୍ୟର୍ଥତାକୁ ସେ କେମିତି ପୋଛିଦେଇ ପାରିବ ? ତା ସାଥିରେ ଲପିତାର ବାହା ନ ଦେଇ ଚନ୍ଦ୍ରମାଧବବାବୁ ହୁଏତ ଅବିଚାର କରିଛନ୍ତି, କିନ୍ତୁ ସେଥିପାଇଁ ବର୍ତ୍ତମାନ ଆଉ କଣ କରାଯାଇପାରେ ? ମୋଟ୍‍ ଉପରେ ତାର ଆଜି ଏଠିକି ଆସିବା ଭୁଲ୍‍ ହୋଇଛି । ଲପିତାର ନିମନ୍ତ୍ରଣକୁ ଉପେକ୍ଷା କରିଥିଲେ ଭଲ ହୋଇଥାନ୍ତା ।

 

- ଏଣିକି ବରାବର ଆସିବ, ବୁଝିଲ ? ତମେ ବିଶ୍ୱାସ କର ତନୁ, ମୁଁ ଏପର୍ଯ୍ୟନ୍ତ ବି ପବିତ୍ର ରହିଛି ଆଉ ମୋର ମନ କଥା ତ ତମେ ଜାଣ !

 

ଏମ୍.ଏ. ପରୀକ୍ଷାର ଫଳ ଆଜି ବାହାରିବାର ଥିଲା, କିନ୍ତୁ ବାହାରି ନାହିଁ । ପ୍ରାୟ ମାସେ ଖଣ୍ଡେ ଘୁଞ୍ଚିଗଲା । କେଉଁ ପରୀକ୍ଷକ ତାର ଜଣେ ପ୍ରିୟ ଛାତ୍ରକୁ ବେଶୀ ମାର୍କ ଦେବାର ଅଭିଯୋଗ ହୋଇଛି, ସେଇଥି ପାଇଁ ନାନା ଗଣ୍ଡଗୋଳ ଉପୁଜିଛି ।

 

ଏଇ ଖବର ଦେବାକୁ ଅତନୁ ଆସିଥିଲା, କିନ୍ତୁ କି ଅଡ଼ୁଆରେ ପଡ଼ିଯାଇଛି ବିଚରା ।

ଫାଟକ ପାଖରେ କାର୍‌ ଗୋଟିଏ ରହିବାର ଶବ୍ଦ ହେଲା, କ୍ଷିପ୍ରଗତିରେ ଖଞ୍ଜା ଭିତରକୁ ଚାଲିଗଲା ଲପିତା, ଖବର କାଗଜ ଖଣ୍ଡିଏ କୋଳ ଉପରେ ଖେଳାଇ ଚୁପ୍‍ ହୋଇ ବସିରହିଲା ଅତନୁ । ଡ୍ରଇଂରୁମ୍‍ ଭିତରକୁ ହସି ହସି ପଶିଆସିଲେ ସୁକାନ୍ତ ଓ ପ୍ରକାଶ । ପ୍ରକାଶ କାନ୍ଧରେ ଗୋଟିଏ କ୍ୟାମେରା ଝୁଲୁଛି ଆଉ କାଖରେ ଅଛି ରଜନୀଗନ୍ଧାର ଗୋଟିଏ ସୁନ୍ଦର ତୋଡ଼ା । ସୁକାନ୍ତ ହାତରେ ଗୋଟିଏ କ୍ୟାଶ୍‍କେଟ୍‍ ।

 

ଠିକ୍‌ ସେଇ ସମୟରେ ବିପରୀତ ଦିଗରୁ ଲପିତା ମଧ୍ୟ ପ୍ରବେଶ କଲା । ତାର ସଲୀଳ ଛନ୍ଦ, ଅନାୟାସ ତନୁ ଭଙ୍ଗିମା ସତେ ଯେମିତି ସମସ୍ତଙ୍କୁ ଚୁମ୍ବକ ପରି ଆକର୍ଷଣ କରୁଛି ।

 

ପରିଚୟ କରାଇଦେଲା ସୁକାନ୍ତ -ମୋର ସବୁଠାରୁ ଅନ୍ତରଙ୍ଗ ବନ୍ଧୁ ମିଷ୍ଟର ପ୍ରକାଶ, ଆଉ ଇଏ ହଉଛନ୍ତି ......

 

କରମର୍ଦ୍ଦନ କରିବା ଉଦ୍ଦେଶ୍ୟରେ ହାତ ବଢ଼େଇଦେଲା ପ୍ରକାଶ । ଲପିତାର ସାରାଦେହରେ ସତେ ଯେମିତି ବିଜୁଳୀ ଖେଳିଗଲା । ପ୍ରକାଶର ସେଇ ନିବିଡ଼ ସ୍ପର୍ଶର ଉଲ୍ଲାସ ତାର ରକ୍ତର ଗତିକୁ କଲା ଚଞ୍ଚଳରୁ ଚଞ୍ଚଳତର ।

 

ଆଉ ଇଏ ହଉଛନ୍ତି ମିଷ୍ଟର ଅତନୁ ଦାସ ।

ଆପଣଙ୍କ ସହିତ ପରିଚିତ ହେବାଦ୍ଵାରା ମୁଁ ନିଜକୁ ଅତ୍ୟନ୍ତ ଭାଗ୍ୟବାନ୍‍ ମନେକରୁଛି- ପରିଚୟ ଓ କରମର୍ଦ୍ଦନ ପର୍ବ ସରିଲା ।

 

ଲପିତା ଚାହିଁରହିଥିଲା ପ୍ରକାଶ ଆଡ଼କୁ । କି ସତେଜ ସ୍ୱାସ୍ଥ୍ୟବାନ୍‍ ପୁରୁଷ ।

ଡ୍ରଇଂ ରୁମ୍‌ର ପ୍ରତିଟି ଆସବାବ୍‍କୁ ନିରୀଖି ନିରୀଖି ଚାହୁଁଥିଲା ପ୍ରକାଶ । ତା ପରେ ହଠାତ୍‍ କହିଉଠିଲା - ଦଶ ବାରଟା ବେଲୁନ୍‍ କଣ ତତେ ମିଳିଲା ନାହିଁ ? ବିବାହର ପ୍ରଥମବାର୍ଷିକୀ ଉତ୍ସବକୁ କଣ ଆଉ ଟିକିଏ ରଙ୍ଗୀନ୍‌ କରିଥିଲେ ମହାଭାରତ ଅଶୁଦ୍ଧ ହୋଇଯାଇଥାନ୍ତା ?

 

ବଡ଼ ବଡ଼ ନାଲିନେଳି ବେଲୁନ୍‌ କେତେଟା ଆଉ ମୋଡ଼ା ମୋଡ଼ା ରଙ୍ଗୀନ୍‍ କାଗଜର ଫିତା କେତେ ଗଜରେ ରୁମ୍‌ଟିକୁ ସଜାଇ ଥିଲେ ମନ୍ଦ ହୋଇ ନ ଥାନ୍ତା ।

 

ଅତନୁକୁ ଭାରି ଖରାପ ଲାଗୁଥିଲା । କି ସାଙ୍ଘାତିକ ଜୀବ ଲପିତା, ଏ ଉତ୍ସବ ବିଷୟରେ ତ କିଛି ଲେଖି ନ ଥିଲା ।

 

ଟେବୁଲ ଉପରେ ଥୁଆହୋଇଥିବା କ୍ୟାଶ୍‌କେଟ୍‌ ଆଉ ରଜନୀଗନ୍ଧା ତୋଡ଼ାକୁ ଚାହିଁ ସେ ବଡ଼ ସଙ୍କୋଚ ଅନୁଭବ କରୁଥିଲା ।

 

ଏହାପରେ ଚା ପର୍ବ ।

ଭାରି ସୁନ୍ଦର କଥାବର୍ତ୍ତା କରିପାରୁଛନ୍ତି ପ୍ରକାଶବାବୁ । ପରିବେଶକୁ ସବୁବେଳେ ସରଗରମ କରି ରଖିଛନ୍ତି ।

 

ତାଙ୍କ କଥାରୁ ଜଣାପଡ଼େ, ଫୋଟୋଗ୍ରାଫିରେ ଉଚ୍ଚଶିକ୍ଷା ଲାଭ କରିବା ପାଇଁ ଭାରତ ସରକାରଙ୍କଦ୍ଵାରା ମନୋନୀତ ହୋଇ ସେ ବିଦେଶ ଯାଇଥିଲେ । ଗତ ପାଞ୍ଚବର୍ଷ ଭିତରେ ବିଦେଶରେ ନାନା ସ୍ଥାନ ଭ୍ରମଣ କରି ପ୍ରାୟ ସପ୍ତାହେ ହେବ ସେ ଭାରତକୁ ଫେରିଛନ୍ତି ।

 

କଥାରେ କଥାରେ ଲିଭାର-ପୁଲ, ଗ୍ଲାସ -ଗୋ, ପୋର୍ଟସୟଦ, ଆଉ ଏଡେନ୍‍ ସିଡ୍‍ନର କେତେ ସବୁ ଅକ୍ଷତ ସ୍ମୃତିକୁ ସେ ଟାଣିଆଣୁଛନ୍ତି ।

 

ଲସ୍‌ ଏଞ୍ଜେଲସ୍‌ ଆଉ ହଲିଉଡ଼୍‍ ସାଥିରେ କଲିକତା ଓ ବମ୍ବେକୁ ତୁଳନା କରି ସେ ହତାଶ ହଉଛନ୍ତି ।

 

କୌଣସି ଭିୟେନାବାନ୍ଧବୀର ଚା’ ତିଆରି କରିବାର କୌତୁକପୂର୍ଣ୍ଣ ପ୍ରଣାଳୀକୁ ବିଶଦଭାବରେ ବର୍ଣ୍ଣନା କରୁ କରୁ ସେ ଅଯଥାରେ ହୋ ହୋ ହସିଉଠୁଛନ୍ତି ।

 

ଟେବୁଲରେ ସଜା ହୋଇଛି ଚାଇନିଜ୍‌ ଡ୍ରାଗନ୍‌ ଡିଜାଇନ୍‍ ଟି–ସେଟ୍‌ ।

ଆକାଶୀରଙ୍ଗର ନାଇଲନ୍‌ ଶାଢ଼ୀ ଓ ବ୍ଳାଉଜ୍‌ ବେଶ୍‍ ମାନୁଛି ଲପିତାକୁ ।

 

ପ୍ରକାଶର ପ୍ରତିଟି କଥାରେ ସେ ଓଠ ଚିପିଚିପି କେମିତି ଗୋଟିଏ ମିଠାଳିଆ ହସ ହସୁଛି ।

 

ଆପଣ ଭାରି ମଜାର ଲୋକ । ନିଜେ ହସି ଜାଣନ୍ତି ଆଉ ଅନ୍ୟକୁ ବି ଖୁବ୍‌ ହସେଇ ପାରନ୍ତି । ଆପଣ ସାଙ୍ଗରେ ଥିଲା ପର୍ଯ୍ୟନ୍ତ ମଣିଷ ତାର ସବୁ ଦୁଃଖ ଦୈନ୍ୟ ଭୁଲିଯିବ ।

 

ପ୍ରକାଶ ସାମନାରେ ଥୁଆ ହୋଇଥିବା କପ୍‍ରେ ଟି ପଟ୍‍ରୁ ଚା ଢାଳୁଛି ଲପିତା । ସତେ ଯେମିତି ରକ୍ତବାନ୍ତି କରୁଛି ଡ୍ରାଗନ୍‌ ।

 

ପ୍ରକାଶ ଉପରେ ସମସ୍ତଙ୍କର କୌତୂହଳ -ଦୃଷ୍ଟି ପଡ଼ୁଛି । ବିଶେଷତଃ ଲପିତା ଯେପରି ତା ପ୍ରତି ବେଶୀ ଯତ୍ନଶୀଳା । ହେବା ସ୍ୱାଭାବିକ, ଜଣାଦେଶଠାରୁ ଅଜଣାଦେଶର ମୋହ ବେଶୀ, ଆକର୍ଷଣ ବେଶୀ । ଏକଥା ବୁଝି ମଧ୍ୟ ନିଜକୁ ଅବହେଳିତ ମନେକରୁଛି ଅତନୁ ।

 

ବୁଝିଲୁ ସୁକାନ୍ତ, ମୋର ବର୍ତ୍ତମାନ ଗାର୍ଡ଼ନ ସାର୍ବାବର ଗୋଟିଏ ପାର୍ଟି କଥା ମନେପଡ଼ୁଛି । ସେଦିନ ମଧ୍ୟ ଆମର ଅତନୁ ବାବୁଙ୍କ ଭଳି ଜଣେ ସା’ଇ ଇଣ୍ଡିଆନ୍‌ ସେ ପାର୍ଟିରେ ଯୋଗଦେଇଥିଲେ ... ଧନ୍ୟବାଦ, ମୁଁ ଚା’ରେ ଆଦୌ ଚିନି ଖାଏ ନାହିଁ ।

 

ପୁଣି ହସର ଲହଡ଼ି ଭାଙ୍ଗିପଡ଼ିଲା । ସଚେତନ ହୋଇଉଠିଲା ଅତନୁ । ତାପରେ ସେ ମଧ୍ୟ ସେଇ ଲହଡ଼ିରେ ଭାସିଗଲା ।

 

ଚମତ୍କାର ଚା । ଚା ତିଆରି କରିବା ଗୋଟିଏ ମସ୍ତବଡ଼ ଆର୍ଟ । ମୋର ବିଶ୍ୱାସ; ଭାରତର ଖୁବ୍‌ ଅଳ୍ପ ଲୋକ ସେଇ ଆର୍ଟ ବୁଝନ୍ତି ।

 

ପ୍ରଶଂସାରେ ପଞ୍ଚମୁଖ ହୋଇ ଉଠିଲା ପ୍ରକାଶ । ସଦ୍ୟ ବିଦେଶ ଫେରନ୍ତା ଜଣେ ବିଖ୍ୟାତ ଲୋକକୁ ଚା ପିଆଇ ସନ୍ତୁଷ୍ଟ କରି ପାରିଛି ବୋଲି ମନେମନେ ଗର୍ବ ଅନୁଭବ କରୁଥିଲା ଲପିତ। ।

 

ଇଷ୍ଟଏଣ୍ଡର ବହୁ ଆଭିଜାତ୍ୟଶୀଳ ପାର୍ଟିରେ ମୁଁ ଯୋଗ ଦେଇଛି, କିନ୍ତୁ ଆଜିକାର ଏଇ ଆନ୍ତରିକତାପୂର୍ଣ୍ଣ ବାୟୁମଣ୍ଡଳ ମୁଁ ସେଠାରେ କ୍ଵଚିତ୍‌ ଦେଖିଥିବି ।

 

ବିମୁଗ୍‌ଧଦୃଷ୍ଟିରେ ପ୍ରକାଶକୁ ଚାହିଁ ତଳକୁ ମୁହଁ ପୋତେ ଲପିତା ।

ଅପୂର୍ବ ଏଇ ଭଦ୍ରଲୋକଟି । ସୁକାନ୍ତ ପରି ଅର୍ବାଚୀନର ପୁଣି ଏପରି ଜଣେ ପରିମାର୍ଜ୍ଜିତ ଓ ରୁଚିସମ୍ପର୍ଣ୍ଣ ବନ୍ଧୁ ଥାଇପାରେ ?

 

ଆପଣମାନଙ୍କର କୌଣସି ଆପତ୍ତି ନ ଥିଲେ ମୁଁ ଆଜିକାର ଏହି ସ୍ମୃତି ମଧୁର ସନ୍ଧ୍ୟାକୁ ବହୁଦିନ ପର୍ଯ୍ୟନ୍ତ ବଞ୍ଚାଇ ରଖିବାକୁ ଚେଷ୍ଟା କରିବି ।

 

ଫାଇନ୍‌ ! କ୍ୟାମେରାକୁ ଆଡ଼୍‌ଜଷ୍ଟ କରୁକରୁ ପ୍ରକାଶ କହେ, ଆପଣ ମୁଣ୍ଡଟାକୁ ଆଉଟିକେ ବାଁ ଆଡ଼କୁ ....ବାସ୍‌ ....ସୁକାନ୍ତ,..ତୁ ଗୋଟିଏ ଇଡ଼ିଅଟ୍‍ ନାଁ କଣ ? ଏମିତି କରଛଡ଼ା ହୋଇ ଛିଡ଼ା ହୋଇଛୁ କାହିଁକି ?... କ’ଣ ଲପିତା ଦେବୀଙ୍କ ଦେହକୁ ଲାଗି ଠିଆ ହେବାକୁ ଡର ମାଡ଼ୁଛି ?

 

ସୁକାନ୍ତକୁ ଡର ମାଡ଼ୁ ନ ଥିଲା ଲାଜ ମ।ଡ଼ୁଥିଲା ।

.... ଆରେ , ଆରେ । ଆପଣ ପୁଣି ରଜନୀଗନ୍ଧା ତୋଡ଼ା ପଛ ଆଡ଼େ ମୁହଁ ଲୁଚାଉଛନ୍ତି କାହିଁକି ?

 

ଲଜ୍ଜାରେ ନୁହେଁ , ଘୃଣାରେ ଲପିତା ମୁହଁ ଲୁଚାଉଥିଲା । ଛିଃ, ଛିଃ ସେ ଚାହେଁ ନାହିଁ ସୁକାନ୍ତ ସାଥିରେ ଏମିତି ଯୋଡ଼ିଯାଉଁଳି ହୋଇ ଫଟୋ ଉଠାଇବାକୁ । ସେ ବରଂ ତା ପରିବର୍ତ୍ତରେ ଗୋଟିଏ ଶିମ୍ପାଜୀ ସାଥିରେ ଫଟୋ ଉଠାଇବାକୁ ପ୍ରସ୍ତୁତ ଅଛି । ଅତନୁ ଏସବୁ କାଣ୍ଡ କାରଖାନା ଦେଖି କଣ ଭାବୁଥିବ ?

 

ସେ କୃତ୍ରିମ ଲଜ୍ଜା ପ୍ରକାଶକରି ରଜନୀଗନ୍ଧା ତୋଡ଼ାଟିକୁ ଟେବୁଲ୍‍ ଉପରେ ଥୋଇଦେଲା ।

- ଆଜି ଥାଉ, ଆଉ କେବେ ଉଠାଇବେ ।

ପ୍ରକାଶ କିନ୍ତୁ ନ ଛାଡେ ।

ବେଶ୍‍ ... ସୁକାନ୍ତକୁ ଟାଣିଆଣି କୁସନ ଉପରେ ବସେଇ ଦିଏ । -- ଏଥର ଆପଣଙ୍କୁ ଲାଜ ମାଡ଼ିବାର କିଛି କାରଣ ନାହିଁ ତ ?

 

ରଜନୀଗନ୍ଧା ତୋଡ଼ାଟିକୁ ଲପିତା ହାତକୁ ଅତି ଆଗ୍ରହରେ ବଢ଼ାଇଦିଏ ପ୍ରକାଶ । ତାପରେ କେମିତି ପୋଜ୍‍ରେ ଛିଡ଼ା ହେବାକୁ ହେବ ଟିକିନିଖି କରି ବତାଇଦିଏ ।

 

ଆହା ... ମୁଁ ଆପଣଙ୍କର ପରିଧାନର ଫଟୋ ଉଠାଉ ନାହିଁ, ଆପଣଙ୍କର ଉଠାଉଛି – ଏକ୍‌ସକିଉଜ୍‌ ମି । ପ୍ରକାଶ ଆପଣା ହାତରେ ଅତି ଯତ୍ନ ସହକାରେ ଲପିତାର ବକ୍ଷାଞ୍ଚଳକୁ ସାମାନ୍ୟ ସଜାଡ଼ିଦିଏ ।

 

ରେଡ଼ି ? ...... ଉଆନ୍... ଟୁ.....

ରୁବି ଭାଉଜ ଚିଠି ଦେଇଛନ୍ତି ।

ତମେ ମନକଷ୍ଟ କରିପାର ସୁକାନ୍ତ । କିଛି ମୁଁ ସ୍ପଷ୍ଟକରି କହି ଦେବାକୁ ଚାହେଁ ଯେ ବିବାହ ପରେ ତମେ ଯେଉଁ ମତିଗତି ଧରିଛ ତାହା ଅକ୍ଷମଣୀୟ । ବଡ଼ଲୋକ ଘରେ ବାହା ହେଲ ବୋଲି କଣ ନିଜ ଜନ୍ମକଲା ବୋଉକୁ ବି ଭୁଲିଯିବ ? ତାଙ୍କପ୍ରତି କଣ ତମର ଆଉ କିଛି କର୍ତ୍ତବ୍ୟ ନାହିଁ ? କେତେ ଆଗ୍ରହରେ ସେ ବାହାଘର କରିଥିଲେ ପୁଅବୋହୂ ନେଇ ଘର କରିବେ, କିନ୍ତୁ ବୋହୂର ସେବାପାଇବା ଦୂରେ ଥାଉ ଘରର ପୁଅ ଯେ ଭଗାରୀ ହେବାକୁ ବସିଲାଣି ।

 

ଗାଁରୁ ସିଧା ଗାଡ଼ିଖଣ୍ଡେ କରି ସେ କାଲି ଖରାବେଳେ ଆସି ମୋ ପାଖେ ପହଞ୍ଚିଛନ୍ତି । କାହିଁକି ଜାଣିଛ ? କେବଳ ତମମାନଙ୍କର ଖବର ଟିକେ ପାଇବାକୁ । ମୁଁ ବା କେତେଟିକେ ଜାଣେ? ତାଙ୍କୁ ଖୁସି କରିବାକୁ ମିଛ ସତ ଯାହା ମନକୁ ଆସିଲା କହିଲି । ସେ କେଉଁଠୁ ଶୁଣିଛନ୍ତି ତାଙ୍କର କୁଆଡ଼େ ୟା ଭିତରେ ନାତି ହବ । ଆମ ଗାଁ ନୃସିଂହଙ୍କ ପାଖେ ସେଥିପାଇଁ ସେ ଆଜିକାଲି ମାନସିକ ମଧ୍ୟ କରିଛନ୍ତି ।

 

ଆଗରୁ ଖଣ୍ଡେଅଧେ ଚିଠିପତ୍ର ଦଉଥିଲ । ଏବେ ସେତକ ବି ବନ୍ଦ କରିଦେଇଛ । ସେ ଚିଠି ଦେଇ ଦେଇ ଥକିଲେଣି । ଖଣ୍ଡେ ଜବାବ ନାହିଁ ।

 

ତାଙ୍କ ବାଁ ହାତ ଆଉ ଚଳୁନାହିଁ । ବଡ଼ ଘରେ ବାହାହେଲ, ଚାକିରୀ କରି ଶହଶହ କମଉଛ । ପ୍ରତି ମାସରେ ପନ୍ଦର କୋଡିଏଟା ଟଙ୍କା ତାଙ୍କ ପାଖକୁ ପଠାଇବାକୁ କଣ ତମ ବିବେକ କହୁନାହିଁ ? ବୁଢ଼ୀ ଲୋକ, କେମିତି ଚଳିବେ ସେ କଥା ତ ଟିକେ ଭାବୁନାହଁ ? ସେ ରାଣନିୟମ ପକେଇ କହିଛନ୍ତି ତମେ ଏ ଚିଠି ପାଇଲାମାତ୍ରେ ବସିବା ସ୍ଥାନରୁ ଉଠି ଆସିବ । ତମର ତ କାର୍ ଅଛି । ଅସୁବିଧା କଣ ?

 

ବର୍ଷେ ହବ ତାଙ୍କ ଆଖିକି ସବୁ ଜାଲୁଆ ଜାଲୁଆ ଦିଶୁଛି । କେବେ ତାଙ୍କ ଦୃଷ୍ଟିଶକ୍ତି ଲୋପ ପାଇଯିବ କେଜାଣି । ସେତକ ହବା ପୂର୍ବରୁ ସେ ଥରେ ତମକୁ ଆଖି ପୂରାଇ ଦେଖିବାକୁ ଚାହାଁନ୍ତି ...

 

ବୋଗାସ୍ ।

ଆଉ ପଢ଼ିବାକୁ ଧୈଯ୍ୟ ନାହିଁ । ଚିଠି ଖଣ୍ଡ ମୋଡ଼ିମାଡ଼ି ଝରକା ବାଟେ ବାହାରକୁ ଫିଙ୍ଗିଦିଏ ସୁକାନ୍ତ । ତା’ପରେ କଫି କପ୍‍ଟି ଓଠ ପାଖକୁ ଉଠାଇ ନିଏ ।

 

କେବଳ ସାଙ୍ଗସାଥୀମାନେ ନୁହଁନ୍ତି, ତାର ବୋଉ ଓ ଭାଉଜ ମଧ୍ୟ ହିଂସା କରନ୍ତି ସେ ବଡ଼ଲୋକ ଘରେ ବାହା ହୋଇଛି ବୋଲି । ସେମାନେ ମଧ୍ୟ ସହି ପାରୁ ନାହାନ୍ତି ଏଇ ସୁଖ, ଏଇ ବିଳାସବ୍ୟସନ । ସମସ୍ତେ ଜଣାଶୁଣା ସମସ୍ତେ ଚାହାନ୍ତି ତାକୁ ପୁଣି ଥରେ ଅଭାବ ଅନଟନ ଭିତରକୁ ପେଲିଦେଇ ମଜା ଦେଖିବାକୁ ।

 

ବୋଉକୁ ତ ବାରମ୍ବାର ଲେଖିଛି ଏଇଠି ଆସି ରହିବାକୁ, କିନ୍ତୁ ସେ ରାଜି ହୋଇନାହିଁ । ଛୋଟଲୋକ ଘର ଝିଅ, ସଂସାର ଯାକର ଯେତେକ ଇତର ଧାରଣା ତା ମନରେ ବସା ବାନ୍ଧି ରହିଛି । ସେଥିପାଇଁ ଏ ବୁଢ଼ୀ ଦିନେ ସିଏ କଷ୍ଟ ପାଇବ ନାହିଁ ତ ଆଉ କିଏ କଷ୍ଟ ପାଇବ ? ଆଉ ତା ସାଙ୍ଗକୁ ଜୁଟିଛନ୍ତି ରୁବିଭାଉଜ ! ଅପଦାର୍ଥ । ତିନିଓଳି ପଖାଳଭାତ ଆଉ ବଡ଼ିଭଜାରେ ଜୀବନ କଟେଇଦେଲେ । ତାଙ୍କ ଦିଅର ରୂପାଥାଳୀରେ କୋରମା ପଲାଉ ଖାଇବା ସେ କେମିତି ସହ୍ୟ କରନ୍ତେ !

 

ମୂର୍ଖ ! କାର୍‌ ଥିଲେ କଣ ଯୁଆଡ଼େ ଇଚ୍ଛା ସିଆଡ଼େ ଯାଇହବ ? ଯୋଉ ତ ଗାଁ, ରାସ୍ତା ବୋଲି ଅଧଚାଖଣ୍ଡେ । କୌଣସି ମତେ ଗାଁ ଭିତରକୁ ଯଦି କାର୍‍ଟି ପଶିଯାଏ ତ ବାସ୍‌ – ଆଉ ଫେରିବା ନାଁ ଧରିବ ନାହିଁ ।

 

ଯଦି ସେମିତି ଗୋଟିଏ କିଛି ଅସୁବିଧା ହୋଇଛି, ତେବେ ସେମାନଙ୍କର କଣ ଏଠିକି ଚାଲିଆସିବା ଉଚିତ ନୁହେଁ ? ସେମାନଙ୍କର ତ ଏଠିକ ଆସିବା ସୁବିଧା । ତା ଛଡ଼ା ଏଠିକି ଆସିଲେ ତ ଚିକିତ୍ସା ପାଇଁ ଯାହା କିଛି ବନ୍ଦୋବସ୍ତ କରାହବ ।

 

ହାତ ଘଡ଼ିକୁ ଚାହେଁ ସୁକାନ୍ତ । ଅଫିସ୍‌ ଯିବା ସମୟ ହୋଇଗଲାଣି । ପୂର୍ବ ଚିନ୍ତାର ଖିଅ ହଜିଯାଏ ।

 

ଶ୍ୱଶୁର ମହାଶୟ କାର୍‌ ନେଇ ସକାଳୁ ବାରିଷ୍ଟର୍ ଚୌଖାନିଙ୍କ ଘରକୁ ଯାଇଛନ୍ତି । ଉତ୍କୋଚ ଗ୍ରହଣ କରିଥିବା ଅଭିଯୋଗରେ ବର୍ଷକ ତଳେ ତାଙ୍କ ବିରୁଦ୍ଧରେ ହୋଇଥିବା ଗୋଟିଏ ମକଦ୍ଦମାର ବିଚାର ଏବେ କୋର୍ଟରେ ଚାଲିଛି ।

 

ସେ କେତେବେଳେ ଫେରିବେ କେଜାଣି । ଅଫିସ୍‍କୁ ରେକ୍ସାରେ ଯିବାର ମଧ୍ୟ ଉପାୟ ନାହିଁ । ରେକ୍ସାରେ ଯିବା ଆସିବା କରିବାଟା ଅସମ୍ମାନଜନକ ବୋଲି ଲପିତା ମନେକରେ । ହଏ କାର୍‌ରେ ଯାଅ, କାର୍‍ ଯଦି ନାହିଁ କୁଆଡ଼େ ନ ଯାଇ ଚୁପ୍ ଚାପ୍ ଘରେ ବସ ।

 

ଫୋନ୍‍ର ରିସିଭର୍‍ ଉଠାଏ ସୁକାନ୍ତ ।

- ଉଆନ୍ ସିକ୍‌ସ ଏଇଟ୍ ଓ .. ଇୟେସ୍‌ ପ୍ଲିଜ୍ ... ହାଲୋ ଗୁଡ଼ମର୍ନିଂ ସାର୍‌ .. ହଁ .. ମୋର ସ୍ତ୍ରୀ ହଠାତ୍ ଅସୁସ୍ଥ ହୋଇ ପଡ଼ିଛନ୍ତି ... ଆଜି ଯିବାକୁ ଟିକେ ଡେରି ହବ । ... ଥାଙ୍କ୍‍ଇଉ ... କଣ କହିଲେ ସାର୍ ? ..... ନା ନା ନା ସେ ସବୁ କିଛି ନୁହେଁ ... ପାର୍ଡ଼େନ୍‌ ? ଫଲ୍‌ସ ପେନ୍‌ ? ... ନାହିଁ ସାର୍‌ ।

 

ହସୁ ହସୁ ରିସିଭର୍ ରଖିଦେଲା ସୁକାନ୍ତ । ତା ଅଲକ୍ଷ୍ୟରେ ଲପିତା ସେଇଘରେ ଆସି ପ୍ରାୟ ଦୁଇ ମିନିଟ୍ ପୂର୍ବରୁ ଛିଡ଼ା ହୋଇଥିଲା । ସେ ମଧ୍ୟ ହସିଉଠିଲା । ତା ପରେ ଗମ୍ଭୀର କଣ୍ଠରେ ପଚାରିଲା - ତମର ଖଣ୍ଡେ ଚିଠି ଆସିଥିଲା, ପାଇଛ ?

 

- ହଁ ।

- କାହା ପାଖରୁ ଆସିଛି ? ଭାରି ସୁନ୍ଦର ଗୋଲ୍‌ ଗୋଲ୍ ଅକ୍ଷର ତ ।

ବିବ୍ରତ କଣ୍ଠରେ ସୁକାନ୍ତ କହେ - ରୁବିଭାଉଜଙ୍କ ଚିଠି ।

- ଓ ...ସିଏ ତାହେଲେ ତମକୁ ଏ ପର୍ଯ୍ୟନ୍ତ ମନେ ରଖିଛନ୍ତି ? ... କାଇଁ ସେ ଚିଠି ଦେଖି-?

 

ଲପିତାର ଆଦେଶରେ ମଧୁମାଳତୀ ଲଟାରେ ଲାଖି ରହିଥିବା ସେଇ ଚିଠିକୁ ଉଦ୍ଧାର କରିଆଣେ ବଗିଚାର ମାଳୀ |

 

ଚିଠି ଉପରେ ଆଖିବୁଲାଏ ଲପିତା, ହିନ୍ଦିଛବିର ହିରୋଇନ୍‍ର ପ୍ରତିଦ୍ୱନ୍ଦ୍ଵୀ ଭୂମିକାରେ ଅଭିନୟ କରୁଥିବା ଅଭିନେତ୍ରୀ ପରି ତା ଆଖି କୋଣଗୁଡ଼ିକ କୁଞ୍ଚିହୋଇ ଆସେ | ସେ ତାଚ୍ଛଲ୍ୟପୂର୍ଣ୍ଣ କଣ୍ଠରେ କହେ - ତମ ବଂଶ ସାରା ତାହେଲେ ସମସ୍ତେ ଛୋଟଲୋକ, କେବଳ ତମେ ଏକା ନୁହଁ ? ଏଇମାନେ ପୁଣି ତମର ଆପଣାର ଲୋକ !

 

କିଏ ସେ କହୁଛି ଚଳିବାକୁ ପଡ଼ିବ ? ସୁକାନ୍ତ କିଛି ଭାବିପାରେ ନାହିଁ ।

 

ଚନ୍ଦ୍ରମାଧବ ବାବୁ । ବ୍ରିଟିଶ୍‍ ଅମଳର ପରାକ୍ରମୀ ଅଫିସର୍ । ଖାତିରି ନାହିଁ କାହାକୁ । ସ୍ଵଜାତି ପ୍ରତି କାହିଁକି କେଜାଣି ତାଙ୍କର ଜନ୍ମଗତ ବିଦ୍ୱେଷ ରହିଛି । କାରଣ ସେ ନିର୍ଦ୍ଦିଷ୍ଟ ଭାବରେ ଜାଣନ୍ତି ଓଡ଼ିଆଙ୍କ ଦ୍ୱାରା କିଛି ହବନାହିଁ । ଇଣ୍ଡଷ୍ଟ୍ରି ତ ଦୂରର କଥା । ମହାଭାରତୀୟ ଭାବରେ ଅନୁପ୍ରାଣିତ ହେବାପାଇଁ ଦେଶର ନେତାମାନେ ଡାକ ପକାଉଛନ୍ତି । ସେ ଡାକକୁ କଣ ଏଡ଼ିଦେବା ସମ୍ଭବ ?

 

ରାଜ୍ୟର ଶିଳ୍ପପ୍ରସାର ଯୋଜନା ଦାୟିତ୍ୱରେ ଥିଲାବେଳେ ସେ ଦେଶପାଇଁ କ’ଣ କରି ନାହାନ୍ତି ? ଏ ଶାଗତୋରାଣି ରାଜ୍ୟରେ ଆଜି ଯେ ଏତେ ବଡ଼ବଡ଼ କଳକାରଖାନା ଚାଲିଛି ତାହା ତ କେବଳ ତାଙ୍କରି ପ୍ରଚେଷ୍ଟାର ଫଳ । ତା ନହେଲେ ଅଣଓଡ଼ିଆ ଶିଳ୍ପପତିମାନଙ୍କର କି ଗରଜ ଥିଲା, ନିଜ ସୁନାଦେଶ ଛାଡ଼ି ଏ ଅପାଣ୍ଡବା ଦେଶରେ ଆସି ଶିଳ୍ପନଗରୀ ବସାନ୍ତେ, ଅଥଚ ସମସ୍ତେ ତାଙ୍କୁ ଭୁଲ୍ ବୁଝିଲେ । ସ୍ଥାନୀୟ ସମ୍ବାଦପତ୍ରମାନଙ୍କରେ ତାଙ୍କ ବିରୁଦ୍ଧରେ ବହୁ ଅଗ୍ରଲେଖା ବାହାରିଲା । ଭେଡ଼ି ଓଡ଼ିଆଏ ମଧ୍ୟ କମ୍ ପାଟି କଲେ ନାହିଁ । ଲୋକମତକୁ ସମ୍ମାନ ଦେଖାଇବାକୁ ଯାଇ ରାଜ୍ୟ ସରକାର ତାଙ୍କୁ ବଦଳିକଲେ କୃଷି ଓ ଖାଦ୍ୟ ବିଭାଗକୁ ।

 

ଏକଦା ଦେଶକୁ ଶିଳ୍ପପ୍ରଧାନ କରିବାର ଦାୟିତ୍ୱ ଯାହା ହାତରେ ଥିଲା ତାରି ହାତରେ ପୁଣି ଦାୟିତ୍ୱ ପଡ଼ିଲା ଦେଶକୁ କୃଷିପ୍ରଧାନ କରିବାପାଇଁ । ସେଇ ଗୁରୁଦାୟିତ୍ୱ ତୁଲାଇବାକୁ ନୂଆ ଉତ୍ସାହ ନୂଆ ଆଶା ନେଇ ଆଗେଇ ଆସିଲେ ଚନ୍ଦ୍ରମାଧବ ବାବୁ । ପଛେପଛେ ଆସିଲେ ନିନ୍ଦୁକଗଣ |

 

ବେଶିଦିନ ନୁହେଁ । ମାତ୍ର ବର୍ଷ ଦୁଇ ଭିତରେ ସବୁ ଜଣାପଡ଼ିଗଲା । ଜଣାପଡ଼ିଗଲା ପଞ୍ଜାବ ଆଉ ବିହାରରୁ ଲକ୍ଷାଧିକ ମହଣ ଅକାମୀ ବିହନ ସବୁ ବେଶି ଦର୍ ଦେଇ କିଣିବା ପଛରେ କି ରହସ୍ୟ ରହିଛି । ଧରା ପଡ଼ିଗଲା କଲିକତା ଓ ମାଡ୍ରାସରୁ ଆସୁଥିବା ଶତାଧିକ ଟ୍ରାକ୍‌ଟର୍ ଓ ପମ୍ପିଂସେଟ୍‍ର ଭୌତିକ ଗତିବିଧି ।

 

ଧରାପଡ଼ୁ, କିଛି ଯାଏ ଆସେ ନାହିଁ । ରାତିକି ଦିନ କରିବାର ମନ୍ତ୍ର ଚନ୍ଦ୍ରମାଧବବାବୁଙ୍କୁ ଜଣାଅଛି ।

 

ନିଜର କାମ ହାସଲ ପାଇଁ ସଂପୃକ୍ତ ଅଫିସର୍ କିରାନୀମାନଙ୍କର ଚରିତ୍ର ପଠନକରି କାହାକୁ କେତେବେଳେ କି ପ୍ରକାର ଲାଞ୍ଚ ଦେବାକୁ ପଡ଼ିବ, ତାହାହିଁ ହେଉଛି ଏ ଯୁଗର ବ୍ୟବସାୟୀମାନଙ୍କର ବିଜିନେସ୍‌ ସିକ୍ରେଟ୍‌ । ଏଇ ହଉଛି ସୁକାନ୍ତର ଚାକିରୀ ଜୀବନର ବର୍ଷକର ଅଭିଜ୍ଞତା ।

 

କାଲି ଯେଉଁମାନେ ଦେଶପାଇଁ କାନ୍ଦୁଥିଲେ, କଳାବଜାରକୁ ଘୃଣା କରୁଥିଲେ, ବିଦେଶୀ ଦ୍ରବ୍ୟ ବର୍ଜନ କରିବାକୁ ଲୋକଙ୍କୁ ପ୍ରବର୍ତ୍ତାଉଥିଲେ ଆଜି ସେମାନଙ୍କ ମୁହଁରେ ହସର ଲହଡ଼ି ଭାଙ୍ଗୁଛି । ଆଜି ସେମାନେ କଳାବଜାରର ନାମକରା ବ୍ରୋକର୍ । ସେମାନଙ୍କ ଭିତରୁ ଅନେକ ବିଲାତିକୁକୁର ପୋଷିଲେଣି । ବିଦେଶୀ ମଦ ଓ ବିଦେଶୀ ଲେଡି ନହେଲେ ସେମାନଙ୍କୁ ଚାରିଆଡ଼ ଅନ୍ଧାର ଦିଶୁଛି

 

ସ୍ଥାନ କାଳ ଆଉ ପାତ୍ର ଅନୁସାରେ ନିଜକୁ ତିଆରି କରିନେଇଛି ସୁକାନ୍ତ । ଲାଲା ସାହେବ ସେଥିପାଇଁ ତାକୁ ପ୍ରଶଂସାପତ୍ର ଦେଇଛନ୍ତି । ତାକୁ ସ୍ପେଶାଲ୍ ବୋନସ୍ ଦେବାକୁ ହେଡ଼୍‍ ଅଫିସ୍‍କୁ ସୁପାରିଶ୍‍ କରିଛନ୍ତି ।

 

ତାର କାମ ଖୁବ୍ ଅଳ୍ପ କିନ୍ତୁ ଅତ୍ୟନ୍ତ ଦାୟିତ୍ୱପୂର୍ଣ୍ଣ । କମ୍ପାନୀର କାମ ହାସଲ ପାଇଁ ପ୍ରାୟ ପଚାଶ ହଜାରରୁ ଉର୍ଦ୍ଧ୍ଵଟଙ୍କା ସେ ଏପଟ ସେପଟ କଲାଣି ।

 

‘‘କେଉଁ ସେକ୍ରେଟେରୀଙ୍କ ଝିଅ ବାହାଘର, ରାତାରାତି କଲିକତା ଯାଇଁ ଏମ୍. ବି. ସରକାର ଦୋକାନରୁ ଗୋଟିଏ ସେଟ୍ ଗହଣା କିଣିଆଣ । କେଉଁ ଡିରେକ୍ଟର ସରକାରୀ କାମରେ ଦିଲ୍ଲୀ ଯିବେ-ଏୟାର୍‍ କଣ୍ଡିସନ୍‍ଡ଼ କୋଚ୍‍ରେ ତାଙ୍କ ପାଇଁ କମ୍ପାନୀ ପଇସାରେ ବର୍ଥ ରିଜର୍ଭ କର । ପୂଜାପାର୍ବଣର ସୁଯୋଗନେଇ ଆ ଘରକୁ ସେନ୍ ମହାଶୟର ସନ୍ଦେଶ ତା ଘରକୁ କେ. ସି. ଦାସର ରସଗୋଲ୍ଲା ପଠେଇଦିଅ । ସେଥିରେ ଯଦି କାମ ନ ହେଲା ତ ଦୁଇପାଉଣ୍ଡ ଫିର୍‍ପୋ କେକ୍ ଆଉ ତା ସାଙ୍ଗରେ ଲେଙ୍ଗଡ଼ା ଆମ୍ବ କିଛି ପଠାଅ । ଦେଖ କାମ ହଉଛି କି ନାହିଁ, ସେଥିରେ ଯଦି କିଛି ସୁଫଳ ନ ମିଳିଲା ହତାଶ ହୁଅନାହିଁ । ଛୁଟି ଦିନ ଦେଖି ନିଜର ସ୍ତ୍ରୀ କିମ୍ବା ଝିଅର ଜନ୍ମଦିନ ଉତ୍ସବ ପାଳନ କର ଆଉ ନିମନ୍ତ୍ରଣ କର ସଂପୃକ୍ତ ଅଫିସର୍‍ କିମ୍ବା କର୍ମଚାରୀଙ୍କୁ । ଅଠଚାଳିଶ ଘଣ୍ଟା ଭିତେର ଫଳ ମିଳିବ । ଛମାସ ଭିତରେ ଲାଲାସାହେବଙ୍କ ଝିଅ ଆଉ ସ୍ତ୍ରୀଙ୍କର ଖୁବ୍‍ କମ୍‍ରେ ଆଠଥର ଜନ୍ମନକ୍ଷତ୍ର ଉତ୍ସବ ପାଳନ କରାଗଲାଣି ।

 

କିନ୍ତୁ ବନ୍ଧୁ, ତମର ଯଦି କେହି ବିଶିଷ୍ଟ ପ୍ରତିଦ୍ୱନ୍ଦ୍ଵୀ ଥାଆନ୍ତି ଆଉ ତମେ ଚବିଶ୍ ଘଣ୍ଟା ଭିତରେ ତମ ଫେଭର୍‍ରେ ଫାଇଲ୍‍ରେ ଅର୍ଡ଼ର କରାଇନେବାକୁ ଚାହଁ ତ ତମକୁ ଅଧିକା କିଛି ଅର୍ଥ ବିନିଯୋଗ କରିବାକୁ ପଡ଼ିବ । ଶୁକ୍ରବାର ରାତି ଏକ୍‌ସପ୍ରେସ୍‌ରେ ଭଦ୍ରଲୋକଙ୍କୁ ନେଇଯାଅ କଲିକତା । ଶନିବାର ଦିନ ସାଢ଼େଗୋଟାଏ ଠାରୁ ସାଢ଼େଚାରିଟା ଯାଏଁ ତାଙ୍କ ସାଙ୍ଗରେ କଟାଅ ରେସ୍‍ କୋର୍ସରେ । ସନ୍ଧ୍ୟାବେଳେ ଭଦ୍ରଲୋକଙ୍କୁ ଆମନ୍ତ୍ରଣ କର ପ୍ରିନ୍ସସେସ୍ କିମ୍ବା ବ୍ରିଷ୍ଟ୍ରାଲ୍‌କୁ । ସେଠାରେ ଘଣ୍ଟାଦୁଇ କଟେଇ ଟାକ୍‌ସିଖଣ୍ଡେ ଧରି ସିଧା ଚାଲି ଯା ଫ୍ରିସ୍କୁଲ ଷ୍ଟ୍ରିଟ୍ କିମ୍ବା କର୍ଣ୍ଣାନି ମେନସନ୍, ତା’ହେଲେ ଅସମ୍ଭବ ସମ୍ଭବ ହେବ । ପେନ୍ସିଲିନ୍ ପରି କାମ କରିବ ତମର ଏ ଯୋଜନା

 

ଏତକ କହି ହୋ ହୋ କରି ହସିଉଠିଲେ ସୁକାନ୍ତ ।

ହୋଟେଲ୍ ଏସିଆନ୍‍ରେ ବସି କଥା ହେଉଥିଲେ ଦୁଇଜଣ । ସୁକାନ୍ତ ଆଉ କଳ୍ପତରୁ । କଳ୍ପତରୁ ଶିକ୍ଷିତ, ଭଦ୍ରଘରର ସନ୍ତାନ, ସୁକାନ୍ତର କଲେଜ୍‍ ଦିନର ସାଙ୍ଗ । ପ୍ରାୟ ବର୍ଷ ଦୁଇ ହେବ ବ୍ୟବସାୟ ପ୍ରତିଷ୍ଠାନଟିଏ ଖୋଲିଛି । ରାଜ୍ୟ ସରକାରଙ୍କୁ ଉଚିତ ମୂଲ୍ୟରେ ଛୋଟ ବଡ଼ ଯନ୍ତ୍ରପାତି ଯୋଗାଇ କିଛି ଅର୍ଥ ଉପାର୍ଜନ କରିବା ତା’ର ଉଦ୍ଦେଶ୍ୟ । କିନ୍ତୁ ଦୁଇବର୍ଷ ଭିତରେ ନାନା ପରିଶ୍ରମ ଓ ଚେଷ୍ଟାକରି ସେ ଆଦୌ ଆଗେଇ ପାରିନାହିଁ । ସତେ ଯେମିତି ସବୁ ଅଫିସର୍‍ ତା ପ୍ରତି ବିମୁଖ । ସବୁ କର୍ମଚାରୀ ତା ପ୍ରତି ଅନୁଦାର ।

 

ବହୁତଦିନ ପରେ ସୁକାନ୍ତ ସାଙ୍ଗେ ଦେଖା । ସେ ଜାଣେ ସୁକାନ୍ତ ଭାରତର ଗୋଟିଏ ବିଶିଷ୍ଟ ବ୍ୟବସାୟ ପ୍ରତିଷ୍ଠାନର ଯୋଗ ସୂତ୍ର ଅଫିସର । ତାକୁ ସେ ନିଜର ଦୁଃଖକାହାଣୀ କହୁଥିଲା । କଥା ଛଳରେ ବୁଝିବାକୁ ଚେଷ୍ଟା କରୁଥିଲା ଠିକ୍‍ କେଉଁଠି ତା ବ୍ୟବସାୟରେ ଦୋଷ ରହିଯାଉଛି ।

 

ନିଜର ଅଭିଜ୍ଞତା ପ୍ରକାଶ କରିବାରେ ସୁକାନ୍ତ ମୋଟେ କାର୍ପଣ୍ୟ କରିନାହିଁ । ତା କଥା ଶୁଣି କଳ୍ପତରୁ ଭାବୁଥିଲା ଭଦ୍ରଭାବରେ ବ୍ୟବସାୟ କରିବା ଏ ଯୁଗରେ ବୋଧହୁଏ ସମ୍ଭବ ନୁହେଁ । ଯେଉଁମାନେ ସଫଳ ବ୍ୟବସାୟୀ ସେମାନେ କ’ଣ ତାହେଲେ ଗୋଟିଏ ଗୋଟିଏ ରୋଗ୍ ? କଫି କପ୍‌କ ନିଃଶେଷ କରି ସୁକାନ୍ତ କହେ- ବୁଝିଲ କଳ୍ପତରୁ, ଏ ସବୁ ଧନ୍ଦା ଯଦି ନକରି ପାରିବ ତେବେ ବେପାରପତ୍ର ଆଶା ଛାଡ଼ ।

 

କଳ୍ପତରୁ ଧୀରେ ଧୀରେ କହେ - ମୋଦ୍ଵାରା ଏସବୁ ହୋଇ ପାରିବ ନାହିଁ ।

 

- କାହିଁକି ନ ହେଇ ପାରିବ ଶୁଣେ? ଯେଉଁମାନେ ଏସବୁ କରୁଛନ୍ତି ସେମାନେ କଣ ଦାନବ ଆଉ ତମେ ଏକୁଟିଆ ଦେବତା, ସିଲ୍ଲି ! ଆମ ଲୋକଙ୍କର ଏ ଶୋଷ ମାରିବାକୁ ବହୁବର୍ଷ ଲାଗିବ । ପିଲାଦିନୁ ଉତ୍କଟ ଦାରିଦ୍ର୍ୟ ଆଉ ଉଲଗ୍ନ ଅଭାବଅନଟନ ଭିତରେ ପଚି ସଢ଼ି ଯେଉଁମାନେ ମଣିଷ ହୋଇଛନ୍ତି, ଟିକିଏ ଭୋଗ ବିଳାଶ ଟିକିଏ ପ୍ରାଚୁର୍ଯ୍ୟ ପାଇଁ ତାଙ୍କ ମନରେ ଲାଳସା ରହିବା କ’ଣ ନିହାତି ଅସ୍ଵାଭାବିକ କଥା ? ସେମାନଙ୍କୁ ସେଥିରୁ ବଞ୍ଚିତ କରିବା କ’ଣ ଚରମ ସ୍ୱାର୍ଥପରତା ନୁହଁ ? - ଜଣେ ବଡ଼ ଦାର୍ଶନିକ ପରି କଥା କହୁଛି ସୁକାନ୍ତ । କଳ୍ପତରୁର ମୁହଁ ବନ୍ଦ ହୋଇଯାଇଛି ।

 

ଷ୍ଟେଟ୍ ଏକ୍‌ସପ୍ରେସ୍ ଟିଣରୁ ସିଗାରେଟ୍ ଖଣ୍ଡେ ବହାର କରି ସୁକାନ୍ତ ପୁଣି କହେ – ‘‘ଭଗବାନ ଚାହାନ୍ତି ତାଙ୍କ ସୃଷ୍ଟିର ସବୁତକ ଭଲଭଲ ଜିନିଷ ମଣିଷ ଭୋଗକରୁ । ଯେତେଦିନ ବଞ୍ଚିବ ଭଲ ଖାଅ, ଭଲ ପିନ୍ଧ ଆଉ ଫୂର୍ତ୍ତି କର । ସେଇଥିପାଇଁ ହିଁ ପ୍ରକୃତ ଆନନ୍ଦ ମିଳିବ । ଭବିଷ୍ୟତ ବଂଶଧରମାନଙ୍କ କଥା ଭାବି ଲାଭ କ’ଣ ? ମୁଁ ଜାଣେ ତମେ ଜଣେ ନୀତିବାନ୍‍ ଯୁବକ, ସେଥିପାଇଁ ତମଦ୍ଵାରା କିଛି ହୋଇ ପାରିବ ନାହିଁ । କିଛିଦିନ ପରେ ଲୋକମାନେ ତମକୁ ଅପଦାର୍ଥ କହିବେ । ଏ ସଂସାରରେ ଯେଉଁମାନଙ୍କ ଦ୍ଵାରା କିଛି ହୋଇ ନାହିଁ କିମ୍ବା ଯେଉଁ ମାନେ ଅଳସୁଆ, ସେଇମାନେ ହିଁ କେବଳ ନୀତି ଓ ଆଦର୍ଶର ଆଶ୍ରୟ ନିଅନ୍ତି । ପାପପୁଣ୍ୟ ଭଲମନ୍ଦର ବିଚାର କରନ୍ତି କେବଳ ସେଇମାନେ । ସରଳ ଭାବରେ ଜୀବନ ଯାପନ କରି ଉଚ୍ଚ ଚିନ୍ତା କରୁଛନ୍ତି ବୋଲି ଗର୍ବ ଅନୁଭବ କରନ୍ତି ମଧ୍ୟ ସେଇମାନେ । ଏଇଟା ହେଉଛି ସେମାନଙ୍କର ଗ୍ଳାନି, ପରାଜୟ ଓ ଅଯୋଗ୍ୟତାର ଏକମାତ୍ର ସାନ୍ତ୍ଵନା । ତମେ ଶିକ୍ଷିତ, ବୁଦ୍ଧିମାନ । ସାମାନ୍ୟ ନୀତିଭ୍ରଷ୍ଟ ହେଲେ ତମଦ୍ଵାରା ଅନେକ କିଛି ହୋଇପାରିବ ।"

 

କଲେଜ ଜୀବନରେ ସାଙ୍ଗସାଥୀମାନେ ସୁକାନ୍ତଙ୍କୁ ‘ବୁଦ୍ଧୁ’ ବୋଲି ଡାକୁଥିଲେ । ସେତେବେଳେ ସେ ଖୁବ୍ ଲାଜକୁଳା ନିରୀହ ପିଲା ଥିଲା । ଆଜି ତା ମୁହଁରେ ଖଇ ଫୁଟୁଚି । ବେଶ୍‌ ଚମକପ୍ରଦ ପରିବର୍ତ୍ତନ । କଳ୍ପତରୁ ଉପଭାଗ କରୁଛି ତା କଥା ।

 

ସୁକାନ୍ତ ଉଠି ଠିଆହେଲା |

- ମାନ୍ୟବର ସିଂଙ୍କ ଘରେ ଆଜି ଚା’ନିମନ୍ତ୍ରଣ ଅଛି, ଯାଉଛି କଳ୍ପତରୁ । ତମେ ଦିନେ ସୁବିଧା ଦେଖି ମୋ ଘରକୁ ଆସ । ମୋର ବହୁ ଅଫିସର୍‍ଙ୍କ ସହିତ ଜଣାଶୁଣା ଅଛି । ତମକୁ ନେଇ ସେମାନଙ୍କ ସାଙ୍ଗେ ପରିଚୟ କରାଇଦେବି ।

 

ସୁକାନ୍ତ ଚାଲିଗଲା । ଚାଲିଗଲା ନାହିଁ ତ ଉଡ଼ିଗଲା ଯେମିତି । କଳ୍ପତରୁ ଭାବୁଥିଲା, ସବୁ ଭାଗ୍ୟ !

 

ଲପିତା କ’ଣ ଚାହେଁ ? କ’ଣ ପାଇଲେ ସେ ଖୁସି ହେବ ? ମାତ୍ର ଗୋଟିଏ ବର୍ଷ ସୁକାନ୍ତ ସାଙ୍ଗେ ଏକାଠି ରହି ସେ ଯେମିତି ଅଣନିଶ୍ୱାସୀ ହୋଇପଡ଼ିଛି । ତା ମୁହଁରୁ ହସ ଶୁଖିଯାଇଛି । ଲିଭିଯାଇଛି ଆଖିର ଉଜ୍ଜ୍ଵଳତା । ସବୁବେଳେ ବିରସ, ସବୁବେଳେ ବିରକ୍ତ ।

 

ସୁକାନ୍ତ ଲକ୍ଷ୍ୟ କରିଛି, ଲପିତା ଯେମିତି ଛଳେ ବଳେ କୌଶଳେ ତାପାଖରୁ ଦୂରେଇ ରହିବାକୁ ଚାହେଁ । କିନ୍ତୁ କାହିଁକି ? ସ୍ତ୍ରୀର ମନ ନେବାପାଇଁ ଯାହା ଯାହା କରିବାର କଥା ସେ ତ କେଉଁଥିରେ ତ୍ରୁଟି କରିନାହିଁ । ଲପିତାର ଇଚ୍ଛା ବିରୁଦ୍ଧରେ ସେ ତ କେବେ ଯାଇନାହିଁ । ହୃଦୟର ସବୁତକ ପ୍ରେମ, ସବୁତକ ଭଲପାଇବା ସେ ତ ନିର୍ବିବାଦରେ ଢାଳିଦେଇଛି ଲପିତାର ପାଦତଳେ ।

 

ଏଗାରଟା ବାଜି ଦଶମିନିଟ୍ ।

ତଳ ଲାଇବ୍ରେରୀରେ ବସି ଲପିତା ପଢ଼ୁଛି । ଆସନ୍ତା ଏମ୍. ଏ. ପରୀକ୍ଷାପାଇଁ ନିଜକୁ ପ୍ରସ୍ତୁତ କରୁଛି, କେତେ ରାତିରେ ସେ ଶୋଇବାକୁ ଆସିବ କେଜାଣି ? ତା ଠାରୁ ଦୂରେଇ ରହିବାପାଇଁ ତାର ଶଯ୍ୟାସଙ୍ଗିନୀ ନ ହେବାପାଇଁ ଲାପିତାର ଏ ମଧ୍ୟ ଗୋଟାଏ ଯୋଜନା । ସବୁ ବୁଝିପାରୁଛି ସୁକାନ୍ତ ।

 

ଆଜିକାଲି ଲପିତା ସାଥିରେ ତାର ପ୍ରାୟ ଦେଖାହୁଏ ନାହିଁ । ଦି’ପଦ ସୁଖ ଦୁଃଖ କଥା ହେବା ତ ଦୂରେ ଥାଉ । ସେମାନେ ପୁଣି ସ୍ୱାମୀ ସ୍ତ୍ରୀ । ଏକାଠି ଘର ସଂସାର କରିଛନ୍ତି । ସକାଳେ ସୁକାନ୍ତ ବିଛଣା ଛାଡ଼ିବା ପୂର୍ବରୁ ଲପିତା କଲେଜ ଚାଲିଯାଇଥାଏ । ଆଉ ସନ୍ଧ୍ୟାବେଳେ କ୍ଳାନ୍ତ ଅବସନ୍ନ ମନ ନେଇ ସେ ଅଫିସରୁ ଫେରି ଦେଖେ ଲାଇବ୍ରେରୀରେ ଭିତରପଟୁ କବାଟ କିଳି ଲପିତା ତା ପାଠ ପ୍ରସ୍ତୁତ କରୁଛି । ଦିନେ ଦିନେ ଇଚ୍ଛା ହୁଏ, ସସ୍ତ୍ରୀକ ସାନ୍ଧ୍ୟଭ୍ରମଣରେ ବାହାରିବାକୁ । ଆୟା ଜଣାଇଦିଏ, ଦିଦି ସାହେବଙ୍କ କଡ଼ା ହୁକୁମ ତାଙ୍କୁ ଯେମିତି କେହି ବିରକ୍ତ ନ କରନ୍ତି ।

 

ଚନ୍ଦ୍ରମାଧବ ବାବୁ ପ୍ରାୟ ଅଧିକାଂଶ ଦିନ କ୍ଳବରୁ ଡେରିରେ ଫେରନ୍ତି । ଅଧିକାଂଶ ଦିନ ବାହାରେ ସପାର୍ ଖାଇ ଆସିଥାନ୍ତି । ତେଣୁ ଏକୁଟିଆ ରାତ୍ରଭୋଜନ ସାରି ସୁକାନ୍ତ ଚଲିଆସେ ଶୋଇବା ଘରକୁ । ଲପିତା ଉଦ୍ଦେଶ୍ୟରେ ପ୍ରାୟ ଘଣ୍ଟାଏ ଖଣ୍ଡେ ଅପେକ୍ଷା କରେ । କେବେ କେବେ ଚୁପ୍‍ଚାପ୍ ଯାଇଁ ବସିରହେ ଲପିତାର ଶୂନ୍ୟ ବିଛଣାରେ । କିଛି ସମୟ ପରେ ଆଲୁଅ ଲିଭାଇ ନିଜ ବିଛଣାରେ ଯାଇଁ ଶୋଇପଡ଼େ ।

 

ଥରେ ଥରେ କ’ଣ ଗୋଟିଏ ଦୁଃସ୍ଵପ୍ନ ଦେଖି ପାହାନ୍ତା ପହରକୁ ନିଦ ଭାଙ୍ଗିଯାଏ ସୁକାନ୍ତର-। ମଶାରୀ ଭିତରୁ ସେଇ ଅସ୍ପଷ୍ଟ ଆଲୋକରେ ଦେଖାଯାଏ ଲପିତା, ତା ବିଛଣାରେ ଜାକି ଜୁକି ହୋଇ ଶୋଇ ପଡ଼ିଛି । ଇଚ୍ଛାହୁଏ ତା ପାଖକୁ ଉଠିଯାଇଁ ତାକୁ ସ୍ନେହ କରିବାକୁ । କିନ୍ତୁ ସୁକାନ୍ତ ସେଥିରୁ ବିରତ ହୁଏ । ହୁଏ ତ କିଛି ସମୟ ପୂର୍ବରୁ ସେ ତା ପାଠ ସାରି ଆସି ଶୋଇଥିବ । ସ୍ତ୍ରୀର ନିଦରେ ବ୍ୟାଘାତ ଆଣିବାକୁ ପ୍ରବୃତ୍ତି ହୁଏ ନାହିଁ ।

 

ଯେତେ ରାତି ହଉ ପଛେ ସୁକାନ୍ତ ଆଜି ଅପେକ୍ଷା କରି ବସିବ । ଲପିତାକୁ ପଚାରିବ ତାର କେଉଁ ଭୁଲ୍‍ଲାଗି ସେ ଏପରି ଶାସ୍ତି ପାଉଛି । ପ୍ରାକୃତିକ ଉପାୟରେ ସ୍ତ୍ରୀକୁ ପରିପୂର୍ଣ୍ଣ ଭାବରେ ସମ୍ଭୋଗ କରିବାର ଅଧିକାର କ’ଣ ତାର ନାହିଁ ?

 

ଦେହର ମିଳନରେ ସନ୍ତାନର ସମ୍ଭାବନା ଅଛି ବୋଲି କଣ ସେ ମିଳନ ସଂଯମର ବାହାରେ ? ଲପିତା ଏତେ ଶୀଘ୍ର ସନ୍ତାନ ଚାହେଁ ନାହିଁ; କାରଣ ସେଥିରେ ତାର ଯୌବନ ନଷ୍ଟ ହୋଇଯିବ, ସ୍ୱାସ୍ଥ୍ୟର ହାନି ଘଟିବ ।

 

ସେଥିପାଇଁ ସେ ଜନ୍ମନିରୋଧର ଅତି ଆଧୁନିକ ବୈଜ୍ଞାନିକ ପନ୍ଥାମାନ ଅନୁସରଣ କରିବାକୁ ସୁକାନ୍ତକୁ ବାରମ୍ବାର ଉପଦେଶ ଦେବା ସଙ୍ଗେସଙ୍ଗେ ଏ ସଂକ୍ରାନ୍ତିୟ ଅତି ନିଗୂଢ଼ ତଥ୍ୟ ସମ୍ବଳିତ ମୋଟାମୋଟି ଇଂରାଜୀ ପୁସ୍ତକମାନ ମଧ୍ୟ ତାକୁ ଉପହାର ଦେଇଛି ।

 

ପ୍ରଥମ ମିଳନ ରାତ୍ରିଠାରୁ ଆଜି ପର୍ଯ୍ୟନ୍ତ ସ୍ତ୍ରୀର ସେଇ ମୂଲ୍ୟବାନ୍‍ ଉପଦେଶ ପାଳନ କରି ଆସୁଛି ସୁକାନ୍ତ । କେବଳ ସେତିକି ନୁହେଁ, ରାତିରେ ବିଛଣାକୁ ଯିବାପୂର୍ବରୁ ସେ ପ୍ରାୟ ଘଣ୍ଟାଏ ଖଣ୍ଡେ ସେଇ ସବୁ ବହିର ପୃଷ୍ଠା ଭିତରେ ନିଜକୁ ହଜାଇଦେଇ ଆଖିରେ ନିଦ ଆଣିବାକୁ ଚେଷ୍ଟା କରେ ।

 

ମାତ୍ର ଗୋଟିଏ ସପ୍ତାହ ଭିତରେ ସବୁ ଓଲଟିଯାଇଛି । ପ୍ରମାଣ ହୋଇଯାଇଛି ଚନ୍ଦ୍ରମାଧବ ବାବୁଙ୍କର ଅସାଧୁତା । କେବଳ ମାତ୍ର କେତୋଟି ହଜାର ଟଙ୍କାର ଲୋଭ ସମ୍ବରଣ କରି ନପାରି ସର୍ବସାଧାରଣଙ୍କ ସ୍ୱାର୍ଥକୁ ବଳି ଦେଇଛନ୍ତି ଲପିତାର ଡାଡ଼ି ।

 

କୋର୍ଟ ରାୟ ଦେଇଛନ୍ତି - ଦୁଇବର୍ଷ ସଶ୍ରମ କାରାଦଣ୍ଡ ଓ ଦଶହଜାର ଟଙ୍କା ଜରିମାନା । ପ୍ରବଳ ପ୍ରତାପୀ ଅଫିସର ଚନ୍ଦ୍ରମାଧବ ବାବୁଙ୍କର ମୁଣ୍ଡ ଗୁଳିବିଦ୍ଧ ଛଞ୍ଚାଣର ମୁଣ୍ଡପରି ତଳକୁ ଝୁଲି ପଡ଼ିଛି । ସ୍ପ୍ରିଂ ଛିଣ୍ଡିଯାଇଥିବା ଜାପାନୀ କଣ୍ଢେଇପରି ସ୍ଥାଣୁ ହୋଇ ଯାଇଛି ଲପିତା । ଆୟା, ବାବର୍ଚ୍ଚି, ମାଳୀ ସମସ୍ତଙ୍କ ମୁହଁରେ ଶୋକର ଛାୟା ।

 

ପେଟ୍ରୋଲ୍ ଡିପୋଠାରୁ ଆରମ୍ଭକରି ଦୁଧବାଲା ପର୍ଯ୍ୟନ୍ତ ସମସ୍ତେ ତାଙ୍କ ପାଉଣା ଆଦାୟ କରିବା ପାଇଁ ତାଗିଦା ଆରମ୍ଭ କରିଦେଇଛନ୍ତି । ଏଇକଥା ଯେମିତି ବର୍ଷା ଦିନର ମେଘପରି ସହରସାରା ବ୍ୟାପ୍ତ ହୋଇଯାଇଛି ।

 

ବିଶେଷକରି ସହରର ମାନ୍ୟଗଣ ବ୍ୟକ୍ତିଙ୍କ ସାନ୍ଧ୍ୟ ଆଡ୍‍ଡ଼ାରେ ଚାହା ସାଙ୍ଗକୁ ଲୁଣିଆ ବିସ୍କୁଟ୍‍ପରି ଏଇ ମୁଖରୋଚକ ଖବରଟିରେ ନିଜର କଳ୍ପନାର ରଙ୍ଗ ବୋଳି ଏକ ଆନକୁ ପରିବେଷଣ କରୁଛନ୍ତି ।

 

ନାଇଟ୍ କ୍ଳବର ଅନ୍ୟସବୁ ସଭ୍ୟମାନେ ନିନ୍ଦା କରୁଛନ୍ତି ଚନ୍ଦ୍ରମାଧବବାବୁଙ୍କର ଏଇ କୁକର୍ମକୁ । କେହି କେହି ହୃଦୟବାନ୍ ସଭ୍ୟ ସମବେଦନା ପ୍ରକାଶକରି ହସି ହସି କହୁଛନ୍ତି - ଆହା ! ଆଜୀବନ ସଭ୍ୟଚାନ୍ଦା ଦେଇ ଭଦ୍ରଲୋକ କି ଭୁଲ ନ କରିଛନ୍ତି ।

 

ଫ୍ଳାସ୍‌ ଖେଳରେ ଚନ୍ଦ୍ରମାଧବବାବୁଙ୍କ ଠାରୁ ତାଙ୍କର ଯେଉଁ କେତେଜଣ ପ୍ରିୟତମ ବନ୍ଧୁ ଏକଦା ଶହଶହ ଟଙ୍କା ହାତ ଉଧାର ନେଇଥିଲେ ସେମାନେ ଅନ୍ୟମାନଙ୍କଠାରୁ ବେଶୀ ଉତ୍‍ଫୁଲ୍ଲ ଜଣାପଡ଼ୁଛନ୍ତି । ପ୍ରିୟଜନଙ୍କଠାରୁ ସାତଶତ୍ରୁ ପର୍ଯ୍ୟନ୍ତ ସମସ୍ତଙ୍କ ମୁହଁରେ ନୀତିମାଳାର ସେଇ କଥାପଦକ - ଲୋଭେ ପାପ, ପାପେ ମୃତ୍ୟୁ ।

 

ଲୋଭ ଯେମିତି ସେମାନଙ୍କର ନାହିଁ । ପାପ ଯେମିତି ସେମାନେ କେବେ କରିନାହାନ୍ତି । ସୁତରାଂ ସେଇମାନେ ହିଁ କେବଳ ଅମର ରହିବେ ।

 

ସମସ୍ତଙ୍କ ମୁହଁରୁ ମୁଖା ଖସିପଡ଼ିଛି । ଜୀବନ-ଜୁଆରେ ହାରିଯାଇଛନ୍ତି ଚନ୍ଦ୍ରମାଧଵବାବୁ । ଧରା ପଡ଼ିଯାଇଛି ତାଙ୍କର ମାଷ୍ଟର ଟ୍ରିକ୍ ଏଇ ସୁଯୋଗରେ ଲାଲା ସାହେବ ମଧ୍ୟ ସୁକାନ୍ତକୁ ଚରମପତ୍ର ଦବାକୁ ଭୁଲି ନାହାନ୍ତି । ଅଠଚାଳିଶ ଘଣ୍ଟିଆ ନୋଟିସ୍ । ଚାକିରୀରୁ ମୁକ୍ତି । ଧଳାହାତୀଟିଏ ପୋଷିବାର ପ୍ରୟୋଜନ ବୋଧହୁଏ ତାଙ୍କର ସରିଯାଇଛି ।

 

ଚାର୍ଜ ବୁଝାଇଲାବେଳେ ଲାଲା ସାହେବ ଆଶ୍ୱାସନା ଦେଇଛନ୍ତି । ଭବିଷ୍ୟତରେ ଯଦି ପୁଣି ଲୋକ ଦରକାର ହୁଅନ୍ତି ତମକୁ ହିଁ ପ୍ରଥମେ ସୁଯୋଗ ମିଳିବ ।

 

ନିଜର ଶେଷପାଉଣା ଗଣ୍ଡାକ ନେବାପାଇଁ ସୁକାନ୍ତ ଏକାଉଣ୍ଟାଣ୍ଟ୍‌ବାବୁଙ୍କ ପାଖକୁ ଆସେ । ବୃଦ୍ଧ ଭଦ୍ରଲୋକ କରୁଣ ଦୃଷ୍ଟିରେ ତା ଆଡ଼କୁ ଚାହିଁରହି କହନ୍ତି - ବୁଝିଲେ ସୁକାନ୍ତବାବୁ, ବାରବର୍ଷ ଦିନୁ ମୁଁ ମାରୁଆଡ଼ୀଙ୍କ ପାଖେ କାମ କରି ଆସିଛି । ସବୁଠାରେ ସେଇ କଥା । ନିଜର କାମ ହାସଲ ହେବାମାତ୍ରେ ମାର ଗୋଇଠା । ଆମ ସାହେବ ଆପଣଙ୍କୁ କେତେ ଭଲ ପାଉଥିଲେ କିନ୍ତୁ ଦେଖିଲେ ତ ? ବେଆଇନ ଭାବରେ ହଜାର ହଜାର ଟନ୍ ସାର ବାହାରକୁ ରପ୍ତାନି କରି ସେମାନେ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ସେଥିପାଇଁ ସେମାନଙ୍କୁ କିଏ ଲାଇସେନ୍ସ କରାଇ ଦେଇଥିଲା ? ଆପଣ କହିଥିଲେ ଆପଣଙ୍କ ଶ୍ଵଶୁରଙ୍କୁ ଆଉ ସେ ତାଙ୍କର ପ୍ରଭାବ ପକାଇବାରୁ ସିନା ଏତେ ସୁବିଧାରେ ବାଜି ମାତ୍ ହୋଇଗଲା । ନୁହେଁ ? ମୁଁ ସବୁ ଜଣେ ଆଜ୍ଞା ! ଟିକେ ରହିଯାଇଁ ଫୁସ୍ ଫୁସ୍ କରି ପଚାରନ୍ତି - ହଇହେ, ଆପଣଙ୍କ ଶ୍ୱଶୁରଙ୍କୁ କିଛି ମିଠେଇଖିଆ ଦେଇଥିଲେ ?

 

ଦେଇଥିଲେ, ସୁକାନ୍ତ ଜଣେ, ଛଅବୋତଲ ହ୍ୱାଇଟ୍‍ ହର୍ଷ । ସୁକାନ୍ତକୁ ନୀରବ ରହିବାର ଦେଖି ଏକାଉଣ୍ଟାଣ୍ଟ୍ ବାବୁ ପୁଣି କହନ୍ତି କଅଣ ବା ଆଉ ଦିଅନ୍ତେ ? ତାଙ୍କୁ ନ ଦେଇ ଆପଣଙ୍କୁ ତ ଶୁଖିଲାରେ ମାସକୁ ମାସ ପାଞ୍ଚଶହ ଟଙ୍କା ଗଣୁଥିଲେ । ଏକା କଥା ହେଁ ...ହେଁ ... ଯେମିତି ଚନ୍ଦ୍ରମାଧବ ବାବୁଙ୍କର ବିଷଦାନ୍ତ ଝଡ଼ିପଡ଼ିଲା ସାଙ୍ଗେ ସାଙ୍ଗେ ....ହେଁ ...ହେଁ ...ହେଁ, କଣ ଆଜ୍ଞା ସିଗାରେଟ୍‍ ଖଣ୍ଡେ ଦିଅନ୍ତୁ ।

 

ନିଜ ହାତରୁ ସିଗାରେଟ୍‍ ଓ ଚାହା ମଗାଇ ସୁକାନ୍ତ ସବୁ ସହକର୍ମୀମାନଙ୍କୁ ଦିଏ ।

ସମସ୍ତେ ତା’ ଉଜ୍ଜ୍ଵଳ ଭବିଷ୍ୟତ୍‍ କାମନା କରନ୍ତି ।

ଲାଞ୍ଚତ ସମସ୍ତେ ଖାଉଛନ୍ତି । ଭାଗ୍ୟହୀନ ଲୋକମାନେ କେବଳ ଧରାପଡ଼ି ଯାହା ଶାସ୍ତି ପାଆନ୍ତି । ସେ ତା’ହେଲେ କଣ ଭାଗ୍ୟହୀନ ? ସାମାନ୍ୟ କିରାନୀରୁ ଏତେବଡ଼ ଅଫିସର ହେବା କଣ ଦୁର୍ଭାଗ୍ୟର ପରିଚୟ ? ହୋଇଥିବ ଅବା !

 

ଶେଷରାତିର ଫିକା ମଉଳା ଆକାଶ ଆଡ଼େ ଚାହିଁ ଚନ୍ଦ୍ରମାଧବ ବାବୁ ଭାବୁଛନ୍ତି ! ସାରା ରାତି ଧରି ଭାବୁଛନ୍ତି କଣ କରାଯାଇ ପାରେ ? ଅପିଲ ? ନାଁ ସେଥିରେ ହୁଏତ ବିପଦର ସମ୍ଭାବନା ଆହୁରି ବେଶୀ ।

 

ସେ ଚାକିରୀ ଜୀବନରେ ଅପର୍ଯ୍ୟାପ୍ତ ଟଙ୍କା କମେଇଛନ୍ତି, କିନ୍ତୁ ଉଦ୍‍ବୃତ୍ତ କିଛି ନାହିଁ । କେବଳ ଘର ଆଉ ଗାଡ଼ି । ଏଡେବଡ଼ ପୃଥିବୀରେ ଛୋଟିଆ ଖଣ୍ଡେ ଆଶ୍ରୟ ଆଉ ସାମାନ୍ୟ ଟିକିଏ ପତିଆରା ।

 

ଉପୁରି ଟଙ୍କା ଉପରେ ଉପରେ ଯାଇଛି । ସବୁ ତାସ୍‍ର ଟିକ୍‍କା, ସାହେବ, ବିବିଙ୍କ କାରବାର । ସେ ସବୁ ଟଙ୍କା ଜମେଇ ରଖିଥିଲେ କେତେ ହୋଇଥାନ୍ତା ! ଗଭୀର ଅନୁଶୋଚନାରେ ସତେ ଯେମିତି ଛାତି ଫାଟିଯାଉଛି ।

 

ଲିଭିଯାଇଛି ଚୁରୁଟ୍‍ରେ ଅଗ୍ନିସଂଯୋଗ କରି ଚନ୍ଦ୍ରମାଧବ ବାବୁ ଆହତ ଗଣ୍ଡାର ପରି ଫୁତ୍କାରି ଉଠନ୍ତି । କିନ୍ତୁ କାହା ଉପରେ ପ୍ରତିଶୋଧ ନେବେ ?

 

ଠିକ୍‍ ଅଛି, ସେ ଚାଲିଯିବେ । କାହାକୁ କିଛି ନ କହି ସେ ଚାଲିଯିବେ । ଦୁଇବର୍ଷ ଜେଲ ଭୋଗିବାର ଲଜ୍ଜାରୁ ତ ରକ୍ଷା ମିଳିବ । ଯଦି ଧରା ପଡ଼ନ୍ତି ? ଧରା ପଡ଼ିଲାବେଳକୁ ସେ ହୁଏତ ପାଗଳ ହୋଇଯାଇଥିବେ । ତାଙ୍କ ଉର୍ବର ମସ୍ତିସ୍କର ହୁଏତ ବିକୃତି ଘଟିଥିବ । ଏ ସଂସାରର ଭଲ ଭେଲ, ନିନ୍ଦା ଯଶ, ଟଙ୍କା ପଥର, ସେତେବେଳକୁ ତାଙ୍କ ପାଇଁ ସବୁ ସମାନ ହୋଇଯାଇଥିବ ।

 

କେମିତି ଗୋଟାଏ ଅଖଣ୍ଡ ମାୟା ଲାଗିଯାଇଛି ଏଇ ଘରେ । ଲପିତା ଆଉ ତା ସ୍ୱାମୀ ଉପରେ । ଦୁଃଖ ନାହିଁ ଲପିତା ପାଇଁ, ଖାଲ ଢିପକୁ ମିଶାଇ କେମିତି ନିଜର ଚଲାବାଟକୁ ସହଜ ସରଳ କରିନେବାକୁ ହେବ - ସେ ଶିକ୍ଷା ଲପିତାର ଅଛି । କିନ୍ତୁ ସୁକାନ୍ତ । ବିଚରା ଭାରି କଷ୍ଟ ପାଇବ-।

 

ଏଡେବଡ଼ ଦୁନିଆରେ କେଉଁଠି ସେ ଆଖି ବୁଜିବେ କେଜାଣି । ହୁଏତ ସେ ସମ୍ବାଦ କେହି ଜାଣିବେ ନାହିଁ, କେହି ଶୁଣିବେ ନାହିଁ । ଚନ୍ଦ୍ରମାଧବ ବାବୁ ବୋଲି ଜଣେ କିଏ ଥିଲେ ଏକଥା ଲୋକେ କ୍ରମେ କ୍ରମେ ଭୁଲିଯିବେ ।

 

ଅଭାବର ଦାସୀ ହେବାକୁ ଚାହେଁ ନାହିଁ ଲପିତା । ଡାଡ଼ି ଜୀବନ ଯୁଦ୍ଧରେ ହାରି ପଳାତକ ହୋଇଛନ୍ତି । ହୁଅନ୍ତୁ କିଛି ଯାଏ ଆସେ ନାହିଁ । ଅବସ୍ଥା ସମ୍ଭାଳିବାକୁ ତାର ଯୋଗ୍ୟତା ଅଛି, ସେ ସମ୍ଭଳି ନବ ।

 

ଏଇ ଘର, ହିଲ୍ଡ଼ା, ନିଗ୍ରେଟ୍ ଆଉ ସଟ୍ ସିଲ୍‍କିର ଏଇ ବଗିଚା ସବୁ ରହିବ । ରହିବେ ଯେତକ ଚାକର ବାକର ଆଉ ଆୟା, ଠିକ୍ ଆଗପରି ।

 

ସମସ୍ତଙ୍କୁ ସାହସ ଦିଏ ଲପିତା - ତମେମାନେ କଣ ଭାବୁଛ ଆମେ ଭିକାରୀ ହୋଇଗଲୁ । ଯାହାର ଯାହା ପାଉଣା ଅଛି ସବୁ ଆସନ୍ତା ସପ୍ତାହରେ ପାଇବ । ଯାଅ ।

 

ଟିକିଏ ହସ ... ଟିକିଏ ସ୍ପର୍ଶ ...ବାସ୍

ସହରର ମହିଳା କଲେଜରେ ଚାକିରୀ ଖଣ୍ଡେ ଯୋଗାଡ଼ କରି ନବାକୁ ଆଦୌ କଷ୍ଟ ହୋଇନାହିଁ ଲପିତାର । ଯାହା ହଉ ସଉକିରେ ଏମ୍. ଏ. ପଢ଼ିବାଟା ଶେଷରେ କାମରେ ଲାଗିଲା |

 

ପ୍ରକାଶ ପ୍ରତିଶ୍ରୁତି ଦେଇଛି ଅବସ୍ଥା ସୁଧୁରିବା ପର୍ଯ୍ୟନ୍ତ ପ୍ରତି ମାସରେ ଦୁଇଶହ ଟଙ୍କା ସାହାଯ୍ୟ କରିବ ।

 

ଆଜିକାଲି ପ୍ରାୟ ରୋଜ ସନ୍ଧ୍ୟାବେଳେ ପ୍ରକାଶ ଆସେ । ତାର କଥା କହିବା ଢଙ୍ଗଟି ଭାରି ସୁନ୍ଦର । କଥାରେ କଥାରେ ଭୀଷଣ ହସେଇ ପାରେ ସେ । ତା ସାଙ୍ଗରେ ଦୁଇ ତିନି ଘଣ୍ଟା ହସ ଖୁସି କରି ନିଜକୁ ସହଜ କରିନିଏ ଲପିତା । ସାରା ଦିନର କ୍ଳାନ୍ତି ଅବସାଦ ସବୁ ଧୋଇ ହୋଇଯାଏ-। ଆସନ୍ତା ଦିନ ଲାଗି ସଂଗ୍ରହ କରିନିଏ ପ୍ରଚୁର ପ୍ରାଣଶକ୍ତି ।

 

ସାନ୍ଧ୍ୟ- ବୈଠକରେ କଦବା କେମିତି ଯୋଗ ଦିଏ ସୁକାନ୍ତ । ସେ ଜାଣେ ତାର ଉପସ୍ଥିତି ସେଠାରେ ଅବାଞ୍ଛନୀୟ । ଚାକିରୀ ସନ୍ଧାନରେ ଦିନସାରା ୟାଡ଼େ ସାଡ଼େ ବୁଲି ସନ୍ଧ୍ୟାବେଳେ ସେ କୌଣସି ଗୋଟାଏ ରେଷ୍ଟୁରାଣ୍ଟରେ ଯାଇଁ ଘଣ୍ଟାଏ ଖଣ୍ଡେ ବସେ । ତାପରେ ସିଧା ଯାଏ କଳ୍ପତରୁ ଅଫିସକୁ । ଲୋଭ ଦେଖାଏ କଳ୍ପତରୁକୁ । ମତେ ପାର୍ଟନର କରିନେ ... ମାସ ଛଅଟା ଭିତରେ ତତେ ଲକ୍ଷପତି କରିଦେବି । ତୁ ଗୋଟିଏ ଭେଜିଟେବୁଲ ଏକା ଏକା ବିଜିନେସ୍‍ କରିପାରିବୁ ନାହିଁ ।

 

କଳ୍ପତରୁ ହସେ । ଦୁଃଖ କରେ ମନେ ମନେ । ପକେଟରୁ ସିଗାରେଟ୍‍ ବାହାର କରି ସୁକାନ୍ତକୁ ଯାଚେ । ତାପରେ କଥାର ମୋଡ଼ ଘୂରାଇଦିଏ ଫିଲ୍ମ ଅଭିନେତ୍ରୀମାନଙ୍କ ଆଡ଼କୁ ।

 

କଥା ଥିଲା ଦିନପ୍ରାୟ ତିନିଟାବେଳେ ପ୍ରକାଶ ଆସି ପହଞ୍ଚିବ । ଲପିତା ଓ ସୁକାନ୍ତ ଉଭୟ ପ୍ରସ୍ତୁତ ଥିବେ । ସହରଠାରୁ ଷୋଳ ମାଇଲ ଦୂରରେ ଯାଯାବର ପ୍ରକାଶ ଆବିଷ୍କାର କରିଥିବା କେଉଁ ଏକ ଭୂସ୍ଵର୍ଗଖଣ୍ଡରେ ସେମାନେ ପହଞ୍ଚି ପ୍ରଥମେ ଚାହା ପିଇବେ । ତାପରେ ଫଟୋଗ୍ରାଫି ଶିଖିବା ପାଇଁ ଏକାନ୍ତ ଆଗ୍ରହୀହୋଇ ଉଠିଥିବା ଲପିତାକୁ ପ୍ରକାଶ ନିଜ କ୍ୟାମେରା ସାହାଯ୍ୟରେ ପ୍ରାରମ୍ଭିକ ଶିକ୍ଷା ଦେବ । ସେଇ ଅବସରରେ ପ୍ରତ୍ୟେକଙ୍କର ବିଶେଷ ଭଙ୍ଗୀରେ କେତେକ ଫଟୋ ମଧ୍ୟ ଉଠାଯିବ ।

 

ହଠାତ୍‌ ଅସୁସ୍ଥ ହୋଇ ପଡ଼ିବାର ଦ୍ୱାହି ଦେଇ ସେଦିନର ବାକି ଦୁଇଟା ଲେକ୍‌ଚର ସସ୍‌ପେଣ୍ଡ କରି ଲପିତା କଲେଜରୁ ପଳାଇଆସିଲା । ସାଥିରେ ଡାକି ଆଣିଥିଲା ତାର ପ୍ରିୟ ଛାତ୍ରୀ ମିତ୍ରାକୁ ।

 

ଅଧ ପାଉଣ୍ଡେ ଲୁଣିଆ ବିସ୍କୁଟ୍, ଡଜନେ କେକ୍, କିଛି କମଳା ଓ କଦଳୀ ଆଉ ଅଧସେର ଖଣ୍ଡେ ସେଉ ଚୂଡ଼ା ଗାଣ୍ଠିଆ କିଣି ଘରେ ପହଞ୍ଚୁ ପହଞ୍ଚୁ ପ୍ରାୟ ଗୋଟାଏ ।

 

ବିଛଣାରେ ଆଖିବୁଜି ପ୍ରାୟ କିଛି ସମୟ ପଡ଼ିରହିଲା ପରେ ଲପିତା ସିଧା ଗଲା ବାଥ୍‍ରୁମ୍‍କୁ । ପନ୍ଦର ମିନିଟ୍‍ ପରେ ବାଥ୍‍ରୁମ୍‍ରୁ ବାହାରି ଉଚ୍ଚ କଣ୍ଠରେ ଡାକିଲା - ମିତ୍ରା, କଣ ଶୋଇଥିବ କି ?

 

ମିତ୍ରା ଧଡ଼ପଡ଼ କରି ଉଠି ବସିଲା - ନାଇଁ ମ ଲପି’ଦି ।

ମିତ୍ରା ମୁଣ୍ଡ ବାନ୍ଧିଦଉଥିଲା ଲପିତାର । କଥାରେ କଥାରେ ଲପିତା ପଚାରିଲା - ତମର ବାହାଘର କେଉଯାକେ ଗଲା ମିତ୍ରା ?

 

- କିଏ ଏଇକ୍ଷିଣା ବାହାହଉଛି ମ !

- ମିଛ କହୁଛ, ମୁଁ ଶୁଣିଲି ତମର କୁଆଡ଼େ କେଉଁ ଡାକ୍ତର ସାଙ୍ଗେ ନିର୍ବନ୍ଧ ହଉଛି ।

- ଛି ... ଡାକ୍ତରଙ୍କୁ ପୁଣି ମଣିଷ ବାହା ହୁଅନ୍ତି ? ମା ଖାଲି ଜିଦ୍‍ ଧରିଛି ନାଁ

 

ଆର୍ସି ଭିତରେ ଦିଶୁଥିବା ମିତ୍ରାର ମୁହଁକୁ ଚାହିଁ ଲପିତା କହିଲା - ଠିକ୍ କଥା । ଡାକ୍ତରଗୁଡ଼ାକ ହଉଛନ୍ତି ବାୟୋଲୋଜିକାଲ୍ ଜୀବ ଆଉ ତାଙ୍କର ପ୍ରେମ ପ୍ରଣୟ ସବୁ ହଉଛି ଶୁଷ୍କ ଫିଜିଓଲଜି । ତମେ ସେ ଭୁଲ୍ କରିବ ନାହିଁ ହୋ ।

 

- ମୋର ଗରଜ ପଡ଼ିଛି । କେତେ ଯେ ଆଇ. ଏ. ଏସ୍. ଆଇ. ପି.ଏସ୍‌. ଅଫିସର୍‌ ମୋ ପାଇଁ କିଉରେ ଛିଡ଼ାହୋଇଛନ୍ତି ତାର ହିସାବ ନାହିଁ ।

 

ଏକା ସଙ୍ଗେ ଦୁହେଁ ହସିଉଠିଲେ ।

ମିତ୍ରା କହିଲା - ପୁରୁଷଗୁଡ଼ାକ ସତରେ ଭାରି ବୋକା, ନାଁ ଲିପି’ଦି ? ବାବାଙ୍କ ସାଥିରେ ମୁଁ ବହୁତ ପାର୍ଟିକି ଯାଏ ତ .... ସେମାନେ ମୋ ଆଡ଼କୁ ଯେମିତି ଅନାନ୍ତି .....

 

ପୁଣି ହସର ଲହଡ଼ି ଭାଙ୍ଗିପଡ଼ିଲା ।

- ପୁରୁଷଙ୍କ ଭିତରେ ସବୁଠାରୁ ନିର୍ବୋଧ ହଉଛନ୍ତି ଅବିବାହିତ ଅଧ୍ୟାପକମାନେ । ହୁସିଆର୍‍ ମିତ୍ରା, କେବେ କେଉଁ ଅଧ୍ୟାପକଙ୍କୁ ବାହା ହବ ନାହିଁ ଟି ?

 

- ଏ ମତାମତ ମୋ ବାବାଙ୍କ ସାମନାରେ ଯଦି ଆପଣ କେବେ ଦେବେ ତାହେଲେ ସେ ଆପଣଙ୍କୁ ଖୁଣ୍‍ କରିବେ । ତାଙ୍କର ଇଚ୍ଛା ମୁଁ ଗୋଟିଏ ଟୋକା ଲେକ୍‍ଚରର୍‍କୁ ବାହା ହୁଏ । ମନେ ମନେ ସେ ଜଣକୁ ଠିକ୍‍ ମଧ୍ୟ କରିଛନ୍ତି ।

 

ଅତି ମାତ୍ରାରେ ଆଗ୍ରହଶୀଳା ହୋଇଉଠେ ଲପିତା ।

- କିଏ ମ ସିଏ ?

 

କିଛି ସମୟ ନାଁ ଟା ମନେ ପକାଇବାର ଅଭିନୟ କରି ମିତ୍ରା କହିଲା, କଣ ତାଙ୍କ ନାଁ ତ... ହଁ ଅତନୁବାବୁ । ଭଦ୍ରଲୋକଙ୍କର ନାଁଟି ଭାରି ସୁନ୍ଦର କିନ୍ତୁ, ନୁହେଁ ଲପି’ଦି ?

 

ସତେ ଯେମିତି ବିଛା କାମୁଡ଼ିଲା ଲପିତାକୁ । ଡ୍ରେସିଂ ଟେବୁଲ୍‍ ସାମାନରେ ପଡ଼ିଥିବା ଛୋଟ କୁର୍ସି ଉପରୁ ତଡ଼ିତ୍‍ବେଗରେ ଉଠି ଆସି ସେ ଆଶ୍ରୟ ନେଲା ନିଜର ବିଛଣା ଉପରେ ।

 

- ଭଦ୍ରଲୋକ ? ଅତନୁ ପୁଣି ଭଦ୍ରଲୋକ କେବେଠୁଁ ହେଲା ? ଲୋଫର୍‍ ନମ୍ବର ଉଆନ୍‍ । ତମର କଥା ଶୁଣି ମୋର ଗୋଟାଏ ଦିନର ଘଟଣା ଆଜି ପରିଷ୍କାରଭାବରେ ମନେ ପଡ଼ୁଛି ମିତ୍ରା । ଶୁଣିବ ? ମୁଁ ସେତେବେଳେ ଏମ୍‍. ଏ. ପଢ଼ୁଥାଏ । ଅତନୁ ନୂଆ ହୋଇ ଆସିଥାଏ କଲେଜ୍‍କୁ । ସେତେବେଳେ ଜଣେହେଲେ ଲେଡ଼ି-ଷ୍ଟୁଡ଼େଣ୍ଟ ତାକୁ ପଚାରୁ ନଥାନ୍ତି ...ବିଚରା ଭାରି ଛଟପଟ ହଉଥାଏ । ମୋର ଦୟା ହେଲା । ବିନା ପ୍ରୟୋଜନରେ ଥରେ ତାକୁ ଅଭିବାଦନ ଜଣାଇଲି । ସେଇ ଦିନଠାରୁ କଣ ଭାବିଲା କେଜାଣି ମୋ ପିଛା ନ ଛାଡ଼େ । ରୋଜ୍‍ ସକାଳେ ଆଉ ସନ୍ଦ୍ୟାରେ ଆମ ଘର ସମାନରେ ଲୁଙ୍ଗରୁପୁଙ୍ଗୁର ହୁଏ । ମୋ ବାହାଘର ଚାରିଦିନ ଥାଏ , ହଠାତ୍ ଦିନେ ଆସି ହାଜର୍ । ମୁହଁରେ ଦାଢ଼ି, ମୁଣ୍ଡବାଳ ଫୁର୍‍ଫୁର୍‍ । ଛାତି ବୋତାମ ଖୋଲା । କେମିତି ଗୋଟିଏ ଶୁନ୍ୟଦୃଷ୍ଟିରେ ମୋ ଆଡ଼କୁ ଅନେଇ ପଚାରିଲା - କଣ ସବୁଦିନ ପାଇଁ ଛାଡ଼ି ଚାଲିଯାଉଛ ଲପି ? ଆଉ କଣ କେବେ ଏଠିକି ଆସିବ ନାହିଁ ? ତାର ସେ କଥା କହିବାର ଢଙ୍ଗ ଦେଖି ମତେ ଭାରି ହସମାଡ଼ୁଥିଲା । କୌଣସି ମତେ ହସ ଚାପି ତାକୁ ଆଶ୍ୱାସନା ଦେଲି - ଆସିବି ନାହିଁ କାହିଁକି ? ଆସିବି - ନିଶ୍ଚୟ ଆସିବି । ଯେବେ ଆସେ ନା କାହିଁକି ଆପଣଙ୍କୁ ଡକେଇ ପଠେଇବି ।

 

ଏତକ କହି ହସି ହସି ବିଛଣା ଉପରେ ଗଡ଼ିଗଲା ଲପିତା । - ଆ ହା ହା ଲପି’ଦି । ଖୋଷାଟା ଖୋଲିଯିବ ଯେ ....

 

ପାଟିକରି ଉଠିଲା ମିତ୍ରା ।

ଲପିତା ପୂର୍ବସ୍ଥାନକୁ ଫେରିଆସିଲା । ନିଜ ଛାତି ଉପରକୁ ତାକୁ ଆଉଜାଇ ଆଣି, ମିତ୍ରା ଶେଷଥର ପାଇଁ ଖୋଷାଟିକୁ ସଜାଡ଼ି ଦେଲା ।

 

ଆର୍ସିରେ ନିଜ ମୁହଁକୁ ଭଲକରି ଦେଖି ଲପିତା ଖୁସି ହୋଇଗଲା । ନିଜର ଜିହ୍ୱାଗ୍ରରେ ମିତ୍ରାର ତାଳୁ ଦଂଶନ କରି କହିଲା - ସୁନା ଝୁଅଟିଏ ।

 

ଏଇ ସୁଯୋଗରେ ସୁନାଝୁଅ ମଧ୍ୟ ତାର ଦାବି ପେଶ୍ କଲା । - ଇଣ୍ଡିଆନ୍ ଇକନମିକ୍ସ ପେପର୍‍ ଏଥର କଣ ହେବ କେଜାଣି... ଟେଷ୍ଟ୍ ମୋଟେ ତ ଆଉ ଚାରିଦିନ ରହିଲା ... ଇମ୍ପୋଟାଣ୍ଟ ଚାପ୍ଟରଗୁଡ଼ାକ ଛୁଆଁ ବି ହେଇନି .

 

- ତମପାଇଁ କୌଣସି ଚାପ୍‌ଟର୍ ଇମ୍ପୋଟାଣ୍ଟ୍ ନୁହେଁ ..... ଇମ୍ପୋଟାଣ୍ଟ୍ ହଉଛି ତମର ଟେଷ୍ଟରେ ସେଣ୍ଟ୍ଅପ୍ ହବା ... ସେ ଦାୟିତ୍ୱ ମୁଁ ନେଲି ।

 

ଲପି’ଦି କଥାରେ ସତେ ଯେମିତି ଅମୃତ ଝରୁଛି । ଆୟା ଘରଭିତରକୁ ପଶିଆସିଲା । ହାତରେ ଗୋଟାଏ ଝୁଡି । ଝୁଡି ଭିତରେ କପ୍‍ପ୍ଲେଟ୍‍ ଖାଦ୍ୟସାମଗ୍ରୀ ସବୁ ସଜାହୋଇ ଥୁଆ ହୋଇଛି-।

 

ଆଲ୍‍ମାରୀ ଖୋଲି ଲପିତା ଡାକିଲା ମିତ୍ରାକୁ - କୁହ ମିତ୍ରା କେଉଁ ଶାଢ଼ୀଟା ଆଜି ପିନ୍ଧି ଯିବି-।

 

- ଯାହା ପିନ୍ଧିବେ ଆପଣଙ୍କୁ ମାନିବ ।

ବାଛି ବାଛି ମିତ୍ରା ପସନ୍ଦକଲା ଖଣ୍ଡେ ଟିସୁ ଶାଢ଼ୀ ।

ଦାଣ୍ଡରେ ଜିପ୍‍ର ହର୍ଣ୍ଣ ଶୁଣାଗଲା । ଟିକକ ପରେ ଘରଲୋକଙ୍କ ପରି ପ୍ରକାଶ ଖଞ୍ଜା ଭିତରକୁ ପଶିଆସିଲା

 

- ମୁଁ ଜାଣି ଜାଣି ଟିକେ ସହଳ ଚାଲିଆସିଲି । ଓଡ଼ିଆମାନଙ୍କର ସମୟ ଜ୍ଞାନର ଅଭାବ ତ-! କାନ୍ତ କାହାନ୍ତି ?

 

ଆଇନା ଭିତରେ ବନ୍ଦୀ ହୋଇଥିବା ପ୍ରକାଶଆଡ଼କୁ ଚାହିଁ ପ୍ରସାଧନରତା ଲପିତା ବିମୁଗ୍‌ଧ ହୋଇଗଲା । କି ଚମତ୍କାର୍‌ ଦିଶୁଛି ଆଜି । ପୁରୁଷ ଭଳିଆ ପୁରୁଷ । ମନ୍ତ୍ରମୁଗ୍‌ଧ ଦୃଷ୍ଟିରେ ମିତ୍ରା ମଧ୍ୟ ଚାହିଁରହିଲା ସେହିଆଡ଼େ । ଲପିତାର ଇଙ୍ଗିତରେ ଭିତର ଦ୍ୱାର ଦେଇ ମିତ୍ରା ପାଖଘରକୁ ଚାଲିଗଲା । ତାର ଛନ୍ଦଭରା ଗତିଆଡ଼କୁ ଚାହିଁ ପ୍ରକାଶ କହିଲା - ମୁଁ ଜାଣେ ପରା - ସୁକାନ୍ତ ଦି ଆସ୍ । ଆଚ୍ଛା ତମେ ଲୁଗାପଟା ପିନ୍ଧ ... ତା ପାଇଁ ଅପେକ୍ଷା କରି ଲାଭ ନାହିଁ । ଭାରି କୋଣପଶା । ହସିହସି ଲପିତା କହିଲା - ମଣିମାଙ୍କ ଆଦେଶ ଶିରୋଧାର୍ଯ୍ୟ, କିନ୍ତୁ ମଣିମା କିଛି ସମୟ ପାଇଁ ବାହାର ଘରେ ଯାଇଁ ବସିବାହେବ କି ?

 

ବକ୍ଷବାସ, ଶାଢ଼ୀ ପ୍ରଭୃତି ପିନ୍ଧିବାରେ ମିତ୍ରା ଲପିତାକୁ ସାହାଯ୍ୟ କଲା । ଦଶମିନିଟ୍ ଭିତରେ ଲପିତା ରେଡ଼ି ।

 

ଅଦିନ ମେଘ । ସାମାନ୍ୟ ବର୍ଷା ହୋଇ ଛାଡ଼ିଗଲା । ଗୋଟିଏ ନାଁ ନଜଣା ଝାମ୍ପୁରା ଗଛତଳୁ ବାହାରିଆସିଲେ ଲପିତା ଆଉ ପ୍ରକାଶ । ପାଖପାଖି ପଡ଼ିଥିବା ଦୁଇଖଣ୍ଡ ପଥର ଉପରେ ପ୍ରାୟ ଲଗାଲଗି ହୋଇ ବସିଲେ ।

 

ମେଘ ହେବ ପୂର୍ବରୁ ଗୋଟିଏ କୃଷ୍ଣଚୂଡ଼ା ଗଛର ଚରୋଟି ଫଟୋ ଉଠାଇଛି ଲପିତା । ନିଜର ଲାଇକା କାମେରା ସାହାଯ୍ୟରେ ପ୍ରକାଶ ତାକୁ ବୁଝାଇ ଦେଇଛି ଫଟୋ ଉଠେଇବାର ଟେକ୍‍ନିକ୍‍ । ବିଭିନ୍ନ ଭଙ୍ଗୀରେ ଅର୍ଦ୍ଧବିବସନା ଲପିତାର ମଧ୍ୟ ଫଟୋ ଉଠିଛି ଛଅଟି । ପ୍ରତିଥର ଫୋକସ୍‍ ଠିକ୍ କରିବାକୁ ପ୍ରକାଶ ନେଇଛି ପ୍ରଚୁର ସମୟ । ଭିଉ ଫାଇଣ୍ଡର୍‍ରେ ଦିଶୁଥିବା ଲପିତାର ଛାଇକୁ ଅନେଇ ସେ ବାରମ୍ବାର ପ୍ରଶଂସା କରିଛି - କି ଚମତ୍କାର ଫାଟୋଜେନିକ୍ ଫେସ୍ ।

 

ବର୍ତ୍ତମାନ ସେଇ ଚମତ୍କାର ଫଟୋଜେନିକ୍ ଫେସ୍ ଆଡ଼କୁ କାମାତୁର - ଦୃଷ୍ଟିରେ ଚାହିଁରହିଛି ପ୍ରକାଶ । ଲପିତାର ଦୃଷ୍ଟି କିନ୍ତୁ ନିବଦ୍ଧ ରହିଛି ସଦ୍ୟ ଉଦିତ ଇନ୍ଦ୍ରଧନୁ ଆଡ଼େ ।

 

- ଦେଖୁଛ ପ୍ରକାଶ, କି ସୁନ୍ଦର ଇନ୍ଦ୍ରଧନୁ ପଡ଼ିଛି ।

ଇନ୍ଦ୍ରଧନୁ ନୁହେଁ ତ, ସତେ ଯେମିତି ମଦନର ପଞ୍ଚଶର ! ଦୂରରେ, ଖୁବ୍‍ ଦୂରରେ ଦିଶୁଛି ଗୋଟିଏ ବସ୍ତି । ଧାଡ଼ି ଧାଡ଼ି ଚାଳଘର .. ତା’ର ମଥାନ ଉପରୁ ଲୋଟଣି ଭାଙ୍ଗି ଭାଙ୍ଗି ଏଆଡ଼କୁ ଉଡିଆସୁଛନ୍ତି ହଳିଏ ପରା ।

 

ବସ୍ତି ପଛରେ ମାଳମାଳ ନଡ଼ିଆଗଛ ... ଦୁନିଆ ଯାକର ମେଘ ଯେମିତି ସେଇଠି ଯାଇଁ ବସା ବାନ୍ଧିଛନ୍ତି ।

 

ଉପରେ ବହୁତ ଉପରେ ଗୋଟିଏ ଚିଲ - ଅସଂଖ୍ୟ ଅଦୃଶ୍ୟ ବୃତ୍ତ କାଟିବାରେ ବ୍ୟସ୍ତ ।

ଦେଖି ଦେଖି ଆଶା ମେଣ୍ଟୁ ନାହିଁ ଲପିତାର । ମନେ ହେଉଛି ଯେମିତି ସେ ପୃଥିବୀ ବାହାରର ମଣିଷ । ଏଇ ପ୍ରଥମ ଥର ଲାଗି ଦେଖୁଛି ଏଇ ପୃଥିବୀକୁ ଆଉ ପ୍ରକୃତିର ଏଇ ଲୀଳା କଳାକୁ ।

 

ସମାନାରେ ବୁଦିବୁଦିକା - ସେଗୁରା କି ଗଛ କେଜାଣି ... ଠିକ୍‍ ରଙ୍ଗଣୀ ଫୁଲ ପରି ଫୁଲ ଫୁଟିଛି ସେଥିରେ । ଆଉ ଏପଟେ ତ ସେଗୁରାକ ନିଶ୍ଚୟ ସୋରିଷଫୁଲ ... ନଇଲେ ଏତେ ଘନ ହଳଦିଆ ହୁଅନ୍ତା ?

 

ଗୋଡ଼ାଗୋଡ଼ି ହୋଇ ଦୁଇଟି ପ୍ରଜାପତି ଉଡ଼ିଯାଉଛନ୍ତି ସେଇ ଆଡ଼କୁ ।

ତୃଣାଙ୍କୁରମାନଙ୍କରେ ଲାଗିରହିଥିବା ବର୍ଷାବିନ୍ଦୁକୁ ପାଦର ଆଙ୍ଗୁଠି ସନ୍ଧିରେ ପୋଛୁପୋଛୁ ଲପିତା କହିଲା - ଆଡ଼କାର ଘାସଗୁରାକ କି ନରମ୍ ... ଇଚ୍ଛା ହଉଛି, ଏଇ ଘାସ ଉପରେ ଶୋଇ ପଡ଼ିବାକୁ ।

 

ଅଳ୍ପ ଦୂରରେ ବୋଧେ ଗାଡ଼ିଆ ଖଣ୍ଡେ କେଉଁଠି ଅଛି । ମାଛରଙ୍କାଟିଏ କେତେବେଳୁ ଏପଟ ସେପଟେ ହେଉଛି । ସେଇଆଡ଼ୁ ଦୃଷ୍ଟି ଫେରାଇଆଣି ପ୍ରକାଶ ଚାହିଁଲା ଲପିତାଆଡ଼କୁ । ଲପିତା ହସିଲା-ଚାଲଯିବା ।

 

- ଯିବା ତ ନିଶ୍ଚୟ ।

ପୁଣି ଥରେ ଦୃଷ୍ଟି ବିନିମୟ । ଲପିତାର ଚାହାଣିରେ ଥିଲା ଆମନ୍ତ୍ରଣର ଲିପି । ପ୍ରକାଶ ନିଶବ୍ଦରେ ହସିଲା । ସେ ହସରେ ଥିଲା ଆଗ୍ରହପୂର୍ଣ୍ଣ ସ୍ଵୀକୃତି ।

 

ଆବେଗ ଆଉ ଲଜ୍ଜାରେ ଲପିତା ଆଖିବୁଜି ଦେଇଥିଲା । ତାପରେ ....ତାପରେ ସେ ଅନୁଭବ କରିଥିଲା ଦେହର ପ୍ରତିଶିରା ଉପଶିରାରେ ରକ୍ତର ଉନ୍ମାଦ ପ୍ରବାହ । ପ୍ରକାଶର ବିମୁଗ୍ଧ ସ୍ପର୍ଶରେ ତାର ସମସ୍ତ ଚେତନା ଲୋପପାଇଲା । ଚେତନା ଯେତେବେଳେ ଫେରିଆସିଲା ଅନୁଭବ କଲା ତା ଓଷ୍ଠରେ ପ୍ରକାଶର ଓଷ୍ଠ ନିବଦ୍ଧ ।

 

ବାଟରେ ପ୍ରକାଶ ପଚାରିଲା - ଜାଗାଟି କେମିତି ଲାଗିଲା ?

- ଖୁବ୍‍ ଭଲ ।

- ଆଉ ଦିନେ ଆସିବା ପିକ୍‍ନିକ୍‍ କରିବାକୁ - କଣ କହୁଛ ?

 

ଏ ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିଲା ଲପିତା । ଜାଗାଟିର ସ୍ମୃତି ଅତି ଗଭୀରଭାବରେ ତା ମନରେ ବାସ ବାନ୍ଧୁଛି ।

 

- ବଡ଼ ସୁନ୍ଦର ନିରୋଳା ଜାଗାଟିଏ ..... ନୁହେଁ ? ଲଣ୍ଡନରେ ଥିଲାବେଳେ ପ୍ରାୟ ପ୍ରତି ଉଇକ୍ -ଏଣ୍ଡରେ ଆମ୍ଭେମାନେ ସହର ଛାଡ଼ି ଏମିତି ଗୋଟିଏ ଗୋଟିଏ ଜାଗାକୁ ଯାଉ ଫୂର୍ତ୍ତି କରିବାପାଇଁ । ଭାରି ମଜାକରୁ ।

 

ଶାଢ଼ୀରେ ଲାଗିଥିବା ଗୁଗୁଚିଆଗୁଡ଼ାକୁ ଅତି ମନଯୋଗ ଦେଇ କାଢ଼ୁଛି ଲପିତା ... ସତେ ଯେମିତି ପ୍ରକାଶର କଥା ତା ମୁଣ୍ଡରେ ପଶୁନାହିଁ ।

 

ନାଲି ରାସ୍ତା ଉପରେ ଦୋହଲି ଦୋହଲି ଆଗେଇ ଯାଉଛି ପ୍ରକାଶର ଜିପ୍ । ଆଉ ଛଅମାଇଲ୍ ରହିଲା କଟକ ।

 

ଶୁକ୍ଳା ତ୍ରୟୋଦଶୀ ସନ୍ଧ୍ୟା ।

ଛାତ ଉପରେ ବାଡ଼ାକୁ ଆଉଜି ଛିଡ଼ାହୋଇଛି ଲପିତା । ଶାରଦୀୟ ଜ୍ୟୋତ୍ସ୍ନାର ଗୋଟିଏ ଅସ୍ଫୁଟ ସ୍ଵପ୍ନମୟ ସୌନ୍ଦର୍ଯ୍ୟରେ ଚାରିଆଡ଼ ବିକଶିତ ହୋଇଉଠୁଛି । କୋମଳ ହୋଇଆସୁଛି ଅନ୍ଧକାରର ଆଶ୍ଳେଷ । ଅଥଚ ପ୍ରକୃତିର ଏଇ ସ୍ଵଚ୍ଛ ଅନାବିଳ ଉତ୍ସବରେ ଯୋଗ ଦେଇପାରୁ ନାହିଁ ସେ । ଦେହର ପ୍ରତିଟି କୋଷ ସତେ ଯେପରି କାମନାର ଦଂଶନରେ ଜର୍ଜରିତ, ଦେହ ମନ୍ଥନରେ କଣ ମିଳିବ ଅମୃତର ସନ୍ଧାନ ? ହୁଏତ ମିଳିବ । କିନ୍ତୁ କିଏ ? କିଏ ସେଇ ସତେଜ ସ୍ୱାସ୍ଥ୍ୟବାନ୍‌ ପୁରୁଷ ? ଯାହାର ପିପାସାର ଶେଷ ନାହିଁ । ଯାହାର ଲକ୍ଷ ଅବ୍ୟର୍ଥ । ସେ ଆଉ ଯିଏ ହେଉ ନା କାହିଁକି ନିଶ୍ଚୟ ତାର ସ୍ୱାମୀ ସୁକାନ୍ତ ନୁହେଁ, ସୁକାନ୍ତ ଗୋଟିଏ ଗୃହପାଳିତ ଜୀବ । ତା’ଠାରେ ମଣିଷର କାମନା ବାସନା କାମକୁଶଳତା ଆସିବ କେଉଁଠୁ ?

 

ତା ହେଲେ କଣ ଅତନୁ ? ଅତନୁ ତ ପ୍ରେମିକ । ମିଳନଠାରୁ ବିରହ ତା ପକ୍ଷରେ ବେଶୀ ମୂଲ୍ୟବାନ୍ । ତା ଛଡ଼ା ସେ କାପୁରୁଷ । ସେଦିନ ଏତେ କରି କୁହାହୋଇଥିଲା ତାକୁ ଆସିବାକୁ ... କାଇଁ ? ତାର ତ ଥରଟିଏ ବି ଦେଖନାଇଁ ।

 

ଠିକ୍ କଥା, ପ୍ରକାଶ । ପ୍ରକାଶ ହିଁ ଠିକ୍ ଲୋକ, ତାର ସବୁଥିରେ ଉତ୍ସାହ ଅଛି, ଉନ୍ମାଦନା ଅଛି । ଚମତ୍କାର ଗଢ଼ଣ ତା ଦେହର । ଦେଖିଲେ ଆଖି ଖୋଷିହୋଇ ପଡ଼ିବ । ତାର ଶାଳବୃକ୍ଷ ଲାଞ୍ଛନ ବାହୁ, ତାର କବାଟବକ୍ଷ, ତା ଊରୁର ବିସ୍ମୟକର ପେଶୀବହୁଳତା - ସବୁ ନିର୍ଭରଯୋଗ୍ୟ । କିନ୍ତୁ କାହିଁ ? ତାର ବି ତ ଏତେବେଳଯାଏ ଦେଖା ନାହିଁ ।

 

ଫାଟକ ଖୋଲିବା ଶବ୍ଦରେ ଚଞ୍ଚଳ ହୋଇଉଠେ ଲପିତା । ତର ତର କରି ତଳକୁ ଓହ୍ଲେଇଆସେ । ଫିକ୍ କିନା ହସି ପ୍ରକାଶକୁ ସମ୍ଭାଷଣ ଜଣାଏ ।

 

ଦୁହେଁ ଯାଇଁ କାମିନୀ ଗଛ ତଳେ ବସନ୍ତି । ପ୍ରକାଶର ମୁହଁକୁ ସ୍ୱପ୍ନାତୁର ଦୃଷ୍ଟିରେ ଚାହିଁ ରହେ ଲପିତା । ଜ୍ୟୋସ୍ନାର ପ୍ରଲେପରେ ସେ ମୁହଁ ଅପୂର୍ବ ଦିଶୁଛି । ଚୂଡ଼ିଦାର ପଞ୍ଜାବୀ ଆଉ ଫିନ୍‍ଲେ ଧୋତି ବେଶ୍‌ ମାନୁଛି ପ୍ରକାଶକୁ ।

 

- ତମେ ଆଜି ନ ଆସିଥିଲେ ମୁଁ କାଲିଠାରୁ ତମ ସଙ୍ଗେ କଥା ବନ୍ଦକରି ଦେଇଥାନ୍ତି କିନ୍ତୁ-!

 

ଅକାରଣରେ ଖିଲ୍‍ ଖିଲ୍‍ ହୋଇ ହସିଉଠେ ଲପିତା । ମଧୁର କଣ୍ଠରେ ପ୍ରକାଶ କହେ - ମୁଁ ନ ଆସି କଣ ରହିପାରିଥାନ୍ତି ? ଅତି ଜରୁରୀ କାମରେ ଆଜି ସନ୍ଧ୍ୟାବେଳେ ପୁରୀ ଯିବାର ଥିଲା ଅଥଚ ....

 

ତା ମୁହଁରୁ କଥା ଛଡ଼େଇ ନେଇ, ଦୃଷ୍ଟିରେ ବିଦ୍ୟୁତ୍ ହାଣି ଲପିତା କହେ - ତମେ ବାହାହେଲେ ବଡ଼ ସ୍ତ୍ରୈଣ ହବ ।

 

କଟି ଉଦ୍‍ଘାଟନୀ ଫିନ୍‍ ଫିନ୍‍ ପତଳା ବ୍ଲାଉଜ୍‍ । ହାଲୁକା ସବୁଜ ରଙ୍ଗର ଆହୁରି ପତଳା ଶାଢ଼ୀ, ତାର ଅନ୍ତରାଳରୁ ଫରାସୀ ଲେସ୍‍ ଦିନର ଆଲୁଅ ପରି ସ୍ପଷ୍ଟ ।

 

ଅଙ୍କା ଭ୍ରୂତଳେ ସୁର୍ମାଟଣା ଦୁଇଟି ଆୟତ ଚକ୍ଷୁ- ଅଧରୋଷ୍ଠରେ କୃତ୍ରିମ ଲାଳିମା ... ଗାଲରେ ରୁଜ୍‍ର ରକ୍ତିମ ଆଭା ... ମୁଣ୍ଡରେ ଡୋନାର ଖୋଷା ।

 

ଆକୁଳଦୃଷ୍ଟିରେ ଚାହିଁ ରହିଛି ପ୍ରକାଶ ।

- ଇସ୍‍ କି ଅସଭ୍ୟ । କୁଆଡ଼କୁ ଅନେଇଚ ଶୁଣେ ?

ଛାତିରେ ଲୁଗାଟାଣି ଲପିତା ତଳକୁ ମୁହଁ ପୋତେ । କାମିନୀ ଗଛ କଣ ତାହେଲେ ସତରେ ପୁରୁଷର କାମନା ଉଦ୍ରେକ କରେ ?

 

କିଛି ସମୟ ପର୍ଯ୍ୟନ୍ତ ଦୁହେଁ ଚୁପ୍‍ଚାପ୍‍ ହୋଇ ବସିରହନ୍ତି । ଆଜି ଲପିତା ନିକଟରେ ପ୍ରକାଶର ଉପସ୍ଥିତି ହିଁ ଯଥେଷ୍ଟ । ତାର ଭାଷାଠାରୁ ସ୍ପର୍ଶ ବେଶୀ ମୁଖର ।

 

ସନ୍ଧ୍ୟାବେଳୁ ହାଙ୍କେଲ୍‌ଟ୍ରୋଖେନ୍‌ର ଗୋଟିଏ ବୋତଲ ଧରି ବସିଯାଇଛି ପ୍ରକାଶ । ସବୁଜ ଆଲୋକରେ ଘରଟି ସ୍ଵପ୍ନମୟ ହୋଇ ଉଠିଛି ।

 

ନଭେମ୍ବରର ଏଇ ସନ୍ଧ୍ୟାଟି ବେଶ୍‍ ଉଷୁମ୍‍ ଜଣାପଡ଼ୁଛି ।

ଏଇ ତ ଜୀବନ !

ଅମାପ ପୈତୃକ ସମ୍ପତ୍ତି ରହିଛି । ସେ ସବୁକୁ ବିକ୍ରିକଲେ ଯାହା ମିଳିବ ଗୋଟିଏ ଜନ୍ମ ପାଇଁ ତା ଯଥେଷ୍ଟ । ସେ ଜନ୍ମ ହୋଇଛି କେବଳ ଭୋଗ କରିବା ପାଇଁ । ଶତଶଯ୍ୟାର ନାୟକ ହେବାପାଇଁ, ଖାଲି ଫୂର୍ତ୍ତି ଆଉ ଫାଜିଲାମି । ଆନନ୍ଦ ଆଉ ଉଚ୍ଛ୍ଵାସ । ନିଶା ଆଉ ପଶା ।

 

ପ୍ରଥମ ଜୀବନରେ ନାରୀ ଭୁଲେ ରୂପରେ । ଶେଷ ଜୀବନରେ ଭୁଲେ ଧନରେ । ଦୁଇଟି ଯାକ ତାର ଅଛି । ସୁତରାଂ ନାରୀର ଅଭାବ ତା ଜୀବନରେ କେଭେ ହବ ନାହିଁ । କେତେ ଆସିବେ, କେତେ ଯିବେ ।

 

ପ୍ରେମ- ଯମୁନାରେ ଲପିତା କେବଳ ଗୋଟିଏ ବୁଦ୍‍ବୁଦ୍‍ ମାତ୍ର । ସେ କଥା ଦେଇଥିଲା ସାତଟା ବେଳକୁ ଆସିବ । କାଇଁ ?

 

ସାତଟା ତ କେତେବେଳୁ ବାଜିଗଲାଣି ।

ସିଗାରେଟ୍‍ରେ ଅଗ୍ନି ସଂଯୋଗ କରି ଜଡ଼ିତକଣ୍ଠରେ ପ୍ରକାଶ ଡାକେ- ଡ୍ରାଇଭର୍‍ !

ଡ୍ରାଇଭର୍‍ ପରିବର୍ତ୍ତେ ଘରଭିତରକୁ ପଶିଆସେ ଲପିତା । ସୁନ୍ଦରୀ ଲପିତା ।

 

- ମୋର ଟିକେ ଡେରି ହୋଇଗଲା ପ୍ରକାଶ ... ଆଶାକରେ ମତେ କ୍ଷମା କରିବ ।

 

ଲପିତା ପାଇଁ ଜିନ୍‍ ଆଉ ଲାଇମ୍‍ ଆଣିବାକୁ ବରାଦ୍‍ ଦେଇ ପ୍ରକାଶ ସିଧାସଳଖ ତା ଆଡ଼କୁ ଚାହିଁ କହେ –ମୁଁ ହୁଏତ ତମକୁ କ୍ଷମା କରିପାରେ, କିନ୍ତୁ ଅବସ୍ଥା ବିଶେଷରେ ତମେ ମତେ କ୍ଷମା କରିପାରିବ ତ ?

 

ତାପରେ ଶୁଆ ଥଣ୍ଟପରି ଦିଶୁଥିବା ଲପିତାର ଆଙ୍ଗୁଳିଗୁଡ଼ିକ ନିଜ ହାତମୁଠା ଭିତରକୁ ଆଣି ସେ ସାମାନ୍ୟ ଚାପ ଦିଏ । ତଳକୁ ମୁହଁ ପୋତି ସ୍ମିତ ହସି ଲପିତା କହେ - ତମେ ଶୀଘ୍ର ବାହା ହୋଇପଡ଼ । ଏତେଦିନ ପର୍ଯ୍ୟନ୍ତ ପୁରୁଷ ପିଲା କଣ ଅବିବାହିତ ରୁହନ୍ତି ?

 

ଦୁଆର ମୁହଁରେ ସାମାନ୍ୟଟିକେ କାସି ଘର ଭିତରକୁ ପଶି ଆସେ ବେୟାରା । ଜିନ୍‍ ଆଉ ଲାଇମ୍‍ ।

 

ଗେହ୍ଲେଇ ହୋଇ ପ୍ରତିବାଦ କରେ ଲପିତା – ଏକ୍‌ସକିଉଜ୍‍ ...ମି

 

-କିଛି ନୁହଁ ...କିଛି ନୁହଁ । ପିକାଡ଼ିଲିର ଯେ କୌଣସି ପାବ୍‍ ଭିତରେ ପଶିଲେ ତମେ ତ ମୂର୍ଚ୍ଛା -ଯିବ ହୋ ।

 

ସେତେବେଳକୁ ବେୟାରା ଚାଲିଗଲାଣି ।

 

ଡିକାଣ୍ଟର୍‌ଟି ପ୍ରାୟ ଓଠ ପାଖକୁ ନେଇ ପ୍ରକାଶ ପୁଣି ଥରେ ଅନୁରୋଧ କରେ ଲପିତାକୁ ।

 

ଉପାୟ ନାହିଁ । ବଡ଼ ଜିଦିଖୋର୍‍ ପ୍ରକାଶ ।

 

- ମୁଁ ଆଜି ସନ୍ଧ୍ୟାବେଳୁ ଗୋଟିଏ କଥା ଭାବୁଛି ଲପି । ତମ ସାଙ୍ଗରେ ମୋର ଆଗରୁ ଦେଖାହେଲା ନାହିଁ କାହିଁକି ?

 

ମୁଁ ବି ଠିକ୍‌ ସେୟା ବେଳେ ବେଳେ ଭାବେ । ତମେ ବିଶ୍ୱାସ କର ପ୍ରକାଶ, ମୁଁ ଠିକ୍‌ ତମରି ଭଳିଆ ମନର ମଣିଷଟିଏ ଚାହୁଁଥିଲି ।

 

ବେଶ୍‍ ଲାଗୁଛି ଭାବିବାକୁ । ବନ୍ଧୁ ପତ୍ନୀର ଏଇ ସହଜ ସୁନ୍ଦର ଭାବାବେଗକୁ ରୋକିବା ଉଚିତ୍‍ କି ?

 

- ଡାଡ଼ିଙ୍କର ଗୋଟିଏ ମାରାତ୍ମକ ଭୁଲ୍ ଲାଗି ମୁଁ କାହିଁକି ସାରା ଜୀବନ ଜଳିପୋଡ଼ି ହୋଇ ମରିବି ? ମୋର ବି ଆଶା ଅଛି, ଆକାଙ୍‍କ୍ଷା ଅଛି । ମୋର ଭବିଷ୍ୟତ ମୁଁ ତମ ହାତରେ ଛାଡ଼ିଦେଲି ପ୍ରକାଶ - ତାକୁ ଚିର ସବୁଜ କରିବାର ଦାୟିତ୍ୱ ତମ ଉପରେ ରହିଲା । ମୁଁ ସୁକାନ୍ତକୁ ଡାଇଭୋର୍ସ କରିବି ।

 

ପ୍ରକାଶ ସ୍ଥିର ଦୃଷ୍ଟରେ ଚାହିଁରହେ ଲପିତା ମୁହଁକୁ । ଆନନ୍ଦର ଆଭାସ ଆଉ ଅନୁଶୋଚନାର କଷାଘାତ ସତେ ଯେମିତି ମିଶି ମିଶି ରହିଛି ସେ ମୁହଁରେ ।

 

ପ୍ରେମ ବି ଗୋଟାଏ ନିଶା । ସାମନାରେ ଥୁଆ ହୋଇଥିବା ଏଇ ହାଙ୍କେଲ୍‍ ଟ୍ରୋଖେନ୍‍ର ନିଶାଠାରୁ ବୋଧହୁଏ ଆହୁରି ପବିତ୍ର ଆହୁରି ସ୍ଥାୟୀ !

 

ଲପିତା... ସୁନ୍ଦରୀ ଲପିତା ... ତମେ ସବୁ ପାଇବ । ହୁଏତ ମୋଠାରୁ ଯେତିକି ଆଶାକର ତା ଅପେକ୍ଷା ଯଥେଷ୍ଟ ବେଶି । ମୋର ବି କାମନା ଅଛି । ତା ଛଡ଼ା ତମେ ଆଜି ଉପଯାଚିକା,ଏଇ ତ ସୁଯୋଗ । ମାଇଁ ଡିଆର ସୁକାନ୍ତ ...ଡୁ ନଟ୍‍ ବ୍ଲେମ୍‍ ମି !

 

ପ୍ରକାଶଘରେ ପହଞ୍ଚୁ ପହଞ୍ଚୁ ସନ୍ଧ୍ୟା ପ୍ରାୟ ସାତଟା । ହସି ହସି ସୁକାନ୍ତକୁ ପାଛୋଟି ନେଲା ପ୍ରକାଶ ।

 

- ତତେ ଆଜି ମୁଁ ବିଶେଷ ଭାବରେ ଡକାଇ ପଠାଇଲି , କାହିଁକି ଜାଣୁ ? ତଳକୁ ମୁହଁ ପୋତି ସୁକାନ୍ତ କହିଲା - କେମିତି ଜାଣିବି କହ ? ତୁ ତ ଆଉ ଆଗ ପ୍ରକାଶ ନାହୁଁ , କେତେ ବଦଳି ଗଲୁଣି ।

 

- ସତେ ? ଦୁନିଆ ଯେତେବେଳେ ବଦଳୁଛି ମୁଁ ବଦଳିବାକୁ ବାଧ୍ୟ । ନହେଲେ ମୁଁ ବହୁତ ପଛରେ ପଡ଼ିଯିବି ଠିକ୍‍ ତୋରି ଭଳିଆ । କେଉଁ ଅଶୁଭ ମୁହୂର୍ତ୍ତରେ ତୁ ମତେ ତୋ ଘରକୁ ସେଦିନ ନିମନ୍ତ୍ରଣ କରିଥିଲୁ କେଜାଣି ... କଫି ପିଇବୁ ?

 

--ଆପତ୍ତି ନାହିଁ ।

 

- ମୁଁ ଜାଣେ ସୁକାନ୍ତ, ମୋର କୌଣସି ପ୍ରସ୍ତାବରେ ତୁ ଆପତ୍ତି କରିବୁ ନାହିଁ । ଆଉ ସେଥିଲାଗି ମୋର ଦୁଃଖ ମଧ୍ୟ କମ୍‍ ନୁହେଁ ।

 

କଫି ଦୁଇକପ୍‍ ଆଣିବାକୁ ବରାଦ ଦେଲା ପ୍ରକାଶ । ତାପରେ ପଚାରିଲା - ଲପିତା ଘରେ ଅଛି ?

 

ନିର୍ଲିପ୍ତ କଣ୍ଠରେ କହିଲା ସୁକାନ୍ତ - ଥାଇପାରେ । ଆଜି ଯିବୁନାହିଁ କି ?

 

- ନା ।... ଏଥର ମୁଁ ସିଧା ସଳଖ କଥା ଆରମ୍ଭ କରେ ? କ’ଣ କହୁଛୁ ?

 

ସୁକାନ୍ତ କିଛି କହିଲା ନାହିଁ । କେବଳ ପ୍ରକାଶ ଆଡ଼କୁ ଥରେ ଚାହିଁ ତଳକୁ ମୁହଁ ପୋତିଲା-। ତା’ପରେ ଟିପୟ ଉପରେ ଥୁଆ ହୋଇଥିବା ପ୍ରକାଶର ସିଗାରେଟ୍‍ ଟିଣରୁ ଖଣ୍ଡେ ସିଗାରେଟ୍‍ ବାହାର କରି ସେଥିରେ ଅଗ୍ନି ସଂଯୋଗ କଲା ।

 

- ଲପିତା କହୁଛି ତତେ ଡାଇଭୋର୍ସ କରିବ ।

 

- ମତେ ଡାଇଭୋର୍ସ କରିବା କଣ ନିହାତି ଦରକାର ? ତୋର କଣ ମତ ? ତୋ ମତାମତଟା ହିଁ ଏ କ୍ଷେତ୍ରରେ ମୋ ପାଇଁ ବେଶୀ ମୂଲ୍ୟବାନ୍‍ ।

 

- ତୁ ତ ସବୁ ଜାଣିଛୁ । ତୋତେ ଅଧିକା କଣ କହିବି ? କେବଳ ଗୋଟିଏ ଅନୁରୋଧ ଆଜି କରୁଛି । ମତେ ଭୁଲ୍‍ ବୁଝିବୁ ନାହିଁ । ଲପିତା ସହିତ ମୋର ଯେଉଁ ଘନିଷ୍ଠତା ଦେଖୁଛୁ ସେ ସବୁ ମିଛ, ଅନ୍ତତଃ ମୋ ତରଫରୁ ....

 

- ମତେ ବାହାହୋଇ ସେ ସୁଖୀ ହୋଇନାହିଁ, ମୁଁ ଜାଣେ; ଆଉ ମଧ୍ୟ ଜାଣେ ଯେ ସେ ଶିକ୍ଷିତା ଏବଂ ଉପାର୍ଜନଶୀଳା ନ ହୋଇଥିଲେ ମତେ ନେଇ ସୁଖୀ ହେବାପାଇଁ ଚେଷ୍ଟା କରିଥାନ୍ତା - ହୁଏତ ଶେଷ ପର୍ଯ୍ୟନ୍ତ ସୁଖୀ ହୋଇପାରିଥାନ୍ତା । ଯାହା ହେଉ ସେ ବର୍ତ୍ତମାନ ତୋଠାରେ ସୁଖର ସନ୍ଧାନ କରୁଛି ...ପାଇଲେ ମୁଁ ଖୁସି ହେବି ।

 

- ଅସମ୍ଭବ ! ମୁଁ ଜୀବନରେ ବହୁନାରୀଙ୍କ ସଂସ୍ପର୍ଶରେ ଆସିଛି । ପ୍ରଥମ ଦର୍ଶନରେ ଜାଣିପାରିଥିଲି ଯେ ତୋ ସ୍ତ୍ରୀ କେବଳ ଜୀବନ ସାରା ସୁଖର ସନ୍ଧାନ କରିବ, କେବେ ପାଇବ ନାହିଁ-।

 

କଫି ଆସିଲା ।

କପ୍‍ଟି ପାଖକୁ ଟାଣିଆଣି ସୁକାନ୍ତ କହିଲା - ଲପିତାକୁ ମୋ ସ୍ତ୍ରୀ ଆଖ୍ୟା ଦେବାକୁ ତତେ ଲାଜ ମାଡ଼ୁନାହିଁ ? କଲି ସିଏ ତୋ ସ୍ତ୍ରୀ ହବ । ପଅରିଦିନ ହେବ ଅନ୍ୟର । ସେ ଜଣକର ନୁହେଁ ଅନେକଙ୍କର ।

 

ଶାନ୍ତ କଣ୍ଠରେ ପ୍ରକାଶ କହିଲା - ମୁଁ ଜାଣେ, ଲପିତାକୁ ତୁ ଯେତିକି ଭଲପାଉ ସେ ତତେ ତାଠାରୁ ବେଶୀ ଘୃଣାକରେ । ତୁ ତା ଆଶା ଛାଡ଼ି ଦେ । ନୂଆକରି ସଂସାର ଗଢ଼ । ସବୁ ସାହାଯ୍ୟ ମୋଠାରୁ ପାଇବୁ ।

 

- ମୁଁ ପୁରୁଷ ନୁହେଁ ପ୍ରକାଶ । ଘର ସଂସାର କରିବାର ଯୋଗ୍ୟତା ମୋର ନାହିଁ । ମୁଁ ଯଦି ପୁରୁଷ ହୋଇଥାନ୍ତି, ତେବେ ମୋ ସ୍ତ୍ରୀ ଆଜି ପର ପୁରୁଷ ପଛରେ ପାଗଳ ହୁଅନ୍ତା କାହିଁକି ?

 

ଇଏ ହେଲା ଅଭିମାନର କଥା । ଜାଣୁ ତ, ଦେଖା ନଈ ଠାରୁ ଅଦେଖା ନଈ ସୁନ୍ଦର ! କିଛିଦିନ ଧରି ଏକାଠି ଘରସଂସାର କରିଥିବା ସବୁ ପୁରୁଷ ସବୁ ସ୍ତ୍ରୀଙ୍କ ମନରେ ରହିଛି ନୂଆଲୋକଟିଏ ପାଇଁ ଗୋଟିଏ ବିଶିଷ୍ଟ ସ୍ଥାନ, ଗୋଟିଏ ଅହେତୁକ ଆକର୍ଷଣ । ଏ ଦୃଷ୍ଟିରୁ ବିଚାର କଲେ, ସବୁ ପୁରୁଷ ହଉଛନ୍ତି ଲମ୍ପଟ, ଆଉ ସବୁ ସ୍ତ୍ରୀ ହଉଛନ୍ତି ବେଶ୍ୟା । ନାନା ନୀତି ନିୟମ ଭିତରେ ଚଳୁଥିବାରୁ ହୁଏତ ଅନେକ ଦେହର ପବିତ୍ରତା ରକ୍ଷା କରିଛନ୍ତି କିନ୍ତୁ ମନର ? ମନ ସବୁବେଳେ କରୁଛି ନୂଆର ସନ୍ଧାନ । ସେଥିପାଇଁ ଟିକିଏ ସୁବିଧା ଟିକିଏ ସୁଯୋଗ ମିଳିଲେ ପୁରୁଷର ଆସକ୍ତି ଜନ୍ମେ ଅନ୍ୟ ସ୍ତ୍ରୀ ପ୍ରତି, ସିଏ ଖୁବ୍‍ ଶସ୍ତା ଦରର ବାରବନିତା ହଉ ପଛକେ, ଆଉ ନିଜର ସ୍ୱାମୀକୁ ଭୁଲି ସ୍ତ୍ରୀ ଦଉଡ଼େ ପରପୁରୁଷ ପଛରେ ...ନୁହଁ ?

 

ସୁକାନ୍ତ କହେ -ନା ମୁଁ ତୋ ସହିତ ଏକମତ ନୁହଁ । କିନ୍ତୁ ଆଜି ତୁ ମତେ ଏ ସବୁ କଥା ବୁଝାଇବାକୁ ଚେଷ୍ଟା କରୁଛୁ କାହିଁକି ?

 

- କାରଣ ମୁଁ ଜାଣେ ତୁ ଲପିତାକୁ ଅତି ଭଲପାଉ ଆଉ ପ୍ରତିଦାନରେ ଚାହୁଁ ତାର ସ୍ନେହ ସୁହାଗ ସବୁ କିଛି । ଏ ପର୍ଯ୍ୟନ୍ତ କିଛି ପାଇନାହୁଁ ବୋଲି ଗୋଡ଼ୋଉଛୁ । ପାଇଲେ ଅତିଶୀଘ୍ର ବିରକ୍ତ ହୋଇଯିବୁ, କ୍ଳାନ୍ତ ହୋଇ ପଡ଼ିବୁ । ତାକୁ ନ ପାଇ ତୁ ଆଜି ଯେତିକି ନିରାଶ ହୋଇଛୁ ତାକୁ ପାଇଲା ପରେ ମଧ୍ୟ ତୁ ସେତିକି ନିରାଶ ହେବୁ; ହୁଏତ କିଛି ବେଶୀ । ସେ ଦେହସର୍ବସ୍ୱା ।

 

ଭୁଲ୍‍ -ସବୁ ଭୁଲ୍‍ କହୁଛି ପ୍ରକାଶ । ବର୍ଷ ବର୍ଷ ଧରି ତିନିବର୍ଷ ଏକାଘରେ ଚଳିଛନ୍ତି ଦୁଇଜଣ-। ଲପିତା ଦେହସର୍ବସ୍ଵା ହୋଇଥିଲେ ଥରଟିଏ ବି ତା ସାଥିରେ ଦେହର ମିଳନ ସମ୍ଭବ ହେଲା ନାହିଁ କିପରି ? ସ୍ୱାମୀର ଅସୁନ୍ଦର ଦେହ ପ୍ରତି ସ୍ତ୍ରୀ କଣ ଏତେଦୂର ବିମୁଖ ହୋଇପାରେ ?

 

ସୁକାନ୍ତ ଉଠିଲା ।

 

-- ମୁଁ ଯାଉଛି । ଏଇଠି ବେଶୀ ସମୟ ବସିଲେ ମୁଁ ପାଗଳ ହୋଇଯିବି ।

 

ସୁକାନ୍ତର କଥା ଶୁଣି ପ୍ରକାଶ ହସିଲା ।

 

କହିଲା - ଏଠି ବେଶୀ ସମୟ ବସିଲେ ତୁ ପାଗଳ ହେବୁ ନାହିଁ । ତେବେ ଆଉ କିଛିଦିନ ଯଦି ତୋ ଦେହର ଭୋକକୁ ତୁ ଏମିତି ଦେହରେ ମାରୁ ତେବେ ନିଶ୍ଚୟ ପାଗଳ ହୋଇଯିବୁ । ଆତ୍ମପୀଡ଼ନଠାରୁ ବଡ଼ ପାପ ମଣିଷ ଜୀବନରେ ଆଉ କିଛି ନାହିଁ; କାରଣ ସେ ପାପର କୌଣସି ପ୍ରାୟଶ୍ଚିତ୍ତ ନାହିଁ । ତୋର କଣ କିଛି ଜରୁରୀ କାମ ଅଛି ? ଚାଲ୍‍ ମୁଁ ତତେ ଆଜି ମୋର ଜଣେ ବାନ୍ଧବୀଙ୍କ ଘରକୁ ନେଇଯିବି, ଅବଶ୍ୟ ସେ ସମାଜର ଅତି ନିକୃଷ୍ଟ ଶ୍ରେଣୀର ଜୀବ... କଣ ଯିବୁ ?

 

ହଉ ପଛେ ସମାଜର ଅତି ନିକୃଷ୍ଟ ଶ୍ରେଣୀ ଜୀବ, ପ୍ରକାଶର ବାନ୍ଧବୀ ତ ? ପ୍ରକାଶର ପ୍ରସ୍ତାବରେ ସୁକାନ୍ତ ହଠାତ୍‍ ରାଜି ହୋଇଗଲା । ରୁମାଲ୍‍ରେ ମୁହଁ ପୋଛି ମୁଣ୍ଡର ବିକ୍ଷିପ୍ତ କେଶଗୁଚ୍ଛକୁ ନିଜ ହାତ ପାପୁଲିରେ ସଜାଡ଼ି ନେଲା । ପ୍ରାୟ ପାଞ୍ଚମିନିଟ୍‍ ପରେ ଦୁହେଁ ବାହାରିଲେ ।

 

ଅତି ସାଧାରଣ ଆସବାବପତ୍ରରେ ଘରଟି ସଜା ହୋଇଛି । ଚାରିଆଡ଼କୁ ଥରେ ଦୃଷ୍ଟି ବୁଲାଇ ନିଏ ସୁକାନ୍ତ । କାନ୍ଥରେ ଟଙ୍ଗା ହୋଇଛି ଯୀଶୁଙ୍କର ଗୋଟିଏ ବଡ଼ ଫଟୋ । ଚାହିଁଲାମାତ୍ରେ ଭକ୍ତିରେ ମୁଣ୍ଡ ଆପେ ଆପେ ନଇଁଯିବ । କଣରେ ଗୋଟିଏ ଛୋଟିଏ ଟେବୁଲ, ଟେବୁଲ୍‍ ଉପରେ ଶଙ୍ଖର ଦୁଇଟି ଫୁଲଦାନୀ ...ସଜା ହୋଇଛି ଚିରସଦ୍ୟ କାଗଜଫୁଲର ତୋଡ଼ାରେ । ଫୁଲଦାନୀ ମଝିରେ ମଝିରେ ଦୁଇଟି ଫଟୋଷ୍ଟାଣ୍ଡ୍‍ ଶୋଭାପାଉଛି । ଗୋଟିକରେ ପ୍ରକାଶର ଆଉ ଅନ୍ୟଟିରେ ସିନ୍ଥିଆର ଫଟୋ, ଦୁହେଁ ହସୁଛନ୍ତି ।

 

ଭଏଲ୍‍ କନାର ପର୍ଦ୍ଦାରେ ଶିହରଣ ସୃଷ୍ଟିକରି ହସି ହସି ଘର ଭତରକୁ ପଶିଆସିଲା ସିନ୍ଥିଆ ।

 

- ନମସ୍କାର

 

ହାତଯୋଡ଼ି ପ୍ରତିନମସ୍କାର ଜଣାଏ ସୁକାନ୍ତ । ପ୍ରକାଶ ସମ୍ଭାଷଣ କରେ ମୃଦୁମୃଦୁ ହସରେ-। ତାପରେ କହେ - ମୁଁ ଏଇ ବାବୁଙ୍କ କଥା ତମକୁ କହୁଥିଲି ।

 

- ଆପଣ ତା’ହେଲେ ସୁକାନ୍ତବାବୁ ? ପ୍ରକାଶ ମୁହଁରୁ ଆପଣଙ୍କ କଥା ବହୁବାର ଶୁଣିଛି ।

 

ସାମନା କୁସନ୍‌ରେ ବସେ ସିନ୍ଥିଆ । ଗାଢ଼ ନାଲିରଙ୍ଗର ସିଫନ୍‍ ଶାଢ଼ୀ ତାକୁ ସୁନ୍ଦର ମାନୁଛି । ଦେହ ହାତରୁ ଝରି ପଡ଼ୁଛି ଅଫୁରନ୍ତ ଲାବଣ୍ୟ । ଦୁଇଟି ନିଟୋଳ ଯୌବନର ସମ୍ଭାରରେ ସତେ ଯେମିତି ଭାଙ୍ଗି ପଡ଼ୁଛି ଏଇ ଆଙ୍ଗ୍ଳୋଇଣ୍ଡିଆନ୍‍ ରମଣୀଟି ।

 

ଜୀବନରେ ପ୍ରଥମ । ପ୍ରଥମଥର ଲାଗି ଏପରି ରହସ୍ୟଘନ ପରିବେଶ ଭିତରେ ସୁକାନ୍ତ ଆପଣାକୁ ଆବିଷ୍କାର କରୁଛି । ନିଜକୁ ଅତି ଦୁର୍ବଳ ମନେ ହଉଛି ତାର । ଆଉ ଟିକକ ପରେ ସତେ ଯେମିତି ଅଣନିଶ୍ୱାସି ହୋଇଯିବ । ମୁହଁ ଆଉ କପାଳରେ ଅସଂଖ୍ୟ ସ୍ଵେଦବିନ୍ଦୁ ।

 

- ଇଏ ମୋର କେବଳ ଫ୍ରେଣ୍ଡ୍‍ ନୁହଁନ୍ତି । ଫିଲୋସଫର୍‍ ଆଣ୍ଡ ଗାଇଡ଼୍‍ ମଧ୍ୟ । ଯେ କୌଣସି ସାମାଜିକ ସମସ୍ୟାର ସମାଧାନ ସେ ଅକ୍ଳେଶରେ କରିଦେଇ ପାରନ୍ତି । ସିନ୍ଥିଆ ଆଡ଼କୁ ଆଙ୍ଗୁଳି ନିର୍ଦ୍ଦେଶକରି ପ୍ରକାଶ କହେ ।

 

ବିମୁଗ୍‌ଧ ଦୃଷ୍ଟିରେ ସୁକାନ୍ତ ଆଡ଼କୁ ଚାହିଁ ସିନ୍ଥିଆ କହେ - ଆପଣ ଚୁପ୍‌ଚାପ୍‌ ବସି ରହିଲେ ଯେ ? କଣ ମୋ ସାଙ୍ଗେ କଥା କହିବେ ନାହିଁ ?

 

- ଖୁବ୍‍ ବେଶୀ ସା’ଇ ମୋର ଏ ବନ୍ଧୁଟି ।

 

- ସତେ ନା କଣ ? ସା’ଇ ଲୋକଙ୍କୁ ମୋର ଭାରି ଡର । ସୁବିଧା ପାଇଲାମାତ୍ରେ ସେମାନେ କର୍ମ-ଚଞ୍ଚଳ ହୋଇଉଠନ୍ତି ।

 

ଖିଲ୍‍ ଖିଲ୍‌ ହୋଇ ହସି ଉଠେ ସିନ୍ଥିଆ । ତାପରେ ଭିତରକୁ ଚାଲିଯାଏ ।

 

କିଛି ସମୟପରେ କୋକୋ ଦୁଇକପ୍‌ ଧରି ପ୍ରବେଶ କରେ । ଫେରିଲାବେଳେ ସୁକାନ୍ତର ମନେହୁଏ ଯେମିତି ଥରକର ଦେଖାରେ ସିନ୍ଥିଆ ତାକୁ କିଣି ନେଇଛି । ପ୍ରତିଟି କଥାରେ କି ଆବେଗ କି ଦରଦ ! ସତେ ଯେମିତି ସୁକାନ୍ତ ତାର ଜନ୍ମ ଜନ୍ମାନ୍ତରର ବନ୍ଧୁ !

 

ଦୁଇଦିନ ପରେ ସେ ପୁଣି ଯାଏ ସିନ୍ଥିଆ ଘରକୁ, ଫେରିଲା ବେଳେ ସିନ୍ଥିଆ କହେ - ଯେତେବେଳେ ଇଚ୍ଛା ହଉଥିବ ଆସୁଥିବେ । ଏଇଟା ତ ଆପଣଙ୍କର ଘର । ଆପଣମାନେ ନ ଆସିଲେ ଏ ଘରର ଶ୍ରୀ ନଷ୍ଟ ହୋଇଯିବ ।

 

ତାପରେ ପ୍ରାୟ ସନ୍ଧ୍ୟାବେଳେ ସୁକାନ୍ତ ଆସେ ।

 

ସାରାଦିନର କ୍ଳାନ୍ତି ଅବସାଦ ସବୁ ଧୋଇ ହୋଇଯାଏ ସିନ୍ଥିଆର କଥା ପଦକରେ । ଆରମ୍ ଲାଗେ ସୁକାନ୍ତକୁ । ଅଳ୍ପଦିନ ଭତରେ ସମ୍ପର୍କ ନିବିଡ ହୋଇଉଠେ ।

 

ଖୋଲାଖୋଲି ଭାବରେ ସୁକାନ୍ତ ସବୁକଥା ସିନ୍ଥିଆକୁ କହେ । କହେ ତା ବିବାହିତ ଜୀବନର କ୍ଳାନ୍ତି ଆଉ ପରାଜୟର ଇତିହାସ, କହେ ଭବିଷ୍ୟତ ଜୀବନର ଆଶା ଆଉ ଆଶଙ୍କାର କାହାଣୀ ।

 

ଦିନେ ସେଇ ଧରଣର କଣ ଗୋଟାଏ କଥା ପଡ଼ୁପଡ଼ୁ ସିନ୍ଥିଆ କହିଲା - ଆପଣଙ୍କ ସ୍ତ୍ରୀ ଆପଣଙ୍କୁ ଭଲପାଆନ୍ତି ନାହିଁ, ଏଇତ ? ସେଥିରେ ଦୁଃଖ କରିବାର କଣ ଅଛି ? ସେ ଯଦି ଭଲ ପାଇବାର ଅଭିନୟ କରୁଥାନ୍ତେ ତେବେ ସେଇଟା ହୋଇଥାନ୍ତା ସବୁଠାରୁ ବେଶୀ ଷୋଭର କଥା .... ନୁହଁ ?

 

ବୋଧହୁଏ ନୁହଁ । ଲପିତାର ଅଭିନୟ ମଧ୍ୟ କମ୍‍ ଆନନ୍ଦ ଦେଇ ନଥାନ୍ତା ତାକୁ, କାରଣ ପ୍ରେମ ଜନ୍ମାନ୍ଧ । ସିନ୍ଥିଆ ପୁଣି କହିଲା - ଆପଣ ଭାରି ବୋକା । କାହାକୁ କେବେ ଭଲ ପାଇଥିଲେ ସେଥିପାଇଁ ତା କଥା ଭାବିଭାବି କଣ ସାରା ଜୀବନ ନଷ୍ଟ କରିଦେବେ ? ଜୀବନଟାକୁ ଯଦି ତିଳ ତିଳ କରି ଭୋଗ ନ କଲେ, ତେବେ ବଞ୍ଚି ରହି ଲାଭ କଣ ?

 

ଲାଭ କିଛି ନାହିଁ ବରଂ କ୍ଷତି, ସୁକାନ୍ତ ବୁଝୁଛି । ବୁଝୁଛି ଭଲପାଇବା ଜୀବନରେ ଥରେ ଆସେ ବୋଲି ଯେଉଁମାନେ ଭାବନ୍ତି ସେମାନେ ନିର୍ବୋଧ । ପ୍ରେମ ଗୋଟାଏ ଜାଗାରେ ବେଶିଦିନ ସ୍ଥାୟୀ ହେବା ମଧ୍ୟ ଉଚିତ୍‍ ନୁହେଁ, ତା ହେଲେ ଉନ୍ମାଦନା କମିଯିବ, ଉତ୍ସାହ କମିଯିବ । ଦୁର୍ବହ ହୋଇ ପଡ଼ିବ ଏ ଜୀବନ ।

 

କେବେ କେବେ ସୁକାନ୍ତର ହାତମୁଠା ଭିତରୁ ନିଜକୁ ମୁକୁଳେଇ ନେଇ ସିନ୍ଥିଆ କହେ - ସବୁ କରନ୍ତୁ କେବଳ ମତେ ଛୁଅନ୍ତୁ ନାହିଁ । ଆପଣ ବୁଝିପାରୁ ନାହାନ୍ତି ମୁଁ କି ତୁଚ୍ଛ, କି ଅପଦାର୍ଥ କି ଅସାର । .... କେଉଁ ରୋଗର ବୀଜାଣୁ ମୋ ରକ୍ତ କଣିକାରେ ମିଶି ରହିଥିବ । ଗୋଟିଏ ରାତିର ବିଭ୍ରମରେ ଆପଣ ସାରାଜୀବନ କଷ୍ଟ ପାଇବେ କାହିଁକି ?

 

ଠିକ୍‌ କରି ବୁଝିହୁଏ ନାହିଁ ସିନ୍ଥିଆକୁ । ସବୁ ଅତିଥିଙ୍କ ସାଥିରେ ସେ କଣ ଏଇ ବ୍ୟବହାର କରେ ? ପ୍ରକାଶ ସହିତ ତାର ମିଳାମିଶା କଣ ଏତିକିରେ ସୀମାବଦ୍ଧ ? ହୁଏତ ସିନ୍ଥିଆ ପ୍ରକାଶ ଠାରୁ ବେଶୀ ଭଲ ପାଇ ବସିଛି ତାକୁ ।

 

କିମ୍ବା ୟା ବି ହୋଇପାରେ - ନିଜ ଦେହର ମୂଲ୍ୟ ସେ ଆଗତୁରା ନ ପାଇବା ଯୋଗୁଁ ସୂକ୍ଷ୍ମ ଉପାୟରେ ତାକୁ ଆଡ଼େଇ ଯାଉଛି ।

 

ସୁକାନ୍ତ ମନେ ମନେ କଳନା କରେ କେତେ ହବ ସିନ୍ଥିଆର ଦେହର ମୂଲ୍ୟ ? ପାଞ୍ଚ ...... ଦଶ୍‌ ..... ପଚିଶ୍‌ ?

 

ଯାହା ହଉନା କାହିଁକି ଲପିତା ବିଚାରଶୀଳା । ପ୍ରାନ୍ତୀୟ ଜନ୍ମନିରୋଧ ସମିତିର ବିଶେଷ ଅଧିବେଶନରେ ଯୋଗ ଦେବାକୁ ଯିବା ପୂର୍ବରୁ ସେ ଆୟା ଜିମା ଦେଇ ଯାଇଛି ଖଣ୍ଡିଏ ଦଶଟଙ୍କିଆ ନୋଟ୍‍ ଓ ସୁକାନ୍ତ ନାଁରେ ଆସିଥିବା ଟେଲିଗ୍ରାମ୍‍ । ସୁକାନ୍ତର ବୋଉ ଇହଲୋକ ତ୍ୟାଗ କରିଛନ୍ତି । ସେ ଗାଁକୁ ଯିବ । ତାର ରାସ୍ତା ଖର୍ଚ୍ଚ ପାଇଁ ପଇସା ଦରକାର । ସେ ବାବଦରେ ଦଶଟଙ୍କା ।

 

କାହିଁକି କେଜାଣି ସୁକାନ୍ତ ସେଦିନ ସହଳ ସହଳ ଫେରି ଆସିଲା ଘରକୁ । ସାରାଦିନ ତା ମନ କେଉଁଠି ଲାଗିନାହିଁ । ସବୁବେଳେ ଚଞ୍ଚଳ, ସବୁବେଳେ ଅସ୍ଥିର । ପାହାନ୍ତା ପହରୁ ସ୍ୱପ୍ନ ଦେଖିଥିଲା ବୋଉକୁ । କମଳା ରଙ୍ଗର କସ୍ତା ଖଣ୍ଡକ କାଖରେ ଯାକି ବୋଉ ତାକୁ କହୁଛି - ଯାଉଛିରେ ସୁକା...

 

ବାରଣ୍ଡାରେ ଗୋଡ଼ ଦଉଦଉ ଆୟା ବଢ଼େଇ ଦେଇଥିଲା ଟେଲିଗ୍ରାମ୍‌ ଖଣ୍ଡକ । ବୋଉ ତାହେଲେ ସତକୁ ସତ ଚାଲିଯାଇଛି ।

 

ଶାଶୁଙ୍କର ଶୁଦ୍ଧକ୍ରିୟାକୁ ଆସିପାରି ନ ଥିବାରୁ ଲପିତା ଦୁଃଖ ପ୍ରକାଶ କରି ଚିଠି ଦେଇଛି । ଖାଲି ସେତିକି ନୁହେଁ, ଚିଠିରେ ବେଶ୍‍ ନମ୍ର ଭାବରେ ଶାଶୁଙ୍କର ପବିତ୍ର ଆତ୍ମାର ସଦ୍‌ଗତି ମଧ୍ୟ କାମନା କରିଛି ସେ । ଜମିବାଡ଼ି ଯାହା ଅଛି ତାର ବିକ୍ରିର ବ୍ୟବସ୍ଥା କରି ସୁକାନ୍ତ ଯେମିତି ଶୀଘ୍ର ଫେରିଯାଏ । ତା ପାଇଁ ଗୋଟିଏ ଚାକିରୀର ବନ୍ଦୋବସ୍ତ ହୋଇଯାଇଛି । ସାତଦିନ ଭିତରେ ଯୋଗଦେବାକୁ ପଡ଼ିବ ।

 

ଚିଠିର ସାରାଂଶ ଶୁଣି ରୁବିଭାଉଜ କହିଲେ - ଭଲ କଥା ... କାଲି ଚାଲିଯା । ସବୁ ଝଞ୍ଜାଟ ତୁଟେଇ ମୁଁ ଗାଁକୁ ଫେରୁ ଫେରୁ ପ୍ରାୟ ତିନିଦିନ ଲାଗିବ .... ଆଉ ଜମିବାଡ଼ି କଥା ତମ ଭାଇଙ୍କି ପଚାର । ସେ ଗୁମାସ୍ତାଙ୍କଠୁ ବୁଝି ପରେ ଲେଖିବେ ।

 

ଭଲଲାଗେ ରୁବି ଭାଉଜଙ୍କୁ, ଭଲଲାଗେ ରମାଭାଇଙ୍କି । ସବୁ କାମକୁ ଆଗ । ଅଣ୍ଟାଭିଡ଼ି ସବୁ ଉଠେଇ ନିଅନ୍ତି । ବୋଉର ମରିବା ଖବର ପାଇ ସେଇ ଯେ ଆସିଛନ୍ତି ଆଉ ଫେରି ନାହାନ୍ତି । ଶୁଦ୍ଧକ୍ରିୟା ସରିଲା... ଏଣିକି ଫେରିବେ । ସାଇ ଭାଇମାନେ ଆଜିକାଲି ସମସ୍ତେ ବାବୁ । ମୁଣ୍ଡ ଉପରକୁ କାମ ନବାକୁ ନାରାଜ । ଯାହାହଉ ସୁରୁଖୁରୁରେ ଶୁଦ୍ଧକ୍ରିୟା ବଢ଼ି ଯାଇଛି ।

 

କଣ ଗୋଟାଏ ଛୁଟି ଦିନ, ଲପିତା ଘରେ ଭୋଜିଭାତ ହେଉଥିଲା । ଶାନ୍ତା, ରୀତା, ରମା ପ୍ରଭୃତି କେତେଜଣ ହଲିଡେଇଂ କରିବାକୁ ତା ଘର ବାଛି ନେଇଥିଲେ । ଏମାନେ ସମସ୍ତେ ଅଧ୍ୟାପିକା । ଶାନ୍ତାକୁ ଛାଡିଦେଲେ ଅନ୍ୟ ଦୁଇଜଣ ଯାକ ଅବିବାହିତା- ବୟସ୍କା କୁମାରୀ । ଶାନ୍ତାର ସ୍ୱାମୀ ଗୋଟିଏ ସରକାରୀ କଲେଜର ଅଧ୍ୟକ୍ଷ । ସେଥିପାଇଁ ଶାନ୍ତାକୁ ତା କଲେଜର ଆଉ ସବୁ ସହକର୍ମୀମାନେ ଭାରି ହିଂସା କରନ୍ତି । ବିଶେଷ କରି ଲପିତା ତ ମନେମନେ ଜଳି ପୋଡ଼ିଯାଏ । ସତେ କି ଭାଗ୍ୟ ନେଇ ଜନ୍ମ ହୋଇଥିଲା ଶାନ୍ତା । ଯେମିତି ରୂପ ସେମିତି ଗୁଣ । ଆଉ ଘର ବର ମଧ୍ୟ ସେଇ ଅନୁପାତରେ । କୋଳ ଉଜ୍ଜ୍ଵଳ ପୁଅଟିଏ ବି ଭଗବାନ ଦେଇଛନ୍ତି ...ବାସ୍‌ ଆଉ କ’ଣ ଦରକାର ?

 

ରୀତା ଇତିହାସ ଅଧ୍ୟାପିକା । ଇତିହାସକୁ ଜାବୁଡ଼ି ଧରିଛି । ଆଦ୍ୟ ଯୌବନରେ କେହି ଜଣେ ପ୍ରେମ ଭିକ୍ଷାର୍ଥୀକୁ ସେ ନିରାଶରେ ଫେରାଇ ଦେଇଥିଲା - ସେଇ ପାପର ପ୍ରାୟଶ୍ଚିତ ସେ ଏବେ ସୁଦ୍ଧା କରୁଛି ବୋଲି କହେ । ତା ପରଠାରୁ ଆଜି ପର୍ଯ୍ୟନ୍ତ ଯେତେଜଣ ଆସିଛନ୍ତି ସେ ସମସ୍ତଙ୍କୁ ଫେରାଇ ଦେଇଛି । ତାର ପୂର୍ଣ୍ଣ ବିଶ୍ୱାସ ତା ଜୀବନର ସେଇ ପ୍ରଥମ ଭିକ୍ଷୁ ହୁଏତ ନାନା ତୀର୍ଥ ପରିକ୍ରମା କରି ଦିନେ ନା ଦିନେ ତା ଦୁଆରକୁ ଫେରି ଆସିବ । ଆଉ ସେଇ ଦିନ ରୀତା ତା ଠାରୁ ନବ ପ୍ରେମର ପ୍ରଥମଦୀକ୍ଷା । ଇତିହାସର ପୁନରାବୃତ୍ତି ସୁନିଶ୍ଚିତ ।

 

ରମା ସୁନ୍ଦରୀ । ତେଣୁ କୌଣସି ଓଡ଼ିଆଯୁବକ ତାର ପସନ୍ଦ ନୁହଁନ୍ତି । ସେ ଅପେକ୍ଷା କରିଛି କେଉଁ ପଞ୍ଜାବୀ କିମ୍ବା ସେଇ ଜାତୀୟ କୌଣସି ପୁରୁଷର ଆମନ୍ତ୍ରଣକୁ । ତା ନ ହେଲେ କେବେଠୁ ସେ ଅଧଡ଼ଜନେ ପିଲାର ମା ହୋଇ ସାରନ୍ତାଣି .।

 

ସେ କହିଲା - ତମେ ସିନା ବିଶ୍ୱାସ କରିବ ନାହିଁ ଶାନ୍ତାଅପା .. ଆମ ଘରକୁ ଯଦି କେବେ ଆସନ୍ତ - ଦେଖାନ୍ତି ବଡ଼ ବଡ଼ ଟ୍ରଙ୍କମାନ ଭର୍ତ୍ତିହୋଇ ଯାଇଛି ଚିଠିରେ ...କମ୍‍ ଲୋକ ଚିଠି ଦେଇଛନ୍ତି !... କିଏ ମୋ କଇଁଫୁଟା ହସ ଦେଖି ପାଗଳ ତ କିଏ ମୋ ପଦ୍ମଫୁଟା ଚାଲିରେ ଘାଏଲ୍‌ ... ଆଉ କିଏ ମୋ ବେଣୀରେ ଦଉଡ଼ି ଦେବାକୁ ଚାହେଁ ...ତମର ଯଦି ଅବିଶ୍ୱାସ ହଉଛି - ରୀତା ଦି’କି ପଚାର ... ସେ ତ ସବୁ ଦେଖିଛନ୍ତି ।

 

ରମା ସବୁବେଳେ ଜଗିରଖି କଥାବାର୍ତ୍ତା କରେ । ସାଙ୍ଗସାଥିମାନଙ୍କ ପର୍ଯ୍ୟନ୍ତ ସ୍ଥଳବିଶେଷରେ କାହାକୁ ନାନୀ, କାହାକୁ ଦିଦି, କାହାକୁ ଅପା ବୋଲି ସମ୍ବୋଧାନ କରେ । କାରଣ ସେ ଜାଣେ ନିଜର ବୟସକୁ ସବୁବୁବେଳେ କମେଇ ରଖିବାର ଏଇଟା ହିଁ ହଉଛି ପ୍ରକୃଷ୍ଟ ପନ୍ଥା ।

 

ହଠାତ୍‍ ଫାଟକ ଆଡ଼କୁ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରି ରମା ରହସ୍ୟରେ କହିଲା ହେଇଟି ଲୋ ରୀତା ଦି - ଇଏ ତୋର ସେଇ ପ୍ରେମଭିକ୍ଷୁ ନିଶ୍ଚୟ । ତତେ ଖୋଜି ଖୋଜି ୟାଡ଼େ ଆସୁଛନ୍ତି ନାଁ କ’ଣ

 

ହାତରେ ଆଟାଚି ଖଣ୍ଡେ ଧରି ରିକ୍‌ସାରୁ ଓହ୍ଲାଉଛି ସୁକାନ୍ତ । ସମସ୍ତେ ହୋ ହୋ କରି ହସି ଉଠିଲେ ...ସେଇ ହସର ଢେଉ ସୁକାନ୍ତ କାନରେ ମଧ୍ୟ ପିଟିହେଲା । ନିଃଶବ୍ଦରେ ତଳକୁ ଓହ୍ଲାଇଗଲା ଲପିତା । ରାଗରେ ସେତେବେଳେ ସେ ଥରୁଛି

 

- ମୋ ସାଙ୍ଗମାନେ ଉପରେ ଅଛନ୍ତି, ତମେ କିଛି ସମୟ ତଳେ ରୁହ ... ବାରଣ୍ଡା କି ଦୁଆରକୁ ବାହାରି ବେଶି ଫାର୍ସ କରିବା ଦରକାର ନାହିଁ ।

 

ଏତିକି କହି ଲପିତା ଉପରକୁ ଚାଲିଯାଏ । ତା କଥା ଶୁଣି ରକ୍ତରେ ଯେମିତି ନିଆଁ ଲାଗିଯାଏ ସୁକାନ୍ତର । ସବୁ ଜିନିଷର ଗୋଟାଏ ସୀମା ଅଛି ।

 

ସଖୀମାନେ ଯାଉଁଯାଉଁ ରାତି ପ୍ରାୟ ଆଠଟା । ପଥକ୍ଳାନ୍ତିରେ ନିଦ ହୋଇଯାଇଥିଲା ସୁକାନ୍ତକୁ । ଲପିତା ଉଠେଇ ଦେଲା ।

 

- ଜମିବାଡ଼ି ବିକ୍ରିର ବ୍ୟବସ୍ଥା କରି ଆସିଛ ?

 

ରାତ୍ରିଭୋଜନ ବେଳେ ପଚାରିଲା ଲପିତା !

 

- ଘରଡିହଖଣ୍ଡକ ଛାଡ଼ିଦେଲେ ଆଉ କିଛି ନାହିଁ । ସବୁ ନିଲାମ୍‍ରେ ଉଠିଛି ।

ଡାଡ଼ି ତା ହେଲେ କଣ ଦେଖି ସୁକାନ୍ତ ସାଥିରେ ତାର ବାହା ଦେଇଥିଲେ କେଜାଣି ! ମଦୁଆ ତ, କାଣ୍ଡ ଜ୍ଞାନର ଅଭାବଥିଲା ନିଶ୍ଚୟ ।

 

ଦାନ୍ତଚିପି ଲପିତା ପଚାରିଲା - ଘରଡିହ ଖଣ୍ଡକ ବିକ୍ରିକଲେ କେତେ ହବ ? ଶଏ ନା ଦୁଇଶହ ?

 

- କେତେ ହବ ମୁଁ କହିପାରିବି ନାହିଁ । ସେ ଖଣ୍ଡକ ବିକ୍ରି କରିବାର ଇଚ୍ଛା ମୋର ନାହିଁ

କାଇଁ ? ପିତୃ ପୁରୁଷଙ୍କର ସନ୍ତକ ବୋଲି ? .. ତା ହେଲେ ସିଇଠି ଯାଇଁ ରହି ସେମାନଙ୍କୁ ସୁମରଣା କର ।

 

ଲପିତାର ତାଚ୍ଛଲ୍ୟଭରା କଣ୍ଠସ୍ୱର । କିଛି ସମୟ ପରେ ସୁକାନ୍ତ ପଚାରିଲା - ଯେଉଁ ଚାକିରୀ କଥା ଲେଖିଥିଲ ତାର କଣ ହେଲା ?

 

- ହବ ଆଉ କଣ ? ତମକୁ ଯେ ନେବେ ନାହିଁ ସେ ବିଷୟରେ ମୁଁ ବର୍ତ୍ତମାନ ନିଶ୍ଚିତ । ସାହେବ କମ୍ପାନୀ ... ତମକୁ ଦେଖିଲାକ୍ଷଣି ତ ଦୁଆର ମୁହଁରୁ ବିଦା କରିଦେବେ ... ଭାବିବେ ବୌଦ୍ଧ ଯୋଗୀଟିଏ ବୋଧେ ବାଟ ଭୁଲି ପଶିଆସିଛି । କି ଦୁର୍ଭାଗ୍ୟ ନେଇ ଯେ ଜନ୍ମ ହୋଇଛ ।

 

- କଣ କରିବି କୁହ ?

 

- କିଛି କରିବା ଦରକାର ନାହିଁ ...ଏ ଧର୍ମଶାଳାରେ ତ ଅନ୍ନଛତ୍ରର ସୁନ୍ଦର ବନ୍ଦୋବସ୍ତ ରହିଛି, ଆଉ ଚିନ୍ତା କଣ ?

 

ଝଡ଼ ବେଗରେ ଅଧାଖିଆରୁ ଉଠିଗଲା ସୁକାନ୍ତ । ଛି ଛି ... ୟା ଠୁ ଯେ ମୃତ୍ୟୁ ଭଲ ।

 

ରାସ୍ତାମୁଣ୍ଡରେ ପହଞ୍ଚିଲା ବେଳକୁ ତା ଆଖି ଲୁହରେ ଭରି ଗଲାଣି । ରୁମାଲ୍‍ରେ ଆଖିପୋଛି ଭାବିଲା ଏତେ ରାତିରେ କୁଆଡ଼େ ଯିବ ? ପ୍ରକାଶ ଘରକୁ, ନାଁ ସେ ତ ବର୍ତ୍ତମାନ ମଦନିଶାରେ ଚୁର୍‍ ଥିବ । ସିନ୍ଥିଆ ପାଖକୁ ଗଲେ କେମିତି ହୁଅନ୍ତା ? ମନ୍ଦ ହୁଅନ୍ତା ନାହିଁ ତ ? ଗୋଟିଏ ରାତିର ଆଶ୍ରୟ କଣ ସେଠି ମିଳିବ ନାହିଁ ? ମିଳିବ । ବହୁତ ଦିନ ପରେ ଦେଖାହେବ ସିନ୍ଥିଆ ସାଙ୍ଗରେ ... ଦୀର୍ଘ ଦୁଇମାସ ପରେ ।

 

ରେକ୍‌ସା ଖଣ୍ଡେ ଧରି ସିନ୍ଥିଆ ଘରେ ପହଞ୍ଚି ଦେଖେ ତ ଆଉ ଜଣେ କିଏ ନୂଆ ଭଦ୍ରଲୋକ ସେଠି ରହିଲେଣି । ଲମ୍ବା ହୋଇ ବୁଢ଼ାଳିଆ ଚେହେରା ... ମୁହଁର ନାଲି ଚମଡ଼ାଟା କେମିତି ଗୋଟାଏ ଭୟଙ୍କର ରକମର କୁଞ୍ଚିହୋଇ ଯାଇଛି । ଦୁଇ ହାତରେ ପାପୁଲି ଆଉ ଆଙ୍ଗୁଠି ସନ୍ଧିରେ ଧଳା ଧଳା ଛଉ ।

 

ସିନ୍ଥିଆ କଥା ପଚାରିଲା କ୍ଷଣି ଭଦ୍ରଲୋକ କେମିତି ଗୋଟାଏ ସନ୍ଦେହମିଶା ଦୃଷ୍ଟିରେ ସୁକାନ୍ତ ଆଡ଼କୁ ଅନେଇ ତାକୁ ବସିବାକୁ ଇଙ୍ଗିତ କଲେ ।

 

ପଚାରିଲେ - ତା ସହିତ କିଛି ଜରୁରୀକାମ ଅଛି ?

 

- ନାଁ ... ଏମିତି ବୁଲି ଆସିଥିଲି ... ମୁଁ ତାର ଜଣେ ବନ୍ଧୁ । ବୃଦ୍ଧ ହସି ହସି କହିଲେ – ବନ୍ଧୁ-? ରାତିର ନା ଦିନର ? ସୁକାନ୍ତ ଏ ପ୍ରଶ୍ନର କି ଉତ୍ତର ଦେବ ଭାବିପାରେ ନାହିଁ ।

 

ତୀକ୍ଷ୍ଣ ଦୃଷ୍ଟିରେ ତା ଆଡ଼କୁ ଅନେଇ ବୃଦ୍ଧ କହନ୍ତି - ଇୟଂମ୍ୟାନ୍, ତମ ସୁଇଟ୍‌ହାର୍ଟ ବର୍ତ୍ତମାନ ଅଷ୍ଟ୍ରେଲିଆରେ – ଫ୍ଲାଇଟ୍‌ ଲେଫଟ୍‌ନାଣ୍ଟ ଜୋନସ୍‍ଙ୍କର ପ୍ରିୟତମା ।

 

- ମାତ୍ର ଦୁଇଟା ମାସ ଭିତରେ ଏତେ ପରିବର୍ତ୍ତନ ହୋଇଯାଇଛି ? ମାତ୍ର ଦୁଇଟା ମାସ । ଭଲ ହେଲା, ଭଗବାନ ସିନ୍ଥିଆର ମଙ୍ଗଳ କରନ୍ତୁ ।

 

ସୁକାନ୍ତ ଶୁଭରାତ୍ରି ଜ୍ଞାପନକରି ଘରଭିତରୁ ବାହାରି ଆସୁଥିଲା, ବୃଦ୍ଧପ୍ରାୟ ଚିତ୍କାର କରି ଉଠିଲେ - ଏତେ ଶୀଘ୍ର ଚାଲିଯାଉଛ କାହିଁକି ? ସିନ୍ଥିଆ ଥିଲେ ତ ଘଣ୍ଟା ଘଣ୍ଟା ଧରି ବସିଥା’ନ୍ତା ... ମୋ ପରି ଗୋଟାଏ ଶୁଷ୍କ ନୀରସ ବୁଢ଼ାପାଖେ ମନ ଲାଗୁନାହିଁ, ନାଁ ?

 

ନିରୁପାୟ ହୋଇ ସୁକାନ୍ତ ବସେ । ଭଦ୍ରଲୋକ ଭାରି ଗପୁଡ଼ି । ତାଙ୍କ କଥାରୁ ଜଣାପଡ଼େ ଯେ ସେ ସିନ୍ଥିଆର ମାମୁଁଅଜା । ପ୍ରଥମ ବିଶ୍ୱଯୁଦ୍ଧ ବେଳେ ସେ ମିଲିଟାରୀରେ ଯୋଗ ଦେଇଥିଲେ । ନିକଟରେ ରିଟାୟାର୍ଡ଼ କରିଛନ୍ତି ।

 

ଖୁବ୍‍ କଡ଼ାସିଗାରେଟ୍‌ ଖଣ୍ଡେ ଟାଣୁଟାଣୁ ବୃଦ୍ଧ କହିଲେ-ସିନ୍ଥିଆ ଭାରି ଭଲ ଝିଅ । ତା ବାପା ମରିଯିବାରୁ ସେ ବେମୁରରିଆ ହୋଇଗଲା । ତା ବାପ ବହୁତ ପଇସା କମେଇଥିଲା କିନ୍ତୁ ମଦରେ ସବୁ ଉଡ଼େଇ ଦେଇଛି । ଏଇ ଘର ଖଣ୍ଡ ଯାହା ସମ୍ବଳ କିନ୍ତୁ ଚଳିବାକୁ ତ ପଇସା ଦରକାର । ତେଣୁ ବାଧ୍ୟହୋଇ ସିନ୍ଥିଆ ଆପଣମାନଙ୍କ ସହିତ ବନ୍ଧୁତା ଆରମ୍ଭ କରିଦେଲା । ଆପଣମାନେ ନଥିଲେ କଣ ଏତେଦିନ ଏଠି ଚଳି ପାରିଥାନ୍ତା ? ସିନ୍ଥିଆ ଗଲାପରେ ବହୁଲୋକ ଏଠିକି ଆସିଛନ୍ତି ? ସମସ୍ତଙ୍କ ସାଥିରେ ମୁଁ କଥା ହୋଇଛି । ମୋର ବିଶ୍ୱାସ ସେ ଏତେ ଲୋକଙ୍କ ସାଙ୍ଗରେ ମିଶେ ସିନା କିନ୍ତୁ କାହାପାଖରେ ରାତିଟାଏ ଶୋଇ ନ ଥିବ ।

 

ସବୁ ଆଗପରି । ସେଇ ଯୀଶୁଙ୍କ ଫଟୋ ... ସେଇ ଫୁଲଦାନୀ ... ଫୁଲଦାନୀରେ ସେମିତି କାଗଜଫୁଲ ସଜାହୋଇଛି । କେବଳ ନାହିଁ ଦୁଇଟିଯାକ ଫଟୋ - ପ୍ରକାଶ ଆଉ ସିନ୍ଥିଆର । ସୁକାନ୍ତକୁ ଅନ୍ୟମନସ୍କ ଦେଖି ବୃଦ୍ଧ ପଚାରିଲେ

 

- ଆପଣଙ୍କ ନାଁ କଣ ?

 

_ ମୋ ନା ସୁକାନ୍ତ ।

 

ବୃଦ୍ଧ ପାଖକୁ ଘୁଞ୍ଚିଆସି ଭଲକରି ତା ଆଡ଼କୁ ଅନେଇଲେ - ତମ ନାଁ ତା ହେଲେ ସୁକାନ୍ତ ... ମୋର ଆଜି କି ସୌଭାଗ୍ୟ । ମୁଁ ଗତ ଦେଢ଼ମାସ ଧରି କେବଳ ତମକୁ ଅପେକ୍ଷା କରିଛି ।

 

ତରତର କରି ଭିତରକୁ ଯାଇଁ ବୃଦ୍ଧ ଆଣିଲେ ଗୋଟିଏ କାଗଜ ପ୍ୟାକେଟ୍‍ ।

 

-ନିଅ, ତମ ଜିନିଷ ତମେ ନିଅ ...ଏଥର ମୋର ମୁକ୍ତି । ପ୍ୟାକେଟ୍‍ଟି ଖୋଲି ସୁକାନ୍ତ ଦେଖେ ଏକଦା ଟେବୁଲ୍‍ ଉପରେ ଥୁଆ ହୋଇଥିବା ସିନ୍ଥିଆର ସେଇ ସୁନ୍ଦର ଫଟୋଖଣ୍ଡିକ । ବିଶ୍ୱାସ କରି ହୁଏ ନାହିଁ । ଏ କଣ ସମ୍ଭବ ? ଏତେଲୋକ ଥାଉଁଥାଉଁ ... ସୁକାନ୍ତର ଚିନ୍ତାରେ ବାଧା ଦିଅନ୍ତି ସେଇ ଭଦ୍ରଲୋକ ।

 

- ଯିବାର ଠିକ୍‌ ପୂର୍ବରୁ ମତେ କହିଲା - ତମରି କଥା ଉପରେ ଭରସା ରଖି ମୁଁ ଯାଉଛି ଅଜା ... ଏଠିକି ବୋଧେ ଆଉ ଫେରିବି ନାହିଁ ...ତମ ଜିମା ଏ ଘର ଦେଇଗଲି ... ଯାହା ଭଲ ବୁଝିବ କରିବ କିନ୍ତୁ ମୋର ତମକୁ ଗୋଟିଏ ଅନୁରୋଧ ରହିଲା, ସୁକାନ୍ତବାବୁ ନାମରେ ଯଦି ଜଣେ ଭଦ୍ରଲୋକ କେବେ ଆସି ମତେ ଖୋଜନ୍ତି ତେବେ ତାଙ୍କୁ ମୋର ଏ ଫଟୋଟି ଦେଇଦେବ । କହିବ ତାଙ୍କୁ ମୁଁ ମୋର ସବୁଠାରୁ ମୂଲ୍ୟବାନ୍‍ ଜିନିଷଟି ଦେଇଗଲି । ମୋର ଠିକ୍‍ ମନେ ପଡ଼ୁଛି ଇୟଂମ୍ୟାନ୍‍, ତାପରେ ସେ କଇଁ କଇଁ ହୋଇ ପିଲାଙ୍କପରି କାନ୍ଦିଥିଲା । ମୋର ସେଇ ଅତିପ୍ରିୟ ନାତୁଣୀ ପ୍ରତି ତମେ କଣ କେବେ ରୂଢ଼ ବ୍ୟବହାର କରିଥିଲ ଇୟଂମ୍ୟାନ୍‌ ? ଯଦି କରିଥାଅ, ବର୍ତ୍ତମାନ ପ୍ରଭୁ ଯୀଶୁଙ୍କ ପାଖେ କ୍ଷମା ମାଗ ...ସେହି ଏକମାତ୍ର ତମକୁ କ୍ଷମା କରିପାରନ୍ତି ।

 

କ୍ଷମା ମାଗିବାକୁ ପ୍ରସ୍ତୁତ ଅଛି ସୁକାନ୍ତ । ସେ ନିଶ୍ଚୟ କ୍ଷମା ମାଗିବ । ସିନ୍ଥିଆ ସାଥିରେ ରୂଢ଼ ବ୍ୟବହାର ସେ କରିଛି । ଥରେ ନୁହେଁ ଅନେକଥର । ବହୁବାର ତାର ଦେହକୁ ସେ କାମନା କରିଛି । ତାକୁ ଉପଭୋଗ କରିବା ପାଇଁ, ନିଜର ପଶୁପ୍ରବୃତ୍ତିକୁ ଚରିତାର୍ଥ କରିବା ପାଇଁ କେତେ ଚେଷ୍ଟା ସେ ନ କରିଛି ? ଏହାଠାରୁ ରୂଢ଼ତର ବ୍ୟବହାର ଆଉ କିଛି ଥାଇପାରେ ?

 

ସିନ୍ଥିଆର ମାମୁଁଅଜା କହି ଚାଲିଛନ୍ତି ତାଙ୍କ ବୈଚିତ୍ର୍ୟମୟ ଅତୀତର ରୋମାଞ୍ଚକର କାହାଣୀ । ସେ ସବୁ ଶୁଣିବାକୁ ଆଗ୍ରହ ନାହିଁ ସୁକାନ୍ତର ।

 

ସେ ଉଠେ । ବୃଦ୍ଧଙ୍କୁ ଧନ୍ୟବାଦ ଜଣାଇ ସିଧା ଆସି ବସେ ରିକ୍ସାରେ । କାଗଜରେ ଗୁଡ଼ାହୋଇଥିବା ସିନ୍ଥିଆର ଫଟୋଟିକୁ କୋଳ ଉପରେ ରଖି ରିକ୍ସାବାଲାକୁ ଆଦେଶ କରେ ଷ୍ଟେସନ୍‍ ଯିବାକୁ ।

 

ଷ୍ଟେସନ୍‌ରେ ପହଞ୍ଚି ହାତଘଡ଼ିକୁ ଅନାଏଁ । ବାରଟା ବାଜିଗଲାଣି । ଲାଇନ୍‍ ବସ୍‍ ଛାଡ଼ିବ ଭୋର୍‍ ଚାରିଟାରେ । ପ୍ଳାଟଫର୍ମ ଫାଙ୍କା ପଡ଼ିଆସିଲାଣି । ଭାରି ଗରମ ହଉଛି । ମୁଣ୍ଡ ଭିତରେ ସତେ ଯେମିତି କିଏ ହାତୁଡ଼ି ପିଟୁଛି । କଣ ଭାବି ଓଭାର୍‍ବ୍ରିଜ୍‍ରେ ଯାଇଁ ଛିଡ଼ାହୁଏ ସୁକାନ୍ତ । ଏତେ ବଡ଼ ସହର ଯେମିତି ନିଦରେ ଶୋଇପଡ଼ିଛି । ଚାରିଆଡ଼ ଶାନ୍ତ-ନିସ୍ତବ୍ଧ । ରାସ୍ତା ଖୁଣ୍ଟର ଇଲେକ୍ଟ୍ରିକ୍‍ ବତୀଗୁଡ଼ିକ ଡାହାଳ କୁକୁର ପରି ଚାହିଁ ରହିଛନ୍ତି ।

 

ଏଇନେ କଣ କରୁଥିବ ଲପିତା ? ହୁଏତ ଶାନ୍ତିରେ ଶୋଇ ପଡ଼ିଥିବ ।

 

ଆଉ ସିନ୍ଥିଆ ? ସେ ହୁଏତ ସ୍ୱାମୀର ନିବିଡ଼ ଆଲିଙ୍ଗନ ଭିତରେ ନିଜକୁ ହଜେଇ ଦେଇଥିବ । ସେ କଣ କେବେ ଭାବିପାରୁଥିବ ଯେ ତା ଫଟୋ ଧରି କେହି ଜଣେ ଉଦାସୀ, ଅଧରାତିରେ ଏଇ ଓଭାର୍‍ବ୍ରିଜ୍‍ ଉପରେ ଛିଡ଼ାହୋଇ ତାକୁ ସ୍ମରଣ କରୁଛି, କାମନା କରୁଛି ତାର ମଙ୍ଗଳମୟ ଭବିଷ୍ୟତ ?

 

ସ୍ମୃତିପଟରୁ ସମସ୍ତେ ପୋଛି ହୋଇ ଯାଆନ୍ତୁ ... ସେଇ ଭଲ । ରକ୍ତମାଂସର ଲପିତା ତ ଗୋଡ଼ରେ ଠେଲିଦେଲା ଆଉ ସେଲୁଲଏଡ୍‍ର ଏଇ ସିନ୍ଥିଆ କଣ ତାକୁ ଛାତିକୁ ଟାଣି ନବ ? ସବୁ ମୋହ ... ସବୁ ଭ୍ରମ ।

 

କଣ ଭାବି ସିନ୍ଥିଆର ଫଟୋଖଣ୍ଡିକ ସୁକାନ୍ତ ତଳକୁ ଫିଙ୍ଗିଦିଏ । ତାପରେ ଶୁନ୍ୟଦୃଷ୍ଟିରେ ଚାହିଁରହେ ଉପରକୁ -ଉପରେ ଘନନୀଳ ଆକାଶ ... ଅସଂଖ୍ୟ ତାରା ଆଉ ଛାୟାପଥ ।

 

ନଈରୁ ଫେରି ଲୁଗା ବଦଳୁଥିଲେ ରୁବିଭାଉଜ । ସୁକାନ୍ତକୁ ଦେଖି ଆଶ୍ଚର୍ଯ୍ୟ ହୋଇଗଲେ । ମାତ୍ର ଚବିଶଘଣ୍ଟା ଭିତରେ ମଣିଷର ଚେହେରା ପୁଣି ଏମିତି ବଦଳି ଯାଇପାରେ ! ଶୁଖି କଳାକାଠ ପଡ଼ିଯାଇଛି ସୁକାନ୍ତ । ରୁବିଭାଉଜ ପଚାରିଲେ - କଣ ହୋଇଛି କି ହୋ ବାବୁ, ଏତେ ଶୀଘ୍ର ଫେରିଆସିଲ ଯେ ?

 

ସୁକାନ୍ତ କହିଲା - ହଁ ଭାଉଜ ...ସବୁଦିନ ପାଇଁ ମୁଁ ତମ କୋଳକୁ ଫେରି ଆସିଛି ... ସବୁ କହିବି ... ଭାରି ଭୋକ ହଉଛି .... ମତେ ଆଗେ ଗଣ୍ଡିଏ ଖାଇବାକୁ ଦିଅ ।

 

ରୁବିଭାଉଜ ତରତର କରି ରୋଷଘରକୁ ଚାଲିଗଲେ । କିଛି ସମୟ ପରେ ମୁହଁ ହାତ ଧୋଇ ସୁକାନ୍ତ ଖାଇବସିଲା । ଖାଉ ଖାଉ ସେ ରୁବିଭାଉଜଙ୍କୁ ସବୁ କଥା କହିଲା । ଟିକିଏ ସଙ୍କୋଚ ନାହିଁ, ଟିକିଏ ଦ୍ଵିଧା ନାହିଁ ।

 

ସୁକାନ୍ତର କଥା ଶୁଣୁଶୁଣୁ ରୁବିଭାଉଜଙ୍କ ମୁହଁ ଗମ୍ଭୀର ହୋଇ ଆସିଲା । ସେ ଭାବୁଥିଲେ ରକ୍ତ ମାଉଁସର ଦିହ ଧରି ଲପିତା କଣ ଏଡ଼େ ନିଷ୍ଠୁର ହୋଇପାରେ ? ସୁକାନ୍ତ କହୁଛି ଏଣିକି ଗାଁରେ ରହିବ । କିନ୍ତୁ କଣ ନେଇ ରହିବ ? ଦିନ କଟେଇବାକୁ ମଣିଷର ତ ପୁଣି ଗୋଟାଏ ଅବଲମ୍ବନ ଦରକାର ? ସେ ତ କିଛି ସବୁ ଦିନ ପାଇଁ ଏଠି ରହିପାରିବେ ନାହିଁ ? ତାଙ୍କର ଘର ଅଛି, ସଂସାର ଅଛି, ଅଛି ହଜାର ରକମର ଦାୟିତ୍ୱ ଓ ଝଞ୍ଜଟ୍‍ ।

 

ସନ୍ଧ୍ୟାବେଳେ ବୁଲି ବାହାରିଥିଲା ସୁକାନ୍ତ । ଦୋଳବେଦୀ ପାଖରେ ପରିଅବଧାନଙ୍କ ସଙ୍ଗେ ଦେଖା । ବାଡ଼ି ଠୁକୁଠୁକୁ କରି ଚାଲିଛନ୍ତି । ଅଶୀବର୍ଷର ବୁଢ଼ା । ବାଁ ଆଖିରେ ପରଳ ପଡ଼ିଯାଇଛି ।

 

ସୁକାନ୍ତ ପଚାରିଲା - କଣ ଅବଧାନେ, ସବୁ ଭଲ ତ ? ଅବଧାନେ ଠିଆ ହୋଇଗଲେ । ଗୋଡ଼ ଥରୁଛି ।

 

- ଆପଣ ପରା କାଲି କଟକ ଯାଇଥିଲେ ?

- ହଁ ତ, ଆଜି ସକାଳ ମଟରରେ ଫେରି ଆସିଲି... ଏଣିକି ମୁଁ ଏଇଠି ରହିବି ।

 

ସୁକାନ୍ତର କଥା ଶୁଣି ପରିଅବଧାନେ ହସିଲେ ... ପାକୁଆ ପାଟିର ଗାତପଶା ହସ ।

 

ଦୁହେଁ ଯାଇଁ ବସିଲେ ଦୋଳବେଦୀ ଉପରେ ।

 

ରୋଜ ସନ୍ଧ୍ୟାବେଳେ ପରିଅବଧାନେ ଏଠି ଘଣ୍ଟାଏ ଖଣ୍ଡେ ବସନ୍ତି । ବହୁ ଦିନର ଅଭ୍ୟାସ-। ନ ବସିଲେ ଶାନ୍ତି ଲାଗେ ନାହିଁ ।

 

କେତେ କଥା ପଡ଼ିଲା । ସୁକାନ୍ତର ବାପାଙ୍କୁ ସେ ଅ ଆ ଶିଖେଇଛନ୍ତି । ସେତେବେଳେ ପାଠ ପଢ଼ି ଆନନ୍ଦ, ପଢ଼େଇ ଆନନ୍ଦ । ଆଜିକାଲି ତ ପାଠପଢ଼ା ନାଁରେ ବ୍ୟଭିଚାର ଚାଲିଛି । ସବୁ ପଇସାର ଖେଳ । ଯେଉଁ ପାଠରେ ଦି’ପଇସା ଅଛି ପିଲାଏ କେବଳ ସେଇ ପାଠ ପଢ଼ୁଛନ୍ତି । ମାତୃଭାଷା ଅପେକ୍ଷା ବିଦେଶୀ ଭାଷାର ବେଶୀ କଦର୍‍ ବଢ଼ିଛି । ଶିକ୍ଷିତସମାଜରେ ବାପ ଭାଇ ମା ଭଉଣୀଙ୍କ ପାଖକୁ ଇଂରାଜୀ ଭାଷାରେ ଚିଠିପତ୍ର ଲେଖିବା ରୀତିମତ ଗୋଟାଏ ଅଭ୍ୟାସରେ ପରିଣତ ହୋଇଗଲାଣି, ଏପରି କି କେତେକ କ୍ଷେତ୍ରରେ ଦେଖାଯାଉଛି ଅଦ୍ଧଶିକ୍ଷିତ ସ୍ୱାମୀ ତାର ସ୍ତ୍ରୀ ପାଖକୁ ଇଂରାଜୀରେ ପତ୍ର ଲେଖି ନିଜର ପାଣ୍ଡିତ୍ୟ ପ୍ରକାଶ କରିବାକୁ ଅତି ବେଶୀ ତତ୍‌ପର ।

 

ସବୁ ପୁରୁଣା କଥା । ତଥାପି ପରିଅବଧାନଙ୍କର ଏଇ ବ୍ୟାଖ୍ୟାନଗୁଡ଼ିକ ଶୁଣିବାକୁ ସୁକାନ୍ତକୁ ଭାରି ଭଲ ଲାଗୁଛି ।

 

ପରିଅବଧାନେ କହୁଥିଲେ, ସହରରେ ପଢ଼ିବାକୁ ଯେଉଁମାନଙ୍କର ପଇସା ନାହିଁ ସେମାନେ ମୂର୍ଖ ହୋଇ ଏଣେ ତେଣେ ବୁଲୁଛନ୍ତି । ହେତୁ ପାଇଲା ମାତ୍ରେ ଟାଉଟରୀ ଆରମ୍ଭ ହୋଇଯାଉଛି । ସେମାନଙ୍କ ଦାଉରେ ଗାଁରୁ ଲକ୍ଷ୍ମୀ ଛାଡ଼ିଗଲେଣି । ମୋର ବହୁତଦିନୁ ଇଚ୍ଛା ଇସ୍କୁଲଟିଏ ବସାଇବାକୁ କିନ୍ତୁ କିଏ ମୋ କଥା ଶୁଣୁଛି ? ଗାଁର ମୁଖିଆ ଲୋକମାନେ ତ ଘର ଭାଙ୍ଗିବାରେ ବ୍ୟସ୍ତ ...ନିଜ ପିଲାକବିଲାଙ୍କ ପାଇଁ ଶିକ୍ଷାନୁଷ୍ଠାନଟିଏ ଗଢ଼ିବାକୁ ତାଙ୍କର ବେଳ କାହିଁ ?

 

ସୁନ୍ଦର ପ୍ରସ୍ତାବ । ପରିଅବଧାନଙ୍କ କଥା ସୁକାନ୍ତ ମନକୁ ଖୁବ୍‍ ପାଏ ।

 

-ମୁଁ ଇସ୍କୁଲଟିଏ ବସେଇବି ଅବଧାନେ... ଆପଣ ମତେ ସାହାଯ୍ୟ କରିବେ ତ ?

 

ଚନ୍ଦ୍ରାହତା

ସୁକାନ୍ତର କଥା ଶୁଣି ପରିଅବଧାନଙ୍କ ପାଣ୍ଡୁର ମୁହଁ ସାମାନ୍ୟ ଉଜ୍ଜ୍ୱଳ ହୋଇଉଠେ । ସେ ଏକ ଦୃଷ୍ଟିରେ ଚାହିଁ ରହନ୍ତି ସୁକାନ୍ତ ଆଡ଼କୁ । ତାଙ୍କର ମନେ ପଡ଼େ ବହୁବର୍ଷ ତଳେ ସୁକାନ୍ତର ବାପା ବି ଥରେ ତାଙ୍କୁ ଠିକ୍‍ ଏମିତିକା କଥା କହିଥିଲେ । ଆଜି କେତେ ବର୍ଷ ପରେ ତାଙ୍କ ପୁଅ ମଧ୍ୟ ଠିକ୍‌ ସେଇ କଥା କହୁଛନ୍ତି । କିନ୍ତୁ କଣ ମୂଲ୍ୟ ଅଛି ସେ କଥାରେ ? ଏମିତି କେତେ ବଡ଼ ବଡ଼ ପ୍ରତିଶ୍ରୁତି ଶୁଣିଶୁଣି ତାଙ୍କ କାନ ବଧିର ହୋଇଗଲାଣି । ସମସ୍ତଙ୍କ ଠାରେ ନିଷ୍ଠା ଓ ଆତ୍ମବିଶ୍ୱାସର ଅଭାବ ।

 

ସୁକାନ୍ତ କହେ, ଆପଣ କଣ ଏତେ ଭାବୁଛନ୍ତି ? କହନ୍ତୁ ମତେ ସାହାଯ୍ୟ କରିବେ ତ ?

- ମୋ ଠାରୁ କି ସାହାଯ୍ୟ ଆପଣ ଆଶା କରନ୍ତି ? ମୁଁ ବୃଦ୍ଧ ଅଥର୍ବ । କି ସାହାଯ୍ୟ ମୁଁ ଆପଣଙ୍କୁ କରିପାରେ ? ଆପଣଙ୍କ ବାପାଙ୍କୁ ମୁଁ ପୁଅଠାରୁ ଅଧିକ ଭଲ ପାଉଥିଲି । ଆପଣଙ୍କ ଚେଷ୍ଟାରେ ଯଦି ଏ ଗାଁରେ ଇସ୍କୁଲଟିଏ ବସେ ଭାବିବି ଅଜାର ଇଚ୍ଛା ତା ନାତି ପୂରଣ କଲା ।

 

ଓସ୍ତଗଛରୁ ଶୁଖିଲା ପତ୍ର ଝଡ଼ୁଛି । ପତ୍ରଝଡ଼ା ସନ୍ଧ୍ୟା ।

 

ଦୁହେଁ ଉଠିଲେ । ପରିଅବଧାନଙ୍କୁ ତାଙ୍କ ଘରେ ଛାଡ଼ି ସୁକାନ୍ତ ମୁହେଁଇଲା ନିଜ ସାଇଆଡ଼େ ।

 

ଇସ୍କୁଲଟିଏ କଲେ ଆଉ କିଛି ନ ହଉ ପରିଅବଧାନେ ତ ଖୁସି ହେବେ । ପରିଅବଧାନଙ୍କୁ ଖୁସି କରିବାପାଇଁ ସୁକାନ୍ତ ଯେମିତି ବଦ୍ଧପରିକର । କିନ୍ତୁ କାହିଁକି ? ପରିଅବଧାନେ ତ ଭାଇ ବନ୍ଧୁ କୁଟୁମ୍ବ ନୁହଁନ୍ତି । ତଥାପି ତାଙ୍କୁ ଖୁସି କରିବାପାଇଁ ସେ ଏତେ ବ୍ୟାକୁଳ କାହିଁକି ? ବେଳେ ବେଳେ ସେମିତି ହୁଏ । ମଣିଷ ଏତେ ଦୁର୍ବଳ ଆଉ ଏତେ ଉଦାର ଯେ ପଦେ କଥାରେ, ଥରଟିଏ ଦେଖାରେ ସେ ସାତପରକୁ ଆପଣାର କରିନିଏ, ତାକୁ ସୁଖୀ କରିବା ପାଇଁ ନିଜର ଜୀବନ ପଣ କରେ ।

 

ଘରେ ପହଞ୍ଚିଲା କ୍ଷଣି ସୁକାନ୍ତ ରୁବିଭାଉଜଙ୍କୁ ତା ମନକଥା କହିଲା ।

 

- ବୁଝିଲ ଭାଉଜ! ମୁଁ ଗୋଟିଏ ଚାଟଶାଳୀ ବସେଇବି ବୋଲି ଠିକ୍‍ କରିଛି ... ଏଇଠି... ଏଇ ଘରେ ।

 

ରୁବିଭାଉଜ ତାଙ୍କ ସବା ସାନଝିଅକୁ କୋଳରେ ଶୁଆଇ ଚାମୁଚରେ ଦୁଧ ପିଆଇଦଉଥିଲେ । ସୁକାନ୍ତର କଥା ଶୁଣି କହିଲେ – ହଠାତ୍‍ ଏମିତିଆ ବଦଖିଆଲ୍‌ କାହିଁକି ତମ ମୁଣ୍ଡରେ ପଶିଲା ... ଏଠି ତ ସମସ୍ତେ ମା ପେଟରୁ ପଣ୍ଡିତ ... ପଢ଼ିବ କିଏ ? ହଇଲୋ ଝୁଅ ... ତୁ ପଢ଼ିବୁ ? ଝୁଅ ଆମର ବଡ଼ ହେବ ... ଦାଦା ଇସ୍କୁଲରେ ପଢ଼ିବ .. ବାସ୍‍ .. ଆଉ ଚାମୁଚେ ...

 

ଝୁଅକୁ ସୁକାନ୍ତ ଜିମା ଦେଇ ରୁବିଭାଉଜ ପରିବା କାଟିବସିଲେ ।

 

ସୁକାନ୍ତ କହିଲା - ମୋ କଥା ବୋଧେ ତମ ମନକୁ ପାଇଲା ନାହିଁ ... ନାଁ ଭାଉଜ ?

 

-- ଖୁବ୍‍ ପାଇଲା ... କମ୍‍ ବଡ଼ କଥା ! ସୁନା ପୁଅଟି ପରି କାଲି କଟକ ଚାଲିଯା ... ସହରର ମଣିଷ ସହରରେ ରହିବ । ଗାଁ ଚିନ୍ତା କାହିଁକି ? ତମମାନଙ୍କଦ୍ୱାରା ଗାଁର କୌଣସି ଉପକାର ହେବ ନାହିଁ । ତମେମାନେ ଗାଁର ପହିଲା ନମ୍ବର ଶତ୍ରୁ ।

 

- ତମେ ମତେ ନିରୁତ୍ସାହିତ କରନା । କେବଳ ତମରି ଉପରେ ଭରସା ରଖି ତ ମୁଁ ଚାଟଶାଳୀଟିଏ ବସେଇବି ବୋଲି ଭାବିଛି ।

 

- ମୋ ଉପରେ ? ମୁଁ ତ କାଲି ଛାଡ଼ି ପଅରଦିନ ଯାଉଛି ।

 

- ଯାଅ ... ପୁଣି ଆସିବ ଯେ ।

 

- ଭାରି ଗେହ୍ଲା ତ ! ମୋର ସଂସାର ନାହିଁ ? ପିଲାଛୁଆ ନାହାନ୍ତି ? ତମର ଏ ଶସ୍ତା ଆଦର୍ଶ ପଛରେ ଗୋଡ଼େଇବାକୁ ମୋର ବେଳ ନାହିଁ ।

 

ରୁବିଭାଉଜ ଚୁନିଚୁନି କରି ପରିବା କାଟୁଛନ୍ତି । ତାଙ୍କ ମୁଣ୍ଡରୁ ଓଢ଼ଣା ଖସିଯାଉଛି । ଡିବି ଆଲୁଅ ଫାଳିକିଆ ହୋଇ ପଡ଼ିଛି ତାଙ୍କ ମୁହଁରେ ।

ତାଙ୍କର ଟାଣଟାଣ କଥା ଶୁଣି ନିଶ୍ୱାସ ବନ୍ଦ ହୋଇଆସେ ସୁକାନ୍ତର । ରୁବିଭାଉଜଙ୍କ ସଙ୍ଗେ ଯୁକ୍ତିତର୍କ କରିବାକୁ ତାର ଆଉ ଶକ୍ତି ନାହିଁ, ଉତ୍ସାହ ନାହିଁ । ବଡ ଦୁର୍ବଳ ହୋଇ ପଡ଼ିଛି ସେ, କଣ ଲାଭ ତାଙ୍କୁ ବିରକ୍ତ କରି ? ତାଙ୍କର ଘର ଅଛି ... ସଂସାର ଅଛି ? ସେ ତ ଆଉ ତାପରି ବାରବୁଲା ନୁହଁନ୍ତି ! ରୁବିଭାଉଜ ଯାହା ଚାହିଁବେ ସେଇୟା ହବ । ସମ୍ପୂର୍ଣ୍ଣରୂପେ ଆତ୍ମସମର୍ପଣ କରେ ସୁକାନ୍ତ ।

 

ଆଜି ସେମାନେ ଗୋଟିଏ ଚୂଡ଼ାନ୍ତ ନିଷ୍ପତ୍ତିରେ ପହଞ୍ଚିବେ । ସବୁ ତ ପ୍ରାୟ ଠିକ୍‍ ହୋଇ ରହିଛି । କେବଳ ପ୍ରକାଶଠାରୁ ନିର୍ଭର ପ୍ରତିଶ୍ରୁତି ମିଳିଲେ ବିନା ଦ୍ଵିଧାରେ ସେ କାମରେ ଆଗେଇଯିବ । ସବୁ କଥା ପ୍ରାଞ୍ଜଳଭାବରେ ଓକିଲ ସହିତ ମଧ୍ୟ ପରାମର୍ଶ ହୋଇ ଯାଇଛି ।

 

ଡ୍ରଇଂ ରୁମ୍‍ରେ ବସି ଲପିତା ବାରମ୍ବାର କାନ୍ଥଘଡ଼ିକୁ ଅନାଉଥିଲା, ମନେ ମନେ ବିରକ୍ତ ହଉଥିଲା ପ୍ରକାଶ ଉପରେ । ସାତଟା ବେଳକୁ ଆସିବାକୁ କହି ଏତେବେଳଯାଏ କୁଆଡ଼େ ରହିଛି କେଜାଣି ?

 

ଲପିତା ଜାଣେ ଲୋକେ ବାରକଥା କହିବେ । କୁହନ୍ତୁ । କିନ୍ତୁ କେଉଁ ଦୁଃଖରେ ସେ ନୂଆ ସ୍ୱାମୀଟିଏ କରିବାକୁ ଯାଉଛି ସେ କଥା ତ କେହି ବୁଝିବେ ନାହିଁ । ଏ ଦୁନିଆରେ ସମସ୍ତେ ଯେତେବେଳେ ମଜା ଲୁଟୁଛନ୍ତି ସେ ବା ସେଥିରୁ ବଞ୍ଚିତ ହବ କାହିଁକି ?

 

ସ୍ତ୍ରୀ ଯଦି ଆପଣାର ରୁଚି ଅନୁଯାୟୀ ସ୍ୱାମୀଟିଏ ନ ପାଏ ତେବେ ତାଠାରୁ ଦୁର୍ଭାଗ୍ୟର କଥା ଆଉ କଣ ଅଛି ? ଅପ୍ରିୟ ସ୍ୱାମୀ ପାଖରେ ରାତିରାତି କୁଣ୍ଠିତ ଓ ଅଣନିଶ୍ୱାସୀ ହୋଇ ଶୋଇବାଠାରୁ ମନମୁତାବକ ନୂଆ ସ୍ୱାମୀଟିଏ ଯୋଗାଡ଼ କରିନବା କଣ ପାପର କଥା ?

 

ଅଗ୍ନି ବଡ଼ ଦେବତା ହୋଇପାରେ କିନ୍ତୁ ନିର୍ଭରଯୋଗ୍ୟ ସାକ୍ଷୀ କାହିଁକି ହବ ? ବାହାବେଦୀ ଉପରେ ସେ ସମ୍ମାନିତ ବୋଲି ଯେ ବିବାହିତ ଜୀବନର ସବୁ କ୍ଷେତ୍ରରେ ତାକୁ ଭୟକରି ଚଳିବାକୁ ପଡ଼ିବ, ଏକଥାର କିଛି ଅର୍ଥ ନାହିଁ ।

 

ଡାଇଭୋର୍ସ ଶାସ୍ତ୍ରାନୁମୋଦିତ ବ୍ୟାପାର ଏବଂ ଧର୍ମ ଆଉ ନ୍ୟାୟ ଉପରେ ଶାସ୍ତ୍ର ସୁପ୍ରତିଷ୍ଠିତ ।

 

ଲପିତା ମନେ ମନେ ଭାବେ ... ପ୍ରକାଶ ଆଉ ସେ । କ୍ଳବଠାରୁ ଆରମ୍ଭ କରି କାର୍ଣ୍ଣିଭାଲ୍ ପର୍ଯ୍ୟନ୍ତ - ଲୋକେ ଯେଉଁଠି ଦେଖିବେ ବଲ୍ ବଲ୍ କରି ଅନେଇବେ । ନିନ୍ଦୁକମାନଙ୍କୁ ଛାଡ଼ିଦେଲେ ଆଉ ସମସ୍ତେ କହିବେ, କି ବିଉଟିଫୁଲ୍ ମ୍ୟାଚ୍ !

 

ପ୍ରକାଶ ଆଜି ଏଠି ରାତ୍ରିଭୋଜନ କରିବ । ତାର ପ୍ରିୟଖାଦ୍ୟ ହଉଛି ରୋଷ୍ଟ । ସବୁ ବନ୍ଦୋବସ୍ତ ହୋଇଛି ।

 

ପ୍ରାୟ ଆଠଟା ବେଳକୁ ପ୍ରକାଶ ଆସି ପହଞ୍ଚିଲା । ଏକୁଟିଆ ନୁହଁ, ସାଥିରେ ଜଣେ ଗୁଜରାଟି ଯୁବକ ।

 

ପ୍ରକାଶ ପରିଚୟ କରାଇଦେଲା – ଶ୍ରୀମାନ୍‍ ପ୍ୟାରେଲାଲ୍‍ ....ବମ୍ବେର ବିଶିଷ୍ଟ ଚିତ୍ରନିର୍ମାତା ଶେଠ୍ ଶାନ୍ତିଭାଇଙ୍କର ଏକମାତ୍ର ସୁଯୋଗ୍ୟ ସନ୍ତାନ । କାନାଡ଼ାରେ ମୋର ପ୍ରଥମେ ୟାଙ୍କ ସାଙ୍ଗରେ ଜଣାଶୁଣା ହୁଏ ।

 

ନମସ୍କାରର ଆଦାନପ୍ରଦାନ ସରିଲା ପରେ ଦୁନିଆଯାକର କଥା ପଡ଼ିଲା । ବୟସ ସିନା ଅଳ୍ପ କିନ୍ତୁ ଭଦ୍ରଲୋକଙ୍କର ଅଭିଜ୍ଞତା ତ ଯଥେଷ୍ଟ । ଅନେକ କିଛି ଜାଣନ୍ତି ଏ ଦୁନିଆର ।

 

ପ୍ୟାରେଲାଲ୍‌ ପତଳା ହେଲେ ମଧ୍ୟ ଦେଖିବାକୁ ସୁନ୍ଦର । ଖୁବ୍‍ ସୁନ୍ଦର । ସୁନାପାତିଆ ପରି ଦେହରେ ରଙ୍ଗ, ଚିକ୍କଣ କପାଳ, ଖଣ୍ଡାନାକ । ବହଳିଆ ଭ୍ରୂତଳେ ଉଜ୍ଜ୍ୱଳ ଆଖି । ନାଲି ଟହଟହ ଓଠ-। ହସହସ ମୁହଁ ।

 

ଲପିତା ମନ୍ତ୍ରମୁଗ୍‌ଧ ଦୃଷ୍ଟିରେ ଚାହିଁରହିଥିଲା ସେହି ତାରୁଣ୍ୟ ଢଳଢଳ ମୁହଁଆଡ଼େ ।

 

ପ୍ୟାରେଲାଲ୍‍ ଖୁବ୍‌ ଅଳ୍ପ କଥା କହୁଥିଲା ଆଉ ହସୁଥିଲା ବେଶି, ସତେ ଯେମିତି କେବଳ ହସିବାକୁ ଜନ୍ମହୋଇଛି ।

 

ତା କଥାବାର୍ତ୍ତାରୁ ଲପିତା ଜାଣିପାରେ ଯେ ପ୍ରକାଶଭାୟାର ଚିଠି ପାଇ ସେ ଓଡ଼ିଶାକୁ ଆସିଛି । ଓଡ଼ିଶାର କଲା ଓ ସ୍ଥାପତ୍ୟ ସମ୍ବନ୍ଧରେ ପ୍ରକାଶଭାୟା ନିଜେ ଗୋଟିଏ ଚଳଚିତ୍ର ନିର୍ମାଣ କରିବ । ଏହି ଚିତ୍ର ନିର୍ମାଣରେ ପ୍ରକାଶଭାୟାକୁ ବିନାସ୍ୱାର୍ଥରେ ସେ ପାରୁପର୍ଯ୍ୟନ୍ତ ସାହାଯ୍ୟ କରିବ । ତାଛଡ଼ା ପୁରୀ, ଭୁବନେଶ୍ୱର ଆଉ କୋଣର୍କ ଦେଖିବାରେ ଲୋଭ ତ ରହିଛି ।

 

ପ୍ରାୟ ଘଣ୍ଟାକ ପରେ ଦୁହେଁ ବିଦାୟ ମାଗିଲେ ।

 

ପ୍ରକାଶ କଣ ଭୁଲି ଯାଇଛି ?

 

ଭିତରେ ବାରଣ୍ଡାକୁ ତାକୁ ଡାକି ଲପିତା କହିଲା - ତମେ କୁଆଡ଼େ ଯିବ ? ତମେ ରୁହ । କାମ ଅଛି ।

 

- ଅସମ୍ଭବ । ଅତିଥିଙ୍କି ଛାଡ଼ି ମୁଁ ରହିବି କେମିତି ? କଣ ସୁନ୍ଦର ଦିଶିବ ?

 

- ତମ ପାଇଁ ଏଠି ଖାଇବାର ବନ୍ଦୋବସ୍ତ ହୋଇଛି ଯେ... ତମ ବନ୍ଧୁ ବି ଖାଇପାରନ୍ତି ।

 

- ସେ ସନ୍ଧ୍ୟାବେଳୁ ଖାଏ । ମତେ ବାଧ୍ୟ ହୋଇ ତା ସାଙ୍ଗେ ବସିବାକୁ ପଡ଼ିଲା । ସେଇଥିପାଇଁ ତ ଏତେ ଡେରି ହେଲା । … ମୁଁ ଯାଉଛି, ସେ ପୁଣି ଜଲଦି ଶୁଏ ।

 

ବହୁତ ଦିନପରେ ଲପିତାର ଆଖି ହଠାତ୍‍ ଛଳଛଳ ହୋଇ ଉଠିଲା । ପ୍ରେମିକ କଣ ଏତେ ନିଷ୍ଠୁର ହୋଇପାରେ ? କଣ ଦରକାର ଥିଲା ଅତିଥିକି ସାଙ୍ଗରେ ଆଣିବାକୁ ? ସେ ପ୍ରକାଶର ହାତ ଧରି ପଚାରିଲା - କଣ ଠିକ୍‍ କଲ ?

 

- କେଉଁ କଥା ?

ପ୍ରକାଶର ପ୍ରଶ୍ନ ଶୁଣି ଝରଝର ହୋଇ କାନ୍ଦିପକେଇଲା ଲପିତା । ପ୍ରକାଶ ତାକୁ ଫାଙ୍କିଦେବାକୁ ଚାହେଁ । କିନ୍ତୁ ଏକଣ ସମ୍ଭବ ?

 

ପ୍ରକାଶ ସେଇ ଅବସରରେ ଡ୍ରଇଂରୁମ୍‍କୁ ଚାଲିଆସିଲା ।

 

ପ୍ରାୟ ପାଞ୍ଚମିନିଟ୍ ପରେ ମୁହଁହାତ ଧୋଇ ପ୍ରବେଶ କଲା ଲପିତା । ଉଭୟଙ୍କୁ ବିଦାକରି ସେ ସିଧା ଆସି ଶୋଇପଡ଼ିଲା ବିଛଣାରେ ।

 

ପ୍ରକାଶ ତାକୁ ଫାଙ୍କି ଦେବାକୁ ଚାହେଁ । ସନ୍ଦେହ ନାହିଁ । ତା ନ ହେଲେ ଆଜି ଏକୁଟିଆ ନ ଆସି ପ୍ୟାରେଲାଲ୍‍କୁ ସାଥିରେ ଆଣିଥାଆନ୍ତା କାହିଁକି ?

 

ତାକୁ ବାହା ହବା ପାଇଁ ତା ହେଲେ କଣ ପ୍ରକାଶ ରାଜି ନୁହଁ ? ଗୋଟିଏ ବିବାହିତା ନାରୀକୁ ବିବାହ କରିବାର ସାହସ କଣ ତାର ନାହିଁ, ନାଁ ଘୃଣା ? ଅନ୍ୟର ବିବାହିତା ସ୍ତ୍ରୀ ସହିତ ପ୍ରେମାଳାପ କରିବାକୁ ଯଦି ଜଣକର ଘୃଣା ବା ସଙ୍କୋଚ ନ ଥାଏ ତେବେ ଅବସ୍ଥାବିଶେଷରେ ତାକୁ ନିଜର ଅର୍ଦ୍ଧାଙ୍ଗିନୀ କରିନେବାରେ ଆପତ୍ତି କେଉଁଠି ?

 

ଏ ଘଟଣା ପ୍ରାୟ ଦୁଇ ତିନି ଦିନ ପରେ ପ୍ରକାଶ ଓ ପ୍ୟାରେଲାଲ୍ ପୁଣି ଆସିଥିଲେ । ଲପିତା ଉଭୟଙ୍କ ସାଥିରେ ବହୁ ସମୟ ଧରି କଥାବାର୍ତ୍ତା ହୋଇଥିଲା । ତାର ମନେହେଲା ସେମାନଙ୍କର ଏଇ ଆସିବା ପଛରେ ଯେମିତି ପ୍ୟାରେଲାଲ୍‍ର ଆଗ୍ରହ ବେଶୀ ରହିଛି । ପ୍ରକାଶର ଢଙ୍ଗଢାଙ୍ଗରୁ ଜଣା ପଡ଼ୁଥିଲା, ତାର ଯେମିତି ଆଉ କୌଣସି ଆକର୍ଷଣ ନାହିଁ ଏ ଜାଗାପ୍ରତି । ସବୁ ପ୍ରୟୋଜନ ସରିଯାଇଛି । ନିର୍ଲଜ୍ଜ ।

 

ଆଜିକାଲି ପ୍ରାୟ ସବୁଦିନେ ପ୍ୟାରେଲାଲ୍‍ ଆସେ, ଘନିଷ୍ଠ ହେବାକୁ ଚେଷ୍ଟା କରେ । ଲପିତାର ରଙ୍ଗଢଙ୍ଗ ଚାଲିଚଳଣ ତା ମନକୁ ବେଶ୍ ପାଉଛି ।

 

ବେଳେବେଳେ ଲପିତା ପଚାରେ - ତମ ପ୍ରକାଶଭାୟାର କାହିଁ ଦେଖା ନାହିଁ । ଖୁବ୍‌ ବିଜି ରହୁଛନ୍ତି ବୋଧେ ? ପ୍ୟାରେଲାଲ୍ ହସେ । କହେ -ବଡ଼ ଖିଆଲବାଜ୍‍ ଲୋକ .. ବର୍ତ୍ତମାନ ମୁଣ୍ଡରେ ପଶିଛି ଗୋଟାଏ ସାମାଜିକ ଚଳଚିତ୍ର ନିର୍ମାଣ କରିବେ - ସେଥିପାଇଁ ଦିନରାତି ଆର୍ଟିଷ୍ଟ ଖୋଜା ଚାଲିଛି .. ଭାରି ବ୍ୟସ୍ତ ରହୁଛନ୍ତି ।

 

ଚଢ଼େଇ ଉଡ଼ିଯାଇଛି ଆଉ ଧରାଦବ ନାହିଁ । ଅନ୍ୟ କେଉଁ ପଞ୍ଜୁରୀରେ ଆଶ୍ରୟ ନବ ପଛକେ ଏ ହାତକୁ ଆଉ କେବେ ଫେରି ଆସିବ ନାହିଁ ।

 

ମାତ୍ର ଏଇ ଅଳ୍ପ କେତୋଟି ଦିନ ଭିତରେ କେତେ ବଦଳି ଯାଇଛି ପ୍ରକାଶ । ସମୟ ଅସମୟ ବିଚାର ନ କରି ତାକୁ ଟିକେ ଛୁଇଁବାକୁ-ପାଖକୁ ଟାଣିଆଣିବାକୁ ଯେଉଁ ଲୋକ ଏକଦା ଅଧୀର ହୋଇପଡ଼ୁଥିଲା, ଯାହାର ସ୍ନେହସିକ୍ତ ଅତ୍ୟାଚାର ଯୋଗୁଁ ଅନେକ ସମୟରେ ଦେହରେ ଲୁଗା ରହିବା ମଧ୍ୟ ସମ୍ଭବ ହେଉ ନ ଥିଲା - ସେଇ ଲୋକ ପୁଣି ଏବେ ସପ୍ତାହ ସପ୍ତାହ ଧରି ତା ଘରକୁ ଆସୁନାହିଁ । ନ ଆସି ରହି ପାରୁଛି !

 

ଠିକ୍‍ ଅଛି । ସମସ୍ତେ ଯାଆନ୍ତୁ । ଅତନୁ ତ ଯାଇଛି - ପ୍ରକାଶ ମଧ୍ୟ ଯାଉ । ଦୁହେଁ ନିର୍ବୋଧ ଦୁହେଁ କାପୁରୁଷ ।

 

ଅତୀତ ଫେରିଆସିବ ନାହିଁ ଲପିତା ଜାଣେ, କିନ୍ତୁ ତା ବୋଲି ଯେ ଭବିଷ୍ୟତକୁ ସଜାଡ଼ି ହେବ ନାହିଁ ଏ କଥା ସେ ବିଶ୍ୱାସ କରେ ନା । ନିଜ କାମନା ବାସନାର ତଣ୍ଟି ଚିପି ସାରାଜୀବନ ହନ୍ତସନ୍ତ ହେବାର କିଛି ଅର୍ଥ ନାହିଁ । ତାର ଶିକ୍ଷା ଅଛି, ଉପାର୍ଜନ କରିବାର ଯୋଗ୍ୟତା ଅଛି, ଆଉ ଦେହରେ ଅଛି ଅଫୁରନ୍ତ ଯୌବନ । ଆପଣାର ରୁଚି ଅନୁସାରେ ବଞ୍ଚିରହିବା ପାଇଁ ଆଉ ଅଧିକ କଣ ଯୋଗ୍ୟତାର ପ୍ରୟୋଜନ ?

 

ପ୍ରକାଶକୁ ଥରେ ଡକେଇ ଆଣି ବେଶ୍‍ ଦିପଦ ଶୁଣେଇ ବିଦା କରିଦେଲେ ସବୁଠାରୁ ଭଲ ହୁଅନ୍ତା । କିନ୍ତୁ ନା - ଥାଉ । ଟିକିଏ ନଇଁପଡ଼ିଲେ ଏ ଦୁନିଆରେ ସବୁ ମିଳିବ, ବିଶେଷ କରି ପୁରୁଷର ମନ ଆଉ ଧନ ।

 

ସେଦିନ ପ୍ୟାରେଲାଲ୍‌ ଆସିଥିଲା - ପାଞ୍ଚଦିନ ପରେ । ଲପିତା ହସି ହସି ପଚାରିଲା - ଏତେ ଦିନ ଯାଏ କୁଆଡ଼େ ଥିଲ ... ମୁଁ ମନେ କଲି ମୋତେ ଭୁଲିଗଲେଣି ବୋଧେ ।

 

- ଆଖିର ଆଢ଼ୁଆଳରେ ରହିବା ମାନେ କଣ ମନର ଆଢ଼ୁଆଳରେ ରହିବା ? ପ୍ରକାଶଭାୟା ସାଥିରେ ପୁରୀ ଯାଇଥିଲି । ଆପଣତ ଚବିଶଘଣ୍ଟା ମୋ ସାଙ୍ଗେସାଙ୍ଗେ ଥିଲେ - କେତେ ପରିହାସ, କେତେ କଥାବାର୍ତ୍ତା ମୋର ଆପଣଙ୍କ ସଙ୍ଗେ ହେଲା - ଆପଣ କଣ କିଛି ଜାଣିପାରି ନାହାନ୍ତି ?

 

ଇସ୍‌ .. କି ଦରଦ ଦେଇ କଥା କହୁଛି ଏ ଟୋକା । ଲପିତା ମନେ ମନେ ହସେ ।

- ତମେ ଭାରି ସ୍ୱାର୍ଥପର କିନ୍ତୁ ... ମତେ ଡାକିଲ ନାହିଁ ?

 

- ପ୍ରକାଶଭାୟା କହିଲା, ଆପଣଙ୍କୁ ଛୁଟି ମିଳିବ ନାହିଁ ... ଅଯଥା ଅନୁରୋଧ କରି କଣ ଲାଭ ?

 

- ମୋ ଛୁଟି -ପାଞ୍ଜି ଯେମିତି ତମ ପ୍ରକାଶଭାୟା ତିଆରି କରିଛି । କିଏ କହିଲା ମତେ ଛୁଟି ମିଳିବ ନାହିଁ ? ମୋର ବହୁତ ଛୁଟି ପାଉଣା ଅଛି । ତମେ ଯଦି ଆଉ କେବେ ଏମିତି କର ତା ହେଲେ ତମକୁ ମୁଁ କେବେ କ୍ଷମା କରିବି ନାହିଁ - ସତ କହୁଛି ।

 

ଲପିତାର କଥା ଶୁଣି ପ୍ୟାରେଲାଲ୍‌ ଗମ୍ଭୀର କଣ୍ଠରେ କହିଲା - ମୋର ସବୁ ଭୁଲ୍‍ ସବୁ ଧୃଷ୍ଟତାକୁ ଆପଣ କ୍ଷମା କରିବେ, ଏଇ ବିଶ୍ୱାସ ନେଇ ତ ମୁଁ ଏଠିକି ଆସେ । ମୋର ବୟସ ଅଳ୍ପ । ବହୁତ ଚପଳତା ବହୁତ ଦୁର୍ବଳତା ମୋର ଅଛି ।

 

ଚପଳତା, ଦୁର୍ବଳତା ଆଉ ଧୃଷ୍ଟତା-ଖୁବ୍‍ ହାଲୁକା କରି ଯଦି ଏ ତିନୋଟିକୁ ମିଶେଇ ଦିଆଯାଏ ତେବେ ନିଶ୍ଚୟ ପ୍ରେମର ସୃଷ୍ଟି ହବ । ତା ହେଲେ କଣ ପ୍ୟାରେଲାଲ୍‍ ଏଇ କେତେଦିନ ଭିତରେ ତା ପ୍ରେମରେ ପଡ଼ିଲାଣି ? ହୋଇଥିବ - କିଏ ଜାଣେ ?

 

ପ୍ୟାରେଲାଲ୍‍ ଆଡ଼କୁ ଅନେଇ ଲପିତା ମୁର୍‍କେଇ ମୁର୍‍କେଇ ହସୁଛି । ଭାବୁଛି, ଏଇଟା ହିଁ ଠିକ୍‌ ପୁରୁଷର ପ୍ରେମରେ ପଡ଼ିବା ବୟସ । ଆଗପଛ ଭଲମନ୍ଦର ବିଚାର ନାହିଁ । କାଳି ଗୋରୀ, ସୁନ୍ଦରୀ ଅସୁନ୍ଦରୀ, ଦାନ୍ତୁରୀ, ଚେପ୍‍ଟାନାକୀ କିମ୍ବା ବସନ୍ତମୁହୀଁ ଯିଏ ସାନ୍ନିଧ୍ୟରେ ଆସନ୍ତି ସେଇ ହୁଅନ୍ତି ଦିଲ୍‍କି ରାଣୀ । ସେତେବେଳେ ଦୟିତାର କାଣିଆଙ୍ଗୁଠି ନଖ ସାଥିରେ ଦ୍ଵିତୀୟା ଚାନ୍ଦର ମଧ୍ୟ ତୁଳନା ହୁଏ ନା ।

 

କଫି ଆସିଲା ।

କଫି ପିଉ ପିଉ ପ୍ୟାରେଲାଲ୍‍ କହିଲା- ମୁଁ ଆଜି ଆପଣଙ୍କୁ ଗୋଟିଏ ଅନୁରୋଧ କରିବି .... ରଖିବେ ତ? ମାନେ ରଖନ୍ତୁ ଏହା ମୋର ଆପଣଙ୍କୁ ପ୍ରଥମ ଅନୁରୋଧ ।

 

ଉତ୍‍ଫୁଲ୍ଲ ହୋଇ ଉଠିଲା ଲପିତା । କ’ଣ ଅନୁରୋଧ କରିବ କେଜାଣି ? ଏ ବୟସର ପ୍ରେମିକମାନଙ୍କର କାଣ୍ଡ ଜ୍ଞାନ ଟିକେ କମ୍ କି ନା । ହୁଏତ ହଠାତ୍ ଗୋଟାଏ କିଛି ଅସମ୍ଭବ ଅନୁରୋଧ କରି ବସିବ ।

 

ରକ୍ଷା । ସିନେମା ଯିବାକୁ ନିମନ୍ତ୍ରଣ କରୁଛି । ବେଶ୍ ତ ... ଏଥିପାଇଁ ଏତେ ଭଣିତାର କଣ ପ୍ରୟୋଜନ ଥିଲା ?

 

ମାତ୍ର ସାତମିନିଟ୍ ଭିତରେ ପ୍ରସାଧନ ସାରି ଲପିତା ବାହାରି ଆସିଲା ।

 

ସେମାନେ ହଲ୍‍ରେ ପହଞ୍ଚିଲାବେଳକୁ ଛବି ଆରମ୍ଭ ହୋଇ ଯାଇଥିଲା

 

ଇଣ୍ଟାର୍‌‌ଭାଲ୍ । ଚିହ୍ନାଜଣା କେହି ଆସିନାହାନ୍ତି ତ ? ସନ୍ତର୍ପଣରେ ଲପିତା ଆଖି ବୁଲେଇ ନଉଥିଲା ଚାରିଆଡ଼େ । ଡାହାଣ ପଟର କଡ଼ ସିଟ୍‍ରେ ସେମାନେ କିଏ ? ଅତନୁ ଆଉ ମିତ୍ରା । ମିତ୍ରା ମୁଣ୍ଡରେ ଓଢ଼ଣା ଦେଇଛି । ଓଢ଼ଣା ତଳେ ଚିକ୍ ଚିକ୍ କରୁଛି ଖୋଷାରେ ବସିଥିବା ସୁନାର ପ୍ରଜାପତି । ଏଥି ଭିତରେ ନାକ ବି ଫୋଡ଼େଇଛି । ହଲ୍‍ର ସବୁତକ ଆଲୁଅ ଯେମିତି କେନ୍ଦ୍ରୀଭୂତ ହୋଇଛି ତା ହୀରାର ନାକମାଛିରେ । ଲପିତା ଜାଣେ ଗତ ମାସରେ ସେମାନଙ୍କର ବିଭାଘର ହୋଇଯାଇଛି । ସାହସ ଦେଖ, ମିତ୍ରା ପୁଣି ନିମନ୍ତ୍ରଣପତ୍ର ପଠାଇଥିଲା । ଘୃଣାରେ ଲପିତା ସେମାନଙ୍କଆଡ଼ୁ ମୁହଁ ଫେରାଇଆଣିଲା।

 

ଦୁଇ ତିନି ‘ରୋ’ ଛାଡ଼ି ସାମନାରେ ବସିଛି ପ୍ରକାଶ । ଆଉ ତା ପାଖ ସିଟ୍‍ରେ ଜଣେ ଆଙ୍ଗ୍ଳୋଇଣ୍ଡିୟାନ୍‍ ତରୁଣୀ । ପ୍ରକାଶ ଯାଚୁଛି ଆଉ ଆଙ୍ଗ୍ଳୋଇଣ୍ଡିୟାନ୍‍ ତରୁଣୀ ଜଣକ ହସି ହସି ତା ହାତରୁ ନଉଛି ଚୁଇଙ୍ଗମ୍‌ । ଛି.... ଛି.... ବେହିୟାମିର ଗୋଟିଏ ସୀମା ଅଛି ।

 

ସାରାଦେହରେ ଯେମିତି କିଏ ନିଆଁ ଲଗେଇଦେଲା ଲପିତାର । ଆଉ ବସିହେବ ନାହଁ ।

 

କି ଯୋଗରେ ରାତି ପାହିଥିଲା କେଜାଣି ? ଏ ସବୁ ଦୃଶ୍ୟ ବି ଦେଖିବାକୁ ପଡ଼ିଲା ?

 

ଆଲୁଅ ଲିଭିବା ମାତ୍ରେ ଲପିତା ବାହାରକୁ ପଳେଇ ଆସିଲା । ପଛେ ପଛେ ପ୍ୟାରେଲାଲ୍, ଠିକ୍ ରେଲ୍‍ଇଞ୍ଜିନ୍ ପଛର ଡବାପରି ।

 

ଅତି କଷ୍ଟରେ ଲପିତା କହିଲା - ଚାଲ ଯିବା ମୁଣ୍ଡ କଣ ହଉଛି । ପ୍ୟାରେଲାଲ୍‍ର ମୋଟେ ଆପତ୍ତି ନାହିଁ । ଅତି ଗରମ ଯୋଗୁ ବୋଧେ ସେମିତି ହେଲା । ଏଠା ହଲ୍‌ର ଯେଉଁ ବ୍ୟବସ୍ଥା !

 

ରାସ୍ତା ମଝିରେ ପ୍ୟାରେଲାଲ୍‍ କହିଲା - ଥଣ୍ଡା ପବନ ବାଜିଲେ ଭଲ ଲାଗିବ । ବୁଲାଣି ପଡ଼ୁ ପଛେ ଚାଲନ୍ତୁ ନଈକୂଳ ରାସ୍ତାରେ ଯିବା ।

 

ସେଇୟା ହେଲା । ନଈକୂଳ ରାସ୍ତାରେ ଗଲାବେଳେ ଲପିତା କହିଲା-ତମ ପ୍ରକାଶଭାୟା ତ ସତରେ ଭାରି ବ୍ୟସ୍ତ ରହୁଛନ୍ତି -ତାଙ୍କ ପାଖରେ ଯେଉଁ ଯୁବତୀ ଜଣକ ବସିଥିଲା ସେ କିଏ ?

 

- ମୁଁ କହିପାରିବି ନାହିଁ । ତାଙ୍କର କେହି ଗାର୍ଲଫ୍ରେଣ୍ଡ୍ ହୋଇଥିବେ । ଗାର୍ଲଫ୍ରେଣ୍ଡ୍ ! କେତେଜଣ ଗାର୍ଲଫ୍ରେଣ୍ଡ୍ ତାର ଅଛନ୍ତି କେଜାଣି ?

 

ପୁନେଇ ବୋଧ ପାଖେଇ ଆସିଲାଣି । ଧୋବ ଫରଫର ଜହ୍ନ ପଡ଼ିଛି । ପ୍ୟାରେଲାଲ୍ ଏକ ଦୃଷ୍ଟିରେ ଚାହିଁରହିଛି ଲାପିତା ଆଡ଼କୁ । ସାହସ ସଞ୍ଚୟ କରି ପ୍ୟାରେଲାଲ୍ ଲପିତା ଦେହକୁ ଲାଗି ବସେ ।

 

ସାଙ୍ଗେ ସାଙ୍ଗେ ଲପିତା କହିଉଠେ - ପ୍ୟାରେଲାଲ୍ !

କିଛି ନ ଜାଣିଲା ପରି ପ୍ୟାରେଲାଲ୍ ଘୁଞ୍ଚିଯାଏ ।

- କଣ ଆଜ୍ଞା !

- ତମେ କାଲିଠୁ ଆଉ ମୋ ଘରକୁ ଆସିବା ନାହିଁ ।

- ମୋର କସୁର୍‍ ?

ଏ ପ୍ରଶ୍ନର କୌଣସି ଉତ୍ତର ଦେଇ ନ ଥିଲା ଲପିତା , ଭାବୁ ଥିଲା ଏ ରାସ୍ତା କଣ ସରିବ ନାହିଁ ?

 

ରାସ୍ତା ସରିଲା । ଫାଟକ ଖୋଲି ଘର ଭିତରକୁ ପଶିଗଲା ଲପିତା । ପ୍ୟାରେଲାଲ୍ ଫେରି ଆସିଲା ବାଟେ ବାଟେ ।

 

ତା ପରଦିନ ସକାଳେ ପ୍ୟାରେଲାଲ୍ ଯାଇଁ ହଜାର । ଉପର ଘରେ ଚା ପିଉଥିଲା ଲପିତା । ଝରକାବାଟେ ତାକୁ ଦେଖି ମନେ ମନେ ହସିଲା । ଆୟା ହାତରେ ଡକେଇନେଲା ଉପରକୁ ।

 

- କ’ଣ କିହୋ, ରାତିରେ କାଲି ନିଦ ହୋଇ ନାହିଁ କି ? ପ୍ୟାରେଲାଲ୍ ଦୋଷୀଙ୍କ ପରି ଅନେଇ ରହିଲା । କିଛି କହିଲା ନାହିଁ । ଗୋଟାଏ ରାତି ଭିତରେ ତା ଦେହରୁ ସବୁତକ ରକ୍ତ ଯେମିତି କିଏ ଶୋଷିନେଇଛି ।

 

- ମୋର ଯଦି କିଛି ଭୁଲ୍‍ ହୋଇଥାଏ ମତେ କ୍ଷମା କରିବେ । ମୁଁ କ୍ଷମା ମାଗିବାକୁ ସକାଳୁ ଧାଇଁ ଆସିଛି ।

 

ଲପିତା ଉଠିଆସି ପ୍ୟାରେଲାଲ୍‍ର କାନ୍ଧରେ ହାତ ରଖିଲା । ତାପରେ ତା ମୁହଁକୁ ଚାହିଁ ଫିକ୍ କିନା ହସିଦେଲା । - କାଲିକା କଥାରେ ଭାରି ଅଭିମାନ ହୋଇଯାଇଛି -ନୁହଁ ?

 

ଲପିତା ପ୍ୟାରେଲାଲ୍‍କୁ ଆଉଜାଇଆଣିଲା ଛାତି ଉପରକୁ । ତୁଚ୍ଛାଟାକୁ ତା ମନରେ କଷ୍ଟ ଦେଇ କ’ଣ ଲାଭ ? ଭାରି ସରଳିଆ ପିଲାଟିଏ । ଛନ୍ଦ କପଟ କିଛି ନାହିଁ ।

 

ଲପିତା ଆସ୍ତେ ଆସ୍ତେ ପଚାରିଲା - କାଲି ଏମିତି କହିଲି ବୋଲି ମୋ ଉପରେ ରାଗିଛ କି-?

 

- ନାଇଁ ତ ।

- ଆଚ୍ଛା ପ୍ୟାରେଲାଲ୍ - ତମେ କଣ ମତେ ଭଲପାଅ ?

- ହଁ ।

- ଖୁଉବ୍ ?

- ହଁ

-କହିଁକି ?

-ଜାଣିନାହିଁ ।

- ମୁଁ ବି ଜାଣିନାହିଁ, ମୁଁ କାହିଁକି ତମକୁ ଭଲପାଏ । ଭଲପାଏ, ଖାଲି ଏତିକି ଜାଣିଛି ।

 

ସ୍ଵର୍ଗ ଓହ୍ଳେଇ ଆସିଛି ମର୍ତ୍ତ୍ୟକୁ । ପ୍ୟାରେଲାଲ୍ ହଜିଯାଇଛି ନନ୍ଦନ- କାନନରେ ।

 

ମନେ ମନେ ବିରକ୍ତ ହୁଏ ଲପିତା । କଣ ଏତେ ଭାବୁଛି ପ୍ୟାରେଲାଲ୍ ? ମୁହଁ ଖୋଲି ସବୁକଥା କହିବାର ଦରକାର ପଡ଼େ ନାଁ କ’ଣ ?

 

ସ୍ଵୀକାର କରିବାକୁ ପଡ଼ିବ ଏଇ କେଇଟା ଦିନ ଗାଁରେ ରହି ସୁକାନ୍ତ ଲାଭବାନ୍‌ ହୋଇଛି । ପିଲାଦିନୁ ସହରରେ ବଢ଼ି ସହରର ବାୟୁମଣ୍ଡଳରେ ମଣିଷ ହୋଇ ନିଜ ଗାଁ ପ୍ରତି ମମତା ରହିବା ଦୂରେ ଥାଉ ବରଂ ତାର ଗୋଟାଏ ରକମର ଘୃଣା ଥିଲା । ଏତେଦିନ ପର୍ଯ୍ୟନ୍ତ ତାର ବିଶ୍ୱାସ ଥିଲା ମଣିଷପରି ମଣିଷ ହେବାକୁ ହେଲେ ସହରରେ ବଢ଼ିବା ଉଚିତ । କିନ୍ତୁ ଏଥର ତାର ସେ ଧାରଣା ବଦଳି ଯାଇଛି । ଅର୍ଥସର୍ବସ୍ଵ ସହର ପ୍ରତି ତାର ଘୃଣା ଆସିଛି । ସତେ ଯେମିତି ଗୋଟାଏ ଲମ୍ବା ସ୍ୱପ୍ନ ପଛରେ ଗୋଡ଼େଇ ଗୋଡ଼େଇ ଜୀବନର ବହୁବର୍ଷ ସେ ନଷ୍ଟ କରିଦେଇଛି । କିନ୍ତୁ ଆଉ ନୁହେଁ । ଡେରିରେ ହେଲେ ବି ସେ ନିଜ ଭୁଲ୍‍ ଭ୍ରାନ୍ତିର ସଂଶୋଧନ କରିବାକୁ ଚେଷ୍ଟା କରିବ; ଚେଷ୍ଟା କରିବ ସ୍ୱଅର୍ଜିତ ପାପର ପ୍ରାୟଶ୍ଚିତ କରିବାକୁ ।

 

ସେ ଭାବିପାରେ ନାହିଁ ଗାଁ ଛାଡ଼ି ତାର ବାପ ଅଜାମାନେ କାହିଁକି ସହରମୁହାଁ ହୋଇଥିଲେ-। ସେମାନେ କଣ କଳ୍ପନା କରିପାରି ନ ଥିଲେ ଯେ ତାଙ୍କର ପୁଅ ନାତିମାନେ ସହର ଛାଡ଼ି ପୁଣି ଦିନେ ଗାଁକୁ ଫେରିଆସିବେ ?

 

ଇସ୍କୁଲଟିଏ ବସେଇବା କିଛି ପିଲାଖେଳ ନୁହଁ । କେତେଆଡୁ କେତେ ବାଧା ଆସି ପହଞ୍ଚୁଛି । ଏଥିପାଇଁ ତୁଚ୍ଛାଟାରେ ସାଇ ସାଇ ଭିତରେ ଫଟାଫଟି ହୋଇଗଲାଣି । ବାର ଲୋକଙ୍କୁ ତେର କଥା କହି ବୁଝାଇବାକୁ ପଡ଼ୁଛି ।

 

ଅଧିକାଂଶ ଅବିଶ୍ୱାସ କରୁଛନ୍ତି ସୁକାନ୍ତକୁ । ନିଶ୍ଚୟ ଏ ସହରିଆ ବାବୁଙ୍କର କିଛି କୁମତଲବ ରହିଛି । ତା ନ ହେଲେ ସହରର ମଜା ଛାଡ଼ି କେହି କେବେ ଏ ଗଣ୍ଡ ଗାଁରେ ଆସି ଇସ୍କୁଲ ବସେଇବ ? ଏତେଦିନ ଯାଏ କୁଆଡ଼େ ଥିଲେ ?

 

ପଡ଼ିଶାଘରର ଗୋପ ଆଉ ପରିଅବଧାନେ, ଏଇମାନେ ହିଁ ଯାହା ଭରଷା ।

ଭଲ କାମଟିଏ କରିବାକୁ ଗଲେ ନାନା ବାଧା ବିପତ୍ତି ଆସି ପହଞ୍ଚେ । ସୁକାନ୍ତ ଜାଣେ । ସେଥିପାଇଁ ସେ ଆଦୌ ପଛେଇ ଯାଇନାହିଁ ।

 

ଘର ଘର ବୁଲି ସବୁ ଅଭିଭାବକମାନଙ୍କୁ ଅନୁରୋଧ କରୁଛି ଆପଣମାନେ ମତେ ଭୁଲ୍‍ ବୁଝନ୍ତୁ ନାହିଁ । ଆପଣମାନଙ୍କର ପିଲାକବିଲା କ’ଣ ମୋର ପୁଅ ଝିଅ ନୁହନ୍ତି ? ମୁଁ ସେମାନଙ୍କର ଦାୟିତ୍ୱ ନେବି । କେତେଦିନ ଆଉ ସେମାନେ ମୂର୍ଖ ହୋଇ ରହିବେ ? ମାତ୍ର ସାତୋଟି ବର୍ଷ ସେମାନଙ୍କୁ ଆପଣ ମୋ ଜିମା ଛାଡ଼ିଦିଅନ୍ତୁ ।

 

ମୁହଁ ଉପରେ କେହି କିଛି କୁହନ୍ତି ନାହିଁ ସିନା କିନ୍ତୁ ପଛରେ ସମସ୍ତେ ଫୁସୁରୁ ଫାସର ହୁଅନ୍ତି । ସମସ୍ତଙ୍କର ବିଶ୍ୱାସ ସୁକାନ୍ତ ନିଶ୍ଚୟ ଆସନ୍ତା ଇଲେକ୍‍ସନ୍‍ରେ ଛିଡ଼ାହବ । ସେଇ ଉଦ୍ଦେଶ୍ୟରେ ଏବେଠୁ ଆସି ଭଲଲୋକି-ପଣିଆ ଦେଖାଉଛି । ନଇଲେ କାଳେ ନାହିଁ ଦିନେ ନାହିଁ.....

 

ସବୁ ଶୁଣେ ସୁକାନ୍ତ । କିଛି କହେ ନାହିଁ । ଲୋକେ ଏମିତି କହିବା ସ୍ୱାଭାବିକ ।

 

ଉଦୁଉଦିଆ ଦି’ପହର ।

 

ସକାଳୁ ସୁକାନ୍ତ ବାହାରିଯାଇଥିଲା । ଫେରୁଛି ଏଇନେ । ରୁବିଭାଉଜ ଅଖିଆ ଅପିଆ ତା ବାଟ ଚାହିଁ ବସିଥିଲେ । ଗତ କେତେଦିନ ହେଲା ତା ଖାଇବା ପିଇବାର ସମୟ ଠିକ୍‌ ରହୁନାହିଁ, ଯେତକ ଅନିୟମ ।

 

ରୁବିଭାଉଜ ସୁକାନ୍ତକୁ ଖାଇବାକୁ ଦେଇ ନିଜପାଇଁ ଭାତ ବାଢ଼ିଲେ ।

 

କାଲି ସେ ଚାଲିଯିବେ ।

 

ସୁକାନ୍ତର ଝାଉଁଳିପଡ଼ିଥିବା ମୁହଁକୁ ଚାହିଁ କେମିତି ଗୋଟାଏ ବେଦନା ଅନୁଭବ କଲେ ରୁବିଭାଉଜ । କାଲିଠୁ ବିଚରା ଭାରି ଛଟରପଟର ହବ । ନିଜେ ଫୁଟେଇଲେ ମୁଠିଏ ଖାଇବ କିମ୍ବା ସିଏ ଯେଉଁ ପ୍ରକୃତିର ଲୋକ ହୁଏତ ଆଦୌ ରୋଷେଇ କରିବ ନାହିଁ । ଚୁଡ଼ା ମୁଢ଼ିରେ ଦିନ କଟେଇଦେବ । ରୁବିଭାଉଜ କହନ୍ତି - ତମେ କାଲି ମୋ ସାଙ୍ଗେ ଚାଲ । ସପ୍ତାହ ଖଣ୍ଡେ ରହି ତା’ପରେ ଆସିବ । ତମ ଭାଇ ଭାରି ଖୁସି ହେବେ ।

 

ସୁକାନ୍ତ ହସିବାକୁ ଚେଷ୍ଟା କରେ ।

 

-ସବୁ ଜାଣିଶୁଣି ବି ତମେ ମତେ ଏଇ ଅନୁରୋଧ କରୁଛ ଭାଉଜ? ମୋର ତା ବର୍ତ୍ତମାନ ମରିବାକୁ ବି ଫୁରସତ୍‍ ନାହିଁ । କି ଖିଆଲ୍‍ ଯେ ମୁଣ୍ଡରେ ପଶିଛି, ଏଇନେ ପୁଣି ବାହାରିବାକୁ ପଡ଼ିବ-।

 

ରୁବି ଭାଉଜ କହନ୍ତି - ବେଶୀ ଫାଜିଲାମି ମତେ ଆଦୌ ଭଲ ଲାଗେନାହିଁ । ଚାଟଶାଳୀ ତ କରିବ ନିଜ ଘରେ ... ଏତେ ଦୌଡ଼ାଦୌଡ଼ି କୋଉଥିପାଇଁ ?

 

ହାତ ଧୋଉ ଧୋଉ ସୁକାନ୍ତ କହେ –ତମେ ସେ ସବୁ ବୁଝିପାରିବ ନାହିଁ –

 

- ମୋର ବୁଝିବା ଦରକାର ନାହିଁ । ଦୟାକରି ଅଧଘଣ୍ଟାଏ ବିଶ୍ରାମକର .... ତାପରେ ଦିଗ୍‍ବିଜୟ କରିବାକୁ ବାହାରିବ ।

 

ବାଧ୍ୟହୋଇ ସୁକାନ୍ତ ଆସି ତା ଖଟରେ ଆଶ୍ରୟ ନେଲା । ତଳେ ମସିଣା ଉପରେ ଶୋଇଛି ରୁବିଭାଉଜଙ୍କ କୁନିଝିଅ । କି ସ୍ଵପ୍ନ ଦେଖି ହସୁଛି କେଜାଣି ? ନାଲି ଟୁକୁ ଟୁକୁ ସରୁ ପତଳା ଓଠର ସେଇ କଅଁଳିଆ ହସଟିକକ ଭାରି ଭଲ ଲାଗୁଥିଲା ସୁକାନ୍ତକୁ । ସେ ସେଇଆଡେକୁ ଆଗ୍ରହରେ ଚାହିଁରହିଲା ।

 

କିଛି ସମୟ ପରେ ବାସନକୁସନ ମାଜି ଗୋଡ଼ହାତ ଧୋଇ ରୁବିଭାଉଜ ଆସି ପହଞ୍ଚିଲେ

 

ପାନଡାଲା ଆଣି ପାନ ଭାଙ୍ଗିବସିଲେ ।

 

ବାହାରେ ମୁଣ୍ଡଫଟା ଖରା । ଆକଶ ଯେମିତି ଜଳିଯାଉଛି । ଚାରିଆଡ଼ ଶୂନଶାନ୍ ।

 

କୁନିଝିଅଆଡୁ ମୁହଁ ଫେରାଇଆଣି ସୁକାନ୍ତ ଚାହିଁଲା ରୁବି ଭାଉଜଙ୍କ ଆଡ଼କୁ । ଏକମନରେ ସେ ପାନରେ ଚୂନ ଦଉଛନ୍ତି |

 

କାଲି ଏତେବେଳକୁ ଏ ଘର ଖାଁ ଖାଁ ହଉଥିବ । କିଛିଦିନ ପରେ ପୁଣି ରୁବିଭାଉଜ ଆସିବେ । ଏତିକି ମାତ୍ର ସାନ୍ତ୍ୱନା । ପାନଖଣ୍ଡେ କଳରେ ଜାକି ରୁବିଭାଉଜ ଅନେଇଲେ ।

 

-କଣ ଏତେ ଭାବୁଛ ?

- କିଛି ନାହିଁ ।

 

ରୁବିଭାଉଜ ଉଠି ଆସି ସୁକାନ୍ତ ପାଖେ ଖଟ ଉପରେ ବସିଲେ । କହିଲେ -ଗୋଟିଏ କଥା ପଚାରିବି ରାଗିବ ନାହିଁ ତ ?

 

ମୁଣ୍ଡ ହଲେଇ ସୁକାନ୍ତ ନ ରାଗିବାର ପ୍ରତିଶ୍ରୁତି ଦେଲେ ।

 

ଏତେ ପିଲାଙ୍କୁ ମଣିଷ କରିବାର ଦାୟିତ୍ୱ ତମେ ଯେ ନବାକୁ ବାହାରିଛ ସେ ଯୋଗ୍ୟତା ତମର ଅଛି ତ ? କେବଳ ଗୋଟାଏ ହୋ ହୋ ଧୋ ଧୋ-ରେ ମାତି କିଛି ଲାଭ ନାହିଁ । ଶେଷରେ ବଦନାମ ହେବ ।

 

ସୁକାନ୍ତ ପଚାରିଲା - ତମର କଣ ବିଶ୍ୱାସ ?

 

ମୁଁ ମୂର୍ଖ । ଏତେ ବଡ଼ ବଡ଼ କଥା ସବୁ ମୋ ମୁଣ୍ଡରେ ପଶେନାହିଁ । ତଥାପି ତମ ଯୋଗ୍ୟତା ସମ୍ବନ୍ଧରେ ମୋର ସନ୍ଦେହ ରହିଛି । ମୋର ଡର ହଉଛି ସୁକାନ୍ତ, ତମେ ଦିନେ ହାସ୍ୟାସ୍ପଦ ହବ । ଏ ଯୁଗରେ ମୂର୍ଖମାନଙ୍କର ପ୍ରଭାବ ବେଶୀ, ସମ୍ମାନ ବେଶୀ । ତମକୁ କେହି ବୁଝିବେ ନାହିଁ ।

 

କ୍ଷୂର୍ଣ୍ଣ କଣ୍ଠରେ ସୁକାନ୍ତ କହିଲା - ସେତେବେଳକୁ ଦେଖାଯିବ । ପରିଅବଧାନେ, ଗୋପ ଆଉ ତମେ - ଏତେ ଲୋକ ପାଖରେ ଥାଉ ଥାଉ ମୁଁ କଣ ବାଟ ହୁଡ଼ିବି ? ମୁଁ ଯଦି ଅଯୋଗ୍ୟ ଅବିବେକୀ ହୋଇଥାଏ ତମମାନଙ୍କର ତ ବିବେକ ଅଛି, ଯୋଗ୍ୟତା ଅଛି । ଏ ବିଦ୍ୟାନିକେତନ ତ ଏକା ମୋର ନୁହଁ -ତମ ସମସ୍ତଙ୍କର । ସମସ୍ତେ ଯାହା ଭଲ ବୁଝିବ କରିବ । ମୁଁ ଯେତେବେଳେ ସ୍ଥାୟୀଭାବରେ ଗାଁରେ ରହିବା ପାଇଁ ଠିକ୍‌ କଲି କଣ ଗୋଟାଏ ନେଇ ତ ପୁଣି ରହିବି ? ମୋର ଦୁଃଖ ତମେ ବୁଝିପାରିବ ନାହିଁ ଭାଉଜ !

 

ସୁକାନ୍ତ କଣ କହିବାକୁ ଚାହୁଁଛି ରୁବିଭାଉଜ ଠିକ୍ ବୁଝି ପାରୁଛନ୍ତି । ଏ ସଂସାରରେ ଯାହାର ବେଶୀ ଅଛି ସେ ସୁଖୀ ଆଉ ଯାହାର କିଛି ନାହିଁ ସେ ମଧ୍ୟ ସୁଖୀ । କିନ୍ତୁ ଯାହାର ସବୁ ଥାଇ କିଛି ନ ଥିଲା ପରି ତାଠାରୁ ଦୁଃଖୀ ଆଉ କିଏ ଅଛି ?

 

ସୁକାନ୍ତ ପୁଣି କହିଲା - ତମର ନିଜ ଉପରେ ବିଶ୍ୱାସ ଅଛି ତ ? ଯଦି ଥାଏ ମୋପାଇଁ ସେଇ ଯଥେଷ୍ଟ । ମୁଁ ନ ଚଳେଇ ପାରିଲେ ତମେ କଣ ଇସ୍କୁଲ ଚଳେଇ ପାରିବ ନାହିଁ ? ନିଶ୍ଚୟ ପାରିବ । ଜୀବନରେ ଅନେକ କୁକର୍ମ କରିଛି ଭାଉଜ ! ଆଉ ହୁଏତ ସେଇଥି ପାଇଁ ମୋର ଏ ପ୍ରଚେଷ୍ଟା ଫଳବତୀ ନ ହୋଇପାରେ । ସେଇ ଭୟହିଁ ମତେ ସବୁବେଳେ ଖାଉଛି ।

 

ଅଗଣାରେ ଡାମରା କାଉଟିଏ ହଠାତ୍ ଛାତିଫଟା ଚିତ୍କାର କରିଉଠିଲା । ରୁବିଭାଉଜ ଉଠିଗଲେ ।

 

ଠିକ୍ ସେତିକିବେଳେ ଦାଣ୍ଡପଟେ ଧଳା ଛତା ଖଣ୍ଡେ ଧରି ପରିଅବଧାନେ ଡାକିଲେ - ସୁକାନ୍ତବାବୁ !

 

ମେଘରେ ଥିଲା ପାଣି ଆଉ ମାଟିରେ ଥିଲା ଶୋଷ । ସତେ ଯେମିତି ଦୁହିଁଙ୍କ ଭିତରେ ନିବିଡ଼ ବନ୍ଧୁତା ହୋଇଯାଇଛି । କେହି କାହାକୁ ଛାଡ଼ିବାକୁ ନାରାଜ । ଜଣେ ନିଜକୁ ନିଃଶେଷ କରିବାର ଆନନ୍ଦରେ ଆତ୍ମହରା ଆଉ ଅନ୍ୟ ଜଣକ କେବଳ ଗ୍ରହଣ କରି କରି ଆପଣକୁ ପ୍ରସବମୁଖୀ କରିବାରେ ବିହ୍ୱଳ । ଜ୍ୟେଷ୍ଠ ମାସର ଏଇ ମେଘରେ ଆଉ ପଛେ ବିଦ୍ୟୁତ୍‍ର ସମ୍ଭାବନା; ସେଥିରେ ଉନ୍ମାଦନାର ତ ଅଭାବ ନାହିଁ । ଚପଳତାର ତ ଅଭାବ ନାହିଁ ।

 

ବିଛଣାରେ ପଡ଼ିରହି ଲପିତା ଉପଭୋଗ କରିବାକୁ ଚେଷ୍ଟା କରୁଥିଲା ଏଇ ବର୍ଷାମୁଖର ଅପରାହ୍ନକୁ ।

 

ତାର ଦେହାହାତ ଭାରି ଭିଡ଼ିମୋଡ଼ି ହେଉଛି । ସତେ ଯେମିତି ଗର୍ଜିଉଠୁଛି ସମସ୍ତ ଇନ୍ଦ୍ରିୟ, ଉନ୍ମତ୍ତ ଯୌବନର ଜ୍ୱାଳା - ଭାବିବାକୁ ଭାରି ମଜାଲାଗୁଛି । କେଉଁଠି ଯେ ଦେହର ଏତେ କ୍ଷୁଧା, ମନର ଏତେ କାମନା ଜମାଟ ବାନ୍ଧି ରହିଛି କେଜାଣି !

 

ଏତିକିବେଳେ ପ୍ୟାରେଲାଲ୍ ଯଦି ପାଖରେ ଥାଆନ୍ତା । କେତେ ବା ବୟସ ହେବ ପ୍ୟାରେଲାଲ୍‍ର ? ଖୁବ୍ ବେଶିରେ କୋଡ଼ିଏ । କିନ୍ତୁ କୋଡ଼ିଏ ବର୍ଷ କଣ ବୁଝିପାରିବ ସତେଇଶ୍ ବର୍ଷର ଏଇ ଜ୍ଵାଳା ?

 

ମେଘରେ ଛାଇହୋଇଯାଇଛି ସାରା ଅକାଶ । ଖାଲି ପାଣି ଆଉ ପାଣି ।

 

ଗିଲାସେ ପାଣି ପିଇ ତକିଆରେ ମୁହଁ ଗୁଞ୍ଜି ଲାପିତା ଗ୍ରହଣ କରିବାକୁ ଚେଷ୍ଟାକଲା ସିମିଳି ତୂଳାର ଉଷ୍ଣତା ।

 

ପ୍ରାୟ ଅନେକଦିନ ହେବ ପ୍ରକାଶ ଆସିନାହିଁ, ନ ଆସୁ । ଲମ୍ପଟ ! ସାହସ କମ୍‌ ନୁହେଁ ତ-? ଆଙ୍ଗ୍ଳୋଇଣ୍ଡିଆନ୍‌ ଟୋକୀକି ଧରି ସିନେମା ଯାଉଛି ।

 

ପ୍ରକାଶର ତାହେଲେ କଣ ସବୁତକ ଅଭିନୟ ? କେତେ ପ୍ରତିଜ୍ଞା, କେତେ ଜବାବ୍............ ସବୁ ମିଛ ? ସବୁ ପାଣିର ଗାର ?

 

ପ୍ରକାଶ ତାହେଲେ କଣ ଚିରଦିନ ଅବିବାହିତ ରହିବ ? ଯେତେବେଳେ ଯିଏ ମିଳିଲା ତାକୁ ନେଇ ହସିବ କୁଦିବ ନାଚିବ ? ଚିରକୁମାର ରହିବାର ଅବଶ୍ୟ ଆଉ ଗୋଟିଏ ସୁବିଧା ଅଛି । ଦାୟିତ୍ୱହୀନ ଜୀବନ, ଆକାଶର ବିହଙ୍ଗପରି ମୁକ୍ତ । କିନ୍ତୁ ଆକାଶର ବିହଙ୍ଗ ବି ତ କରେ ନୀଡ଼ ରଚନା ।

 

ହୁଏତ ଆଦ୍ୟ ଯୌବନରେ କେଉଁ ପ୍ରଣୟିନୀକୁ ଜୀବନସଙ୍ଗିନୀ ହିସାବରେ ନ ପାଇ ସେ ହତାଶ ହୋଇପଡ଼ିଛି, ଆଉ ସେଇ ଦୁଃଖରେ ଏପର୍ଯ୍ୟନ୍ତ ସେ ବାହା ହୋଇନାହିଁ, ଆଜୀବନ ଅବିବାହିତ ରହିବାର ପ୍ରତିଜ୍ଞା ମଧ୍ୟ କରିଥିବ । କିନ୍ତୁ ଏଯୁଗରେ ତ ପ୍ରେମପ୍ରଣୟ କ୍ଷେତ୍ରରେ ଏପରି ବିୟୋଗାନ୍ତ ନାଟକର ଅବତାରଣା ହେବା ସମ୍ଭବ ନୁହଁ । ବହୁତ ଲୋଭ, ବହୁତ ପ୍ରଲୋଭନର ଏ ସମାଜ, ଅତୀତର ଯେ କୌଣସି ପ୍ରେମଜନିତ କ୍ଷତକୁ ଶୁଖାଇଦେବାପାଇଁ ଅସଂଖ୍ୟ ସ୍ଵେଚ୍ଛାସେବିକାଙ୍କର ପ୍ରଣୟାସିକ୍ତ ଆହ୍ୱାନ ଓ ନିର୍ଭରଶୀଳ ପ୍ରତିଶ୍ରୁତି - ଏ ସବୁକୁ ଏଡ଼ିଦେବା କଣ ସମ୍ଭବ ? ସମ୍ଭବ ସେମାନଙ୍କ ଦୃଷ୍ଟିର ଅନ୍ତରାଳରେ ରହିବା ? ବନ୍ଧନରେ ତ ମିଳେ ପ୍ରକୃତ ମୁକ୍ତି, ପ୍ରକୃତ ଆନନ୍ଦ । ତଥାପି ପ୍ରକାଶ କାହିଁକି ବନ୍ଧନ ଚାହେଁ ନାହିଁ ? କାହିଁକି ଚାହେଁ ନାହିଁ ତୃଷିତ ଦୁଇଟି ବାହୁବଲ୍ଲରୀ ଭିତରେ ସବୁଦିନ ପାଇଁ ନିଜକୁ ସମାହିତ ସୁସଂଯତ କରି ରଖିବାକୁ ?

 

ପ୍ୟାରେଲାଲ୍‌କୁ ତା ସହିତ ପରିଚୟ କରାଇଦେଲା ପରେ ପ୍ରକାଶ ଆପଣାଛାଏଁ ଦୂରେଇ ଯାଇଛି । କିନ୍ତୁ କାହିଁକି ? ପ୍ରକାଶ କଣ ମନେକରେ ପ୍ୟାରେଲାଲ୍ ତାର ପରିପୂରକ ?

 

ଲପିତା କଡ଼ ଲେଉଟାଏ । ଯେତେସବୁ ଆଜେବାଜେ ଚିନ୍ତା ତା’ମନରେ ପଶୁଛି । କଣ ଲାଭ ଏ ସବୁ ଭାବି ? ଯିଏ ଯିବାକୁ ଚାହୁଁଛି ତାକୁ ଯିବାକୁ ଦିଅ । ତାହେଲେ ଆସିବାକୁ ଚାହୁଁଥିବା ଲୋକପାଇଁ ବାଟ ସଫା ରହିବ ।

 

ଅତନୁ ତ ପୁଣି ଯାଉଛି । ପଥପ୍ରାନ୍ତର ଫୁଲପରି ତାକୁ ଯେ ସେ ଆଡ଼େଇ ଦେଇ ଯାଇପାରିବ ଏକଥା କଣ ଲପିତା କେବେ ବିଶ୍ୱାସ କରିଥିଲା ? ମିତ୍ରାକୁ ବାହାହୋଇ ଅତନୁ ନିଶ୍ଚୟ ସୁଖୀହୋଇ ନ ଥିବ । ଏତେ କଥା ଶୁଣି ବି ମିତ୍ରା ତାକୁ ବାହା ହେଲା । ତାପରି ଶିକ୍ଷିତା ଆଲୋକପ୍ରାପ୍ତା ଝିଅ ପୁଣି ଜାଣିଶୁଣି ଏମିତି ମାରାତ୍ମକ ଭୁଲ୍‍ କରନ୍ତି ନା କଣ ? ଏହାଠାରୁ ଯେ ଆତ୍ମହତ୍ୟା ଭଲ । ପ୍ୟାରେଲାଲ୍ ଆଉ ଯାହା ହଉନା କାହିଁକି ଏକାନ୍ତ ଅନୁଗତ । ତା ଦୃଷ୍ଟିରେ ଦୁନିଆଯାକର କୌତୂହଳ ଓ ବିସ୍ମୟ ଯେମିତି ବସା ବାନ୍ଧି ରହିଛି । ସହଜ ସରଳ ତାର ଚାଲିଚଳଣ-। ମାଧୁର୍ଯ୍ୟଭରା ତାର ହସ । ସହନୁଭୂତିଶୀଳ ତାର କଥାବାର୍ତ୍ତା । ସୁନ୍ଦର –ଚମତ୍କାର । ଏ ସହରର କାହା ସାଥିରେ ତାର ତୁଳନା ଯେ ହୁଏନା ।

 

ପ୍ୟାରେଲାଲ୍ କଣ ଆଜି ଆସିବ ନାହିଁ ? ନିଶ୍ଚୟ ଆସିବ ? କିଛି ନା କିଛି ଗୋଟାଏ କାମର ବାହାନା କରି ସେ ଆସିବ । ଅଳସ ଭାଙ୍ଗିଭାଙ୍ଗି ଲପିତା ଉଠିଲା । ମେଘ ଛାଡ଼ିଗଲାଣି କିନ୍ତୁ ଆକାଶ ସଫା ହୋଇ ନାହିଁ ।

 

ମୁହଁହାତ ଧୋଇ ଲପିତା ଯାଇଁ ବସିଲା ତା ଡ୍ରେସିଂ ଟେବୁଲ ସାମନାରେ । ଆର୍‍ସିରେ ନିଜର ଚେହେରା ଦେଖି ଚମକି ଉଠିଲା । ଏଇ ଚାହାଣୀ, ଏଇ ହସ ସବୁ ବଦଳେଇବାକୁ ପଡ଼ିବ । ବଦଳେଇବାକୁ ପଡ଼ିବ ଚାଲିବାର ଏଇ ଭଙ୍ଗୀକୁ । ତା ନ ହେଲେ ବୟସର ଚାପରେ ଯୌବନ ଭୁଷୁଡ଼ିପଡ଼ିବ ।

 

ସେଦିନ ନାଇଟ୍‌କ୍ଳବ୍‌ରେ ସେଇ ଯେଉଁ ଭଦ୍ରମହିଳାଙ୍କ ସାଥିରେ ଦେଖା ହୋଇଥିଲା .... କଣ ତାଙ୍କ ନାଁ ତ ? ମିସ୍‍ ବିଉଟି ପଟ୍ଟନାୟକ ... ଅନେକ କିଛି ଶିଖିବାକୁ ଅଛି ତାଙ୍କ ଠାରୁ । ବୟସକୁ ଚାପିଚୁପି ରଖିବାର କାଇଦାଟି ତାଙ୍କର ବେଶ୍ । ତାଙ୍କର ଚାଲି କଥାବାର୍ତ୍ତା ଏମିତି କି ପ୍ରତିଟି ଅଙ୍ଗସଞ୍ଚାଳନରେ ରହିଛି କେତୋଟି ମିଠା ଛନ୍ଦର ସମାବେଶ । କେତେ ଦିନ ଅଭ୍ୟାସ କଲେ ମଣିଷ ମାପିଚୁପି ସେମିତି ଚାଲିପାରିବ, ହସିପାରିବ ଆଉ କଥା କହି - ପାରିବ କେଜାଣି !

 

ଆଖିର ଉପରପତାକୁ କ୍ରମେ କ୍ରମେ ତଳକୁ ଆଣି, ଆର୍‍ସିକୁ ଚାହିଁ ଲପିତା ପ୍ରଥମେ ନିଜର ଦୃଷ୍ଟିରେ ମାଦକତା ଆଣିବାକୁ ଚେଷ୍ଟା କଲା । ତାପରେ ଓଠକୁ ଆସ୍ତେ ଆସ୍ତେ ଲମ୍ବେଇ କେମିତି ଗୋଟାଏ ମିଠାଳିଆ ହସ ହସିଲା - ଏଇ ବେଶ୍ । ମିସ୍ ବିଉଟି ପଟ୍ଟନାଏଙ୍କର ଚାଲିବାର ସେଇ ସୁନ୍ଦର ଢଙ୍ଗଟି - କିଛି ଦିନ ଅଭ୍ୟାସ କରିବାକୁ ପଡ଼ିବ । ତା ହେଲେ ଲଜ୍ଜାନମ୍ର ଷୋଡ଼ଶୀର ଭୀରୁତା ସାଙ୍ଗରେ ମିଶି ମିଶି ରହିବ ସୀମିତ ଚପଳତା ଓ ତାରୁଣ୍ୟର ନୀରବ ଆହ୍ୱାନ । ବୟସ କମିଯିବ ପ୍ରାୟ ଦଶବର୍ଷ ।

 

ହାଲୁକା ପ୍ରସାଧନ ଶେଷକରି ଲପିତା ଉଠିଆସିଲା ଝରକା ପାଖକୁ । ରେଲିଂ ଧରି ବାହାରକୁ ଚାହିଁ ଛିଡ଼ାହୋଇ ରହିଲା । ବାହାରେ ବର୍ଷଣକ୍ଳାନ୍ତ ସନ୍ଧ୍ୟା ।

 

ଏଇନେ କଣ କରୁଥିବ ସୁକାନ୍ତ ? ହୁଏତ ରୁବିଭାଉଜଙ୍କ କାନ୍ଦୁରୀ ଝିଅକୁ କାଖେଇ ଅଗଣା ସାରା ବୁଲୁଥିବ କିମ୍ବା ସଞ୍ଜ ବଳୁଥିବ ଚଉରାମୂଳେ ଦବାପାଇଁ । ନ ହେଲେ ପୋଖରୀ ତୁଠରେ ବସି ଭାବୁଥିବ ଶ୍ୱଶୁରଘର କଥା । ତା ଜୀବନଟା କେବଳ ଭାବି ଭାବି ହନ୍ତସନ୍ତ ହୋଇ ସରିଯିବ ସିନା ! କେମିତି ଗୋଟାଏ ଦୁଃଖ ହୁଏ ସୁକାନ୍ତ ପାଇଁ । ଯେତେହେଲେ ସ୍ୱାମୀ ତ !

 

କିଛି ସମୟ ପରେ ଲପିତା ଚାଲିଆସେ ଡ୍ରଇଂ ରୁମ୍‍କୁ । ସୋଫା ଉପରେ ଆଉଜିପଡ଼ି ଆଖି ବୁଜେ । ତାପରେ ପୁଣି ଚାଲିଯାଏ ଛାତ ଉପରକୁ । ଝିର୍ ଝିର୍ ଥଣ୍ଡା ପବନ ଦିହରେ ବାଜୁଛି, ଭଲ ଲାଗୁଛି ।

 

ଦୂରରେ ଜିପ୍‍ର ଆଲୁଅ । ଦୁଇ ମିନିଟ୍ ଭିତରେ ଜିପ୍ ଆସି ଛିଡ଼ାହୁଏ ଫାଟକ ସାମନାରେ-। ଏକା ପ୍ୟାରେଲାଲ୍ ନୁହଁ ସାଥିରେ ପ୍ରକାଶ ମଧ୍ୟ ଆସିଛି । କଣ ଆବଶ୍ୟକ ଥିଲା ପ୍ରକାଶକୁ ସାଙ୍ଗରେ ଆଣିବାକୁ । ନିର୍ବୋଧ -ନିହାତି ପିଲାଳିଆ ।

 

ହସ ଖୁସିରେ ସାନ୍ଧ୍ୟ ଆଡ଼୍‍ଡ଼ା‌ଟି ଅଳ୍ପ ସମୟ ଭିତରେ ଜମିଉଠେ ।

 

କଥା ମଝିରେ ପ୍ରକାଶ କହେ -ଆସନ୍ତା ପକ୍ଷରେ ପ୍ୟାରେଲାଲ୍ କାଶ୍ମୀର୍‍ ଯାଉଛି - ମତେ ଟାଣୁଛି ତା ସାଙ୍ଗରେ ଯିବାକୁ; କିନ୍ତୁ ମୋର ଯିବା ଆଦୌ ସମ୍ଭବ ନୁହେଁ - ମୁଁ ତାକୁ ଆଉ ଗୋଟିଏ ସୁନ୍ଦର ପ୍ରସ୍ତାବ ଦେଇଛି - କଣ, କହିବି ପ୍ୟାରେଲାଲ୍ ?

 

ପ୍ୟାରେଲାଲ୍‍ର ମୁହଁ ଲାଲ୍‌ ହୋଇ ଉଠେ । ତଳକୁ ମୁହଁ ପୋତି ସେ ମୁର୍‍କି ମୁର୍‍କି ହସିବାକୁ ଆରମ୍ଭ କରେ ।

 

ପ୍ରସ୍ତାବଟି ଆଉ କିଛି ନୁହେଁ । ପ୍ରକାଶ ଚାହେଁ ଲପିତା କିଛି ଦିନ ପାଇଁ କାଶ୍ମୀର୍‍ ଭ୍ରମଣରେ ଯାଉ । ସେଥିରେ ଲପିତାର ସ୍ୱାସ୍ଥ୍ୟର ପରିବର୍ତ୍ତନ ଘଟିବ । ମନ ସତେଜ ରହିବ ।

 

ଶେଷକୁ ପ୍ୟାରେଲାଲ୍ ମଧ୍ୟ ଜିଦି ଧରେ – ଆପଣ ଚାଲନ୍ତୁ ନାଁ ଲପିତା ଦେବୀ ... ମୋ ସାଙ୍ଗରେ ଯିବେ । ଡର କଣ ? ଆପଣଙ୍କର କୌଣସି ଅସୁବିଧା ହବ ନାହିଁ । ଯିବା ଆସିବା ଆଉ ରହିବା ଖର୍ଚ୍ଚ ମୋର ।

 

ସୁନ୍ଦର ପ୍ରସ୍ତାବ । ଗୋଟାଏ ଜାଗାରେ ଏତେଦିନ ରହି ରହି ଦେହ ହାତ ଯେମିତି ସ୍ଥାଣୁ ହୋଇଗଲାଣି । ନୂଆ ପାଣି, ନୂଆ ପବନ ପାଇଁ ମନ ବ୍ୟାକୁଳ ହୋଇ ଉଠୁଛି । ଏପରି ସୁବିଧା କେତେ ଜଣଙ୍କୁ ମିଳେ ?

 

ନିଜର ଇଚ୍ଛାକୁ ଚାପିରଖି ଲପିତା ପଚାରେ - କିନ୍ତୁ ଆପଣଙ୍କର ହଠାତ୍ କାଶ୍ମୀର୍‍ ଯିବା ପ୍ରଶ୍ନ ଉଠିଲା କାହିଁକି ? କୌଣସି ଖରାପ ମତଲବ୍‍ ନାହିଁ ତ ?

 

ଲପିତାର ପ୍ରଶ୍ନ ଶୁଣି ପ୍ରକାଶ ହସେ । କହେ –ଖରାପ ମତଲବ ଥିଲେ କଣ ତମକୁ ସାଙ୍ଗରେ ନିଅନ୍ତା ନିକଟରେ ଆମ ଛବିର ଆଉଟ୍ ଡୋର୍ ସୁଟିଂ ଆରମ୍ଭ ହବ ... ସେଇ ସଂକ୍ରାନ୍ତରେ ବିଚାରା ଯାଉଛି । ଆଡ଼କାର ଝଞ୍ଚଟ୍ ସବୁ ଛିଣ୍ଡେଇ ମୁଁ ପଛରେ ଯିବି । ତମେ ତା ସାଥିରେ ଯାଅ .. ତମେ ଗଲେ ସେ ଉତ୍ସାହ ପାଇବ ।

 

ବହୁ ଅନୁନୟ ବିନୟ ପରେ ଲପିତା ରାଜିହେଲା । ଠିକ୍ ହେଲା ରାତି ଏକ୍ସପ୍ରେସ୍‍ରେ ସେମାନେ ହାଉଡ଼ାଯିବେ । ତାପରେ ଦମ୍‍ଦମ୍‍ରୁ ଶ୍ରୀନଗର ବାଇ ଏଆର୍ |

 

ପରିଅବଧାନେ, ସୁକାନ୍ତ ଓ ଗୋପ ତିନିହେଁ ଭୋକ ଶୋଷ ଭୁଲିଯାଇଛନ୍ତି । କାଲି ବିଦ୍ୟାନିକେତନର ଉଦ୍‍ଘାଟନ ଉତ୍ସବ ।

 

ପ୍ରତିଶ୍ରୁତି ରକ୍ଷାକରି କେବଳ ରୁବିଭାଉଜ ନୁହନ୍ତି ରମାଭାଇ ମଧ୍ୟ ପହଞ୍ଚିଛନ୍ତି । ରୁବିଭାଉଜଙ୍କ ସାଙ୍ଗକୁ ଜୁଟିଯାଇଛି ଶୋଭା-ଗୋପର ନବବିବାହିତା ସ୍ତ୍ରୀ । ସାରା ଖଞ୍ଜା ଲିପାପୋଛା ହୋଇଛି । ଶୋଭା ଚିତାକଟିବାରେ ବ୍ୟସ୍ତ । ଭାରି ସୁନ୍ଦର ଚିତା ସେ କାଟିପାରେ ।

 

କେତେକ ଉତ୍ସାହୀ ଯୁବକ ଅତି ମନଯୋଗ ଦେଇ ଦେବଦାରୁ ପତ୍ର ଓ ଡାଳରେ ଦାଣ୍ଡପଟ ସଜାଉଛନ୍ତି । ଧାନମେଣ୍ଟା ସାହାଯ୍ୟରେ ସୁନ୍ଦର ତୋରଣଟିଏ ମଧ୍ୟ ତିଆରି ହୋଇସାରିଛି ।

 

ଛୋଟ ଛୋଟ ଝିଅମାନେ ରଙ୍ଗିନ୍‍ କାଗଜ ଧରି ଫୁଲ କାଟିବାକୁ ବସିଯାଇଛନ୍ତି ।

 

ସବୁ ତଦାରକ କରୁଛନ୍ତି ରୁବିଭାଉଜ । ମଝିରେ ମଝିରେ ୟାକୁ ତାକୁ ସାହାଯ୍ୟ କରୁଛନ୍ତି ।

 

ଏଇ ଅବସରରେ ସୁକାନ୍ତ ତା ବିଛଣାରେ ବସି ଭାବୁଥିଲା କାଲିକା ପାଇଁ ଆଉ ସବୁ କଣ କାମ ବାକି ରହିଯାଇଛି । ଭାବୁ ଭାବୁ ତାକୁ କେତେବେଳେ ଛାଇନିଦ ଲାଗିଯାଇଛି । କଣ ଗୋଟାଏ ଶବ୍ଦରେ ଚାଉଁକିନା ତା ନିଦ ଭାଙ୍ଗିଗଲା ।

 

ଦାଣ୍ଡରେ ପିଲାମାନଙ୍କର ଗହଳି କମିଯାଇଛି । ଖରା ନଇଁ ଆସିଲାଣି । ଆଉ ବେଳ ନାହିଁ-। ଅନେକ କାମ ବାକି ଅଛି ।

 

ଗୋପ ଆସି ଡାକିବବୋଲି କହିଥିଲା - ଦୁହେଁ ସାଥି ହୋଇ ମୁରବୀମାନଙ୍କୁ ନିମନ୍ତ୍ରଣ କରିବାକୁ ଯାଇଥାନ୍ତେ - ଝରକାବାଟେ ଦେଖାଯାଉଛି ଗୋପଙ୍କର ଢିଙ୍କିଶାଳ-ଗୋଡ଼ାଗୋଡି ହୋଇ ଶୋଭା ଓ ଗୋପ ଢିଙ୍କିଶାଳ ଭିତରେ ପଶୁଛନ୍ତି । ଶୋଭାର ବାଳ ଫିଟିଯାଇଛି । କାନ୍ଧରୁ ଖସି ପଡ଼ିଛି ପଣତ, ଢିଙ୍କି ଚାରିପାଖେ ଦୁହେଁ ଧରାପରା ହଉଛନ୍ତି । ସୁବିଧା ଦେଖି ଗୋପ ଶୋଭାର ହାତକୁ ଖପ୍‍କିନା ଧରି ତାକୁ ଭିଡ଼ିଆଣୁଛି - ଛାଟିପିଟି ହଉଛି ଶୋଭା - ଗୋପ ଶୋଭା କାନରେ ଥିରି ଥିରି କଣ ସବୁ କହୁଛି - ରଙ୍ଗା ପଡ଼ିଆସୁଛି ଶୋଭାର ମୁହଁ । ସେ ତଳକୁ ମୁହଁ ପୋତି ଲାଜରେ ମୁଣ୍ଡ ହଲାଇ ନାହିଁ ନାହିଁ କରୁଛି । ସୁକାନ୍ତ ନିଶବ୍ଦରେ ଝରକା ବନ୍ଦ କରିଦିଏ ।

 

ଗୋପ ଆଉ ଶୋଭା - କପୋତ କପୋତୀ ପରି କେଡ଼େ ସୁନ୍ଦର ଜୀବନ ଏମାନଙ୍କର -ଦେଖିଲେ ହିଂସା ହୁଏ ।

 

ରମାଭାଇ ଘରଭିତରକୁ ପଶିଆସିଲେ ।

 

- କିରେ ଶୋଇଥିବୁ କି ?

 

ସୁକାନ୍ତ ଛିଡ଼ା ହେଲା ।

 

କହିଲା - କାହାର କଣ ସୋର ଶବ୍ଦ ନାହିଁ ? ଯିଏ ଯୁଆଡ଼େ ଗଲେଣି କି ?

 

-କାମ ଦାମ ସାରି ଏଇକ୍ଷିଣା ତ ସମସ୍ତେ ଗଲେ । ସଞ୍ଜ ବେଳକୁ ପୁଣି ଆସିବେ ଯେ ।

 

ରମାଭାଇ ଖଟ ଉପରେ ବସିଲେ । ସେ ଯେମିତି କଣ କହିବାକୁ ଚାହାନ୍ତି ।

 

ଚାରିଆଡ଼େ ଥରେ ଆଖି ବୁଲେଇନେଇ ସୁକାନ୍ତକୁ ବସିବାକୁ ଇସାରା ଦେଲା ପରେ ତା ମୁହଁ ପାଖକୁ ମୁହଁ ନେଇ ଆସ୍ତେ ଆସ୍ତେ କହିଲେ - ରୁବି ପାଖରୁ ଶୁଣିଲି ଲପିତା କୁଆଡ଼େ ଆସୁଛି ? ଆଜି ରାତିରେ ଯଦି ଆସି ପହଞ୍ଚେ ତ ମହା ଅସୁବିଧା କଥା । ଗାଧୁଆ ପାଧୁଆ କରିବା ତ ଏଠି ଗୋଟାଏ ସମସ୍ୟା !

 

ରମାଭାଇଙ୍କ କଥା ଶୁଣି ସେ ନୀରବ ରହେ । ଅନେକ ଭାବିଚିନ୍ତି ରୁବିଭାଉଜଙ୍କ ମତ ନେଇ ସେ ଲପିତାକୁ ଚିଠି ଲେଖି ଅନୁରୋଧ କରିଛି ଆସିବା ପାଇଁ । ଆସିଲେ ହୁଏତ ଆସିପାରେ-। ସେ ଅଧ୍ୟାପିକା । ଗୋଟିଏ ବିଦ୍ୟାନିକେତନର ଆକର୍ଷଣକୁ କଣ ସେ ଏଡ଼ିଦେବ ? ବୋଧହୁଏ ନୁହେଁ ।

 

ଆଗପଛ ହୋଇ ପରିଅବଧାନେ ଓ ଗୋପ ଆସି ପହଞ୍ଚିଲେ ।

 

ଗୋପ କହିଲା- ମୋର ଟିକେ ଡେରି ହୋଇଗଲା ସୁକାନ୍ତ ଭାଇ - ଏଇ ଯେ ଆସିଲି ଆଉ ଯିବି ନାହିଁ ।

 

ଦେଖୁ ଦେଖୁ ସେ ଘରେ ରୀତିମତ ଗୋଟାଏ ସଭା ବସିଗଲା ।

 

ସନ୍ଧ୍ୟା ଗଡ଼ିଲାରୁ ରୁବିଭାଉଜ ଲଣ୍ଠନ୍‌ ଜାଳି ଥୋଇଦେଇ ଗଲେ ।

 

ଏ ବର୍ଷ ମାତ୍ର ପଚିଶ ଜଣ ଛାତ୍ରଛାତ୍ରୀ ଗ୍ରହଣ କରାଯିବ । ସେମାନଙ୍କଠାରୁ କୌଣସି ରକମ ଦକ୍ଷିଣା ନିଆଯିବ ନାହିଁ ।

 

ଆପାତତଃ ସୁକାନ୍ତ, ପରିଅବଧାନେ ଓ ଗୋପ ପଢ଼ାଇବେ । ତା’ପରେ ଅବସ୍ଥା ବୁଝି ବ୍ୟବସ୍ଥା କରାଯିବ ।

 

ଯେତିକି ଆଶା କରାଯାଉଥିଲା ତା ଅପେକ୍ଷା ଯଥେଷ୍ଟ ବେଶୀ ସାହାଯ୍ୟ ମିଳିଛି ଗାଁ ଲୋକଙ୍କଠାରୁ । ଆସନ୍ତାକାଲିର ଉତ୍ସବଟି ଭଲେ ଭଲେ ହୋଇଯିବ ।

 

ସହରର କେଉଁ ଶିକ୍ଷାବିଦ୍‌ ବା କ୍ଷମତାରୂଢ଼ ବ୍ୟକ୍ତିଙ୍କୁ ଏଇ ଉଦ୍‌ଘାଟନ ଉତ୍ସବରେ ଯୋଗଦେବାପାଇଁ ନିମନ୍ତ୍ରଣ ହୋଇନାହିଁ । ଏ ଉତ୍ସବରେ ପ୍ରଧାନ ଅତିଥି ଜଣେ ନୁହଁନ୍ତି, ସବୁ ଅତିଥି ହଉଛନ୍ତି ପ୍ରଧାନ ।

 

ନାନା ଆଳାପ ଆଲୋଚନା ପରେ ସମସ୍ତେ ଉଠୁ ଉଠୁ ରାତି ଆଠଟା ।

 

ସୁକାନ୍ତ ଓ ଗୋପ ରୁବିଭାଉଜଙ୍କୁ ଖୋଜି ଖୋଜି ଭିତରକୁ ପଶିଗଲେ ।

 

କାଲିକି କି କି ଖାଇବା ଜିନିଷ ତିଆରି ହବ ଶୋଭା ତାର ତାଲିକା କରୁଛି ଆଉ ରୁବିଭାଉଜ ତାକୁ ବତେଇ ଦଉଛନ୍ତି ।

 

ଶୋଭାକୁ ଦେଖି ସୁକାନ୍ତ ପଛେଇ ଆସିଲା । ଡାକିଲା, ଭାଉଜ ଟିକେ ଶୁଣିଯିବ ।

 

ଭାଉଜ କହିଲେ- ୟାଡ଼େ ଆସୁନା ... କାହାକୁ ଲାଜ କରୁଛ ? ତଥାପି ସୁକାନ୍ତ ଗଲା ନାହିଁ-। ରୁବିଭାଉଜ ବାରଣ୍ଡାକୁ ଆସିଲେ । ଇତ୍ୟବସରେ ଆଡ଼କୁ ସାଡ଼କୁ ଚାହିଁ ଗୋପ ଶୋଭାର କାନ ମୋଡ଼ିଦେଲା । ଶୋଭା କିଛି ନ ଜାଣିଲା ପରି ତାଲିକାଆଡ଼କୁ ଏକ ଦୃଷ୍ଟିରେ ଅନେଇ ରହିଛି-। ଗୋପ ଅନୁଚ୍ଚ ସ୍ୱରରେ ପଚାରିଲା - ଘରକୁ କେତେବେଳେ ଯିବ ?

 

ଶୋଭା ନିରୁତ୍ତର । ତାର ଏକାଗ୍ରତା ସତେ ଯେମିତି ନଷ୍ଟ ହୋଇନାହିଁ ।

 

ଗୋପ ପୁଣି ତା କାନ ମୋଡ଼ିଦେଲା । ବୋଧହୁଏ ସ୍ୱାମୀର ଏଇ ବ୍ୟବହାରରେ ପ୍ରତିବାଦ କରି ଶୋଭା ଫୁଁକିନା ଡିବିଟା ଲିଭେଇଦେଲା ।

 

ରୁବିଭାଉଜ ପାଟି କରିଉଠିଲେ - ଶୋଭା, ଡିବି ଲିଭିଗଲା କି ?

 

-ଲିଭିଗଲା ନାହିଁ ଭାଉଜ, କିଏ ଗୋଟାଏ ଲିଭାଇ ଦେଲା । ଶୋଭା ମୁହଁରୁ କଥା ନ ବାହାରୁଣୁ ଗୋପ ଏକାଡ଼ିଆଁକେ ବାରଣ୍ଡାରେ ହାଜାର୍ । ଛି ଛି ଶୋଭାର ଇଏ କି ଅଭଦ୍ରତା । ହଉ, ମୌକା ଦେଖି ସେ ବି ୟାର ପ୍ରତିଶୋଧ ନବ ।

 

ବାରଣ୍ଡାରେ ସୁକାନ୍ତ ଆଉ ରୁବିଭାଉଜ କଥା ହଉଥିଲେ । ଗୋଡ଼ ଚିପି ଚିପି ଗୋପ ଦାଣ୍ଡ ଆଡ଼କୁ ପଳାଉଥିଲା । ତାର ସେଇ ଯିବାର ଢଙ୍ଗ ଦେଖି ଦୁହେଁଯାକ ଫେଁ କିନା ହସିଉଠିଲେ ।

 

ଅବସ୍ଥାଟା ଅନୁମାନ କରି ଭିତର ଘରେ ଶୋଭା ମଧ୍ୟ ପାଟିରେ ଲୁଗା ଗୁଞ୍ଜି ହସୁଥିଲା । ଭଲ ହୋଇଛି । ସବୁବେଳେ ଫାଜିଲାମି ।

 

ନିମନ୍ତ୍ରଣ କରିବାକୁ ଯିବାକଥା । ସୁକାନ୍ତ ଓ ଗୋପ ତରତର ହୋଇ ବାହାରି ଯାଉଥିଲେ । ତୋରଣ ପାଖେ ବସିଛନ୍ତି ପରିଅବଧାନେ ।

 

ଗୋପ ପଚାରିଲା - ଆପଣ ଏତେବେଳଯାଏ ଯାଇ ନାହାନ୍ତି ?

 

- ମତେ ଏଠି ବସିବାକୁ ଭାରି ଶାନ୍ତିଲାଗୁଛି । ଆପଣମାନେ ଯାଆନ୍ତୁ - ମୁଁ ଆଉ ଟିକକ ପରେ ଯିବି । ଆଉ କିଛି କାମ ବାକି ନାହିଁ ତ ?

 

ସୁକାନ୍ତ କହିଲା - ନାଁ ଆପଣଙ୍କ ଆଶୀର୍ବାଦରୁ ଉତ୍ସବଟି କାଲି ଭଲରେ ଭଲରେ ବଢ଼ିଗଲେ ଯାଏ ।

 

ମୁଣ୍ଡ ହଲେଇ ଅତି ପ୍ରଶାନ୍ତ ହସ ହସୁଛନ୍ତି ପରିଅବଧାନ ।

 

- ମୋର ତ ଆଶୀର୍ବାଦ ରହିଛି ଆଉ ରହିଥିବ । କିନ୍ତୁ ଆପଣମାନଙ୍କର ନିଷ୍ଠା ଆଉ କର୍ମପ୍ରବଣତା ବଞ୍ଚେଇ ରଖିବ ଏଇ ଅନୁଷ୍ଠାନକୁ । ଆପଣମାନେ ଯାଆନ୍ତୁ ରାତି ବେଶୀହେଲେ ପୁଣି ପହଡ଼ ପକେଇ ଦେବେ ସମସ୍ତେ । କାଲି ଭୋଅରୁ ପରା ପ୍ରଭାତ-ଫେରୀ ହବ ? ଗୋଦରା ହେଲେ ବି ମୁଁ ସେଇ ପ୍ରଭାତ -ଫେରୀରେ ଯୋଗଦେବି । କଣ କହୁଛନ୍ତି ?

 

ଗୋପ ହସିଲା – କହିଲା – ନିଶ୍ଚୟ, ଆପଣ ବୁଢ଼ାଲୋକ, ଯାଆନ୍ତୁ ବିଶ୍ରାମ କରିବେ । ପ୍ରଭାତ- ଫେରୀରେ ଯୋଗଦେଲେ ରାତି ଚାରିଟାରୁ ଉଠିବାକୁ ପଡ଼ିବ ଯେ ।

 

ଗୋଟିଏ ପିଲା ସାଙ୍ଗରେ ପରିଅବଧାନଙ୍କୁ ପଠେଇ ଦେଲା ସୁକାନ୍ତ । ତାଙ୍କ ବାଡ଼ିର ଠୁକ୍‍ ଠୁକ୍‍ ଶବ୍ଦ ମିଳେଇଯିବା ପର୍ଯ୍ୟନ୍ତ ସୁକାନ୍ତ ତୋରଣ ପାଖେ ଠିଆ ହୋଇରହିଲା ।

 

ଆଜି ସବୁଠୁ ବେଶୀ ଉତ୍‌ଫୁଲ୍ଲ ଜଣାପଡ଼ୁଛନ୍ତି ପରିଅବଧାନେ । ଏତେ ଆନନ୍ଦ, ଏତେ ଉଚ୍ଛ୍ୱାସ ଯେ ସେ କଥା କହି ପାରୁନାହାନ୍ତି ।

 

ସୁକାନ୍ତ ଓ ଗୋପ - ଘର ଘର ବୁଲି କହିଦେଇ ଆସିଲେ, ଆପଣମାନେ ସମସ୍ତେ କାଲି ସକାଳେ ଆସିବେ ...ଯଦି ସୁବିଧା ହୁଏ ସଞ୍ଜବେଳେ ଘରଦ୍ଵାର ସଜେଇ ପାରନ୍ତି ... ଆଲୁଅ ଜାଳି ଆମ୍ଭମାନଙ୍କୁ ବାଟ ଦେଖେଇଲେ ଆମେମାନେ ବାଟବଣା ହବୁନାହିଁ ।

 

ଫେରୁ ଫେରୁ ରାତି ଏଗାର । କ୍ଳାନ୍ତ ଓ ଅବସନ୍ନ ଦିହକୁ ନେଇ ସୁକାନ୍ତ ବିଛଣା ଉପରେ ଫିଙ୍ଗିଦିଏ ।

 

ଖଞ୍ଜାରେ ଆଉ କେହି ନାହାନ୍ତି । ବାରଣ୍ଡାରେ ଦୀପଟିଏ ଜଳୁଛି । ମସିଣା ଉପରେ ଶୋଇଛନ୍ତି ରମାଭାଇ ।

 

ପୂର୍ବ ବ୍ୟବସ୍ଥା ଅନୁସାରେ ଶୋଭାଙ୍କ ଘରେ ଆଜି ପିଠାପଣା ହବା କଥା । ରୁବିଭାଉଜ ନିଶ୍ଚୟ ସେଠିକି ଯାଇଥିବେ ।

 

ଟ୍ରଙ୍କ ଉପରେ ରଖାହୋଇଛି ଗିଲାସେ ଦୁଧ । ସୁକାନ୍ତ ପାଇଁ ଉଦ୍ଦିଷ୍ଟ ।

 

ଦେହ ଭୀଷଣ ଗରମ ଲାଗୁଛି । ଆଖିକି ମୋଟେ ନିଦ ଆସୁନାହିଁ । ଛଟପଟ ହଉଛି ସୁକାନ୍ତ ।

 

ଆଜି ଗୋଟାଏ ଦିନ ଭିତରେ କେତେ କାମ ସେ ନ କରିଛି, କେତେ ଘଟଣା ସହିତ ସେ ସଂଶ୍ଳିଷ୍ଟ ନ ହୋଇଛି । କିନ୍ତୁ ଗୋଟିଏ ଘଟଣା ତା ମନ ଭିତରେ ସତେ ଯେମିତି ଆଉଟି ପାଉଟି ହଉଛି । ଅପରାହ୍ନର ସେଇ ଅପୂର୍ବ ଦୃଶ୍ୟ - ଗୋପ ଆଉ ଶୋଭା ।

 

ଶୋଭା ନିଶ୍ଚୟ ଗୋପକୁ ଭାରି ଭଲପାଏ । ସୁକାନ୍ତ ଲକ୍ଷ୍ୟ କରିଛି, ଗୋପ ତା ପାଖକୁ ଆସିଲାକ୍ଷଣି କୌଣସି ନା କୌଣସି ଗୋଟାଏ ବାହାନା କରି ଶୋଭା ରୁବିଭାଉଜଙ୍କ ପାଖକୁ ଚାଲିଅସେ । ଗୋପକୁ ସତେ ଯେମିତି ସବୁବେଳେ ସେ ମଧୁର ନଜରବନ୍ଦୀରେ ରଖିବାକୁ ଚାହେଁ । ଗୋପ ଭାଗ୍ୟବାନ୍‍, ଶୋଭାର ଗଭୀର ପ୍ରଣୟରୁ ତାକୁ କଣ କମ ପ୍ରେରଣା ମିଳୁଥିବ ? ସେଥିପାଇଁ ସବୁକାମ ସେ ଦ୍ଵିଗୁଣ ଉତ୍ସାହରେ କରେ । ସେ ତ ନିଶ୍ଚୟ ଦିନେ ବଡ଼ ହବ ।

 

ଲପିତାର ପ୍ରେମ ପ୍ରଣୟ ମିଳିଥିଲେ ସେ ନିଜେ ବି କମ୍ ବଡ଼ ହୋଇ ନଥାନ୍ତା । ପୁରୁଷକୁ ତ ବଡ କରେ ନାରୀ ।

 

ଲପିତା କଥା ଭାବିବାକୁ ଭାରି ଭଲ ଲାଗୁଛି । ସେଦିନର ରୂଢ଼ବ୍ୟବହାର ଲାଗି ମନେ ମନେ କଣ ଅନୁତାପ କରୁ ନଥିବ ସେ ? ନିଶ୍ଚୟ କରୁଥିବ । କାଲି ସକାଳେ ସବୁ ଜଣା ପଡ଼ିବ ଯେ-। କିଏ ଜାଣିଛି ହୁଏତ କାଲି ସକାଳେ ଆଖି ଖୋଲି ପ୍ରଥମେ ଦେଖିବ ସେ ଲପିତାକୁ । ହସି ହସି ଉଷାର ପ୍ରଥମ ଆଲୋକରେ ତାକୁ ପ୍ରଥମ ସମ୍ଭାଷଣ ଜଣାଇବା ଲପିତା - ସୁସ୍ମିତା ଲପିତା ।

 

ସ୍ଵପ୍ନ ନୁହେଁ ତ ? ଚାରି ପାଞ୍ଚ ଜଣ ଲୋକ ସୁକାନ୍ତର ଖଟିଆ ଚାରିପାଖେ ବେଢ଼ି କଣ ସବୁ କୁହାକହି ହଉଛନ୍ତି ।

 

ଗୋଟାଏ ଅବ୍ୟକ୍ତ ଯନ୍ତ୍ରଣା ଦେହସାରା ବ୍ୟାପି ଯାଇଛି । ମୁଣ୍ଡ ଭାରି ଭାରି ଲାଗୁଛି । ଆଖିପତା ଖୋଲି ହଉନାହିଁ । ଗୋପ ବାରମ୍ବାର ଡାକୁଛି -ସୁକାନ୍ତ ଭାଇ, ହେ ସୁକାନ୍ତ ଭାଇ !

 

ତନ୍ତ୍ରୀଗୁଡ଼ିକ ଯେମିତି ଅତି ଶୀଥିଳ ହୋଇ ପଡ଼ିଛନ୍ତି । ଉଠିବାକୁ ଇଚ୍ଛା ହଉନାହିଁ ।

 

ଗୋପ ବାରମ୍ବାର ଡାକୁଛି - ସୁକାନ୍ତ ଭାଇ, ହେ ସୁକାନ୍ତ ଭାଇ ! ଉଠ ଜଲ୍‍ଦି‌ ।

 

ଭୟ ଓ ଉତ୍କଣ୍ଠା ଯେମିତି ପୂରି ରହିଛି ସେ ଡାକରେ ।

 

ବହୁ କଷ୍ଟରେ ସୁକାନ୍ତ ଆଖି ଖୋଲେ । ହାତରେ କିଏ ଜଣେ ଲଣ୍ଠନ ଧରିଛି । ରାତି କେତେ ହବ ?

 

ଏକାସାଙ୍ଗରେ ସମସ୍ତେ ଯେମିତି କଣ କହୁଛନ୍ତି । ଧଡ଼ପଡ଼ କରି ଉଠିବସେ ସୁକାନ୍ତ !

 

ଗୋପ ହାତ ଧରି ଟାଣୁଛି -ଜଲ୍‍ଦି ଆସ । ପରିଅବଧାନେ ଚାଲିଗଲେ ।

 

ପେରିଅବଧାନେ ଚାଲିଗଲେ ? କୁଆଡ଼େ ? ରାତି ପାହିଲେ ତାଙ୍କର ପରା ବିଦ୍ୟାନିକେତନ ଉଦ୍‍ଘାଟନ କରିବା କଥା ?

 

ତରା ଜୁଳୁ ଜୁଳୁ ଆକାଶ । ରାତି ପାହିବାକୁ ଆଉ ଅନେକ ଡେରି ଅଛି । ଗୋପ ଚାଲିଛି ଆଗେ ଆଗେ, ମଝିରେ ନିର୍ବାକ୍‍ ସୁକାନ୍ତ ଆଉ ତା ପଛରେ ଅନ୍ୟମାନେ ।

 

କାନ୍ଦ ବୋବାଳି ପଡ଼ିଛି ପରିଅବଧାନଙ୍କ ଘରେ । ଏତେ ଦୂରକୁ ମଧ୍ୟ ଶୁଣାଯାଉଛି । ଏହି ଦୁଃସମ୍ବାଦ ଶୁଣିବାର ଏତେ ସମୟ ପରେ ସୁକାନ୍ତର ଆଖି ଲୁହରେ ଭରିଯାଏ । ସେ ପିଲାଙ୍କ ପରି କଇଁ କଇଁ ହୋଇ କାନ୍ଦିଉଠେ ।

 

ସବୁଦିନ ପରି ସେଦିନ ବି ପରିଅବଧାନେ ଶୋଇବାକୁ ଯିବାପୂର୍ବରୁ ଦାଣ୍ଡପିଣ୍ଡାରେ ବସି ଘଣ୍ଟାଏ ଖଣ୍ଡେ ଭଜନ କରିଥିଲେ । ରାତି ପ୍ରାୟ ଗୋଟାଏ ବେଳକୁ ପେଟର ଯନ୍ତ୍ରଣାରେ ସେ ଛଟପଟ ହୁଅନ୍ତି । ପାଖଘରେ ଶୋଇଥିବା ପୁଅ ବୋହୂଙ୍କର ନିଦ ଭାଙ୍ଗିଯାଏ । କେଉଁ ଡାକ୍ତର ବୈଦ୍ୟ ଅଛନ୍ତି ଯେ, ରାତି ବିକାଳିରେ ଡାକିବେ ? ମାତ୍ର ଘଣ୍ଟାକ ପରେ ଅବଧାନଙ୍କର ସବୁ ଯନ୍ତ୍ରଣାର ଅବସାନ ହୁଏ ।

 

ସେଇ ଅନ୍ଧାର ଆଲୁଅରେ ସତେ ଯେମିତି ଯମଦୂତ ପରି ନସର ପସର ହଉଛନ୍ତି ସାଇଭାଇମାନେ । ଦାଣ୍ଡପିଣ୍ଡାର ଶେଷ ପ୍ରାନ୍ତରେ ବୋବା ଭୂତଟିଏ ପରି ବସିରହିଛି ସୁକାନ୍ତ ।

 

ଚିତା ଜଳୁଛି । ବିଦ୍ୟାନିକେତନର ସବୁ ମାୟାମମତା ତୁଟେଇ ପରି ଅବଧାନେ ଚାଲିଗଲେ-। ବଡ଼ ଫାଙ୍କିବାଜ୍‍ ଲୋକ ତ !

 

ପରି ଅବଧାନଙ୍କର ଏଇ ଆକସ୍ମିକ ମୃତ୍ୟୁରେ ପ୍ରାୟ ସମସ୍ତେ ବିଚଳିତ । ବିଦ୍ୟାନିକେତନ ବିଷୟରେ ଅନେକଙ୍କ ମନରେ ପାପ ଛୁଇଁଲାଣି । ଏଇ ବିଦ୍ୟାନିକେତନ ଅନେକ ପିଲାଙ୍କ ମୁଣ୍ଡ ଖାଇବ, ଏଥିରେ ସନ୍ଦେହ ନାହିଁ । ତା ନ ହେଲେ ଆଜି ପରା ଦିନରେ ଏମିତି ଅଘଟଣ ଘଟନ୍ତା ! ପିଲାଏ ମୂର୍ଖ ହୁଅନ୍ତୁ ପଛକେ ଅକାଳ ମୃତ୍ୟୁର କାହିଁକି ଶିକାର ହେବ ?

 

କେତେ କଥା ପଡ଼ିଛି । ସୁକାନ୍ତ କାନରେ ସବୁ ବାଜୁଛି । ସେ କିଛି କହୁନାହିଁ । ତାପରି ଭାଗ୍ୟହୀନର କଣ ବା କହିବାର ଅଛି ? ସେ ସୁନା ଧରିଲେ ପଥର ହୋଇଯାଉଛି, ପଥର ଧରିଲେ ମାଟି ।

 

କିଏ ଯେମିତି କହୁଛି କିଛିଦିନ ପାଇଁ ବିଦ୍ୟାନିକେତନର ଉଦ୍‍ଘାଟନ ଉତ୍ସବ ବନ୍ଦ ରହିବା ଉଚିତ । ଏତେ ଦୁଃଖରେ ବି ହସମାଡ଼େ ସୁକାନ୍ତକୁ । ଆଖି ସାମନାରେ ତ ଉତ୍ସବ ଚାଲିଛି, ବନ୍ଦ ରହିବାର ପ୍ରଶ୍ନ ଉଠୁଛି କେଉଁଠି ?

 

ଠିକ୍ ବ୍ରାହ୍ମ ମୁହୂର୍ତ୍ତରେ ପରିଅବଧାନେ ବିଦ୍ୟାନିକେତନ ଉଦ୍‍ଘାଟନ କରିଛନ୍ତି । ନିଜେ ଜଳି ଅନ୍ୟକୁ ଆଲୁଅ ଦେଖାଉଛନ୍ତି । ୟାଠାରୁ ଆଉ କଣ ବେଶୀ ତ୍ୟାଗ ସେ କରିପାରିଥାନ୍ତେ ?

 

ସୁକାନ୍ତ ଭାବିପାରେ ନାହିଁ ସେ କେମିତି ଗାଁ ଲୋକଙ୍କୁ ବୁଝେଇବ ? କେମିତି ବୁଝେଇବ ଯେ ପରିଅବଧାନେ ସ୍ୱର୍ଗଲାଭ କରି ଏ ଦିନଟିକୁ ଆହୁରି ଗୌରବମୟ, ଆହୁରି ସ୍ମରଣୀୟ କରିଦେଇ ଗଲେ । ଏଇ ଯେଉଁ ଚିତା ଜଳୁଛି ତାହା ହୋମାଗ୍ନିଠାରୁ ବେଶୀ ପବିତ୍ର, ପୂର୍ଣ୍ଣାହୁତି ଠାରୁ ବେଶୀ ମଙ୍ଗଳପ୍ରଦ ।

 

ଗୋପ କାହାକୁ ଯେମିତି କହୁଛି -ଆପଣ ବୁଝି ବି ଅବୁଝା ହଉଛନ୍ତି । ଆଜି ଉଦ୍‌ଘାଟନ ଉତ୍ସବ ସ୍ଥଗିତ ରଖିବା ଦ୍ଵାରା ଆମେ ତାଙ୍କ ପ୍ରତି ସମ୍ମାନ ପ୍ରଦର୍ଶନ କରିବୁ ସତ, କିନ୍ତୁ ସେଥିରେ ତାଙ୍କ ଆତ୍ମା କଣ ଶାନ୍ତି ପାଇପାରିବ ? ଯଦି ତାଙ୍କ ମୃତ୍ୟୁକୁ ଉପଲକ୍ଷ କରି ଆମେ ଆଜି ଏ ଉତ୍ସବ ବନ୍ଦ ରଖୁ ତେବେ ଏ ଦୁନିଆର ସବୁ ଭୁଲ୍‍ ଭ୍ରାନ୍ତି, ସବୁ ଦୋଷ ନିର୍ଦ୍ଦୋଷଠାରୁ ଦୂରରେ ଥାଇ ମଧ୍ୟ ସେ ନିଜକୁ ଦୋଷୀମନେ କରିବେ । ଏଇ ବିଦ୍ୟାନିକେତନ ପାଇଁ ବୁଢ଼ାବୟସରେ ସେ କଣ କମ୍ ଖଟିଛନ୍ତି । କମ୍ ମାୟା, କମ୍ ମମତା ତାଙ୍କର ଏଥିପ୍ରତି ଥିଲା ?

 

ହୁହୁ କରି ଚିତା ଜଳୁଛି । ପାଣି ପବନ ସାଙ୍ଗେ ଥିବ । ମଣିଷର ଏଇ ଶେଷ ସମ୍ପର୍କ ଟିକକ ପୋଡ଼ି ଜଳି ଯେମିତି ପାଉଁଶ ହୋଇଯାଉଛି । ସେଇ ଆଡ଼କୁ ଚାହିଁ ପଥର ପାଲଟି ଯାଇଛି ସୁକାନ୍ତ

 

ମାଲ-ଭାଇମାନଙ୍କ ଭିତରେ ଆଲୋଚନା ଚାଲିଛି । ନିଜ ନିଜ ମତ ବ୍ୟକ୍ତ କରିବାରେ ସମସ୍ତେ ବ୍ୟସ୍ତ ।

 

ରାତି ପାହି ଆସୁଛି ।

 

ଶେଷକୁ ନାନା ବାଦ ବିସମ୍ବାଦ ଭିତରେ ଦିନ ପ୍ରାୟ ନଅଟା ବେଳକୁ ଶ୍ରୀହୀନ, ଉତ୍ସବହୀନ ବାୟୁମଣ୍ଡଳ ଭିତରେ ବିଦ୍ୟାନିକେତନ ଉଦ୍‍ଘାଟିତ ହେଲା ।

 

ଖାଇବସି ସୁକାନ୍ତ ଭାବୁଥିଲା ତାର ଇଏ ମଧ୍ୟ ଗୋଟିଏ ପରାଜୟ । କୌଣସି ଶୁଭ କାମରେ ହାତ ଦେବାର ଅଧିକାର ବୋଧେ ତାର ନାହିଁ ।

 

ଗୋପ କହିଲା - ତମେ ବଡ଼ ଭାବପ୍ରବଣ ସୁକାନ୍ତ ଭାଇ ! ଯାହା ହବାର ତ ହେଲା । କଣ ଏତେ ଭାବୁଛ ? ଆଉ ପଛେ କେହି କାନ୍ଧ ନ ମିଳାନ୍ତୁ ଅବଧାନଙ୍କର ଆଶୀର୍ବାଦ ତ ଆମ ପାଇଁ ରହିଛି ! ଛଅଟା ମାସ ଅପେକ୍ଷା କର ..... ଦେଖିବ ।

 

ଛଅମାସ କାହିଁକି ଛଅବର୍ଷ ଅପେକ୍ଷା କରିବାକୁ ସୁକାନ୍ତ ପ୍ରସ୍ତୁତ ଅଛି । କିନ୍ତୁ ତା’ର ପ୍ରସ୍ତୁତି ଉପରେ କଣ ସବୁ ନର୍ଭର କରିବ ?

 

ରୋଷେଇଘର ଭିତରେ ଥାଇ ଶୋଭା ବଢ଼ାବଢ଼ି କରୁଛି । ତା ହାତରୁ ଆଣି ରୁବିଭାଉଜ ପରଷୁଛନ୍ତି ।

 

ଗୋପ କଥା ଶୁଣି ରୁବିଭାଉଜ କହିଲେ -ସୁକାନ୍ତ ପିଲାଦିନୁ ଏଇ ସ୍ଵଭାବର । ସାମାନ୍ୟ କଥାରେ ଭାଙ୍ଗିପଡ଼େ । ଅତିତୁଚ୍ଛ ଘଟଣାକୁ ଦିନ ଦିନ ଧରି ବିଶ୍ଳେଷଣ କରେ । ବୁଦ୍ଧିମାନ ଓ ବିଚାରଶୀଳ ହବାର ଏଇ ହଉଛି ଫଳ ।

 

ଏ ସଂସାରରେ ବୋକା ଲୋକମାନେ ହିଁ ହଉଛନ୍ତି ସମସ୍ତଙ୍କଠୁ ସୁଖୀ । ମୁଠିଏ ଭଲ ଖାଇବାକୁ ଆଉ ଖଣ୍ଡିଏ ଭଲ ପିନ୍ଧିବାକୁ ମିଳିଲେ ତାଙ୍କର ଅଧିକା କିଛି ଲୋଡ଼ା ନାହିଁ । ସବୁ ବିଷୟ ସୂକ୍ଷ୍ମଭାବରେ ଜାଣିପାରିବାର ଭାବିପାରିବାର ଶକ୍ତି ଯାହାର ଅଛି ତାର ଦୁଃଖର ସୀମା ନାହିଁ ।

 

ସୁକାନ୍ତ ତଣ୍ଟିରେ କିଛି ଗଲୁ ନହିଁ । ସବୁ ଯେମିତି ଅଟକି ଯାଉଛି ।

 

ରମାଭାଇଙ୍କର କାହା କଥାକୁ କାନ ନାହିଁ । ସେ ଖାଇବାରେ ବ୍ୟସ୍ତ । ଖାଇସାରି ଘଣ୍ଟାଏଖଣ୍ଡେ ବିଶ୍ରାମ କଲାପରେ ସେ ତାଙ୍କ ଗାଁକୁ ଚାଲିଯିବେ । ରୁବିଭାଉଜ ସୁକାନ୍ତକୁ ଦେଖାଶୁଣା କରିବା ପାଇଁ ପ୍ରାୟ ପନ୍ଦରଦିନ ଖଣ୍ଡେ ଏଠି ରହିବେ ।

 

ପଢ଼ାପଢ଼ି ଆରମ୍ଭ ହେବ ପରିଅବଧାନଙ୍କ ଶ୍ରାଦ୍ଧ-ବାସିଦିନ ।

 

କାଶ୍ମୀର୍‍ ଯିବାପାଇଁ ସଜ ହଉଛି ଲପିତା । ଗୋଟି ଗୋଟି କରି ଅନେକ ଜିନିଷ ଯୋଗାଡ଼ କରିବାକୁ ପଡ଼ୁଛି ।

 

ସ୍ଵଇଚ୍ଛାରେ ପ୍ରକାଶ ପିଅନ ହାତରେ ପାଞ୍ଚଶହ ଟଙ୍କା ପଠାଇ ଦେଇଛି । ତାର ଯାହା ଯାହା ଦରକାର ସେ ଯେମିତି କିଣେ । ବାଟରେ କୌଣସି ରକମ ଅସୁବିଧାରେ ଲପିତା ପଡ଼ୁ ପ୍ରକାଶ ଚାହେଁ ନାହିଁ ।

 

ପିଅନ ହାତରୁ ଗଣିଗଣି ଟଙ୍କା ନେଲାବେଳେ ଲପିତା ସାମାନ୍ୟ ସଙ୍କୋଚ ଅନୁଭବ କରିନାହିଁ । ବରଂ ମନେ ମନେ ହସିଛି । ତା ପ୍ରତି ତାହେଲେ ପ୍ରକାଶର ଦୁର୍ବଳତା କଣ ଏ ପର୍ଯ୍ୟନ୍ତ ବି ଅକ୍ଷୁର୍ଣ୍ଣ ରହିଚି ?

 

ନୀଳ ନିର୍ମେଘ ଆକାଶ । ଲପିତା ସେଇଆଡ଼କୁ ନିର୍ନ୍ନିମେଷ ନୟନରେ ଚାହିଁ ବିଛଣାରେ ପଡ଼ିରହି କେତେ କଣ ଭାବୁଥିଲା ।

 

ଆଉ ମୋଟେ ଚାରିଦିନ ରହିଲା କାଶ୍ମୀର୍‍ ଯାତ୍ରା । କିଛିଦିନ ପାଇଁ ନିରାଡ଼ମ୍ବର, ବୈଚିତ୍ର୍ୟହୀନ, କ୍ଳାନ୍ତିକର ଆଉ ଧରାବନ୍ଧା କାର୍ଯ୍ୟସୂଚୀରୁ ମୁକ୍ତି । ଡାଡ଼ି ଥିଲେ ଭାରି ଖୁସି ହୋଇଥାନ୍ତେ । ଏଇ ସୁଯୋଗରେ ଅନେକ ଟଙ୍କା ତାଙ୍କଠାରୁ ଝଡ଼ା ହୋଇ ପାରିଥାନ୍ତା ।

 

ଡାଡ଼ିଙ୍କ ସାଙ୍ଗେ କଣ ଆଉ କେବେ ଦେଖା ହୋଇ ପାରିବ ନାହିଁ ? କିଏ ଜାଣେ ?

 

ଲପିତାର ଆଖି ସଜଳ ହୋଇ ଆସିଲା । ହୁଏତ ଏଇ ଯାତ୍ରାରେ ହଠାତ୍ ଦିନେ ଡାଡ଼ିଙ୍କ ସାଥିରେ ଦେଖା ହୋଇଯିବ । ଭୂସ୍ଵର୍ଗ କାଶ୍ମୀର୍‍ରେ ବି ତ ସେ ଥାଇ ପାରନ୍ତି ?

 

ତାକୁ ଛାଡ଼ି ଡାଡ଼ି କେମିତି ଚାଲିଯାଇ ପାରିଲେ । ଯିବାର ପ୍ରୟୋଜନ ବି କଣ ଥିଲା ? ନିଜର ପରିଚୟକୁ ଗୋପନ କରି ମଣିଷ ସମାଜ ଭିତରେ ଚଳିବା କଣ ପୌରୁଷତ୍ୱର ପରିଚୟ ?

 

ଲପିତା ଭାବେ ସେ ଏତେ ପୁରୁଷଙ୍କ ସଂସ୍ପର୍ଶରେ ଆସିଛି କିନ୍ତୁ ପୌରୁଷତ୍ୱ ତ କାହାଠରେ ଦେଖି ନାହିଁ । ସେମାନଙ୍କର କେବଳ ଦେହର ଗଢ଼ଣଟାହିଁ ପୁରୁଷ କିନ୍ତୁ ମନ ସ୍ତ୍ରୀଲୋକମାନଙ୍କ ଠାରୁ ଯଥେଷ୍ଟ ବେଶୀ ଦୁର୍ବଳ । ଆଚରଣ ଯଥେଷ୍ଟ ବେଶୀ ଦ୍ଵିଧାଗ୍ରସ୍ତ । ଏଇମାନଙ୍କୁ ବାପ, ଭାଇ, ସ୍ୱାମୀ କହି ପୁଣି ନାରୀମାନେ ଗୌରବ ଅନୁଭବ କରନ୍ତି ! ଏଇମାନଙ୍କ ପାଇଁ ବାରବ୍ରତ ତେରଓଷା ହୁଏ !

 

ଚାକିରୀରେ ଥିଲାବେଳେ ଡାଡ଼ିଙ୍କୁ ସମସ୍ତେ ପୁରୁଷସିଂହ କହୁଥିଲେ । ତାଙ୍କର ତେଜ, ତାଙ୍କର ପରାକ୍ରମ ଏତେ ବେଶୀ ଥିଲା ଯେ ବଡ଼ ବଡ଼ ଅଫିସରମାନେ ସାମନାକୁ ଆସିବାକୁ ଡରୁଥିଲେ । ସେଇ ଲୋକ ତ ପୁଣି ଆଜି ଲୁଚି ଲୁଚି ବୁଲିବାକୁ ସଂକୋଚ ବୋଧ କରୁନାହିଁ ।

 

ଡାଡ଼ିଙ୍କ ତୁଳନାରେ ପ୍ରକାଶ ହେରିକା ତ ମେଣ୍ଢା । ତାଙ୍କଠୁ ଅଧିକ କଣ ଆଶା କରାଯାଇ ପରେ ?

 

ଆୟା ଚା ଦେଇଥିଲା । ତକିଆକୁ ଆଉଜି ଚା କପ୍‍ରେ ମୁହଁ ଲଗାଏ ଲପିତା । ବେଶ୍ ଲାଗୁଛି

 

ଗୋଡ଼ପାଖ ଝରକାବାଟେ ଦିଶୁଛି ପୋଖରୀ ହୁଡ଼ାରେ ମୁଣ୍ଡ ଟେକିଥିବା ସାରିସାରି କଦଳୀଗଛ । କଦଳୀପତ୍ର ଉପରେ ଚିକ୍ ଚିକ୍ କରୁଛି ଖରା ।

 

ଖରା ନଇଁଲେ ସେ ପୁଣି ଆଉଥରେ ବାହାରିବ ବଜାରକୁ ଖଣ୍ଡିଏ କାଞ୍ଜିଭରମ୍ ଶାଢ଼ୀ ଓ କିଛି ଟଏଲେଟ୍ କିଣିବ । ଆଉ ସବୁ ପ୍ରାୟ କିଣା ସରିଲାଣି ।

 

ଆୟା ଖବର ଦେଲା ପ୍ରକାଶ ବାବୁ ଆସିଛନ୍ତି । ପ୍ରକାଶ ? ଏ ଅସମୟରେ କେମିତି ?

 

ସିଡ଼ିରେ ଜୋତାର ଶବ୍ଦ । ପ୍ରସାଧନ କରିବାକୁ ଆଉ ସମୟ କାହିଁ ? କଣ ଭାବି ଲପିତା ଆଖି ପିଛୁଳାକେ ମୁଣ୍ଡର ଖୋଷା ଖୋଲିଦେଲା ।

 

ମୁକ୍ତ କେଶ ଆଉ ଅସଂଯତ ବସନରେ ତାର ସୌନ୍ଦର୍ଯ୍ୟ ଯେମିତି ଦ୍ଵିଗୁଣ ବଢ଼ିଗଲା ।

 

ଗୋଟିଏ ଲମ୍ବା କୁସନ ଉପରେ ବସୁ ବସୁ ପ୍ରକାଶ କହିଲା, ଏଇବାଟେ ଯାଉଥିଲି -ପଶିଆସିଲି ।

 

- ମୁଁ ଭାବିଥିଲି ଏଇ ବାଟଟାକୁ ବି ଭୁଲିଯିବଣି ।

 

- ଏ ବାଟରେ ଯିଏ ଥରେ ଯାଇଛି ସେ ଜୀବନ ସାରା ବି ଭୁଲି ପାରିବ ନାହିଁ । କାରଣ ତାକୁ ବାରମ୍ବାର ଆସିବାକୁ ପଡ଼ିବ ଯେ ! ଏ ବାଟର ମାହାତ୍ମ୍ୟ ତ ସେଇଠି ।

 

ପ୍ରକାଶର କଥା ଶୁଣି ଲପିତା କିଛି କହେ ନାହିଁ । କେବଳ ବେକମୂଳ ଆଉଁଷିବାକୁ ଆରମ୍ଭ କରେ । ପରିବେଶକୁ ହାଲୁକା କରିବାକୁ ଯାଇଁ ପ୍ରକାଶ ପଚାରେ- ସବୁ କିଣା କିଣି ସରିଲା ନା ଆଉ କିଛି ବାକି ଅଛି ? ବାଟଖର୍ଚ୍ଚ ପାଇଁ କେତେ ନେଲେ ଚଳିବ ?

 

ତଥାପି ଲପିତା ନୀରବ । କପଟ ଅଭିମାନରେ ଓଠ ମୁହଁ ଫୁଲି ଫୁଲି ଉଠୁଛି । ବାଁ ହାତର ଚୂଡ଼ି ଗୋଛାକୁ ତାଳଉପର କରିବାରେ ସେ ବ୍ୟସ୍ତ ।

 

ଅଧୈର୍ଯ୍ୟ ହୋଇ ପ୍ରକାଶ ପଚାରିଲା – କ’ଣ ମୋ ସାଙ୍ଗେ.କଥା କହିବ ନାହିଁ ?

 

- ନାଁ

 

- ବେଶ୍ ମୁଁ ଯାଉଛି ।

 

ପ୍ରକାଶ ଉଠେ ।

 

ଏଥର କିନ୍ତୁ ଲପିତା କଥା କହେ - ତମେ ଯେ ଯିବ ମୁଁ ଜାଣିଛି । ସବୁଦିନେ ଏଠି ରହିବାର ଯୋଜନା ତମର ନାହିଁ କି ତମକୁ ଅଟକେଇ ରଖିବାର ଯୋଗ୍ୟତା ମୋର ନାହିଁ । ଏକଥା ଜାଣି ମଧ୍ୟ ତମେ ମୋ ପାଖକୁ ବାରମ୍ବାର ଆସ କାହିଁକି ?

 

ଏ ପ୍ରଶ୍ନର କୌଣସି ଉତ୍ତର ଦିଏ ନାହିଁ ପ୍ରକାଶ, କେବଳ ପୁନର୍ବାର ଆସନ ଗ୍ରହଣ କରେ-। ପ୍ରକୃତରେ ସେ କାହିଁକି ବାରମ୍ବାର ଆସେ ? କାହିଁକି ଏତେ ସାହାଯ୍ୟ କରେ ଲପିତାକୁ ? ତାର ତ ଆଉ କୌଣସି ସ୍ଵାର୍ଥ ନାହିଁ । ଆଉ ତ ସେ କିଛି ଆଶାକରେ ନାହିଁ ଏ ପ୍ରେମ -କାଙ୍ଗାଳ ରମଣୀଠାରୁ-। ତଥାପି ତାର କେମିତି ଗୋଟାଏ ଦୁର୍ବଳତା ରହିଯାଇଛି ।

 

ନିଜର ପ୍ରଣୟିନୀ ଯଦି ସମୟର ପ୍ରଭାବରେ ଅସ୍ତଯୌବନା ହୁଏ, ସ୍ଵଭାବ ଦୋଷରୁ ନଷ୍ଟଚରିତ୍ରା ହୁଏ, ତଥାପି ବି ପ୍ରେମିକର ତା ପ୍ରତି ଦୁର୍ବଳତା ଯାଏ ନାହିଁ । ମନ ଯାହାକୁ ଥରେ ଗ୍ରହଣ କରେ ତାକୁ ଫୋପାଡ଼ି ଦେବା ପୁରୁଷ ପକ୍ଷରେ ଆଦୌ ସମ୍ଭବ ନୁହେଁ । ତେଣୁ ପ୍ରେମ ପ୍ରଣୟ କ୍ଷେତ୍ରରେ ନିରାଶ ହେଲେ ସେ ସାଧାରଣତଃ ଲମ୍ପଟ ହୁଏ - ଚେହେରା ଓ ସ୍ୱଭାବରେ ସାମଞ୍ଜସ୍ୟ ଥିବା ଅନ୍ୟ ନାରୀଙ୍କ ନିକଟରେ ନିଜ ପ୍ରଣୟିନୀକୁ ଆବିଷ୍କାର କରିବାପାଇଁ ସେ ବ୍ୟର୍ଥ ଚେଷ୍ଟା କରେ-। ଆଉ ସେଇଥିପାଇଁ ବୋଧେ ଏ ଦୁନିଆରେ ଚରିତ୍ରହୀନାଙ୍କ ଠାରୁ ଚରିତ୍ରହୀନଙ୍କ ସଂଖ୍ୟା ବେଶୀ । ଅବିବାହିତାଙ୍କ ଠାରୁ ବେଶୀ ହଉଛନ୍ତି ଅବିବାହିତଙ୍କ ସଂଖ୍ୟା ।

 

ନିଷ୍ପଲକ ଦୃଷ୍ଟିରେ ପ୍ରକାଶ ଚାହିଁ ରହିଛି ଲପିତା ଆଡ଼କୁ ।

 

ଲପିତା ମଧ୍ୟ ସ୍ଥିରଦୃଷ୍ଟିରେ ପ୍ରକାଶ ମୁହଁକୁ ଚାହିଁ କହେ - ମୋ ପ୍ରଶ୍ନର ଜବାବ ଦିଅ । କୁହ ତମେ ବାରମ୍ବାର ମୋ ପାଖକୁ କାହିଁକି ଆସ ? ତମର ତ ସ୍ତ୍ରୀ ବନ୍ଧୁର ଅଭାବ ନାହିଁ !

 

ସ୍ତ୍ରୀ ବନ୍ଧୁର ଅଭାବଟାହିଁ କଣ ବଡ଼ ଅଭାବ ? କଣ ଉତ୍ତରଦବ ପ୍ରକାଶ, କି ଉତ୍ତର ପାଇଲେ ଲପିତା ଖୁସି ହବ ? ପ୍ରକାଶ ଭାବେ ।

 

- ମୁଁ ନିଜକୁ ତମ ପାଖେ ବହୁତ ଶସ୍ତା କରିଦେଇଛି ପ୍ରକାଶ ! ଆଉ ତାରି ଫଳ ବଞ୍ଚିଥିବା ଯାଏ ଭୋଗିବାକୁ ପଡ଼ିବ । ତମକୁ ମୁଁ ସବୁଠାରୁ ବେଶୀ ଭଲପାଏ କିନା ସେଥିଲାଗି ତମେ ମତେ ସମସ୍ତଙ୍କଠାରୁ ବେଶୀ ଅବିଶ୍ୱାସ କର -ବେଶୀ କଷ୍ଟ ଦିଅ । ମତେ ଜଳେଇ ପୋଡ଼େଇ ତିଳ ତିଳ କରି ମାରିବାର ଅଧିକାର ତମର ତ ରହିଛି ।

 

ତକିଆରେ ମୁହଁ ଗୁଞ୍ଜି ଲପିତା କାନ୍ଦୁଛି ନାଁ କଣ !

 

ପ୍ରକାଶ ବିବ୍ରତ ହୋଇପଡ଼େ । ସବୁ ଜିନିଷର ଗୋଟାଏ ସୀମା ଅଛି । ଟିକେ ଟିକେ କଥାରେ ଆଖିରୁ ଲୁହ ଗଡ଼ାଇ କିଛି ଲାଭ ନାହିଁ ।

 

ବହୁତ ଦିନ ହେଲା ସେ ଆସିନାହିଁ ବୋଲି ଲପିତା ଅଭିମାନ କରୁଛି - କରୁ ।

 

ପ୍ରକାଶ ପୁଣି ଉଠେ । ତାର ଜୋତାର ଶବ୍ଦ ଶୁଣି ତକିଆରୁ ମୁହଁ କାଢ଼େ ଲପିତା ।

 

-ଶୁଣ

 

- କଣ ?

 

- ବସ ।

 

- ନା ମୋର କାମ ଅଛି ।

 

- କାମ ଥାଉ । ଏତେଦିନ ପରେ ଦେଖା, କଣ ପାଞ୍ଚମିନିଟ ସମୟ ବି ମୋ ପାଇଁ ନଷ୍ଟ କରିବ ନାହିଁ ?

 

ଚା ଆସିଲା । ଆୟାର ହାତତିଆରି ଚା ।

 

ଚା ପିଉ ପିଉ ପ୍ରକାଶ କହିଲା- ଶୁଣିଲି ଗାଁରେ କୁଆଡ଼େ ସୁକାନ୍ତ ମସ୍ତବଡ଼ ଗୋଟାଏ ଇସ୍କୁଲ୍ କରିଛି ।

 

- ସତେ ? ହେଇଥିବ ...ମୁଁ କିମିତି ଜାଣିବି ?

 

ଜାଣିଥିଲେ ମଧ୍ୟ କଥାଟାକୁ ଚାପିଦିଏ ଲପିତା ।

 

ପ୍ରକାଶ ପଚାରେ - ସେ ବୋଧେ ଏଣିକି ଗାଁରେ ରହିବ ?

ଯିବି ଯିବି ବୋଲି ମୋଟେ ସମୟ ହଉ ନାହିଁ ।

 

- ତାଙ୍କ ଢଙ୍ଗରଙ୍ଗରୁ ତ ସେଇୟା ଜଣାପଡ଼େ । ସହରରେ ଯେତେବେଳେ କିଛି ସୁବିଧା ନ ହେଲା ବାବୁ ମଫସଲ ଚାଲିଲେ । ପୋଖରୀଟାଏ ଖୋଲିଦେଲେ, ଇସ୍କୁଲ୍‍ଟାଏ ବସେଇଦେଲେ ସେ ସବୁ ଜାଗାରେ ତ କମ୍‍ ଯଶ ହୁଏ ନାହିଁ !

 

ପ୍ରକାଶ ପଚାରେ - ତମର ତାହେଲେ ତାର ଏସବୁ କାର୍ଯ୍ୟ କଳାପ ପ୍ରତି ସମର୍ଥନ ନାହିଁ ?

 

- ମୋଟେ ନୁହେଁ । ବହୁତ ଦେଶସେବକ, ଜନସେବକଙ୍କ ସଂସ୍ପର୍ଶରେ ଆସି ମୋର ସେ ସବୁ ବିଷୟରେ ଗୋଟାଏ ବିଚିତ୍ର ରକମର ଧାରଣା ଜନ୍ମିଛି । ସମସ୍ତେ ଫମ୍ପା-ସମସ୍ତେ ଶୁଖିଲାରେ ନାଁ କମେଇବାକୁ ଚାହାନ୍ତି ।

 

ଦୂରରେ ଦିଶୁଛି ଗୋଟାଏ ତାଳଗଛ । ପ୍ରକାଶ ଚାହିଁ ରହିଥିଲା ସେଇ ଆଡ଼କୁ । କ୍ଷଣକ ପରେ କଥାର ମୋଡ଼ ଘୂରାଇ ପ୍ରକାଶ ପଚାରିଲା – ପ୍ୟାରେଲାଲ୍‍ କାଲି ସନ୍ଧ୍ୟାବେଳେ ଆସିଥିଲା କି-?

 

- ନାଁ

 

- ମୁଁ ବୋଧହୁଏ କାଶ୍ମୀର୍‍ ଯାଇ ପାରୁନାହିଁ ।

 

- ତା କେମିତି ହବ ? ତମେ ପଛରେ ଯିବ ବୋଲି କହିଲାରୁ ମୁଁ ଯିବାକୁ ରାଜି ହେଲି । ତମେ ଯଦି ନ ଯିବ ମୁ କାହିଁକି ଯିବି ?

 

- ମୁଁ ତ ଯିବାକୁ ନିଶ୍ଚୟ ଚେଷ୍ଟା କରିବି, କିନ୍ତୁ ଯାହା ଜଣାପଡ଼ୁଛି ମୋର ଯିବା ବୋଧହୁଏ ସମ୍ଭବ ହେବ ନାହିଁ ।

 

ଲପିତା ସନ୍ଦେହପୂର୍ଣ୍ଣ ଦୃଷ୍ଟିରେ ପ୍ରକାଶ ଆଡ଼କୁ କିଛିକ୍ଷଣ ଚାହିଁ ରହିଲା । ତାପରେ ଧୀରେ ଧୀରେ କହିଲା - ତମର ଏଥିରେ କିଛି ଚକ୍ରାନ୍ତ ରହିଛି କି ?

 

- ମୋ ସାଙ୍ଗେ ଏତେଦିନ ମିଶିଲା ପରେ ତମେ ମତେ ସନ୍ଦେହ କରୁଛ? ଏଟା ମୋ ପକ୍ଷରେ କମ୍ ଅପମାନର କଥା ? ତମେ ମତେ ସବୁବେଳେ କାହିଁକି ଅବିଶ୍ୱାସ କରୁଛ?

 

ଲପିତା ହସିଲା । କହିଲା –କାହିଁକି କରୁଛି କଣ ଜାଣି ପାରୁନା ? ତମକୁ ଅବିଶ୍ଵାସ କରିବା ମୋ ପକ୍ଷରେ ସ୍ୱାଭାବିକ ନୁହେଁ କି ?

 

ସିଗାରେଟ କେଶରୁ ଖଣ୍ଡେ ସିଗାରେଟ ବାହାର କରି ପ୍ରକାଶ ସେଥିରେ ଅଗ୍ନି ସଂଯୋଗ କଲା ।

 

ସେ କେମିତି ବୁଝାଇବ ଯେ, ସେ ଲପିତାକୁ ଭଲ ପାଇଲେ ମଧ୍ୟ ତା’କୁ ବାହାହେବା ସମ୍ଭବ ନୁହେଁ ? ଲପିତା ଯଦି ଏଇଥିପାଇଁ ତାକୁ ଅବିଶ୍ୱାସ କରୁଥାଏ, କରୁ ।

 

- ମୋର ପ୍ରତିଶ୍ରୁତି ଏ ପର୍ଯ୍ୟନ୍ତ ମୁଁ କାହିଁକି ରକ୍ଷା କରି ପାରୁ ନାହିଁ ତମେ କଣ ବୁଝିପାରୁନାହଁ ? ତମେ ବୁଝି ବି ଅବୁଝା ହଉଛ ଲପିତା ? ଏ ଦୁନିଆରେ କିଛି ସତ ନୁହଁ । ଆମର ଏଇ ଭଲ ପାଇବା, ଏଇ ସ୍ନେହ ସୁଆଗ ସବୁ ମିଛ । ସୁକାନ୍ତକୁ ବାହା ହୋଇ ତା ସଙ୍ଗେ ବର୍ଷ ବର୍ଷ ଚଳି ଯଦି ତମେ ସୁଖୀ ହୋଇପାରିଲ ନାହିଁ ମୋର ସ୍ତ୍ରୀ ହେଲେ ତମେ ଯେ ସୁଖୀ ହେବ ଏଥିରେ ନିର୍ଭରତା କଣ ଅଛି ? ମୁଁ ବହୁତ ଭାବିଚିନ୍ତି ଦେଖିଲି ଯେ ତମ ସହିତ ମୋର ଏଇ ଯେଉଁ ସର୍ମ୍ପକ, ତା ମଧ୍ୟ ରହିବା ଉଚିତ ନୁହଁ ।

 

ପ୍ରକାଶର କଥା ଶୁଣି ଲପିତା ତା ମୁହଁକୁ କିଛି ସମୟ ଅନାଇ ରହିଲା ।

 

- କଣ ଉଚିତ ଆଉ କଣ ଅନୁଚିତ ଏ କଥାର ବିଚାର କଣ କେବଳ ତମେ କରିବ ? ଆମେ ଦୁହେଁ ଆଜି ଏତେ ବାଟ ଆଗେଇ ଆସିଛୁ ଯେ ପଛକୁ ଫେରିବାକୁ ଆଉ ବେଳ ନାହିଁ । ଆଜି ଗୋଟିଏ ଚଉମୁହାଣି ଛକ ଉପରେ ମତେ ଏକୁଟିଆ ଛାଡ଼ି ତମେ ଚାଲି ଯିବାକୁ ବସିଛ ? ତମର କଣ ଟିକିଏ ହେଲେ ଦୟା ହଉ ନାହିଁ ? ତମେ କଣ ସତରେ ମୋ ସାଙ୍ଗେ ଏପରି ନିଷ୍ଠୁର ବ୍ୟବହାର କରି ପାରିବ ? ମୁଁ ଜାଣେ, ତମେ ଇଛା କଲେ ବି ଏପରି କରି ପାରିବ ନାହିଁ । ଏତେ ସ୍ନେହ, ଏତେ ମମତା ସବୁ କଣ ମିଛ ? ସବୁ କଣ ପାଣିର ଗାର ? ଭଗବାନ ବୋଲି ଯଦି ଜଣେ କିଏ ଥାଆନ୍ତି ତେବେ ସେଇ ଏକା ଭଲ ମନ୍ଦର ବିଚାର କରିବେ । ଆମ୍ଭେମାନେ ତ କଣ୍ଢେଇ । ଆମର ଶକ୍ତି ସାମର୍ଥ୍ୟ ବା କେତେ ?

 

- ତମେ ଏ ସବୁ କୁହ ନାହିଁ ଲପିତା! ମୋ ପାଇଁ ଏ ସବୁ ଅବାନ୍ତର । ମୁଁ ଯାହାକୁ ଭଲପାଏ ତା ମନରେ ସାମାନ୍ୟ କଷ୍ଟ ଦେବାକୁ ମତେ ବାଧେ । କିନ୍ତୁ ମୋରି ସୁଖ ପାଇଁ, ମୋରି କାମନା ପାଇଁ ନିଆଁ ଭିତରକୁ ତା’କୁ ଟାଣିଆଣି ତା ଜୀବନକୁ କାଳଙ୍କରେ ଭରିଦେବାକୁ ମୁଁ ଚାହେଁ ନା, ଆଉ ଠିକ୍‍ ଏଇ କାରଣ ଯୋଗୁ ମୁଁ ଚାହେଁ ନାହିଁ ତମକୁ ବାହାହୋଇ ରୀତିମତ ଗୋଟାଏ ଫାର୍ସ କରିବାକୁ । ସମାଜରେ ମୋର ସିନା ସମ୍ମାନ ନାହିଁ କିନ୍ତୁ ତମର ? କାଲି ସୁକାନ୍ତକୁ ଡାଇଭର୍ସ କରି ତମେ ମତେ ବାହାହେଲେ ଲୋକେ ତମକୁ କଣ କହିବେ ? ତେଣୁ ମୁଁ ତମକୁ ଅନୁରୋଧ କରୁଛି, ତମେ ମତେ କ୍ଷମା କର ।

 

ବେଶ୍‍ ମଜାର ଲୋକ ତ ପ୍ରକାଶ ! କେବଳ ପ୍ରକାଶ କାହିଁକି ସବୁ ପୁରୁଷ ହଉଛନ୍ତି ହୁସିଆର । ସମସ୍ତେ ନଡ଼ିଆ ନ ଭାଙ୍ଗି ରସ ଖାଇବାକୁ ଚାହାନ୍ତି । ଠିକ୍ ଅଛି । ପ୍ରକାଶ ଯଦି ପ୍ରତାରଣା କଲା, ସେ ବା ନ କରିବ କାହିଁକି, କିନ୍ତୁ କାହାକୁ ପ୍ରତାରଣା କରିବ ସେ ?

 

ଲପିତା ଉଠି ଠିଆ ହେଲା । ତା ଆଖି କୋଣ ସଜଳ ହୋଇ ଉଠିଲାଣି ।

 

ପ୍ରକାଶ କଣ କରିବ ଭାବି ପାରେ ନାହିଁ । ଇତସ୍ତତ ହୋଇ ସେ ଲପିତାର ହାତକୁ ଧରି ତା’କୁ ପାଖକୁ ଟାଣି ଆଣିଲା । ତାର ମୁକ୍ତ କେଶଗୁଚ୍ଛରେ ଠିକ୍ ପାନିଆ ପରି ନିଜର ଆଙ୍ଗୁଳି ସଂଚାଳିତ କରି କହିଲା, ତମକୁ ମୁଁ ବହୁତ କଷ୍ଟ ଦେଲି । କିନ୍ତୁ କଣ କରିବି କୁହ ? ତମର କଷ୍ଟ ଦେଖି ମୋର କଣ କମ ଦୁଃଖ ହେଉଛି ? ସୁକାନ୍ତ ମୋର ପିଲାଦିନର ବନ୍ଧୁ, ତମେ ତାର ସ୍ତ୍ରୀ, ସୁତରାଂ ତମେ ବି ମୋର ବନ୍ଧୁ । ତମ ପ୍ରତି ଯଦି କେବେ ମୋର ବିକାର ଆସିଥାଏ, ଦୁର୍ବଳତା ଆସିଥାଏ ଆଜି ତମରି ଏଇ ଆଖିର ଲୁହରେ ସେ ସବୁ ଧୋଇ ନିଶ୍ଚିହ୍ନ ହୋଇଯାଉ । ସେଥିରେ ମୁଁ ଯେ ଏକା ଶାନ୍ତି ପାଇବି ଏହା ନୁହଁ, ତମେ ମଧ୍ୟ କମ୍ ଶାନ୍ତି ପାଇବ ନାହିଁ ।

 

ଲପିତା ଝଡ଼-ବେଗରେ ସେ ଘରୁ ଉଠି ଚାଲିଗଲା । ଦୁଇ ଟୋପା ଆଖିର ଲୁହରେ କଣ ସବୁକଥାର ମୀମାଂସା ହୋଇପାରିବ ? କେତେ ଆଶା, କେତେ କଳ୍ପନା ନେଇ ସେ ବିଚାରିଥିଲା ପ୍ରକାଶର ସ୍ତ୍ରୀ ହେବ ବୋଲି –

 

ଅତୀତକୁ ଭୁଲିଯିବାକୁ ଚାହିଁଲେ କଣ ମଣିଷ ଭୁଲି ଯାଇ ପାରିବ ? ସବୁ କଥା ଭୁଲିଯାଇ ହଉଥିଲେ ମଣିଷ କେତେ ସୁଖୀ ହୋଇ ପାରୁ ନ ଥାନ୍ତା ? ମଣିଷର ସବୁତକ ପରାଜୟ, ସବୁତକ ଗ୍ଳାନିର ସ୍ମୃତିହିଁ ତାକୁ ପ୍ରଲୋଭନର ଏଇ ଦୁନିଆରେ ଅସୁଖୀ କରାଏ ସିନା !

 

କାଶ୍ମୀର୍‍ ଯାତ୍ରା ସେ ତା ହେଲେ କଣ ସ୍ଥଗିତ ରଖିବ ? କାହିଁକି ? ଅତନୁଠାରୁ ସେ ଯାହା ପାଇ ନାହିଁ, ସୁକାନ୍ତକୁ ନେଇ ସେ ଯେପରି ଭାବରେ ନିରାଶ ହୋଇଛି, ଆଉ ପ୍ରକଶ ତା ସାଥିରେ ଯେଉଁ ସତରଞ୍ଜି ଖେଳ ଖେଳିଲା ସବୁର ପ୍ରତିଶୋଧ ନେବ ସିଏ । ଅତୀତକୁ ଯଦି ନିହାତି ଭୁଲିଯିବାକୁ ପଡ଼ିବ ତେବେ ଏମାନେ ବି କାହିଁକି ତାର ସ୍ମୃତିପଟରେ ଲେଖା ରହିବେ ? ସମସ୍ତେ ଲିଭି ଯାଆନ୍ତୁ ।

 

ତାକୁ ସମସ୍ତେ ଭୁଲ୍‌ ବୁଝିଛନ୍ତି । ସମସ୍ତେ ଭାବିଛନ୍ତି ସେ ବହୁବିଳାସିନୀ । କିନ୍ତୁ ଜଣେ ହେଲେ କେହି ତ ତାର ଅନ୍ତର ଭିତରେ ପଶିବାକୁ ଚେଷ୍ଟା କରି ନାହାନ୍ତି ? ମନର ମଣିଷଟିଏ ନ ପାଇଲେ ନାରୀକୁ ଯେ କି ଦୁଃଖ, କି କଷ୍ଟ ଭୋଗ କରିବାକୁ ପଡ଼େ, କେଉଁ ଅନୁଶୋଚନାର କଷାଘାତରେ ତା’ର ଦୈନନ୍ଦିନ ଜୀବନ ରୁନ୍ଧି ହୋଇଯାଏ ସେ କଥା କଣ ପୁରୁଷ ପକ୍ଷରେ ବୁଝିବା ସମ୍ଭବ ?

 

ପୁରୁଷ ପାଖରେ ନାରୀ ଯଦି ଥରେ ଛୋଟ ହୁଏ ତାହେଲେ ତା’କୁ ସାରା ଜୀବନ ଛୋଟ ହବାକୁ ପଡ଼ିବ, ଅନ୍ୟ କିଛି ଉପାୟ ନାହିଁ । କ୍ଷତି କଣ, ଯଦି ସେ ପ୍ରକାଶ ପାଖକୁ ଯାଇ ଆଉ ଥରେ ତା’ର କରୁଣା ଭିକ୍ଷା କରେ ? ଯେତେ ନିଷ୍ଠୁର ହେଲେ ବି ପ୍ରକାଶ ତ ପୁରୁଷ । ମୁହଁରେ ନୀତିଶାସ୍ତ୍ରର ଯେତେସବୁ ବଡ଼ବଡ଼ କଥା କହିଲେ ମଧ୍ୟ ଗୋଟିଏ ଉପଯାଚିକା ପ୍ରତି ତା’ର ଦୁର୍ବଳତା କଣ କମ୍‍ ଥିବ ?

 

ଅର୍ଦ୍ଧ-ବିବସନା ଲପିତା ତା ଶୋଇବା ଘରକୁ ପୁଣି ଫରିଆସେ । କୁସନ୍ ଖାଲି ପଡ଼ିଛି ।

 

ଏ ଅସମୟରେ ପ୍ରକାଶ କାହିଁକି ଆସିଥିଲା ? ଯଦି ବା ଆସିଥିଲା ଏମିତି ଚାଲିଗଲା କାହିଁକି ? ବାଲ୍ୟବନ୍ଧୁ ସୁକାନ୍ତ ପ୍ରତି ତାର ଏଇ ଯେଉଁ ଅସ୍ଵାଭାବିକ ଦରଦ ତା ଏତେଦିନ ଯାଏ କେଉଁଠି ଥିଲା ? ତ କଥା ଶୁଣି ଯେକେହି ମନେ କରିବ ପ୍ରକାଶ ଗୋଟିଏ ମଣିଷ ନୁହେ, ଦେବତା-। କାହା ଦୟାରୁ ତାର ଏଇ ଦେବତ୍ୱ ପ୍ରାପ୍ତି ହେଲା କେଜାଣି । ପୁରୁଷ ଜାତିଟାକୁ ଚିହ୍ନିବାକୁ ତାର କଣ ଆଉ ବାକି ଅଛି ? ସମସ୍ତେ ଲମ୍ପଟ, ସମସ୍ତେ ସ୍ୱାର୍ଥପର ।

 

ଲପିତା ମନେମନେ ଠିକ୍‌ କରେ କିଣାକିଣି ସାରି ସେ ସନ୍ଧ୍ୟା ଆଡ଼କୁ ପ୍ରକାଶ ଘରକୁ ଯିବ-। ତାକୁ ସବୁକଥା ବୁଝେଇ କହିବ । ଆଉ ଜାଣିବାକୁ ଚେଷ୍ଟା କରିବ ପ୍ୟାରିଲାଲ୍‌ ସମ୍ପର୍କରେ ପ୍ରକାଶର ତା ପ୍ରତି କୌଣସି ସନ୍ଦେହର ଅବକାଶ ରହିଛି କି ନାହିଁ । ନ ରହିବା ସ୍ୱାଭାବିକ । କାରଣ ପ୍ରକାଶ ହିଁ ପ୍ରଥମେ ପ୍ୟାରେଲାଲ୍‍କୁ ଆଣି ପରିଚୟ କରାଇଦେଇଥିଲା ଏବଂ ପ୍ରକାଶର ଅନୁରୋଧରେ ସେ ପ୍ୟାରେଲାଲ୍‌ ସାଥିରେ କାଶ୍ମୀର୍‍ ଯିବାକୁ ରାଜି ହୋଇଛି ।

 

ଝରକା ରେଲିଂକୁ ଧରି କିଛି ସମୟ ଛିଡ଼ା ହୁଏ ଲପିତା । ସୂର୍ଯ୍ୟ ନାଲି ପଡ଼ିଆସିଲେଣି ।

 

ଠିକ୍ ସନ୍ଧ୍ୟାବେଳେକୁ ଲପିତା ଯାଇଁ ପହଞ୍ଚିଲା । ପ୍ରକାଶ ଏ ପର୍ଯ୍ୟନ୍ତ ଫେରିନାହିଁ । ବେୟାରା ଜଣାଏ ପ୍ୟାରେଲାଲ୍‍ ସାହେବ ଉପରେ ଅଛନ୍ତି ।

 

ଅଶ୍ଳୀଳ ହିନ୍ଦୀ ସିନେମା ଗୀତଟିଏ ବୋଲିବୋଲି ସିଡ଼ି ଉପରୁ ଓହ୍ଲାଇ ଆସୁଛି ପ୍ୟାରେଲାଲ୍‌ ।

 

ଡ୍ରଇଂରୁମ୍‌ରେ ଲପିତାକୁ ଦେଖି କମ୍ ଆଶ୍ଚର୍ଯ୍ୟ ଆଉ କମ୍ ଖୁସି ହେଲାନାହିଁ ସେ ।

 

- ମୁଁ ତ ଆପଣଙ୍କ ପାଖକୁ ବାହାରିଥିଲି ।

ହାଲୁକା ପ୍ରସାଧନରେ ଚମତ୍କାର ଦିଶୁଛି ଲପିତା । ପ୍ୟାରେଲାଲ୍ ଭାବୁଥିଲା, ତା ହେଲେ ବେଳେବେଳେ ପାଣି ମଧ୍ୟ ଶୋଷ ପାଖକୁ ଆସେ ।

 

ଲପିତା ପଚାରିଲା - ପ୍ରକାଶ କେତେବେଳେ ଫେରିବ ?

 

- ଠିକ୍ କହି ହବ ନାହିଁ । ଆପଣଙ୍କର ତାଙ୍କ ସାଙ୍ଗେ କୌଣସି ଜରୁରୀ କାମ ଅଛି ?

 

ଲପିତା ହସିହସି କହେ - କେବଳ ତାଙ୍କ ସାଙ୍ଗେ ନୁହଁ ତମ ସାଙ୍ଗେ ବି ଅଛି ।

 

ପ୍ୟାରେଲାଲ୍ ବ୍ୟସ୍ତ ହୋଇ ଉଠିଲା ।

 

- କହନ୍ତୁ ଆଜ୍ଞା ...... ମୁଁ ଆପଣଙ୍କର କଣ କରିପାରେ ? ପ୍ୟାରେଲାଲ୍‍ର ଆଚରଣ ଦେଖି ମନେ ହେଉଥିଲା ଲପିତା ଯାହା କହିବ, ଯାହା ବାହାରିବ ତା ମୁହଁରୁ, ପ୍ୟାରେଲାଲ୍‍ କରିବାକୁ ପଛେଇବ ନାହିଁ । ଅଳ୍ପ ବୟସର ପ୍ରେମିକମାନଙ୍କର ଇଏ ଗୋଟାଏ ଅଧିକା ଗୁଣ ।

 

ତୁଚ୍ଛାଟାରେ ଏତେ ବ୍ୟସ୍ତ ନ ହେବପାଇଁ ସେ ପ୍ୟାରେଲାଲ୍‍କୁ ଅନୁରୋଧ କରି ତାକୁ ବସିବାକୁ ଇଙ୍ଗିତ କଲା । ପ୍ୟାରେଲାଲ୍‍ ବସିଲା ପରେ ଲପିତା କହିଲା- ମୁଁ କାଶ୍ମୀର୍‍ ଯାଇ ପାରୁନାହିଁ ।

 

ବାସ୍‍ । ଶୁଣିବାମାତ୍ରେ ପ୍ୟାରେଲାଲ୍‍ ଝାଉଁଳି ପଡ଼ିଲା । ଦୁଃଖରେ କଣ୍ଠ ରୁଦ୍ଧ ହୋଇ ଆସିଲା । ଆସ୍ତେ ଆସ୍ତେ କହିଲା - କାହିଁକି ? କଣ ଅସୁବିଧା ହେଲା ଆପଣଙ୍କର ?

 

ସବୁ ଅସୁବିଧା କଣ ତମକୁ କହିହବ ?

 

ପ୍ୟାରେଲାଲ୍ ଭାବୁଥିଲା କାହିଁକି କହିହବ ନାହିଁ ? ଏପରି ମଧୁସିକ୍ତ ସମ୍ପର୍କ ଥାଉଁଥାଉଁ ଲପିତା ଦେବୀ ପୁଣି ଦ୍ଵିଧା କରୁଛନ୍ତି । ଅସୁବିଧା କଣ ଜାଣିଲେ ତ ମଣିଷ ତାକୁ ଦୂରକରିବାକୁ ଚେଷ୍ଟା କରିବ !

 

ଏଥିମଧ୍ୟରେ ସବୁ ବନ୍ଦୋବସ୍ତ କରିଛି ପ୍ୟାରେଲାଲ୍ । ଟ୍ରେନ୍ ଆଉ ପ୍ଲେନ୍‍ ସବୁଥିରେ ସିଟ୍ ରିଜର୍ଭ ହୋଇଛି । ଅପରିକି ଶ୍ରୀନଗରର ପାଲେସ୍ ହୋଟେଲ୍‍ରେ ରୁମ୍‍ଟିଏ ମଧ୍ୟ ବୁକ୍ କରାସରିଛି । ଅଥଚ ପ୍ରାୟ ଶେଷ ମୁହୂର୍ତ୍ତରେ ଲପିତା ଦେବୀ ମନା କରୁଛନ୍ତି । କି ଦୁଃଖର କଥା !

 

ପ୍ରକାଶ ଆସି ପହଞ୍ଚିଯାଏ । ସିଧା ଚାଲିଯାଏ ଉପରକୁ । କିଛି ସମୟପରେ ଲପିତା ଖବର ପଠାଏ । ବେୟାରା ହାତରେ ଲପିତାକୁ ଉପରଘରକୁ ଡକେଇନିଏ ପ୍ରକାଶ ।

 

ଡ୍ରଇଂରୁମ୍‍ରେ ପ୍ୟାରେଲାଲ୍ ନିଶ୍ଚଳ ହୋଇ ବସିରହେ ।

 

ଖୁବ୍ ଅଳ୍ପ ସମୟ ପରେ ଲପିତା ପ୍ରକାଶ ଘରୁ ଫେରିଅସେ । ଆଶ୍ଵାସନା ଦେଇଛି ପ୍ରକାଶ, କଶ୍ମୀର୍‍ରୁ ଫେରିଲେ - ଦେଖିବା ।

 

ବର୍ତ୍ତମାନ ପାଇଁ ଏଇ ଯଥେଷ୍ଟ । ଦ୍ଵିପ୍ରହରର ପ୍ରକାଶ ଆଉ ସନ୍ଧ୍ୟାବେଳର ପ୍ରକାଶ ମଧ୍ୟରେ ବହୁତ ଫରକ୍ । ଆକାଶ ପାତାଳ ।

 

କିନ୍ତୁ ଗୋଟିଏ କଥା ସନ୍ଦେହ କରୁଛି ଲପିତା । ପ୍ୟାରେଲାଲ୍ ସାଙ୍ଗେ କାଶ୍ମୀର୍‍ ପଠାଇ ତାକୁ ଅଗ୍ନିପରୀକ୍ଷା ଭିତରକୁ ପ୍ରକାଶ ଟାଣିନେଉ ନାହିଁ ତ ? ଚାଲି ଚଳଣରୁ ଜଣାପଡ଼େ ସେ ଭାରି ଧୂର୍ତ୍ତ । ପ୍ୟାରେଲାଲ୍‍କୁ ସବୁ କଥା ପଚାରି ଯଦି ବୁଝେ ? ପ୍ୟାରେଲାଲ୍ କଣ କହିବ ? ଅସମ୍ଭବ ।

 

ପ୍ୟାରେଲାଲ୍ ମୁହଁ ଶୁଖେଇ ଡ୍ରଇଂ ରୁମ୍‍ରେ ବସିଥିଲା । ଲପିତା ଦେବୀଙ୍କର କି ସମ୍ପର୍କ ଯେ ପ୍ରକାଶ ଭାୟା ସାଥିରେ ରହିଛି ସେ ଠିକ୍ କରିପାରେ ନାହିଁ ।

 

ଲପିତା ଡ୍ରଇଂରୁମ୍‌ରେ ପ୍ରବେଶ କଲା କ୍ଷଣି ପ୍ୟାରେଲାଲ୍‌ ପଚାରିଲା - କାମ ହେଲା ତ ?

 

- କିଛି କାମ ନ ଥିଲା - ତମ ସାଙ୍ଗେ ଯାଇ ପାରୁ ନାହିଁ ବୋଲି ଜଣାଇବାକୁ ଆସିଥିଲି ।

 

- ଆପଣଙ୍କର ଏ ସିଦ୍ଧାନ୍ତ କଣ ଚୂଡ଼ାନ୍ତ ?

 

- ହଁ । ମୁଁ ବଡ଼ ଦୁଃଖିତ ପ୍ୟାରେଲାଲ୍‌!

 

କେତେ ଆଶା, କେତେ କଳ୍ପନା - ସବୁ ତା ହେଲେ ଭୁଷୁଡ଼ି ପଡ଼ିଲା ? ଦୁଃଖରେ ପ୍ୟାରେଲାଲ୍ କିଛି କହିପାରେ ନାହିଁ । ତା ଜିଭ ଶୁଖି ଯାଉଛି । ଓଠ କଇନ୍ଥା ପଡ଼ି ଆସିଲାଣି ।

 

ଲପିତାର ଦୟାହୁଏ । ଭ୍ୟାନିଟିବ୍ୟାଗ୍ ଭିତରୁ ଗୋଟିଏ ଚକୋଲେଟ୍‌ ବାହାରକରି ପ୍ୟାରେଲାଲ୍‍କୁ ଦିଏ, ତାପରେ କହେ - ମୁଁ ନ ଗଲେ କଣ ତମେ ଅତି ଦୁଃଖିତ ହେବ ପ୍ୟାରେଲାଲ୍-?

 

ଏ କଥା କଣ ମୁହଁ ଖୋଲି କହିବାକୁ ପଡ଼ିବ ? ଲପିତା ଦେବୀ କଣ କିଛି ବୁଝିପାରୁ ନାହାନ୍ତି ?

 

ପ୍ୟାରେଲାଲ୍‍ର ଶୁଖିଲା ମୁହଁ ଆଡ଼କୁ ଚାହିଁ ଲପିତା କହେ - ବେଶ୍ ଅସୁବିଧା ଥିଲେ ବି ମୁଁ ଯିବି ।

 

.ସାମାନ୍ୟ ଏଇ କଥା ପଦକରେ ଉଜ୍ଜ୍ୱଳ ହୋଇ ଉଠେ ପ୍ୟାରେଲାଲ୍‍ର ମୁହଁ । ଟେବୁଲ୍‍ ରୋଜ୍‍ଟିଏ ଛିଣ୍ଡେଇ ସେ ଲପିତାକୁ ଉପହାର ଦିଏ ।

 

- ପ୍ରକାଶ ଭାୟାକୁ ଯାଇଁ ଜଣେଇ ଦିଅନ୍ତୁ ଯେ ଆପଣ ପୁଣି ଯିବାକୁ ସ୍ଥିରକଲେ । ନଇଲେ ସେ ବିରକ୍ତ ହେବେ । ଲପିତା ହସି ହସି କହେ - ମୁଁ ତ ତମ ସାଙ୍ଗେ ଯାଉଛି .. ଆଉ ଫେରିବି କି ନାହିଁ ସନ୍ଦେହ ... ତମ ପ୍ରକାଶ ଭାୟା ବିରକ୍ତ ହୋଇ ମୋର କଣ କରିବେ ? ତାଙ୍କୁ ବରଂ ତମେ ଜଣାଇଦେବ ।

 

- ଆପଣ କଣ ସିଧା ଘରକୁ ଯିବେ ?

 

- ନାଁ - ବଜାର ହୋଇ ଯିବି ।

 

- ତେବେ ଚାଲନ୍ତୁ - ମୋର ସେଆଡେ଼ ଟିକେ କାମ ଅଛି - ଦରକାର ପଡ଼ିଲେ ମୁଁ ମଧ୍ୟ ଆପଣଙ୍କୁ କିଣାକିଣିରେ ସାହାଯ୍ୟ କରିପାରେ ।

 

ଲପିତା କିନ୍ତୁ ଚାହେଁ ନାହିଁ ପ୍ୟାରେଲାଲ୍‍କୁ ସାଙ୍ଗରେ ନବାକୁ । ତାର ଗୋଟାଏ କେମିତି ଧାରଣା କେଉଁ ପୁରୁଷକୁ ସାଙ୍ଗରେ ନେଇ ବଜାର କରିବା ଅପେକ୍ଷା ନିଜେ କରିବା ସହସ୍ରଗୁଣେ ଭଲ । ଅନେକ ଜିନିଷ ଶସ୍ତା ଓ କାଳିରେ ଯୋଗାଡ଼ ହୋଇ ପାରିବ ।

 

ସେ କହେ - ମୋର ବାଟରେ ଆଉଟିକେ କାମ ଅଛି ଯେ - ଜଣେ ସାଙ୍ଗ ଘରକୁ ଯିବି ।

 

ଆଶା ଛାଡିଦିଏ ପ୍ୟାରେଲାଲ୍ ।

 

- ଆଚ୍ଛା ଆପଣ ଆସନ୍ତୁ ...ପୁଣି ତ କାଲି ଦେଖାହବ । କାଲି ସନ୍ଧ୍ୟାବେଳେ ଘରେ ଥିବେ କିନ୍ତୁ ....

 

- ନିଶ୍ଚୟ ।

 

ଲପିତାକୁ ବିଦାୟ ଦେଇ ପ୍ୟାରେଲାଲ୍ ପ୍ରକାଶ ପାଖକୁ ଚାଲିଆସେ - ମାତ୍ର ଗୋଟିଏ ପେଗ୍ ।

 

ସପ୍ତାହେ କାଳ ଜ୍ୱରରେ ପଡ଼ି ଦୁର୍ବଳ ହୋଇପଡ଼ିଛି ସୁକାନ୍ତ । ଆଜି ଜ୍ଵର ନାହିଁ । ସାମାନ୍ୟ ଭଲ ଲାଗୁଛି । ଭଲ ଲାଗିବାର ଆଉ ଗୋଟିଏ କାରଣ ମଧ୍ୟ ଅଛି ।

 

ଲୋକେ କହନ୍ତି ପାହାନ୍ତିଆ ସ୍ଵପ୍ନ ସତ ହୁଏ । ସ୍ଵପ୍ନ ଦେଖିଛି ସୁକାନ୍ତ - ସହରର ମାୟା ମମତା ତୁଟେଇ ଲପିତା ଏଠିକି ଚାଲି ଆସିଛି । ଚାଲି ଆସିଛି ଏଇ ପଲ୍ଲୀର ଶାନ୍ତ ପରିବେଶ ଭିତରକୁ । କେବଳ ସେତିକି ନୁହେଁ, ହସି ହସି ସେ ସରଳ ଶିଶୁମାନଙ୍କର ଦାୟିତ୍ୱ ମଧ୍ୟ ଗ୍ରହଣ କରୁଛି ।

 

ଏ ସ୍ଵପ୍ନ କଣ ସତ ହେବ ? ଏ ସ୍ଵପ୍ନ ତ ନିଦ୍ରାବସ୍ଥାରେ ସେ କେବଳ ଦେଖିନାହିଁ, ଜାଗ୍ରତ ଅବସ୍ଥାରେ ମଧ୍ୟ ବହୁବାର ଦେଖିଛି ।

 

କିନ୍ତୁ ଲପିତା କଣ ସତେର ଏଠିକି ଆସିବ ? ଆସିବ ଏଇ ଘରର ଅଳସ ବାୟୁମଣ୍ଡଳ ଭିତରକୁ ଯେଉଁଠି ତା ଜୀବନର ଗତି ପଦେ ପଦେ ବାଧା ପାଇବ ?

 

ଶିକ୍ଷିତା, ଉପାର୍ଜନକ୍ଷମା ସ୍ତ୍ରୀ ଅଯୋଗ୍ୟ ସ୍ଵାମୀଠାରୁ ଦୂରରେ ରହି ଉନ୍ନତ ଧରଣର ଜୀବନ ଯାପନ କରିବାର ଇଚ୍ଛା ଯଦି ପୋଷଣ କରେ ତେବେ ସେଥିରେ କାହାର କଣ କହିବାର ଅଛି ?

 

ସହର କଲେଜର ଅଧ୍ୟାପିକା ଚାକିରିରେ ସାରା ଜୀବନ କଟେଇ ଅଧିକା କ’ଣ ମିଳିବ ? ସାମାନ୍ୟ ପ୍ରତିଷ୍ଠା ଆଉ ସଞ୍ଚିତ କିଛି ଅର୍ଥ । ଅର୍ଥର ପ୍ରୟୋଜନ ମଣିଷ ଜୀବନରେ ଅଛି ଆଉ ପ୍ରତିଷ୍ଠା ମଧ୍ୟ ମଣିଷ ଚାହେଁ-ଏ କଥା ଅସ୍ୱୀକାର କରାଯାଇ ପାରିବ ନାହିଁ । କିନ୍ତୁ ତା ବୋଲି ଯେ ଅର୍ଥ ଆଉ ପ୍ରତିଷ୍ଠା ପଛରେ ସାରା ଜୀବନ ଅନ୍ଧ ହୋଇ ଗୋଡ଼େଇବାକୁ ପଡ଼ିବ ଏ କଥାରେ ଆଉ ବିଶ୍ୱାସ ନାହିଁ ସୁକାନ୍ତର ।
 

ସୁକାନ୍ତ ଜାଣେ ଅଭାବବୋଧ ମଣିଷର ଗୋଟିଏ ଅତି ନିର୍ମମ ସୃଷ୍ଟି । ଯାହାର ନାହିଁ ତାର ଅଭାବବୋଧ ଠାରୁ ଯାହାର ଅଛି ତାର ଅଭାବବୋଧ ବୋଧେ ବେଶୀ ତୀବ୍ର, ବେଶୀ ବିଭତ୍ସ ।

 

କଲେଜ ଛାଡ଼ିବା ପରେ ନିଜର ସବୁ ବିଦ୍ୟା, ସବୁ ଶକ୍ତି ବିନିଯୋଗ କରି ଜୀବନ-ଯୁଦ୍ଧରେ ସେ ଯୋଗ ଦେଇଥିଲା । ବିଶ୍ୱାସ ଥିଲା ସେ ଜୟୀ ହେବ । ଅପର୍ଯ୍ୟାନ୍ତ ଅର୍ଥ ଆଉ ଅସୀମ କ୍ଷମତାର ଅଧିକାରୀ ହୋଇ ମାତ୍ର କେତୋଟି ବର୍ଷ ଭିତରେ ସେ ଅସାଧାରଣ ହୋଇ ଉଠିବ । କିନ୍ତୁ ଶେଷ ପର୍ଯ୍ୟନ୍ତ ସେ ହାରିଯାଇଛି । ଅସାଧାରଣ ହେବାର କଳ୍ପନା ତାର ବ୍ୟର୍ଥ ହୋଇଛି ।

 

କ’ଣ ଭାବି ଖଣ୍ଡେ କାଗଜ ଆଣି ଚିଠି ଲେଖି ବସିଲା ସୁକାନ୍ତ .. ଆଜି ପାହାନ୍ତାରେ ପୁଣି ତମକୁ ସ୍ୱପ୍ନ ଦେଖିଲି । ସାରାଜୀବନ ତମେ କ’ଣ କେବଳ ମୋ ସ୍ୱପ୍ନରେ ହିଁ ରହିବ ଲପିତା ? ତମର ମମତାବିଧୂର ହାତର ସ୍ପର୍ଶ କ’ଣ କେବେହେଲେ ମୋ କପାଳରେ ବାଜିବ ନାହିଁ ?

 

ମୁଁ ସ୍ପଷ୍ଟ ଜାଣିବାକୁ ଚାହେଁ ତମ ସୋସାଇଟି ଆଉ ତମ ନାଇଟ୍‍କ୍ଳବ୍‍ ତମର ଅତନୁ ଆଉ ପ୍ରକାଶ କ’ଣ ପ୍ରକୃତରେ ମୋଠାରୁ ବେଶୀ ଆପଣାର ?

 

ଆହୁରି ମଧ୍ୟ ଜାଣିବାକୁ ଇଚ୍ଛାହୁଏ କେଉଁମାନଙ୍କ ହାତରେ ଘଟିବ ତମର ଶେଷ ପରିଣତି-? ଯଦି ସୁବିଧା ହୁଏ ମତେ ଏସବୁ ଜଣେଇବ । ତମ ବିଷୟରେ ମୋର ସବୁକଥା ଜାଣିବାକୁ ଇଚ୍ଛା ହୁଏ ଯେ ! ନଇଲେ ମୁଁ କାହିଁକି ତମକୁ ଏତେ କଥା ପଚାରି ବିରକ୍ତ କରନ୍ତି ?

 

ଏତେ କରି ଲେଖିଥିଲି ଆମ ବିଦ୍ୟାନିକେତନର ଏ ଉଦ୍‍ଘାଟନ ଉତ୍ସବକୁ ଆସିବା ପାଇଁ । କାଇଁ ଆସିଲ ନାଇଁ ତ ? ତମେ ପଠେଇଥିବା ପଚିଶ ଟଙ୍କା ସେଦିନ କିନ୍ତୁ ଆମର ବହୁତ କାମରେ ଲାଗିଲା ।

 

ସାତଦିନ ହେଲା ମୁଁ ଜ୍ଵରରେ ପଡ଼ିଛି । ରୁବିଭାଉଜ ଅନେକ ସେବା କରିଛନ୍ତି । ତାଙ୍କ ମଝିଆଁ ପୁଅର ଝାଡ଼ାହେବା ଖବର ପାଇ ସେ କାଲି ସନ୍ଧ୍ୟା -ବସ୍‍ରେ ଗଲେ ଭାରି । ଦୁଇ ତିନି ଦିନ ଭିତରେ ଫେରି ଆସିବେ । କିନ୍ତୁ ସେତେବେଳକୁ ତାଙ୍କ ଋଣ ଶୁଝିବାକୁ କ’ଣ ମୁଁ ଥିବି ? ସେ ମୋପାଇଁ କେତେ ନ କରିଛନ୍ତି ? ଏଇ ଯେଉଁ ବିଦ୍ୟାନିକେତନ ତାରି ମୂଳରେ ତ ଅଛନ୍ତି ସିଏ ।

 

ତମର କ’ଣ ସତରେ ଇଚ୍ଛା ହଉନାହିଁ ଥରେ ଆସି ଦେଖି ଯିବାକୁ ମୁଁ ଏଠି କ’ଣ କରୁଛି କ’ଣ ନ କରୁଛି ?

 

ମୋର ତମକୁ ଅନେକ କଥା କହିବାର ଅଛି । ବର୍ଷ ବର୍ଷ ଧରି ଏକାଠି ଚଳିଲେ କିନ୍ତୁ ଥରେହେଲେ ବି ତ ସୁଯୋଗ ମିଳିଲା ନାହିଁ ତମ ସାଙ୍ଗେ ଦୁଇପଦ ଭଲକରି କଥାଭାଷା ହେବାକୁ । ଆମ ଦୁହିଁଙ୍କର ଏକାଘରେ ରାତି ପରେ ରାତି କଟିଯାଇଛି ଅଥଚ କି ଭୟଙ୍କର ମହାଶୂନ୍ୟରେ ଭରା ସେସବୁ ରାତି । ସାଥିହୀନ, ପ୍ରାଣହୀନ ସେଇ ରାତିଗୁଡ଼ିକର ସ୍ମୃତି ଯେ ମୁଁ ଆସନ୍ତା ଜନ୍ମରେ ବି ଭୁଲିବି ନାହିଁ ! କେତେଦିନ ଆଉ ସଙ୍ଗହୀନ ରାତି କଟେଇବା ମୋ ପକ୍ଷରେ ସମ୍ଭବ ? ଆଉ କେତେରାତି ମୁଁ ମୃତ୍ୟୁ ସାଥିରେ ଶଯ୍ୟାବିଳାସ କଲେ ତମେ ଖୁସି ହବ କୁହ !

 

ଆଜି ମୁଁ ବହୁତ ଭାବପ୍ରବଣ ହୋଇ ଏ ଚିଠି ଲେଖୁଛି; କାରଣ, ମୁଁ ମୋର ଶେଷଶଯ୍ୟା ଉପରେ ଶୋଇ ପ୍ରତି ମୁହୂର୍ତ୍ତରେ ତମକୁ ସ୍ମରଣ କରୁଛି । ତମକୁ ଅନୁରୋଧ କରୁଛି, ମୋର ଶେଷ କେତେପଦ କଥା ଶୁଣିଯିବା ପାଇଁ । ଆଖିରୁ ବର୍ତ୍ତମାନ ଯେଉଁ ଲୁହ ଝରୁଛି - ତା କ’ଣ ମୋ ଦେହର ସଞ୍ଚିତ ଶେଷ କେତୋଟି ରକ୍ତବିନ୍ଦୁର ଅସ୍ୱାଭାବିକ ପରିଣତି ନୁହେଁ ? ମୋର ବଞ୍ଚି ରହିବାର ଆଉ ପ୍ରୟୋଜନ ନାହିଁ ଲପିତା । ତମକୁ ପାଇ ହଜେଇଲା ଦିନୁ ସେ ପ୍ରୟୋଜନ ମୋର ସରିଯାଇଛି । ଖାଲି ଘୋଷାରି ଘୋଷାରି ନିଜକୁ ଏତେଦୂର ଟାଣିଆଣିଛି ସିନା ।

 

ମତେ କଣ ଶେଷ ପର୍ଯ୍ୟନ୍ତ ବିଶ୍ୱାସ କରିବାକୁ ପଡ଼ିବ ଯେ ତମେ ମତେ ଅତି ବିଭତ୍ସ ଭାବରେ ଘୃଣା କର ଆଉ କେବଳ ଘୃଣାହିଁ କର ? ଏଇ ଧାରଣା ନେଇ ମତେ କଣ ଏ ସଂସାରରୁ ବିଦାୟ ନେଇଯିବାକୁ ପଡ଼ିବ ?

 

ସବୁଠାରୁ ଭଲ ହୁଅନ୍ତା ତମେ ଯଦି କେବେ ସମୟକରି ଆସନ୍ତ । ଆସୁ ନା ଏଇ ରବିବାର ଦିନ । ଶୁଣିଲି ପ୍ରକାଶ କୁଆଡ଼େ ଖଣ୍ଡେ ନୂଆ ଜିପ୍‍ କିଣିଛି । ଆଉ ଅସୁବିଧା କଣ ?

 

ସୁକାନ୍ତ ହାତରୁ କଲମ ଖସିପଡ଼େ । ବହୁତ ଦୁର୍ବଳ ହୋଇ ପଡ଼ିଛି ସେ । ବହୁତ କଷ୍ଟରେ କଲମଟି ଉଠାଇଆଣି ଦେଖେ ନିବ୍ ଭାଙ୍ଗିଯାଇଛି ।

 

କେହି କୁଆଡ଼େ ନାହାନ୍ତି । ରାତିରେ ପାଖରେ ଗୋପ ଶୋଇଥିଲା । ଭୋଅରୁ ଉଠି କୁଆଡ଼େ ଯାଇଛି । କୁଆଡ଼େ ଆଉ ଯାଇଥିବ ? ସକାଳୁ ଉଠି ଯାହା ମୁହଁ ଦେଖିଲେ ଦିନସାରା ତାର ଭଲରେ କଟୁଥିବ, ଯାଇଥିବ ସେଇ ଶୋଭା ପାଖକୁ ।

 

ବିଶେଷତଃ ଦେହ ଅସୁସ୍ଥ ଥିଲାବେଳେ ଯଦି କେହି ଜଣେ ପାଖରେ ନ ଥାଏ ଭାରି ଖରାପ ଲାଗେ । ରୁବିଭାଉଜ ଗୋପ ହେରିକା ନଥିଲେ ଗତ ସାତଦିନ ଯେ କେମିତି କଟିଥାନ୍ତା ଭଗବାନ ଜାଣନ୍ତି । ସବୁଦିନେ କିଛି ସେମାନେ ପାଖେପାଖେ ରହିବେ ନାହିଁ । ତାକୁ ନିଃସଙ୍ଗ ଜୀବନ ଯାପନ କରିବାକୁ ପଡ଼ିବ ।

 

ମନରେ ସାହସ ବାନ୍ଧେ ସୁକାନ୍ତ । ବିଛଣାରୁ ଉଠି ଘର ଭିତରେ ଚଲାବୁଲା କରିବାକୁ ଚେଷ୍ଟାକରେ, ନା, ଗୋଡ଼ ଥରୁଛି । ଛାତି ବି ।

 

ଏତେ ଦୁର୍ବଳ ହୋଇପଡ଼ିବାର କାରଣ କଣ ? ଜ୍ଵର ତ ସମସ୍ତଙ୍କୁ ହୁଏ ... ସମସ୍ତେ କଣ ଏତେ ଦୁର୍ବଳ ହୋଇପଡ଼ନ୍ତି ?

 

ସେ କୌଣସି ମତେ ବିଛଣାରେ ଆସି ପୁଣି ଆଶ୍ରୟ ନିଏ । ନିଶ୍ୱାସ ନେବାକୁ କଷ୍ଟ ହଉଛି, ପ୍ରଶ୍ୱାସରେ ଶୁଣାଯାଉଛି କେମିତି ଗୋଟାଏ ଅସ୍ଫୁଟ ଶବ୍ଦ - ଫଟା ବଇଁଶୀଟିଏ ସତେ ଯେମିତି ଶ୍ୱାସନଳୀ ଭିତରେ ଅଟକ ଯାଇଛି ।

 

ଭାରି ଡରମାଡ଼େ ସୁକାନ୍ତକୁ । ଗୋପକୁ ଡାକିବାକୁ ଇଚ୍ଛା ହୁଏ । କିନ୍ତୁ କେମିତି ଡାକିବ ? ହାତବଢ଼େଇ ବାରିପଟ ଝରକାକୁ ଖୋଲିବାକୁ ଚେଷ୍ଟାକରେ କିନ୍ତୁ ବୃଥା ।

 

ଏତେ ଦୁର୍ବଳତା ସତ୍ତ୍ୱେ ସେ ଏଡ଼େ ବଡ଼ ଚିଠି କେମିତି ଲପିତା ପାଖକୁ ଲେଖିପାରିଲା ଭାବି ଆଶ୍ଚର୍ଯ୍ୟ ହୁଏ । ଏ ଚିଠି ପାଇଲାମାତ୍ରେ ନିଶ୍ଚୟ ଲପିତା ଆସିବ ।

 

ଚିଠିଟା କିନ୍ତୁ ଅଧା ରହିଗଲା ଯେ, ରହୁ । କିଛି ସମୟପରେ ଯଦି ଭଲଲାଗେ ପୁଣି ଲେଖିବ । ଆଉ କଣ ବା ଲେଖିବାକୁ ଅଛି ?

କଟକ ଯାଉଥିବା କେହି ଲୋକ ହାତରେ ଚିଠିଟି ପଠେଇ ଦେଲେ ଦିନ ଦୁଇଟା ସୁଦ୍ଧା ଲପିତାକୁ ମିଳିଯିବ । ଲପିତା ଯଦି ପ୍ରକାଶକୁ ତାର ଅସୁସ୍ଥତା କଥା ଜଣାଏ ତେବେ ସେ ସବୁ କାମ ପଛକୁ ପକେଇ ଜିପ୍ ଧରି ନିଜେ ଚାଲିଆସିବ । ସେ ବିଶ୍ୱାସ ସୁକାନ୍ତର ଅଛି । ପ୍ରକାଶ ଆଉ ଯାହା ହଉନା କାହିଁକି ବଡ଼ ବନ୍ଧୁ ବତ୍ସଳ । ବନ୍ଧୁମାନଙ୍କ ପାଇଁ ଦରକାର ପଡ଼ିଲେ ସେ ଜୀବନ ଦେଇ ପାରେ

 

ଆଜି ସନ୍ଧ୍ୟା ସୁଦ୍ଧା ସେମାନେ ଆସି ପହଞ୍ଚିଯାଇ ପାରନ୍ତି । ଗୋପଘରେ ସେମାନଙ୍କର ଖାଇବା ପିଇବାର ବନ୍ଦୋବସ୍ତ କଲେ ଚଳିବ ।

 

ବହୁତ ଦିନ ହେଲା ଲପିତାକୁ ଦେଖି ନାହିଁ । ଦେଖିବାକୁ ଭାରି ଇଚ୍ଛା ହଉଛି ।

 

ବିଛଣାରେ ପଡ଼ିରହି ଆଖିବୁଜି ଗୁରେଇତୁରେଇ ଲପିତା କଥା ଭାବୁଛି ସୁକାନ୍ତ । ଭାରି ଭଲ ଲାଗୁଛି । ଗତରାତିରେ ଅନେକ ସମୟ ଯାଏ ନିଦ ହୋଇ ନ ଥିଲା । ଭାବୁଥିଲା ଲପିତାକୁ ।

 

କଳ୍ପନାର କାଉଁରି କାଠି ସାହାଯ୍ୟରେ ସେ ଲପିତାକୁ ପାଖକୁ ଟାଣି ଆଣିଥିଲା । ତାକୁ ମିଠା କଥା କହୁଥିଲା, ନିବିଡ଼ ଆଲିଙ୍ଗନ କରୁଥିଲା । ବିନିମୟରେ ଲପିତା ମଧ୍ୟ ଅଜାଡ଼ି ଦଉଥିଲା ଅଜସ୍ର ଚୁମ୍ବନ । ଖାଲି କଣ ସେତିକି ?

 

- ସୁକାନ୍ତ ଭାଇ, ବେଳ ଘଡ଼ିଏ ହେଲାଣି - ଉଠିବ ନାହିଁକି ? ସୁକାନ୍ତ ଆଖି ଖୋଲିଲା । ଦୁଆର ବନ୍ଧରେ ଛିଡ଼ା ହୋଇଛି ଗୋପ । ଗାଧୋଇ ପରିଷ୍କାର ପରିଚ୍ଛନ୍ନ ଦିଶୁଛି । ହାତରେ ଗିଲାସେ ମିଶ୍ରି ସରବତ୍ ।

 

- ଦାନ୍ତଘଷି ଜଲଦି ପିଇଦିଅ । ଘଣ୍ଟାକ ପରେ ପଥି ଆସୁଛି । ତମ ଯୋଗୁ ସକାଳୁ ସକାଳୁ ମୁଁ ଗାଳି ଖାଇଲିଣି ।

 

ସୁକାନ୍ତ କିଛି ବୁଝିପାରେ ନାହିଁ । ବଲ୍‍ବଲ୍ ହୋଇ ଚାହିଁରହେ ଗୋପ ମୁହଁକୁ ।

 

ଟ୍ରଙ୍କ ଉପରେ ସରବତ୍‍ ଗିଲାସଟି ଥୋଉଥୋଉ ଗୋପ କହେ - ତମେ କାଲି ରାତିରେ ଖାଇବାକୁ ମନା କଲ ସେଥିପାଇଁ ମୋ ଉପରେ ଗାଳି । ମୁଁ କୁଆଡ଼େ ଜାଣି ଶୁଣି ତମକୁ ଖୁଆଉ ନାହିଁ । ରୁବିଭାଉଜ ପରା ମୋ ଜିମା ତମକୁ ଛାଡ଼ିଦେଇ ଯାଇଛନ୍ତି । ସେ ଆସିବା ପୂର୍ବରୁ ତମେ ଯଦି ସୁସ୍ଥ ସବଳ ହୋଇ ଉଠ ତେବେ ବାହାଦୁରୀଟା କିଏ ନବ ବୁଝି ପାରୁନା ?

 

ଏଥର ସୁକାନ୍ତ ବୁଝି ପାରୁଛି । ଯାହା ହଉ ଦାୟିତ୍ୱଜ୍ଞାନ ଥିବା ଲୋକ ହାତରେ ରୁବିଭାଉଜ ତାକୁ ଛାଡ଼ିଦେଇ ଯାଇଛନ୍ତି । ଆଉ ଭୟ କଣ ?

 

ଆଠଟା ବେଳକୁ ପଥି ଆସିଲା _ ଗିଲାସେ ଦୁଧ । ଗୋପ କହିଲା - ହାଇକମାଣ୍ଡର ଅର୍ଡ଼ର ଅଛି ଯେମିତି ବିନ୍ଦୁଏ ଦୁଧ ନଷ୍ଟ ନ ହୁଏ - ସବୁତକ ପିଇବାକୁ ପଡ଼ିବ ।

 

ଦୁଧ ଗିଲାସକ ପିଇସାରି ସୁକାନ୍ତ ଗୋପକୁ ପାଖକୁ ଡାକି କହିଲା - ଏ ଚିଠିଟା କେମିତି କାହା ହାତରେ ପଠାନ୍ତ ନାହିଁ ? ଭାରି ଜରୁରୀ ।

 

- ନୂଆ ବୋଉଙ୍କ ପାଖକୁ ଯିବ ତ ? ଆଛା ଦିଅ । ଦାଦା ଆଜି କଟକ ଯାଉଛନ୍ତି । ମୁଁ ତାଙ୍କୁ ଦେଇଆସୁଛି । କିଛି ଫଳ ପଠେଇବାକୁ ଲେଖିଛ ତ ? ତାଙ୍କର ଛୁଟି କେବେ ହବ ମ ?

 

ଚିଠିଟି ଅଧା ଲେଖାହୋଇ ରହିଯାଇଛି । ସେଥିରେ କିଛି ଯାଏ ଆସେ ନାହିଁ । ସେ ତ ଆଉ ଲପିତା ପାଖକୁ ପ୍ରେମ ଚିଠି ଲେଖୁନାହିଁ ଯେ ବନେଇଚୁନେଇ ନ ଲେଖିଲେ ଲପିତା ରାଗ କରିବ ? ଲଫାପାରେ ଭର୍ତ୍ତିକରି ଉପରେ ଲପିତାର କଲେଜ ଠିକଣା ଲେଖି ଚିଠି ଖଣ୍ଡିକ ଗୋପ ହାତକୁ ବଢ଼େଇଦେଲା । ଗୋପ ସେ ଖଣ୍ଡକ ଧରି ବସ୍‍ଷ୍ଟାଣ୍ଡ ଆଡ଼େ ମୁହାଏଁ ।

 

ଭାରି ସରଳ ଗୋପ - ଭାରି ଭଲ ପିଲା ।

 

ସୁକାନ୍ତର ଛାତି ଥରୁଛି । ଜୀବନରେ ପ୍ରଥମଥର ଏପରି ଚିଠି ଲେଖିବା । ଯୋଗ ଏମିତି ଯେ ତା ମଧ୍ୟ ପୂରା ହୋଇପାରିଲାନାହିଁ ।

 

ଲପିତା ଚିଠି ପଢ଼ି କଣ ଭାବିବ ? ତା ମନରେ କଣ ସୁକାନ୍ତ ପାଇଁ ଟିକିଏ ଦୟା ହବନାହିଁ, ଟିକିଏ ଅନୁକମ୍ପା ହବନାହିଁ ?

 

ଲପିତା ତ ରାଜକନ୍ୟା । ଇଚ୍ଛାକଲେ ସୁକାନ୍ତର ଶୂନ୍ୟଥାଳକୁ ସେ ଆଖି ପିଛୁଳାକେ ଭର୍ତ୍ତି କରିଦେଇ ପାରିବ |

 

କିଛି ସମୟ ପରେ ଗୋପ ଫେରି ଆସିଲା । - ଆଉ ଟିକେ ଡେରି ହୋଇଥିଲେ ଦାଦା ଚାଲିଯାଇଥାନ୍ତେ । ଦାଦାଙ୍କୁ କହିଛି ଯେତେ ଅସୁବିଧା ହଉ ପଛେ ନୂଆବୋଉ ଯେଉଁ ଫଳମୂଳ ଦେବେ ଯେମିତି ସେ ନିଶ୍ଚୟ ଆଣନ୍ତି । ଏତକ କହି ଗୋପ ନିଜ ଘରଆଡ଼େ ଟିକେ ମୁହଁ ମାରିବାକୁ ଗଲା ।

 

ସେଇଦିନ ଅପରାହ୍ନରେ ସୁକାନ୍ତ ବେଶୀ ଅସୁସ୍ଥ ହୋଇ ପଡ଼ିଲା । ରାତି ପ୍ରାୟ ଦଶଟାବେଳକୁ ଅବସ୍ଥା ସଙ୍କଟାପନ୍ନ ।

 

ଭଗବାନଙ୍କ ଛଡ଼ା ଏଠି ଆଉ କିଏ ଭରସା ଅଛି ? ଗୋପ ଓ ଶୋଭା ଦୁହେଁ ଡାକୁଛନ୍ତି ଭଗବାନଙ୍କୁ । ଗୋପ ବସିଛି ଘର ଭିତରେ - ସୁକାନ୍ତକୁ ପଙ୍ଖା କରୁଛି । ଶୋଭା ବାରଣାରେ ଅନ୍ଧାରରେ ବସି ଲୁହ ଗଡ଼ାଉଛି ।

 

ଆଜି ରାତିଟା ଭଲରେ ଭଲରେ କଟିଗଲେ କାଲି ସକାଳୁ ଲୋକ ଯାଇଁ କଟକରୁ ଡାକ୍ତର ଆଣିବ ।

 

ସୁକାନ୍ତର ଚେତା ଫେରିଲା ପ୍ରାୟ ରାତି ଅଧକୁ । କ୍ଷୀଣସ୍ୱରରେ ସେ କହିଲା - ତମେ ଟିକେ ଶୋଇପଡ଼ ଗୋପ । ସୁକାନ୍ତକୁ କଥା କହିବାର ଦେଖି ଗୋପ ମୁହଁ ଉଜ୍ଜ୍ୱଳ ହୋଇପଡ଼ିଲା ।

 

ଗୋପ ପଚାରିଲା, କେମିତି ଲାଗୁଛି ?

 

- ଭଲ । ମୁଁ ତମମାନଙ୍କୁ ବହୁତ କଷ୍ଟ ଦଉଛି । ନୁହଁ ?

 

- କଷ୍ଟ କଣ ? ଆମକୁ ରୋଗ ବୈରାଗ ହେଲେ ତମେ କଣ କମ୍‍ କରିବ ? .... ପାଣି ପିଇବ ?

 

- ହଁ

 

ଗୋପ ପାଣି ଦେଲା । ପାଣି ପିଇସାରି ଗୋପ ହାତକୁ ନିଜ ହାତମୁଠା ଭିତରକୁ ଆଣି ସୁକାନ୍ତ କହିଲା _ ତମେମାନେ ମୋର କେତେ ସେବା ଶୁଶ୍ରୂଷା କରୁଛ ... ମୁଁ କିନ୍ତୁ ତମମାନଙ୍କ ପାଇଁ କିଛି କରିପାରିବି ନାହିଁ ଗୋପ, କିଛି କରିପାରିବି ନାହିଁ । ତମର ଋଣ ଶୁଝିବାକୁ ମୋର ଆଉ ବୋଧେ ସମୟ ନାହିଁ ।

 

- ଯେତକ ବାଜେ ଚିନ୍ତା ତମ ମୁଣ୍ଡରେ ପଶୁଛି । ଚୁପ୍‍ହୋଇ ଶୋଇ ପଡ଼ିଲ, ଶୋଇପଡ଼ ।

 

- ସୁକାନ୍ତ କହେ ଏତେ ସମୟ ତ ଚୁପ୍‍ହୋଇ ଶୋଇଲି ।

 

- କଣ ହେଲା ସେଇଠୁ ?

 

ଲଣ୍ଠନର ଝାପ୍ସା ଆଲୁଅରେ ଗୋପର ମୁହଁ କୁ ଚାହିଁ ସୁକାନ୍ତ ନିଶବ୍ଦରେ ହସେ । ତାପରେ କହେ, ତମେ ମୋ ଉପରେ ରାଗୁଛ ଗୋପ ? ମୁଁ ସିନା ମୁହଁରେ କହିଲି ତମେ ଶୋଇପଡ଼ କିନ୍ତୁ ମୁଁ ପ୍ରକୃତରେ ତା ଚାହେଁ ନାହିଁ ଯେ ! ତମେ ଶୋଇ ପଡ଼ିଲେ ମତେ ଭାରି ନିଛାଟିଆ ଲାଗିବ । କାଳେ ତମକୁ ନିଦ ମାଡ଼ିବ ସେଇଥିପାଇଁ ମୁଁ ତମ ସାଙ୍ଗେ ଗପସପ କରୁଛି ।

 

ସୁକାନ୍ତର କପାଳକୁ ଆଉଁଷି ଦଉ ଦଉ ଗୋପ କହିଲା - ମତେ ଆଦୌ ନିଦ ମାଡ଼ିବ ନାହିଁ

 

କିଛି ସମୟ ପାଇଁ ଦୁହେଁ ନୀରବ ରହିଲେ ।

 

ରାତିର ନିସ୍ତବ୍ଧତା ଭଙ୍ଗକରି ପେଚାଟିଏ ଡାକିଲା । ସୁକାନ୍ତ ଗୋପର ହାତକୁ ଜୋର୍‍ରେ ଚାପିଧରିଲା । କେତେ ରକମ ପାପ ତା ମନକୁ ଛୁଇଁ ଛୁଇଁ ଯାଉଛି । କେତେ ରକମ ବିପଦର ସଙ୍କେତ ତା ଆଖି ସାମନାରେ ଭାସିଉଠୁଛି । ଆଉ ବୋଧେ ବେଶୀଦିନ ନୁହେଁ ।

 

- ଗୋପ ।

 

- କଅଣ ?

 

- ଟିକେ କଥାବାର୍ତ୍ତା କରିବି ?

 

ଗୋପ କିଛି କହେ ନାହିଁ ।

 

- କାଲି ସକାଳେ ରୁବିଭାଉଜଙ୍କ ପାଖକୁ ଖବର ପଠେଇବ, ବୁଝିଲ ?

 

- ହୁଁ

 

- ହୁଁ କ’ଣ ମ ? ନିଶ୍ଚୟ ପଠେଇବ । ବେଶୀ ଡେରିକଲେ ମୋର ହୁଏ ତ ତାଙ୍କ ସାଙ୍ଗେ ଆଉ ଦେଖା ହୋଇପାରିବ ନାହିଁ ।

 

ସୁକାନ୍ତର ଆଖିରୁ ଦୁଇଧାର ଲୁହ ଗଡ଼ିପଡ଼େ । ଚାଦର କୋଣରେ ସେତକ ପୋଛି ସୁକାନ୍ତ ପୁଣି କହେ - ମତେ ଭାରି ଶକ୍ତ ବେମାରି ଧରିଛି । ମୋର ମରିବାକୁ ଦୁଃଖ ନାହିଁ ଯେ ଦୁଃଖ ହଉଛି ଅନେକ ଆପଣାର ଲୋକ ଦୂରରେ ରହିଗଲେ । ଗଲାବେଳେ ସେମାନଙ୍କ ସାଙ୍ଗେ ଦେଖା ବି ହବନାହିଁ ।

 

ଦୀର୍ଘନିଶ୍ୱାସ ପକାଏ ସୁକାନ୍ତ । ଏ ରାତି କଣ ପାହିବ ନାହିଁ ? ସୁକାନ୍ତର ପାଦରେ ହାତ ବୁଲଉ ବୁଲଉ ଗୋପ କହେ - ତମେ ମିଛରେ ବ୍ୟସ୍ତ ହଉଛ । ତମେ ତ ଭଲ ହୋଇଗଲଣି । ଦୁଇଟା ଦିନ ଭିତରେ ତମେ ସାଧାରଣ ଲୋକପରି ଚାଲବୁଲ କରିବ ।

 

ଆକାଶ ଫିକା ପଡ଼ି ଆସିଲାଣି । ଗୋଟି ଗୋଟି କରି ଅନେକ ତାରା ଲୁଚିଯାଉଛନ୍ତି ।

 

ସେଇଆଡ଼କୁ ଚାହିଁ ସୁକାନ୍ତ କହେ - ମୁଁ ଯଦି ମରିଯାଏ ତେବେ ଆମର ଏ ବିଦ୍ୟାନିକେତନ କ’ଣ ବନ୍ଦ ହୋଇଯିବ ଗୋପ ? ମୋର ତମ ଉପରେ ଭରସା ଅଛି । ଦିନରାତି ମତେ ଯେତିକି ଜାଗିବସିଚ ବିଦ୍ୟାନିକେତନକୁ ବି ତମେ ସେମିତି ଜଗି ବସିବ । ମୋର କେତେ ଆଶା, କେତେ ସ୍ଵପ୍ନର ଏ ବିଦ୍ୟାନିକେତନ ।

 

ଗୋପ ଭାବୁଥିଲା ସୁକାନ୍ତଭାଇ କ’ଣ ପାଗଳ ହୋଇଗଲାଣି, ସାରା ରାତି କେତେ କଥା ନ ଗପୁଛି ?

 

- ସୁକାନ୍ତ ଭାଇ ଏଥର ତମେ ଟିକେ ବିଶ୍ରାମ କର । ବହୁତ ଗପୁଛ ।

ସେତେବେଳେକୁ କ୍ଳାନ୍ତି ଆଉ ଅବସାଦରେ ସୁକାନ୍ତର ଆଖି ବୁଜିହୋଇ ଆସିଲାଣି । ଅଳ୍ପ ସମୟ ମଧ୍ୟରେ ତାକୁ ନିଦ ହୋଇଯାଏ ।

 

ସାରା ଦିନ ସାରା ରାତି ଅନିଦ୍ରା ରହି ଗୋପର ଆଖିପତା ମାଡ଼ି ମାଡ଼ି ପଡ଼ୁଥିଲା । ଦାଣ୍ଡରେ ଶଗଡ଼ ଗାଡ଼ି ରହିବାର ଶବ୍ଦ ଶୁଣି ତାର ତନ୍ଦ୍ରା ଭାଙ୍ଗିଗଲା ।

 

ବାହାରକୁ ଆସି ଦେଖେ ଗାଡ଼ିରୁ ଓହ୍ଲାଉଛନ୍ତି ରୁବି ଭାଉଜ; କାଖରେ ଗୋଟିଏ ପିଲା । ମଉଳା ଜହ୍ନ ଆଲୁଅରେ ଠିକ୍‍ ଦେବୀପରି ଦିଶୁଛନ୍ତି ।

 

ଗୋପକୁ ଦେଖି ପଚାରନ୍ତି - ସୁକାନ୍ତ ଭଲ ଅଛି ତ ?

 

- ହଁ

 

- ମୋ ମନ ସେଠି ମୋଟେ ଲାଗିଲା ନାହିଁ । ଗୋଟାଏ ରାତି ଯେ ମୋର କେମିତି କଟିଛି ତମକୁ କଣ କହିବି ଗୋପ ! ଭାବିଥିଲି କାଲି ସକାଳେ ଆସିବି, କିନ୍ତୁ କାହିଁକି କେଜାଣି ଆଜି ପାଞ୍ଚଟା ବେଳକୁ ମୋ ମନ ଆଦୌ ଥୟ ଧରିଲା ନାହିଁ । ଫୁସଲା ଫୁସଲି କରି ତମ ଭାଇଙ୍କି ସାଙ୍ଗରେ ଧରି ଚାଲିଆସିଲି । ବାଟରେ କଣ କମ୍ ବିପଦ ? ରାଣୀପଡ଼ା ପାଖରେ ମଟର ଖରାପ ହେଲା । ତୁଚ୍ଛାଟାରେ ସେଠି ଚାରିଘଣ୍ଟା ଖଣ୍ଡେ ଅପେକ୍ଷା କଲୁ । ଶେଷକୁ ଗାଡ଼ି ଖଣ୍ଡେ କରି ବାହାରିଆସିଲୁ ।

 

ହାତରେ ଟର୍ଚ୍ଚଟିଏ ଧରି ବୋଧହୁଏ ରମାଭାଇ ଆସୁଛନ୍ତି । ରାତି ଚାରିଟାରୁ ତାଙ୍କର ପୋଖରୀପାଣି ଯିବା ଅଭ୍ୟାସ ।

 

ସୁକାନ୍ତ ନିଦରେ ଶୋଇପଡ଼ିଛି । ରୁବି ଭାଉଜ କପାଳରେ ହାତଦେଇ ଚମକିଉଠିଲେ । ଖଇ ଫୁଟୁଛି । ପାଣିପଟି ଦବା ଆରମ୍ଭ ହୋଇଗଲା । ଗୋପ ପାଖରୁ ସବୁ ଶୁଣି ବଡ଼ ଚିନ୍ତିତ ହୋଇପଡ଼ିଲେ ରୁବିଭାଉଜ । କଥାହେଲା ରମାଭାଇ ସକାଳୁ ସକାଳୁ ଯାଇଁ ରାଣୀପଡ଼ାରୁ ଡାକ୍ତର ଡାକି ଆଣିବେ ।

 

ତା ପରଦିନ ସକାଳ ।

 

ପ୍ରାୟ ଆଠଟା ବେଳକୁ ସୁକାନ୍ତର ନିଦ ଭାଙ୍ଗିଲା । ଆଖି ଖୋଲି ପ୍ରଥମେ ଦେଖିଲା ରୁବିଭାଉଜଙ୍କୁ । ସ୍ଵପ୍ନ ନୁହେଁ ତ ? ନା, ରୁବିଭାଉଜ ହସୁଛନ୍ତି । ସେ ହସରୁ ଯେମିତି ଅମୃତ ଝରୁଛି । ଏଇ ହସ ଦେଖିଲେ ତ ମଣିଷର ଆଗେ ଅଧେ ରୋଗ କମିଯିବ । ରୁବିଭାଉଜ କହିଲେ - ତମ ଭାଇ ବି ଆସିଛନ୍ତି । ସକାଳୁ ରାଣୀପଡ଼ାକୁ ଡାକ୍ତର ଡାକିବାକୁ ଗଲେଣି ।

 

ସୁକାନ୍ତର ମୁହଁ ଫୁଲିଯାଇଛି । ରୁବିଭାଉଜ ଏଇ ପ୍ରଥମ ଲକ୍ଷ୍ୟ କଲେ ।

 

ସୁକାନ୍ତ ପଚାରିଲା, ଝିଅ କେମିତି ଅଛି ?

 

- ତାକୁ ତ ସାଙ୍ଗରେ ନେଇ ଆସିଛି । ଝାଡ଼ା ଟିକେ କମିଛି । ସୁକାନ୍ତ ପୁଣି ଆଖି ବୁଜିଦେଲା । ବାଁ ପଟ ଗାଲରେ ଅସହ୍ୟ ଯନ୍ତ୍ରଣା । ଏ ଯନ୍ତ୍ରଣାର କଣ ଶେଷ ନାହିଁ ?

 

ଡାକ୍ତର ଆସିଲା । ସୁକାନ୍ତକୁ ତନ୍ନ ତନ୍ନ କରି ପରୀକ୍ଷା କରି ଔଷଧ ଦେଲା । ଗଲାବେଳେ ରମାନାଥ ଓ ଗୋପକୁ କହିଦେଇ ଗଲା ଜ୍ୱରପାଇଁ ଔଷଧ ଦେଲି । ଜ୍ୱର କମିଲା ମାତ୍ରେ କଟକ ନେଇଯିବେ । ପକ୍ଷାଘାତ ରୋଗର ସବୁ ଲକ୍ଷଣତକ ରହିଛି ।

 

ପକ୍ଷାଘାତ ! ରୁବି ଭାଉଜଙ୍କ ମୁହଁ ଶେତା ପଡ଼ିଯାଏ । ପକ୍ଷାଘାତ ରୋଗରେ ସୁକାନ୍ତ ବଂଶରେ ଅନେକ ମରିଛନ୍ତି । ଶୋଭା ମଧ୍ୟ କାନପାରି ଡାକ୍ତର କଥା ଶୁଣିଥିଲା । ଶୁଣିଲା ପରେ ତା ମୁହଁର ରଙ୍ଗ ମଉଳିଯାଇଛି ।

 

ଠିକ୍ ହେଲା ଜ୍ଵର କମିବା ମାତ୍ରେ ସୁକାନ୍ତକୁ କଟକ ନିଆଯିବ । ରମାଭାଇ ତାଙ୍କ ପାରୁପର୍ଯ୍ୟନ୍ତ ପଇସା ଖର୍ଚ୍ଚ କରିବେ । ତେଣିକି ସୁକାନ୍ତର ଭାଗ୍ୟ ଓ ଭଗବାନଙ୍କ ଦୟା ।

 

ସେଇଦିନ ରାତିରେ ଜ୍ୱର କମିଗଲା । ସୁକାନ୍ତ ଯେତେବେଳେ ଶୁଣିଲା ଯେ ପରଦିନ ସକାଳେ ତାକୁ କଟକ ଯିବାକୁ ପଡ଼ିବ, ସେ ରାଜି ହେଲା ନାହିଁ । ଆଉ ଦୁଇଦିନ ଖଣ୍ଡେ ଅପେକ୍ଷା କରିବାକୁ ସେ ସମସ୍ତଙ୍କୁ ଅନୁରୋଧ କଲା ।

 

ଗୋପ କହିଲା - ନାଁ, ମୋଟେ ସମୟ ନଷ୍ଟ କରାଯିବ ନାହିଁ । କାଲି ଯିବାକୁ ହିଁ ପଡ଼ିବ ।

 

ଗୋପର କଥା ଶୁଣି ସୁକାନ୍ତ ଭାବୁଥିଲା ସମୟ ନଷ୍ଟ ନ କଲେ ମଣିଷ ନିଜକୁ ମଧ୍ୟ ନଷ୍ଟ କରନ୍ତା ନାହିଁ । ଆଉ ନିଜକୁ ନଷ୍ଟ ନ କଲେ ସେ ଅମର ହୁଅନ୍ତା । ଅମର ହବା ଅପେକ୍ଷା ଅକାଳ ମୃତ୍ୟୁ ବରଣ କରିବାରେ ବିପଦ ବହୁତ କମ୍ ।

 

କଟକ ଗଲେ ହୁଏ ତ ଲପିତା ସାଙ୍ଗେ ଦେଖାହେବ । ତାକୁ ଲେଖି ଲେଖି ତ ସେ ଆସିଲା ନାହିଁ । ଆରପରିକି ଯିବା ପୂର୍ବରୁ ଲପିତାକୁ ଥରଟିଏ ଆଖି ପୂରେଇ ଦେଖିବାକୁ ଇଚ୍ଛା ହୁଏ ସୁକାନ୍ତର । ତାର ସେ ଇଚ୍ଛା କଣ ପୂରଣ ହେବ ?

 

ସନ୍ଧ୍ୟାବେଳେ ରୁବିଭାଉଜଙ୍କ କୋଳରେ ମୁଣ୍ଡରଖି ସୁକାନ୍ତ କହେ - ବୁଝିଲ ଭାଉଜ, ମତେ ସିନା କଟକ ନଉଛ, କିନ୍ତୁ କିଛି ଲାଭ ନାହିଁ । କୁଳର ଶେଷ ପ୍ରଦୀପ ମୁଁ ... ଏଇଠି ଲିଭିଥିଲେ ଶାନ୍ତି ପାଇଥାନ୍ତି ।

 

ରୁବିଭାଉଜ କିଛି କହନ୍ତି ନାହିଁ । କେବଳ ନିଜର ସ୍ନେହ କୋମଳ ସ୍ପର୍ଶ ଦେଇ ସୁକାନ୍ତକୁ ନିବିଡ଼ ଭାବରେ ବାନ୍ଧି ରଖିବାକୁ ଚାହାନ୍ତି ।

 

ରାତି ପ୍ରାୟ ଶେଷ ପ୍ରହରରେ ପରିଅବଧାନଙ୍କୁ ସ୍ଵପ୍ନ ଦେଖି ସୁକାନ୍ତର ନିଦ ଭାଙ୍ଗିଗଲା । ଅନୁଭବ କଲା ପରିଅବଧାନଙ୍କ ଆତ୍ମା ଯେମିତି ତା ଶଯ୍ୟା ଚାରିପାଖରେ ଘୂରି ବୁଲୁଛି । ହଠାତ୍ ଗୋଟିଏ ଦୀର୍ଘନିଶ୍ୱାସ ଶୁଣି ଚମକିଉଠେ ସୁକାନ୍ତ- ଏ ଦୀର୍ଘ ନିଶ୍ୱାସ କାହାର, - ? ପରିଅବଧାନଙ୍କର ନାଁ ?

 

ଲଣ୍ଠନ୍ ଲିଭିଯାଇଛି । ଚାରିଆଡ଼ ଅନ୍ଧାର ।

 

ଗୋଟିଏ ଡାକରେ ରୁବିଭାଉଜ ଉଠନ୍ତି ।

 

ପାଣି ଢୋକେ ପିଇ ସୁକାନ୍ତ କହେ - ତମେ ଟିକେ ମୋ ପାଖରେ ବସ - ମତେ ଭାରି ଡର ମାଡ଼ୁଛି ।

 

ରୁବିଭାଉଜ ତା କପାଳରେ ହାତଦେଇ ଦେଖନ୍ତି ଜ୍ୱର ନାହିଁ, ପ୍ରଚୁର ଝାଳ ବହୁଛି ।

 

କିଛି ସମୟ ପରେ ସୁକାନ୍ତ କହିଲା - ଟିକକ ଆଗରୁ ପରିଅବଧାନଙ୍କୁ ସ୍ଵପ୍ନ ଦେଖିଲି | ଯାହାହଉ.....

 

ରୁବିଭାଉଜ ବୁଝିପାରନ୍ତି ନାହିଁ, ସୁକାନ୍ତ କାହିଁକି ଏ ସବୁ କହୁଛି ।

 

ସୁକାନ୍ତ ପୁଣି କହେ - ଆଚ୍ଛା ଭାଉଜ, ଆମେ ତ କଟକ ଚାଲିଯିବା । ... ଧର ମୁଁ ସେଠୁ ଆଉ ଫେରି ଆସିପାରିଲି ନାହିଁ .... ଏ ସ୍କୁଲ କେମିତି ଚାଲିବ ? ଗୋପ କଣ ଚଳେଇ ପାରିବ ନାହିଁ ? ପାରିବ, କଣ କହୁଛ ?

 

ରୁବିଭାଉଜ କିଛି କହନ୍ତି ନାହିଁ, କେବଳ ନିଜର ଆଖି ପୋଛନ୍ତି ।

 

- ତମେ ମୋ ସାଙ୍ଗେ କଥା କହୁନା ଯେ ? କଣ ହେଇଛି ତମର ? ଆହା, କେତେ କଷ୍ଟ ଦେଲିଣି ତମକୁ ... ଗତ ଜନ୍ମରେ ତମେ ମୋର କଣ ଥିଲ ଭାଉଜ?

 

କେବଳ ପ୍ରଶ୍ନ ଆଉ ପ୍ରଶ୍ନ । ପିଲାଙ୍କ ଭଳିଆ ଅଜସ୍ର ପ୍ରଶ୍ନ ପଚାରୁଛି ସୁକାନ୍ତ । ସବୁ ପ୍ରଶ୍ନର ଉତ୍ତର ଦେବା କଣ ରୁବିଭାଉଜଙ୍କ ପକ୍ଷରେ ସମ୍ଭବ ?

 

ଟୁପ୍ ଟୁପ୍ ହୋଇ ବର୍ଷାପଡ଼ୁଛି । ରାତି ପ୍ରାୟ ନଅଟା ହବ । ଷ୍ଟେସନ ପାଖରେ ଲାଇନ୍‍ବସ୍‍ରୁ ଓହ୍ଲାଇପଡ଼ିଲେ ରମାନାଥ, ରୁବିଭାଉଜ ଆଉ ସୁକାନ୍ତ । କୌଣସି ଅନିବାର୍ଯ୍ୟ କାରଣ ହେତୁ ଗୋପ ସେମାନଙ୍କର ସାଥିରେ ଆଜି ଆସି ପାରିଲା ନାହିଁ । କାଲି ଆସିବ ।

 

ରମାନାଥ ଉଦବିଗ୍ନଭରା ଦୃଷ୍ଟିରେ ଚାରିଆଡ଼କୁ ଥରେ ଆଖି ବୁଲେଇନେଲା । କୌଣସି ଅବଶ୍ୟମ୍ଭାବୀ ବିପଦର ସଙ୍କେତରେ ସତେ ଯେମିତି ଭାଙ୍ଗିପଡ଼ୁଛନ୍ତି ରୁବିଭାଉଜ । ନିଜ ଗୋଡ଼ ଉପରେ ଯେମିତି ଆଉ ଭରସା ନାହିଁ । ଶାନ୍ତ ଶିଶୁଟିଏ ପରି ଛିଡ଼ାହୋଇଛି ସୁକାନ୍ତ .... ବଲ୍ ବଲ୍ କରି ଆଡ଼େ ସାଡ଼େ ଅନଉଛି । ଶେତା ପଡ଼ିଯାଇଛି ତା ମୁହଁ ... ଆଖି ଇଞ୍ଚେ ଲେଖାଏଁ ଭିତରକୁ ପଶିଯାଇଛି । ଚିହ୍ନି ହଉନାହିଁ ... ଏଇ କଣ କଟକ ଷ୍ଟେସନ୍ ?

 

ଟୁପ୍ ଟୁପ୍ ହୋଇ ବର୍ଷା ପଡ଼ୁଛି । ରାସ୍ତାରେ ବେଶୀ ଭିଡ଼ ନାହିଁ । ଯାତ୍ରୀ ସବୁ ତରତର କରି ପ୍ଳାଟଫର୍ମ ଭିତରକୁ ପଶି ଯାଉଛନ୍ତି । ବୋଧହୁଏ ଏକ୍ସପ୍ରେସ୍ ଛିଡ଼ା ହୋଇଛି ।

 

ରେକ୍‌ସା ଡାକିବାକୁ ରମାନାଥ ଟିକିଏ ଆଗକୁ ଯାଆନ୍ତି । ଅନତିଦୂରରେ ଜିପ୍‍ଟିଏ ଆସି ଛିଡ଼ାହେଲା । ପ୍ରକାଶ ଓହ୍ଲାଇ ପଡ଼ି କ୍ଷିପ୍ରଗତିରେ ପ୍ଳାଟଫର୍ମ ଭିତରକୁ ପଶିଯାଉଥିଲା । ପଛରୁ କିଏ ଟାଣି ଧରିଲା ତା ହାୱାଇନ୍‍ । ବିରକ୍ତ ହୋଇ ପଛକୁ ଚାହିଁ ଦେଖେ ତ ସୁକାନ୍ତ !

 

- ଆରେ ତୁ ! ଆଉ ସବୁ ଭଲ ? .. ଖୁବ୍‍ ଝଡ଼ିଯାଇଛୁ ତ ! ଠିକ୍ ସମୟରେ ଆସି ପହଞ୍ଚିଗଲୁ ତାହେଲେ ...ଆ .... ଆ .. ପାଞ୍ଚମିନିଟ୍ ଆଉ ରହିଲା ଏକ୍ସପ୍ରେସ୍ ଛାଡ଼ିବାକୁ । ହାଁ କରି ପ୍ରକାଶ ମୁହଁକୁ ଚାହିଁ ରହିଛି ସୁକାନ୍ତ । କିଛି ବୁଝି ପାରୁନାହିଁ ।

 

- ଲପିତା ଆଉ ପ୍ୟାରେଲାଲ୍ ଆଜି ଜଲିଟ୍ରିପ୍‍ରେ କାଶ୍ମୀର୍‍ ଯାଉଛନ୍ତି । ... ଜାଣିନୁ ? ପ୍ରାୟ ଛଅ ସପ୍ତାହ ରହିବେ । ମୁଁ ଭାବିଲି ତୁ ତାଙ୍କୁ ସି-ଅଫ୍ କରିବାକୁ ଆସୁଛୁ ନାଁ ? ...

 

ସୁକାନ୍ତ ଭାବଭଙ୍ଗୀରେ ଜଣାଇଦେଲା ଯେ ସେ ଏସବୁ କିଛି ଜାଣିନାହିଁ । ମୁଣ୍ଡ ଆଉ ହାତ ହଲେଇ ପ୍ରକାଶକୁ କଣ ସବୁ ପଚାରିଲା । ପ୍ରକାଶ ବୁଝି ପାରିଲା ନାହିଁ ।

 

ପ୍ରକାଶଠୁଁ କଲମ କାଗଜ ମାଗି ସୁକାନ୍ତ ଲେଖିଲା - ମୁଁ କଥା କହି ପାରୁନାହିଁ । ପ୍ୟାରେଲାଲ୍ କିଏ ?

 

କାଗଜକୁ ଅନେଇ ନିର୍ବାକ୍ ହୋଇଗଲା ପ୍ରକାଶ । ସୁକାନ୍ତକୁ କୁଣ୍ଢେଇ ପକେଇଲା ।

 

ଇଏ ତୋର କଣ ହେଲା ସୁକାନ୍ତ ? ଇଏ ତୋର କେଉଁ ପାପର ପ୍ରାୟଶ୍ଚିତ ? ପ୍ୟାରେଲାଲ୍ କିଏ ଓ କାହିଁକି ତୁ ସବୁ ଶୁଣିବୁ । ମୁଁ ତତେ ଗୋଟି ଗୋଟି ସବୁ କହିବି । କିନ୍ତୁ ତୋ କଥା ମୁଁ ଆଉ କେବେ ଶୁଣି ପାରିବି ନାହିଁ ?

 

ସେତେବେଳେକୁ ରମାନାଥ ସୁକାନ୍ତକୁ ଖୋଜି ଖୋଜି ସେଠି ଆସି ପହଞ୍ଚିଲେଣି । ପ୍ରକାଶ ତାଙ୍କଠାରୁ ବୁଝିଲା ଯେ ଦୁଇଦିନ ହେବ ସୁକାନ୍ତର ଜିଭ ଅଚଳ ହୋଇଯାଇଛି । ତା ପୂର୍ବରୁ ଦଶଦିନ କାଳ ସେ ସାଙ୍ଘାତିକ ଜରରେ ପଡ଼ିଥିଲା । ଡାକ୍ତରଙ୍କ ସହିତ ପରାମର୍ଶ କରିବାକୁ ସେମାନେ କଟକ ଆସିଛନ୍ତି ।

 

କଣ ଭାବି ନିଜ ଜିପ୍ ଭିତରେ ସେମାନଙ୍କୁ ବସିବାକୁ ଅନୁରୋଧ କରି ପ୍ଳାଟଫର୍ମ ଭିତରକୁ ଚାଲିଗଲା ପ୍ରକାଶ୍‌ ।

 

ଏକ୍‌ସପ୍ରେସ୍‌ ଛାଡ଼ିବା ଉପରେ ।

 

କୁପେ । ଉପରେ ପ୍ୟାରେଲାଲ୍ ଅଉ ତଳେ ଲପିତା । ଉଭୟ ମନଯୋଗ ଦେଇ ନିଜର ବିଛଣା ପାରୁଛନ୍ତି । କଥାଟା ଖୁବ୍‍ ଗୁପ୍ତ ରଖାଯାଇଛି । ତେଣୁ ଲପିତାର ଅନ୍ୟ କେହି ବନ୍ଧୁ ରୁମାଲ୍‍ ହଲାଇବା ଲାଗି ଷ୍ଟେସନ୍‌ ଆସିନାହାନ୍ତି |

 

ପ୍ରକାଶକୁ ଦେଖି ସତେ ଯେମିତି ଆନନ୍ଦରେ ଆତ୍ମହରା ହୋଇଗଲେ ଦୁଇଜଣଯାକ ।

 

ଲପିତା କହିଲା - ଦେଖିଲ ପ୍ୟାରେଲାଲ୍ ...ମୁଁ ଟିକକ ଆଗରୁ କହୁ ନଥିଲି ଯେତେ ଯାହା ହଉ ନା କାହିଁକି ଗାଡ଼ି ଛାଡ଼ିବା ପୂର୍ବରୁ ପ୍ରକାଶ ନିଶ୍ଚୟ ଆସିବ ... ଆଣ୍ଡ୍ ଦି ଡେଭିଲ୍ ହାଜ୍ କମ୍ ...

 

ଖିଲ୍ ଖିଲ୍ ହୋଇ ହସିଉଠିଲା ଲପିତା ।

 

ଗରୀବମାନେ କେବଳ ସୁଯୋଗକୁ ଅପେକ୍ଷା କରିଥାନ୍ତି । ଧନ ଯାହାର ଅଛି ସେ ସୁଯୋଗ ସୃଷ୍ଟି କରିନିଏ । ପ୍ୟାରେଲାଲ୍ ତିଆରି କରି ନେଇଛି ଏଇ ସୁଯୋଗ । ତାର ଚାଲିଚଳନ ରଙ୍ଗ ଢଙ୍ଗରେ କେମିତି ଗୋଟାଏ ଆତ୍ମପ୍ରସାଦର ଭାବ । ଜଗନ୍ନାଥ ଦେଶକୁ ଯେତେ ଶୁଷ୍କ ମନେ ହେଉଥିଲା ପ୍ରକୃତରେ ତା ନୁହେଁ ତ ! ଏଠାରେ ବି ଫୂର୍ତ୍ତି ଫାଜିଲାମି କରିବାକୁ ବେଶ୍ ଜାଗା ଅଛି । ଅବଶ୍ୟ ପ୍ରକାଶଭାୟା ପରି ଦୋସ୍ତ ଜୁଟିବା ଦରକାର ।

 

କଥା ମଝିରେ ପ୍ରକାଶ ଲପିତାକୁ ସୁକାନ୍ତ ବିଷୟ ସବୁ କହିଲା ।

 

-ବେଶ୍ ତ...... ତମେ ଥାଉଁ ଥାଉଁ ସେମାନଙ୍କର ଅସୁବିଧା କଣ ଅଛି ?..... ଗେଷ୍ଟ୍ ରୁମ୍ ଚାବି ଆୟା ପାଖରେ ...... ସମସ୍ତେ ସେଇ ଘରେ ରହନ୍ତୁ । ତା ଛଡ଼ା ଉଲ୍ଲଭ ନାଥଙ୍କୁ କହିବ ମୁଁ ରୋଗୀପାଇଁ ପର୍ସନାଲି ଇଣ୍ଟରେଷ୍ଟେଡ଼୍ .... ସେ ଯେମିତି ସ୍ପେଶାଲ୍‌ କେୟାର ନିଅନ୍ତି ।

 

ଏତିକି ବେଳୁ ପ୍ୟାରେଲାଲ୍ ମନରେ ବୋଧହୁଏ ରଙ୍ଗ ଧରିଲାଣି । ଭିତରର ଶ୍ୱେତ ବଲ୍‍ବଟିକୁ ଲିଭାଇ ସେ ଜଳେଇ ଦେଇଛି ଫିକା ସବୁଜ ଆଲୁଅଟି ।

 

ଏଇ ଅବସରରେ କଥାର ମୋଡ଼ ଘୂରାଇଦିଏ ଲପିତା - ତମେ ଆସିଥିଲେ ମୁଁ ଆହୁରି ବେଶୀ ଖୁସି ହୋଇଥାନ୍ତି ।

 

ତାପରେ ଟିକେ ହସି ପ୍ରକାଶ ଆଡ଼କୁ ଅନାଏ । ସେ ହସର ଅର୍ଥ କଣ କେଜାଣି ? ଏଇ ଫିକା ସବୁଜ ଆଲୁଅ ଭିତରେ ସେ ହସର ଅନେକ ଅର୍ଥ ହୋଇପାରେ । ସେଥିପାଇଁ ଆଉ ମୁଣ୍ଡ ଘୂରାଇବା ଦରକାର ନାହିଁ ପ୍ରକାଶର । ସେଇ ହସର ଭିନ୍ନ ଭିନ୍ନ ଅର୍ଥ ବାହାର କରିବାକୁ ତ ରହିଛି ପ୍ୟାରେଲାଲ୍ !

 

ପ୍ରକାଶକୁ ହଠାତ୍ ଗମ୍ଭୀର ହୋଇଯିବାର ଦେଖି ଲପିତା ପଚାରେ - ଭାରି କଷ୍ଟ ହଉଛି ନାଁ-? ଆଚ୍ଛା ପ୍ରକାଶ୍, ମୁଁ ଯଦି ଆଉ କାଶ୍ମୀର୍‍ରୁ ନ ଫେରେ ?

 

କଣ୍ଠରେ ଦ୍ଵାଦଶବର୍ଷୀୟା କିଶୋରୀର ଚପଳତା ।

 

ଲପିତାର କଥା ଶୁଣି ପ୍ରକାଶ ହସେ - ଶୁଷ୍କ ହସ । ତାପରେ କିଛି ନ ଭାବି କହେ - ତା ହେଲେ ମୁଁ ଜାଣିବି ଯେ କାଶ୍ମୀର୍‍ରେ ଓଡ଼ିଶୀ ଆପେଲ୍‌ର ମଧ୍ୟ ବହୁତ କଦର୍ ଅଛି ।

 

ଟାଣି ଓଟାରି ହୋ ହୋ କରି ହସି ଉଠିଲା ପ୍ରକାଶ । କିଛି ନ ବୁଝି ଲପିତା ଓ ପ୍ୟାରେଲାଲ୍ ମଧ୍ୟ ସେ ହସରେ ଯୋଗଦେଲେ ।

 

 

ଗାଡ଼ି ଚାଲିବାକୁ ଆରମ୍ଭ କଲାଣି ।

 

ବାଇ .... ବାଇ...... ଚିଆରିଉ ।

ଏହା ପରର ଘଟଣା ଆଉ ବିଶେଷ କିଛି ଜଣାନାହିଁ । ସେଦିନ ରାତିରେ ସୁକାନ୍ତ ପ୍ରଭୃତିଙ୍କୁ ନେଇ ପ୍ରକାଶ ନିଜ ଘରକୁ ଗଲା ନା ଲପିତାଙ୍କ ଘରେ ଛାଡ଼ିଲା, ଠିକ୍ କହିହବ ନାହିଁ । ଲପିତା କେତେ ଦିନ ପରେ କାଶ୍ମୀର୍‍ରୁ ଫେରିଲା କି ଆଦୌ ଫେରିଲା ନାହିଁ - ସେ ଖବର ମଧ୍ୟ ଜଣା ମହଲରେ କେହି ରଖିନାହାନ୍ତି ।

 

ତେବେ ସଠିକ୍ ଭାବରେ ଏତିକି ଜଣାଯାଇଛି, ଡାକ୍ତରମାନଙ୍କ ସୁପରାମର୍ଶ ଆଉ ରୁବିଭାଉଜଙ୍କ ସେବା ଲାଭ କରି ସୁକାନ୍ତର ସେଇ ଜିହ୍ୱା-ପକ୍ଷାଘାତ ଯେତେବେଳେ ଭଲ ଆଡ଼କୁ ଗତି କରୁଥିଲା ଠିକ୍ ସେତିକିବେଳେ ଦିନେ କେଉଁ ଏକ ଅଜ୍ଞାତ କାରଣରୁ ମସ୍ତିଷ୍କରେ ରକ୍ତସ୍ରାବ ହୋଇ ହଠାତ୍ ତାର ମୃତ୍ୟୁ ଘାଟିଲା।